କଫି ସପରେ ବସି କଫି ପିଉ ପିଉ ବୋଉ କଥା ଭାବୁଥିଲା ଦୀପଙ୍କର. ଏ ବର୍ଷ ନାହିଁ ନଥିବା ବର୍ଷାରେ କେତେ କୋଉଠି ବନ୍ୟା ହୋଇଗଲା. ପାଣି ବିହୁନେ ଜଳ ନାଶ ହେଉଥିଲା ବେଳେ ଏବର୍ଷ ଜଳ ଗହଳେ ସର୍ବନାଶ ହୋଇଗଲା. ସେଇ ସର୍ବଗ୍ରାସୀ ବନ୍ୟାର ପ୍ରକୋପରୁ ତାଙ୍କ ଗାଁ ଭାସିଗଲା ପରେ ବୋଉ ତାର ଏକୁଟିଆ ମଣିଷଟା ଧାଇଁ ଆସିଥିଲା ତା ପାଖକୁ ପ୍ରଥମେ. ସ୍ତ୍ରୀ ସହିତ ମତଭେଦର ଭୟରେ ସେ ବୋଉକୁ ନିଜ ପାଖରେ ନରଖି ମାମୁଁ ଘରକୁ ପଠେଇ ଦେଇଥିଲା. ବୋଉର ବାପଘର ପଟୁ ଏକମାତ୍ର ଭାଇ ମଧ୍ୟ ସାନପୁଅ ବାହାଘର ଓ କୋଠରୀ ଅଭାବ କଥା କହି ବୋଉକୁ ଫେରେଇଦେଲା ପରେ ବୋଉ ବାଧ୍ୟ ହୋଇ ତା ଭଉଣୀ ମିନି ପାଖକୁ ଚାଲିଯାଇଥିଲା ଓ ପୁଅ ହୋଇ ଦୀପଙ୍କର ବୋଉ ପାଇଁ ଆଶ୍ରୟ ବନି ନଥିଲେ ମଧ୍ୟ ଝିଅ ହୋଇ ତା ଭଉଣୀ ମିନି ବୋଉକୁ କୋଳେଇ ନେଇଥିଲା. ବୋଉ କିନ୍ତୁ ମିନି ପାଖରେ ରହି ମଧ୍ୟ ତା ପରି ଅଭାଗା ପୁଅର ଭଲ ମନ୍ଦ ପଚାରି ବୁଝୁଥିଲା. ବୋଉର ଫୋନ ବାଜିଲେ ସ୍ତ୍ରୀ ସ୍ୱପ୍ନା ଅନେକ କଥା କହେ ତଥା ସନ୍ଦେହ କରେ ବୋଲି ସେ ସେହି ସମୟ ଜଗି କଫି ଦୋକାନକୁ ଚାଲିଆସେ କଫି ପିଇବା ସହିତ ବୋଉର ଫୋନ ସୁବିଧା ଓ ସହଜରେ ଶୁଣିପାରିବ ବୋଲି ତଥା କଥା ହେବା ପାଇଁ.
କଫି ସପ ରେ ବସି କଫି ପିଇଲା ବେଳେ ଦୀପଙ୍କରର ପିଲାଦିନ କଥା ଗୋଟି ଗୋଟି ମନେ ପଡେ. ପୁଅ ବୋଲି ତାର ସବୁଥିରେ ଭାଗ ଅଧିକା. ବାପା ଆଣିଥିବା ଛତା ସେ ଆଗ ବାଛି ନେଇସାରିଲା ପରେ ବଳକାଟିକୁ ମିନି ନିଏ. ସେମିତି ସ୍କୁଲ ବକ୍ସ, ପାଣି ବୋତଲ ସବୁଥିରେ ତାର ପସନ୍ଦ ଆଗ. ମିନି ସହିଯାଏ. ପ୍ରତିବାଦ କେବେ କରେନା, ଅଭିଯୋଗର ପ୍ରଶ୍ନ ଉଠୁଛି କୋଉଠୁ!ବୋଉ ମଧ୍ୟ ସବୁବେଳେ ତା ପକ୍ଷ ନିଏ. ଆଜି ସେଇ ବୋଉ ପାଇଁ ସେ କରିଛି କଣ!ଏବେ ଏଠି ବାତ୍ୟା ଆସିବା ସମ୍ଭାବନା ଭିତରେ ସମସ୍ତେ ଜାଗ୍ରତ. ବୋଉର ଘନ ଘନ ଫୋନ ଯେ ସାବଧାନରେ ଥିବ ହେଲେ ପ୍ରକୃତି ରାଗକୁ ଅଟକାଇବାକୁ କିଏ ଅବା ସକ୍ଷମ!ବାତ୍ୟା ଆସୁଛି ଘରକୁ ଯାଆ, ବୋହୁ ସ୍ୱପ୍ନା ଏକୁଟିଆ ଥିବ ବୋଲି ବୋଉ ଫୋନ ରେ କହୁ କହୁ ପ୍ରଳୟ ଓ ଝଡ଼ର ତାଣ୍ଡବ ଭିତରେ କଫି ସପ ଭିତରେ ସମସ୍ତେ ପ୍ରାର୍ଥନା କରୁଥିଲେ ସୃଷ୍ଟିକର୍ତ୍ତାଙ୍କୁ .
ଝଡ଼ ଥମିଲା ପରେ ବାଟ ଘାଟ ଜଣାପଡୁନଥିଲା କି ଘର ର ଚିହ୍ନ ବର୍ଣ୍ଣ ନଥିଲା. ସ୍ୱପ୍ନାର ଖବର ଅନ୍ତର ନଥିବା ଭିତରେ କୁଢ଼ କୁଢ଼ ଗଛ ପତ୍ର ଭଳି ଶବ ବୁହା ଚାଲିଥିଲା. ସେସବୁ ଶବଗାଡି ଭିତରେ ସ୍ୱପ୍ନାର ଓଢଣୀ ଭଳି ଓଢଣୀ ପିନ୍ଧା ସ୍ତ୍ରୀ ଲୋକକୁ ଦେଖି ଦୀପଙ୍କରର ଆଖି ବୁଜି ହୋଇ ଆସିଲା ବେଳକୁ ପଛରେ ବୋଉ ଓ ମିନି ତା କାନ୍ଧରେ ହାତ ପକେଇ ଆଶ୍ୱାସନା ଦେଇ ଗାଁକୁ ଚାଲ କହିଥିଲେ. ଗାଁରେ ଭଉଣୀ ମିନିର ସହାୟତା ପାଇ ବୋଉ ପୁଣି ଦୁଇବଖରା ଘର କରିପାରିଥିଲା.ବୋଉର ସ୍ୱାଭିମାନ ପାଇଁ ମିନି ଜାଗ୍ରତ ଥିଲା ବେଳେ ସେ ନିଜେ ପୁଅ ହୋଇ ବୋଉ ପାଇଁ କରିଛି କଣ! ଦୀପଙ୍କର କାନରେ ସେଦିନ ଅସହାୟା ବୋଉକୁ ସ୍ୱପ୍ନା ପାଇଁ ଫେରେଇଦେଇ ଅନୁତାପ କରୁଥିବା ପୁଅକୁ ବୋଉ ବୋଧ ଦେଉଥିଲା ଯେ ବ୍ୟସ୍ତ ହୁଅନା ପୁଅ, ମୋ ସୁନାବୋହୁ ସ୍ୱପ୍ନା ମିଳିଯିବ. ସେଦିନ ସତକୁ ସତ ପୋଲିସ ସହିତ ସ୍ୱପ୍ନା ଗାଡିରୁ ଓଲ୍ହେଇଲା ତ ବୋଉ ଆଖିରୁ ଠାକୁରଙ୍କ ପ୍ରତି କୃତଜ୍ଞତାରେ ଲୁହ ଗୁଡା ଝରିପଡୁଥିଲା. ଆଜି ସବୁ ଅଛି ଦୀପଙ୍କର ପାଖରେ. ସେ ପୁଣି କଫି ସପ ରେ କଫି ପିଉଛି କିନ୍ତୁ ବୋଉ ନାହିଁ. ବାହାରକୁ ଆସି ତାରା ଭର୍ତ୍ତି ଆକାଶ ସାରା ଭିତରୁ ତା ବୋଉ କିଏ ବୋଲି ଦୀପଙ୍କର ଚିହ୍ନିବାକୁ ସମର୍ଥ ନଥିଲା.