ଵାପଘରେ ଭଉଣୀମାନେ ଏକାଠି ହୋଇଥାନ୍ତି ଘରେ ତ ବଡଭଉଣୀ କଥା ପ୍ରସଙ୍ଗରେ ଯେମିତି କହିଛି ଯେ ଜାଣିଛ ସବୁ,ତୁମ ବଡ଼ ଭିଣୋଇଙ୍କ ପସନ୍ଦର ଜୀଵନ ଗୀତଟି ହେଲା ଛି ଛିରେ ନନି ଛି ତ ସେଇଠୁ ତା ତଳ ନାନୀ କହୁଥିଲା ମୋ ଜୀଵନ ଗୀତ ହେଲା କେମିତି ପଞ୍ଚତାରକା ହୋଟେଲଟିଏ ସମ୍ପୂର୍ଣ୍ଣ ହେବ ମୋ ସ୍ୱାମୀଙ୍କର ତ ଏଥର ତା ତଳକୁ ତଳ ଭଉଣୀମାନଙ୍କ ଭିତରୁ କିଏ କହୁଥିଲା ମୋ ଜୀଵନ ଗୀତ ହୀରାର ରାଣୀ ହାରଟିଏ ମୋ ଜୀଵନ ଗୀତ ତ କିଏ କହୁଥିଲା ମର୍ସିଡ଼ିସ ଗାଡି ତ ସବା ସାନ କହୁଥିଲା ମୋ ପୁଅ କେମିତି ଡାକ୍ତର ହେବ ସେଇ ମୋ ଜୀଵନ ଗୀତ. ଟିକେ ଦୂରରେ ଥାଇ ପାଞ୍ଚଭଉଣୀମାନଙ୍କର ଏକମାତ୍ର ପୁତୁରା ଶିବୁ କହୁଥିଲା ନାନୀମାନେ ତୁମ ଜୀଵନ ଗୀତ ଯାହା ହେଉନା କାହିଁକି ତୁମେ ସବୁ ସତ କହିବାକୁ କିଆଁ ଡରିବି ସତ କହିପଛେ ମଲେ ମରିବି ନ୍ୟାୟରେ ସମସ୍ତେ ସତ କହିଥିବାରୁ ତୁମମାନଙ୍କୁ ଧନ୍ୟବାଦ କାରଣ ମୋ ଜୀବନର ଗୀତ ହେଲା ସେଇ ସତ କହିବାକୁ କିଆଁ ଡରିବି.. ସତ କହି ପଛେ ମଲେ ମରିବି.
ଏତିକି ବେଳେ ଭାଇ ସୁଶୀଲ ବିସର୍ଣ୍ଣ ବଦନରେ ପହଁଚିଲେ ଓ ତାଙ୍କୁ ଯେବେ ପଚରା ଗଲା ତୋ ଜୀବନର ଗୀତ କଣ କିରେ ସୁଶୀଲ? ପୁଅକୁ ତ ଭଲ ଶିକ୍ଷା ଦେଇଛୁ ଯେ ସେ କହୁଛି ତା ଜୀଵନର ଗୀତ ହେଲା ସତ କହିବାକୁ କିଆଁ ଡରିବି.. ସତ କହି ପଛେ ମଲେ ମରିବି. ତୁ କେଡେ ଭାଗ୍ୟ କରିଥିଲୁ ବୋଲି ତୋର ପୁଅ ଏମିତି କହୁଛି ଶୁଣି ଆମେ ପାଞ୍ଚ ଭଉଣୀ ଖୁବ ଖୁସି ତ ସୁଶୀଲ କହୁଥିଲା ହଁ ଯେ ନାନୀ ଏଇ ଷ୍ଟାଡ଼ିଅମ କାମଟା ହାତକୁ ନେଇ ସାରିପାରୁନଥିବାରୁ ମତେ ଏଥର ମାନ ସମ୍ମାନ ହରେଇବାକୁ ପଡିବ. ବଡ଼ନାନୀ ତା ସ୍ୱାଭାବିକ ଢଙ୍ଗରେ କହୁଥିଲା କାହିଁ ବଡଭିଣୋଇଙ୍କୁ କହୁନୁ ମିସ୍ତ୍ରୀ ବୁଝିଦେବେ ଯେ ଅଧାଗଢ଼ା ଷ୍ଟାଡ଼ିଅମ କାମଟା ବେଳ ଥାଉ ଥାଉ ସମ୍ପୂର୍ଣ୍ଣ ହୋଇଯିବ. ସେକଥା କଣ ମୁଁ ବୁଝିନି ନାନୀ!କୋଉଠି କେହି ମିସ୍ତ୍ରୀ କି ଶ୍ରମିକ ମିଳୁନାହାଁନ୍ତି. ସମସ୍ତେ ସରକାରୀ ଛାଡ଼ ପାଇ କୁମ୍ଭମେଳାରେ ବୁଡ଼ ମାରି ପାତକ ଛଡାଇ ଆସିବା ଚକ୍କରରେ ଅଛନ୍ତି ତ କୋଉଠୁ ମିସ୍ତ୍ରୀ ମିଳିବେ ଆଉ?ପଛରେ ଥାଇ ଶିବୁ ସବୁ ଶୁଣୁଥିଲା ତ କହିଲା ଏଇ କଥାତ ବପା, ତୁମେ ବ୍ୟସ୍ତ ହୁଅନାହିଁ ଆମ ଯୁବକ ସଙ୍ଘ ପିଲାମାନେ ସବୁ କାମ କରିନେବେ. ସତକୁ ସତ କୁମ୍ଭମେଳାରୁ ନେତା ମନ୍ତ୍ରୀଙ୍କ ସହିତ ଶ୍ରମିକ ଇତ୍ୟାଦି ଫେରିଆସିବା ବେଳକୁ ଷ୍ଟାଡିଅମ କାମ ସରିଛି. ନିର୍ଦ୍ଦିଷ୍ଟ ଦିନ ଉଦଘାଟନ ହେବ ହେଲେ ଶିବୁ କୁ ନପାଇ ଘରେ ଭାଳେଣି ପଡିଛି.
ଦୁଇଦିନ ପରେ କଇଁ ଗାଡିଆରେ ଭାସୁଥିବା ଶବଟି ଶିବୁର ଥିଲା ତ କିଏ କହୁଥିଲା କେତେ କଣ୍ଟ୍ରାକ୍ଟର ଏଇ ଷ୍ଟାଡ଼ିଅମ କାମ ପାଇବାକୁ ଟେଣ୍ଡର ପକେଇ ନିରାଶ ହୋଇଥିଲେ ତ ଭାବିନଥିଲେ ସୁଶୀଲ କୁମ୍ଭମେଳା ପୂର୍ବରୁ ଏ କାମ ସାରିପାରିବ ତ ସେଇ କଣ୍ଟ୍ରାକ୍ଟରମାନଙ୍କ ଭିତରୁ କେହି ମାରିଥିବେ ତା ପୁଅକୁ . ଆଉ କିଏ କହୁଥିଲା ନାଇଁମ ବୟସର ଦୋଷରେ ପ୍ରେମରେ ଅସଫଳ ହୋଇ ଜୀଵନ ହାରିଥିବ ଶିବୁ . ଘରେ କିନ୍ତୁତା ବିଧବା ସ୍ତ୍ରୀ ଅଳକାକୁ ଦେଖି କାନ୍ଦବୋବାଳି ପଡିଥିଲା ଘରେ. ପିଇସୀମାନେ ବହୁନା ପକାଉଥିଲେ.କୁଆଡେ ଗଳୁରେ କଳି ଯୁଗର ଧରମା! ବଞ୍ଚିଥିଲେ ସିନା ସତ ଜୀଵନ ଗୀତ ବୋଲିଦେଇଥାଆନ୍ତୁ. ସୁଶୀଲ ଓ ତା ସ୍ତ୍ରୀ କତରା ଲାଗି ହେବା ନିଶ୍ଚୟ ତାଙ୍କ ଜୀଵନ ଗୀତ ବୋଲି ବିହି ବହି ଲେଖିଥିଲା.
କିଛି ଦୂରରେ ଥିବା ଅଫିସ ଭିତରୁ ଏକୁଟିଆ ସେ ଗଛଟା ଆଡକୁ ଆଖି ପଡିଗଲେ ଲେଉଟି ଆସେ ଆଖି କିନ୍ତୁ ମନ? ନା ଆଦୌଁ ନୁହେଁ. ସେଇ ଏକେଲା ଗଛ ଦେଇ ମିଟୁ, ପୁଣି ଯିବା ଆସିବା କରିବ,କେବେ ଭାବି ନଥିଲା ସେ.ହେଲେ ଜୀବନ ଯୁଦ୍ଧରେ ସାମିଲ ହେବାକୁ ହେଲେ କିଛି ତ ଆପଣେଇବାକୁ ହୁଏ. ସେହି ଆତ୍ମଘୋଷିତ ପୁରୁଷପୁଙ୍ଗବ ମିଟୁ,ସେଥିରୁ ବାଦ ଯାଆନ୍ତା କେମିତି !ସବୁଦିନ ଅଫିସକୁ ପଶିଯିବା ବେଳେ ନଜର ପଡେ ସେହି ଟାଇପିସ୍ଟି ସିଟରେ ବସି ଠକ ଠାକ ବାଡେଇ ଶବ୍ଦ ସୃଷ୍ଟି କରୁଥିବା ତନୁପାତେଳୀ ଝିଅଟା ଉପରେ. ଆଜି ସେ ନଜର ଅଲଗା ଥିଲା. ନାରୀ ମାନେ ଭାରି ସତର୍କ ଜାଣିଥିଲେ ବି ଅନୁଭବିଲା ମିଟୁ,ମିତୁଙ୍କ କଥା ଏକଦମ ଠିକ. ଝିଅଟା ବି ଅପ୍ରସ୍ତୁତ ହୋଇ ପଡିଲା. ଆଉ ଠିକ ସେତିକି ବେଳେ ମିଟୁ,କିଛି ଆବିଷ୍କାର କଲା.
ସେ ଗଛଟା ଆଉ ତା ଛାଇରେ ମସଗୁଲ ସେଇ ପୁଅ ଝିଅ ଦିଟାଙ୍କ କଥା, ସେ ଦୁହିଁଙ୍କ ପ୍ରେମ ଗଳ୍ପ ସହ ଓତପ୍ରୋତଃ ଜଡିତ ମିଟୁ, ଝିଅଟିକୁ ଦେଖି ସ୍ତବ୍ଧ ଓ ଚକିତ. ସବୁ ଉତ୍ତାଳ ତରଙ୍ଗରେ ଭଟ୍ଟା ପଡିଲା ପରି ଯୋଉ ଝିଅଟାର ପ୍ରେମିକ ସାଜିଥିବା ସେଇ ଡେଙ୍ଗା ପତଳା ପୁଅଟା ଉଭାନ ହୋଇଗଲା ସବୁଦିନ ପାଇଁ, ଝିଅଟାର ସବୁଜ ଓଢଣୀ ଭିତରୁ ସାଗୁଆ ଆଖି ଦୁଇଟାର ଅଶ୍ରୁ ଢଳ ଢଳ ସମ୍ମୋହନରେ ନିଜେ ମିଟୁ, ଯେବେ ସବୁଜ ବାନିଅନ ପିନ୍ଧି ସେଇ ଏକେଲା ଗଛମୂଳେ ଝିଅଟିର ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଛି, ଉଭାନ ହୋଇସାରିଥିଲା ଝିଅଟା, ଅଳକା
ପାଠ ଶାଠ ଚାକିରୀ ବାହାଘର ପରେ ମିତୁ କୁ ଅନେକ ଥର ପଚାରିଛି ମିଟୁ, କୁହନା ତୁମ ଅତୀତ. ଦାର୍ଶନିକ ଭଳି ମିତୁ ଉତ୍ତର ଦିଏ ଅତୀତ ନିରୁଦିଷ୍ଟ, ଭବିଷ୍ୟତ ଅନ୍ଧାର. ତେଣୁ ବର୍ତ୍ତମାନ ଭିତରେ ବଞ୍ଚି ଶିଖିବା ଉଚିତ ନୁହେଁ କି? ମିତୁ କଥାରେ ଆହାତ ହୁଏ ମିଟୁ. ଉପରକୁ ପ୍ରକାଶ କରେନା ସିନା ଛଟପଟ ହୁଏ. ମିତୁର ଅତୀତ ପଚାରିଲେ, ସେ ହୁଏତ ମିଟୁର ଅତୀତ ପଚାରି ବସିବ ତ ଗାଳି ପକେଇବ ଫୁଟୁଥିବା ଭାତ ପରି ତା ସବୁଜ ବାନିଅନ ପିନ୍ଧବାର ରହସ୍ୟ ସହ ଅଳକା କଥା . ସେଇ ଦୁର୍ମୁଲ୍ୟ ଅନୁଭବ ସବୁକୁ ନିଜ ପାଖରେ ରଖି ମିଟୁ କିନ୍ତୁ ଭାବୁଥଲା ସତରେ ନାରୀ ଖାଲି ସତର୍କ ନୁହେଁ ହିସାବି ମଧ୍ୟ.
ଆଜି କାମରେ ମନ ଲାଗୁନଥିଲା ମିଟୁର. ଟାଇପ ମେସିନ ପାଖରେ ଝିଅଟା ନଥିଲା. ମିଟୁ କିନ୍ତୁ ଅନ୍ୟମନସ୍କ. ଓଲ୍ହେଇ ପଡିଲା ବସରୁ, ସେଇ ଏକୁଟିଆ ଗଛ ପାଖରେ. କେହି କୁଆଡେ ନଥିଲେ. କେମିତି ଫେରିବ ଚିନ୍ତା ବି ନଥିଲା. ଆଉ ଖୋଜୁଥିବା ଠିକଣା ତାକୁ ଉପହାସ କରୁଥିଲା ସତ କିନ୍ତୁ ରାସ୍ତା ମିଳିଗଲା. ଛୋଟ ଗାଁ ଟିଏ. ତାରି ଭିତରେ ଅଳକା ରହେ. ତା ବାପଘରେ. ମିଟୁ,ଖୋଜି ଖୋଜି ଭିତରକୁ ପଶିଲା. ଅଳକା କହୁଥିଲା ମୁଁ ଜାଣିଥିଲି ଆପଣ ଆସିବେ. ସେଇ କିଛି ଦିନ ସେ ଏକୁଟିଆ ଗଛମୂଳେ ଲେଖିଥିବା ଗଳ୍ପର ନାୟିକାକୁ କୋଉ ଗାଳ୍ପିକ ବା ପାଇକି ହଜେଇବ,??
ହଁ ଏନ୍ଏସ ଏସ କ୍ୟାମ୍ପରେ ସେଇ କିଛିଦିନ ଖୁବ ରୋମାଞ୍ଚକର ତା ପରେ ତ ସବୁ କିଛି ଗତନୁଗତିକ ଥିଲା.ଚମକି ପଡିଲା ମିଟୁ, ଅଳକା ଛୁଆ ଟିଏ ଧରି ଯେବେ ଖାଲି ହାତରେ ଜଳଖିଆ ପ୍ଲେଟ ବଢ଼େଇ ପୁଅକୁ କହୁଥିଲା ଅଙ୍କଲଙ୍କୁ ନମସ୍କାର କର ବାବୁ. ସେପଟୁ ମିତୁର ଫୋନ,କଣ ସବୁଜ ବାନିଅନ ପିନ୍ଧା କାହାଣୀର ଆରମ୍ଭରେ ନା ଶେଷ ଠିକଣାରେ ହଜିଗଲ?? ଅଳକାକୁ ଧନ୍ୟବାଦ ଦେଇ ଏଇଠୁ ରାସ୍ତା ଯାଏଁ ବସ ଧରିବାକୁ କିଛି ସାହାଯ୍ୟ ମିଳିପାରିବ ପଚାରୁଥିଲା ମିଟୁ ତ ନିଜେ ସ୍କୁଟି କାଢ଼ୁଥିଲା ଅଳକା. ସେଇ ଏକୁଟିଆ ଗଛ ଦେଇ ଅଳକା ସହ ସ୍କୁଟିରେ ଯାଉ ଯାଉ ମିଟୁକୁ ଲାଗିଲା ନାରୀ ଗୁଡା ଖୁବ ବୁଦ୍ଧିମତୀ ତଥା ଦୁଃଶାହସୀ ମଧ୍ୟ. ଏକେଲା ଗଛଟା ହସୁଥିଲା ଜୀବନର ଅନେକ ରଙ୍ଗ ଓ ଜୀବନ ଗୀତ ଶୁଣି ଓ ଦେଖିନେଇ.ଯିବା ପୂର୍ବରୁ ଅଳକା ଜୀବନର ଗୀତ ଶିବୁର ମୃତ୍ୟୁ ରହସ୍ୟ ନିଶ୍ଚୟ ପ୍ରକଟ ହେବ ବୋଲି ଆଶ୍ଵାସନା ହିଁ ଅଳକାର ଜୀବନ ଗୀତ ହୋଇସାରିଥିଲା.
,,,,,,,,,,,,,,,,,,