କଥାଟିଏ ତୋ ପାଇଁ
କଥାଟିଏ ତୋ ପାଇଁ
୫ ବର୍ଷ ବିତି ଗଲାଣି କିନ୍ତୁ ବାପା ତମେ କୋଉଠି ଅଛ? ତୁମକୁ ଝୁରି ଝୁରି ଆଜି ମୁଁ ଶଯ୍ୟାସାୟୀ।ମୋ କର୍ମର ଫଳ ବୋଧହୁଏ ଆଜି ମତେ ମିଳୁଛି। ଜୀବନର ପ୍ରତି ମୁହୂର୍ତ୍ତ ତୁମ ସହ କରିଥିବା ଅନ୍ୟାୟକୁ ମନେ ପକେଇବା ପାଇଁ ମତେ ବାଧ୍ୟ କରି ଦେଇଛି।
୫ବର୍ଷ ପୂର୍ବର ଘଟଣା ମୋର ଗାର୍ଜୁଏସନ୍ ସରିବା ପରେ ମୁଁ ଇଂଜିନିୟରିଂ କରିବା ପାଇଁ ଦିଲ୍ଲୀ ଚାଲିଗଲି। ଘରେ କେବଳ ବାପା, ବୋଉ ଦୁଇଜଣ। ଦିଲ୍ଲୀ ଗଲାପରେ ଭଲ କଲେଜରେ ଆଡମିଶନ କରି ପଢିଲି। ପାଠ ପଢ଼ାରୁ ସମୟ ବାହାର କରି ଦିନକୁ ଦୁଇ, ତିନି ଥର ବାପା, ବୋଉଙ୍କୁ ଫୋନ୍ କରି କଥା ହୁଏ। ଏକ ବର୍ଷ ପରେ ମୋ ସହ ପଢୁଥିବା ନିଶା ନାମ୍ନୀ ଝିଅ ମତେ ତା ପ୍ରେମ ଜାଲରେ ଫସେଇ ତାକୁ ବିବାହ କରିବାକୁ ମତେ ବାଧ୍ୟ କଲା। ମୁଁ ବି ଧୀରେ ଧୀରେ ତା ପ୍ରେମରେ ପାଗଳ ହେଇଯାଇଥିଲି। ସେଥିପାଇଁ ବାପା କି ବୋଉ କାହାକୁ ବି ନଜଣେଇ ତା ସହ କୋର୍ଟ ମ୍ୟାରେଜ୍ କଲି। ବାପା, ବୋଉଙ୍କୁ ଆଗ ଅପେକ୍ଷା ଆଉ ବେଶି ଫୋନ୍ କଲିନି କି ତାଙ୍କ ଫୋନ୍ କଲ୍ ରିସିଭ୍ ବି କଲିନି।ଯଦି ବି କେବେ କଲ୍ ରିସିଭ୍ କରେ ବ୍ୟସ୍ତ ଅଛି କହି ସଙ୍ଗେ ସଙ୍ଗେ ଫୋନ୍ କାଟିଦିଏ। ସେଥିପାଇଁ ବାପା, ବୋଉ କିଛି ଦିନ ପରେ ମୁଁ ପଢୁଥିବା କଲେଜକୁ ଆସିଲେ ମତେ ଦେଖା କରିବା ପାଇଁ। ସେତେବେଳକୁ ମୋର ଇଂଜିନିୟରିଂ ଶେଷ ହବାକୁ ଆଉ କିଛି ଦିନ ଥାଏ। ବାପା, ବୋଉଙ୍କୁ ମୁଁ ମୋ ଆଖି ଆଗରେ ଦେଖି ପୁରା ଆଶ୍ଚର୍ଯ୍ୟ ହେଇଗଲି। ଗାଉଁଲି, ଅଶିକ୍ଷିତ ସଭ୍ୟତାରୁ ମୁଁ ଆସିଛି ବୋଲି ଜାଣିଲା ପରେ କାଳେ କିଏ କଣ କହିବ ଭାବି ବାପା, ବୋଉକୁ ମୁଁ ମୋ ରୁମ୍ କୁ ନଆଣି କଲେଜ ବାହାରକୁ ନେଇ ଅଳ୍ପ ସମୟ କଥା ହେଇ ତାଙ୍କୁ ସେଠୁ ବିଦା କରିଦେଲି। ବୋଉ ଅତି ଯତ୍ନରେ ମୋ ପାଇଁ ଅନେକ ଗୁଡେ ଖାଇବା ଜିନିଷ ସାଙ୍ଗରେ ଆଣିଥିଲା।ତାକୁ ବି ମୁଁ ଫେରେଇ ଦେଲି। ତାପରେ ସେମାନେ ବହୁତ ମନ ଦୁଃଖ କରି ସେଠାରୁ ଚାଲିଗଲେ। ଇଂଜିନିୟରିଂ ସରିବା ପରେ ଦିଲ୍ଲୀର ଗୋଟେ ପ୍ରାଇଭେଟ୍ ଅଫିସରେ ନିଶା ଆଉ ମୁଁ ଏକା ସାଙ୍ଗରେ ଚାକିରି କଲୁ। ହଠାତ୍ ବୋଉ ଦେହ ଖରାପ ହେବାରୁ ଗାଁକୁ ଯିବା ପାଇଁ ବାପା ମତେ ଫୋନ୍ କରି ଡାକିଲେ। ମୁଁ ନିଶାକୁ ସାଙ୍ଗରେ ନେଇ ଘରକୁ ଗଲି। ଘରକୁ ଯିବା ପରେ ନିଶାକୁ ଦେଖି ବାପା,ବୋଉ ଅନେକ୍ ପ୍ରଶ୍ନ ପଚାରିଲେ। ଆଉ ମୁଁ ବାଧ୍ୟ ହେଇ ଇଂଜିନିୟରିଂ ପଢିବା ସମୟରେ ନିଶା ସହ କୋର୍ଟ ମ୍ୟାରେଜ୍ କରିଚି ବୋଲି କହିଦେଲି। ଯଦି ବି ମୁଁ ସେ କଥା ସେତେବେଳେ କହିବାକୁ ଚାହୁଁନଥିଲି। ବାପା ଓ ବୋଉକୁ ଏତେ ବଡ଼ କଥା ଲୁଚେଇଥିଲି ବୋଲି ବୋଉ ଶୁଣିଲା ପରେ ସେ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲିଗଲା। ଯଦି ସେହି ସମୟରେ ମୁଁ ମୋ ବିବାହ ବିଷୟରେ କହିନଥାନ୍ତି ତାହେଲେ ବୋଉ ଆଉ କିଛି ଦିନ ବଞ୍ଚି ଯାଇଥାନ୍ତା। ବୋଉର ସବୁ କ୍ରିୟା କର୍ମ ସରିବା ପରେ ବାପାଙ୍କର ଇଛା ନଥିଲେ ବି ତାଙ୍କୁ ମୋ ସହ ଦିଲ୍ଲୀ ନେଇଆସିଲି। କିନ୍ତୁ ବାପା ଏଠିକି ଆସିବା ପରେ ବହୁତ ଉଦାସ୍ ଓ ଦୁଃଖୀ ରହିଲେ। କିଛି ଦିନ ଯିବା ପରେ ଅଫିସରେ ମୋର ପ୍ରମୋସନ୍ ହେଇଯିବାରୁ ଘରେ ଗୋଟେ ପାର୍ଟିର ଆୟୋଜନ କଲି। ଘରକୁ ଅଫିସର ସବୁ ଷ୍ଟାଫ ମାନେ ଆସିବାର ଥିବାରୁ ବାପାଙ୍କୁ ସେମାନଙ୍କ ସାମ୍ନାକୁ ଆସିବା ପାଇଁ ମନା କରିଦେଲି। ସେଥିପାଇଁ ବାପା ତାଙ୍କ ରୁମରେ କବାଟ ବନ୍ଦ କରି ରହିଲେ। ପ୍ରମୋସନ୍ ହେଇଯିବାରୁ ମୋର ଗର୍ବ ଅହଙ୍କାର ଢେର୍ ଗୁଣ ବଢିଗଲା। ନିଶା ସହ ମିଶି ବାପାଙ୍କୁ ସବୁବେଳେ ଘରର କାମ କରେଇଲି। ବାହାର ଲୋକଙ୍କ ଆଗରେ ବାପା କେବେ କରିନଥିବା ଭୁଲକୁ ମିଛ କଥା କହି ତାଙ୍କୁ ଅପଦସ୍ତ କଲି। କିଛି କାରଣ ନଥାଇକି ବି ବାପାଙ୍କ ଉପରେ ରାଗି ମନକୁ କଷ୍ଟ ହେଲା ପରି ଅନେକ କଟୁ କଥା କହିଲି। କିଛିଦିନ ପରେ ବାପା ଏତେ ନିନ୍ଦା ଅପମାନ ସହି ନପାରି ଘର ଛାଡ଼ି ଚାଲିଗଲେ ଆଉ ଗଲାବେଳେ ଗୋଟେ ହାତଲେଖା ଚିଠି ଛାଡିଦେଇ ଗଲେ।
ବାପା-କଥାଟିଏ ତୋ ପାଇଁ ଶେଷ ଥର ଲେଖିଦେଇ ଯାଉଛି।
ତୋର ଗୋଟେ ଭୁଲ୍ ପାଇଁ ତୋ ବୋଉ ତତେ ଛାଡିକି ଚାଲିଗଲା।ଆଉ ମୁଁ ଆଜି ଏଠୁ ଚାଲି ଯାଉଛି। କିନ୍ତୁ ତୋ ଜୀବନ ଥିବା ପର୍ଯ୍ୟନ୍ତ ତୋ ସାଙ୍ଗରେ ରହିବି। ତୋ ଖୁସିରେ ମୁଁ ଖୁସି। ବାପା ଯିବାର ଦୁଇମାସ ପରେ ମୋର ଗୋଟେ ବଡ ଦୁର୍ଘଟଣା ହେଲା। ସେହି କାରଣରୁ ମୁଁ ମୋର ଆଖି ଦୁଇଟିକୁ ହରେଇଲି। ଦୁର୍ଘଟଣାର ସାତ ଦିନ ପରେ ମୋର ଆଖି ଅପରେସନ୍ ହେଲା। ଆଉ ଆଜି ମୁଁ ସେଇ ଆଖିରେ ପୁଣି ଥରେ ଦୁନିଆ ଦେଖୁଛି। କିନ୍ତୁ କେତେ ଦିନ? ଆଖି ସିନା ପାଇଗଲି କିନ୍ତୁ ରକ୍ତ କର୍କଟ ଭଳି ଗୋଟେ ବଡ ରୋଗ ପାଖରେ ମୁଁ ହାରିଗଲି। ଡକ୍ଟରଙ୍କ କହିବା ଅନୁସାରେ ମୁଁ ଆଉ ଅଳ୍ପ କିଛି ଦିନ ବଞ୍ଚିବି। ଯାହା ପାଇଁ ମୁଁ ମୋ ବାପା, ବୋଉଙ୍କୁ ହରେଇଲି ସେ ହେଉଛି ମୋ ସ୍ତ୍ରୀ ନିଶା। ସେ ମତେ ଘୃଣା କଲା। ମୋର କୌଣସି ଯତ୍ନ ନେଇପାରିବନି କହି ମତେ ଏକା ଛାଡି ଚାଲିଗଲା ତା ଘରକୁ। ବିରେନ୍ ର ପ୍ରବେଶ ପ୍ରଦୀପର ସାଙ୍ଗ
ବିରେନ୍-ଆରେ ପ୍ରଦୀପ ତୋ ପାଇଁ ଗୋଟେ ଖରାପ ଖବର ଅଛି ରେ। ପ୍ରଦୀପ -କି ଖବର ?କହୁନୁ ଚୁପ୍ ହୋଇ କାହିଁକି ଠିଆ ହେଲୁ। ବିରେନ୍ :-ଅଙ୍କଲ୍ ଆଉ ନାହାନ୍ତି।
ପ୍ରଦୀପ :-ଅଙ୍କଲ! ମାନେ ମୋ ବାପା? ଆଉ କଣ କହିଲୁ ମୋ ବାପା ଆଉ ନାହାନ୍ତି! ତୁ ତାଙ୍କୁ କୋଉଠି ଦେଖିଲୁ?
ବିରେନ୍:-ଅଙ୍କଲ୍ ଘର ଛାଡ଼ି ଯିବା ଦିନ ମୁଁ ତାଙ୍କୁ ରାସ୍ତାରେ ଦେଖିଲି। ଆଉ ମୋ ସହ ଘରକୁ ନେଇ ଯିବାକୁ ବାଧ୍ୟ କଲି। କିନ୍ତୁ ସେ ମୋ ସହ ଯିବାକୁ ରାଜି ହେଲେନି। ଗୋଟେ ବୃଦ୍ଧ ଆଶ୍ରମରେ ଯାଇ ରହିଲେ। ମୁଁ ବି ଯାଇ କେବେ କେବେ ତାଙ୍କ ଭଲ ମନ୍ଦ କଥା ବୁଝି ଦେଇ ଆସୁଥିଲି। ତୋର ଯୋଉଦିନ ଆକ୍ସିଡେନ୍ଟ ହେଇଗଲା ମୁଁ ଅଙ୍କଲଙ୍କୁ ଯାଇ ସବୁ କଥା ଜଣେଇଲି। ସେ ତତେ ଦେଖିବାକୁ ଯାଇଥିଲେ।ଆଉ ତୁ ଆଜି ଯୋଉ ଆଖିରେ ଏ ଦୁନିଆ ଦେଖୁଛୁ ସେ ଆଖି ଆଉ କାହାର ନୁହେଁ ତୋ ବାପାଙ୍କର। ତତେ ଏ ବିଷୟରେ ନଜଣେଇବା ପାଇଁ ତାଙ୍କ ମୁଣ୍ଡରେ ମୋ ହାତ ରଖି ରାଣ ପକେଇଥିଲେ। ସେଥିପାଇଁ ମୁଁ ଚୁପ୍ ଥିଲି। ଆଜି ମତେ ଆଶ୍ରମରୁ ଫୋନ୍ ଆସିଲା ଅଙ୍କଲ ଚାଲିଗଲେ।
ପ୍ରଦୀପ :-ବାପା ମତେ କ୍ଷମା କରିଦଅ।
ଶେଷରେ ପ୍ରଦୀପ ତା ବାପାଙ୍କର ମୃତ୍ୟୁ ଖବର ଶୁଣି ଶେଷ ନିଶ୍ଵାସ ତ୍ୟାଗ କଲା।
