କସରତ ଅଭ୍ୟାସ
କସରତ ଅଭ୍ୟାସ
ଶୀତ ଦିନର ଘଟଣା ଶୀତର ପ୍ରକୋପ ବଢ଼ି ବଢ଼ି ଚାଲିଥାଏ |ମୁଁ ସେତେବେଳେ ସରକାରୀ ଉଚ୍ଚ ବିଦ୍ୟାଳୟ ଚଣ୍ଡିଖୋଲରେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିଲି |ସରକାରୀ ବିଦ୍ୟାଳୟ ଯେହେତୁ ସେଠାରେ ପୁଅ ଓ ଝିଅ ପିଲାଙ୍କ ପାଇଁ ମାଗଣା ହଷ୍ଟେଲର ବ୍ୟବସ୍ଥା ଥିଲା |ତେଣୁ ଆଖ ପାଖ ଅଞ୍ଚଳର ପିଲାମାନେ ହିଁ ଯିବାଆସିବା କରୁଥିଲେ |
ଆମ ହଷ୍ଟେଲ ଠାରୁ 700-800ମିଟର ଦୂରରେ ଏକ ବିଶାଳ ପର୍ବତ ଅବସ୍ଥିତ |କହିବାକୁ ଗଲେ ପାହାଡ ତଳେ ଆମ ବିଦ୍ୟାଳୟଟି ଅବସ୍ଥିତ |ଆମ ହଷ୍ଟେଲ ଏବଂ ସ୍କୁଲ ମଧ୍ୟରେ ଗୋଟିଏ ପିଚୁ ରାସ୍ତାର ରେଖା ଟଣା ହୋଇଛି |ଯାହା ବି ହେଉ ହଷ୍ଟେଲ ଠାରୁ ହିଁ ଜଙ୍ଗଲ ଆରମ୍ଭ ହୋଇଛି ଏବଂ ଏହା ପାହାଡ ସାରା ବିଛୁରିତ ହୋଇପଡିଛି |ଚଣ୍ଡୀ ମାତାଙ୍କ ଆଶୀର୍ବାଦ ଯୋଗୁଁ ସବୁଦିନ ସେ ପାହାଡ଼ରେ ସବୁଜଜିମାର ରଙ୍ଗ ଲାଖି ରହିଛି |ପାହାଡର ତଳ ଅଂଶ ଅର୍ଥାତ ପାହାଡ଼ରୁ ଆମ ହଷ୍ଟେଲ ପର୍ଯ୍ୟନ୍ତ ବେଲ ଏବଂ ଆମ୍ବ ଗଛ ଦ୍ୱାରା ଭରିରହିଥିବାରୁ ଏଠାରେ ପାତି ମାଙ୍କଡ ଓ ହନୁ ମାଙ୍କଡ଼ ମାନଙ୍କୁ ଦେଖିବାକୁ ସୌଭାଗ୍ୟ ମିଳିଥାଏ |ବେଳେବେଳେ ପାତି ମାଙ୍କଡ଼ ଆଡକୁ କଟାକ୍ଷ ଚାହାଣି ବା ଆଗ ଦାନ୍ତ ଗୁଡିକ ଦେଖାଇଲେ ବିପତ୍ତି ମଧ୍ୟ ଆଣିଥାଏ |ଯେଉଁଥି ପାଇଁ ଆପଣଙ୍କୁ 10-12 ଟି ଛୁଞ୍ଚି ଫୋଡିବାକୁ ପଡିବ ଯଦି କାମୁଡି ଦେଲେ |ଯାହାବି ହେଉନା କାହିଁକି ଏ ପରିବେଶ ମୋତେ ଗୁରୁକୁଳ ଆଶ୍ରମ ଭଳି ଲାଗୁଥାଏ |କାରଣ ଅନୁଷ୍ଠାନ ଚାରିପଟେ ଥିବା ପରିବେଶ ଏବଂ ଏଠାକାର ଗୁରୁଜୀ ଓ ଗୁରୁମା ବୃନ୍ଦ |
ଓଃ ଏଇ ଦେଖନ୍ତୁ ସେ ପରିବେଶ ମାୟାରେ ଅଭିଭୂତ ହୋଇ କଣ କହିବାକୁ ଚାହୁଁ ଥିଲି ତାକୁ ଭୁଲି ପରିବେଶର ଚର୍ଚ୍ଚା କରୁଛି |
ହଁ ଶୀତ ଦିନ କଥା କହୁଥିଲି |ଏହି ସମୟରେ ଯଦି ତୁମେ ଭୋର ପ୍ରାତଃ କାଳରୁ ଉଠିବ ତେବେ ତୁମକୁ ପାହାଡ ଆଦୌ ଦୃଷ୍ଟିପାତ ହେବନି |ଲାଗେ ସତେ ଯେମିତି କିଏ ଚାରିପଟେ ସ୍ମୋକ ଗ୍ରେନେଡ଼ ଫୋପାଡ଼ି ଦେଇ ଯାଇଛି |ଏହି ପ୍ରାତଃ କାଳର ପରିଷ୍କାର ମୁକ୍ତ ଶୀତଳ ସମୀର ଯେତେବେଳେ ଫୁସଫୁସକୁ ଛୁଇଁ ବାହାରିଯାଏ, ସେତେବେଳେ ଏକ ଦିବ୍ୟ ଶାନ୍ତି ମିଳିଥାଏ |
ଶୀତ ୠତୁର ପ୍ରାରମ୍ଭରୁ ସାଙ୍ଗ ମାନଙ୍କୁ ଦେଖି ମୁଁ ମଧ୍ୟ ରାତି ଚାରିଟା ରୁ ଉଠି ବ୍ୟାୟମ କରିବାକୁ ମନସ୍ଥ କାଲି |ଠିକ ତା ପରଦିନ ଦିନଠାରୁ ପାହାଡ ତଳେ ଥିବା ଆମ ସ୍କୁଲ ପଡିଆକୁ ବ୍ୟାୟାମ କରିବାପାଇଁ ପ୍ରତ୍ୟେକ ଦିନ ଭୋର ଚାରିଟାରୁ ଉଠି ଯିବା ଆରମ୍ଭ କଲି |ସେତେବେଳେ ମୋ ପାଖରେ ଭଲ ଜୋତା ନଥିବାରୁ ମୁଁ ବାଧ୍ୟ ହୋଇ ଚପଲ ହଳିକ ଗଳେଇ ବାହାରୁଥିଲି |ନ ଥକିବା ପର୍ଯ୍ୟନ୍ତ ଆମେ ପଡିଆ ଚାରିପଟେ ଦୌଡ ମାରୁଥିଲୁ |ଯିଏ ଥକି ପଡୁଥିଲା ପଡିଆ ମଝିକୁ ଯାଇ ସେଠାରେ ବ୍ୟାୟାମ କରୁଥିଲା |ପଡିଆ ମଝିରେ କ୍ରିକେଟ ଖେଳିବା ପାଇଁ ଗୋଟିଏ ଆୟତାକାରର ଢ଼ଳେଇ ହୋଇଥିବାରୁ ସେଠାରେ ବସି ବ୍ୟାୟାମ କରି ହେଉଥିଲା |ପଡିଆଟା ରାସ୍ତା କଡରେ ଥିବାରୁ ପଡିଆକୁ ଅଳ୍ପ ଆଲୁଅ ପହଞ୍ଚୁ ଥିଲା |ଗୋଟେ ପଟେ ଅଳ୍ପ ଆଲୁଅ ଥିବା ବେଳେ ଅନ୍ୟପଟେ ଘୋର ଅନ୍ଧକାର ଆଖି ଥାଇ ମଧ୍ୟ ଅନ୍ଧ ପ୍ରାୟ ହେଲା ଭଳି ଲାଗେ |କାରଣ ସେପଟ ପାଖରେ ପୂରା ଜଙ୍ଗଲ ଲାଗିଛି ପାହାଡ ପର୍ଯ୍ୟନ୍ତ |
ସେସବୁ ଯାହା ହେଉ ତିନି ଚାରି ସପ୍ତାହ ପଡିଆରେ ଦୌଡ଼ା ଦୌଡ଼ି କରି ମୁଁ ମଧ୍ୟ ନିଜକୁ ବେଶ ସ୍ୱାସ୍ଥ୍ୟବାନ ଓ ଆତ୍ମବିଶ୍ୱାସୀ ହୋଇପଡ଼ିଥିଲି |ମୋ ଭିତରେ ଏଭଳି ଆତ୍ମବିଶ୍ୱାସ ବଢୁଥିବାର ଦେଖି ମୁଁ ମଧ୍ୟ ଆହୁରି ଏଥି ପ୍ରତି ଧ୍ୟାନ ଦେଲି |ଦେଢ଼ ମାସ ପରେ ମୋ ମଧ୍ୟରେ ଅନ୍ୟମାନ ଅନେକ ପରିବର୍ତ୍ତନ ଦେଖିବାକୁ ପାଇଲେ |ଗୁରୁଜୀ ଏବଂ ଗୁରୁମା ମାନେ ମଧ୍ୟ ମୋର ଏ ପରିବର୍ତ୍ତନକୁ ଲକ୍ଷ୍ୟ କରି ଖୁସି ଥିଲେ |ସେତେବେଳେ ମୁଁ ଜାଣିପାରିଲି ଯେ ଭୋର ପ୍ରାତଃ କାଳରୁ ଉଠି ଯେଉଁ କସରତ କରୁଥିଲି ନା କେବଳ ଆତ୍ମବିଶ୍ୱାସ, ଶରୀର ମଧ୍ୟ ବେଶ ହୃଷ୍ଟ ପୃଷ୍ଟ ହେଉଥିଲା |ଆପଣ ମାନେ ଯଦି ଏ କଥାକୁ ବିଶ୍ୱାସ କରୁନାହାନ୍ତି ତେବେ ନିଜେ ମଧ୍ୟ ପରୀକ୍ଷା କରି ଦେଖି ପାରିବେ |
ନଚେତ ଜଣେ ପ୍ରାତଃ କାଳରେ ବ୍ୟାୟାମ କରୁଥିବା ବ୍ୟକ୍ତି ଓ ଜଣେ ସୂର୍ଯ୍ୟ ଉଇଁଲା ପରେ ଶେଯ ତ୍ୟାଗ କରୁଥିବା ବ୍ୟକ୍ତି ମଧ୍ୟରେ ବାର୍ତ୍ତାଳାପ କରି ନିଜେ ମଧ୍ୟ ପାର୍ଥକ୍ୟ ଲକ୍ଷ୍ୟ କରିପାରିବେ |
ଏହିପରି
ଭାବରେ ପ୍ରାୟତଃ ଦୁଇ ମାସ ବ୍ୟାୟାମ କରିବା ପରେ, ଏହା ମୋର ଗୋଟିଏ ଅଭ୍ୟାସରେ ପରିଣତ ହୋଇଯାଇଥିଲା |ବିନା ଘଣ୍ଟା ଦେଖି ଭୋର ଚାରିଟାରୁ ବାହାରି ପଡୁଥିଲି ପଡିଆକୁ |ଏହିପରି କିଛିଦିନ ଗଲାପରେ ଦିନେ ମୁଁ ରାତ୍ର ଭୋଜନ ନ କରି ଶୋଇ ପଡ଼ିଥିଲି |ସମୟ ଠିକ ରାତ୍ର ଏଗାରଟା ରୁ ବାରଟା ମଧ୍ୟରେ ହେଇଥିବ ମୋର ନିଦ ହଠାତ ଭାଙ୍ଗିଲା |ଦେଖିଲି ଚାରିପଟେ ସକାଳ ପାହିଲା ପରି ମୋତେ ଦେଖାଗଲା |କାହାକୁ କିଛି ନ ପଚାରି ବାହାରି ପଡିଲି ସିଧା ପଡିଆକୁ, ସବୁଦିନ ପରି ଆଜି ବି ସମୟ ନଦେଖି ବାହାରିଲି |
ଏହି ସମୟରେ ହଷ୍ଟେଲରେ ସମସ୍ତେ ଖାଇ ସାରି କେତେ ଜଣ ଶୋଇ ପଡ଼ିଥିଲେ ଏବଂ ଦୁଇ ତିନି ଜଣ ବାହାରେ ବୁଲୁଥିଲେ |ହଷ୍ଟେଲ ମଝିରେ ଥିବା କୂଅରେ ଜଣେ ପିଲା ଡ୍ରେସ ସଫା କରୁଥିବାର ଦେଖି ମନରେ ଏକ ସନ୍ଦେହ ସୃଷ୍ଟି ହୋଇଥିଲା |ଭାବିଲି ହୋଇଥିବ ପିଲାଟା ଭୋର ଭୋର ଡ୍ରେସ ସଫା କରୁଛି ମାନେ କୁଆଡେ ଯିବ ବୋଧେ |ଶ୍ରେଣୀ ବନ୍ଧୁ ମାନେ ମଧ୍ୟ କକ୍ଷରେ ନ ଥିଲେ ତେଣୁ ମୁଁ ସନ୍ଦେହକୁ ଦୂର କରି ବାହାରିଲି ପଡିଆକୁ |
କାକର ପଡିବାର ଆରମ୍ଭ ହୋଇଛି ଏବଂ ଥଣ୍ଡା ମଧ୍ୟ ବଢୁଛି |ଗେଟ ବାହାରକୁ ପଳେଇ ଆସିଲି, ଧୀରେ ଧୀରେ ଚାଲିରୁ ଦୌଡ଼ିବା ଆରମ୍ଭ କଲି |ସେତେବେଳେ ଦୋକାନୀ ମାନେ ନିଜ ନିଜ ଦୋକାନ ସବୁ ବନ୍ଦ କରି କିଏ କିଏ ଘରକୁ ଯାଉଥିଲେ ତ କେହି କେହି ସେଠାରେ ଠିଆ ହୋଇ ଗପୁଥିଲେ |ଏମାନଙ୍କୁ ଦେଖି ମଧ୍ୟ ମନରେ ଆଶଙ୍କା ବଢିଲା |ତଥାପି ମନକୁ ସ୍ୱାନ୍ତନ ଦେଇ ପଡିଆ ମୁଁହା ହେଲି |
ପଡିଆକୁ ପହଞ୍ଚି ଦେଖିଲି ଚାରିପଟେ କିଟ କିଟ ଅନ୍ଧକାର ବିଛୁରିତ ହୋଇଛି |
ଯେଉଁଠାରେ ଷ୍ଟ୍ରିଟ ଲାଇଟ ଅଛି ସେଠାରେ ହିଁ ଆଲୁଅ ଦେଖା ଯାଉଛି,ଅନ୍ୟ ପଟେ ସବୁ ଅନ୍ଧକାର | ଦୌଡ଼ି ଦୌଡ଼ି ପହଞ୍ଚିଲି ଯାଇ ରାସ୍ତା କଡରେ ଥିବା ଏକ ବୃହତ୍ତ ଓସ୍ତ ଗଛ ଏବଂ ତା ତଳେ ଦେବୀଙ୍କ ଛୋଟ ମନ୍ଦିର |ସେଠାରେ ଆଲୁଅ ଥିବାରୁ ମୁଁ ସେହିଠାରେ ରହିଗଲି |ଚାରିପଟେ ନିସ୍ତବ୍ଧ ନିର୍ଜନ ଅନ୍ଧକାର ଭୟରେ ଲାଗେ ଯେ ସମସ୍ତ ଜୀବ ନର୍ଜୀବ ଅବସ୍ଥାରେ ଅଛନ୍ତି |
ପ୍ରାୟ ଅଧଘଣ୍ଟା ଧରି ସେହିଠାରେ ଠିଆ ହୋଇ ରହିବା ପରେ ମନରେ ଏକ ଭୟ ପଳାଇ ଆସିଲା |ଏପଟେ ଦେଵୀ ମନ୍ଦିର ଅନ୍ୟ ପଟେ ପରିବେଶର ନିର୍ଜନତା ସହିତ କୁକୁର ମାନଙ୍କର ବିକଟାଳ ଶବ୍ଦ |
ଜୁଳୁଜୁଳିଆ ପୋକର ଚି ଚି ଶବ୍ଦ ଆହୁରି ନିର୍ଜନତା ଆଣୁଥାଏ |ଆଉ ଅପେକ୍ଷା ନକରି ସାଙ୍ଗମାନେ ପଡିଆ ମଝିରେ ଥିବେ ବୋଲି ଭାବି ପଡିଆକୁ ପାଦ ବଢ଼ାଇଲି କିନ୍ତୁ ପାଦ ସେଇଠି ରହିଗଲା, ଲାଗିଲା ସତରେ ଯେମିତି ମୁଁ ଗୋଟିଏ ଅନ୍ଧକାର ଦୁନିଆକୁ ପାଦ ବଢ଼ାଉଥିଲି |ମନରେ ଆଉ ସାହସ ବାନ୍ଧି ପାରିଲିନାହିଁ ସେହି ପଡିଆ ଆଡକୁ ଯିବା ପାଇଁ |ସେହି ଆଲୁଅ ତଳୁ ଓ ଦେଵୀ ମାଁଙ୍କ ଠାରୁ ହଲିବା ପାଇଁ ସାହସ ମିଳୁନଥାଏ |
ପଡିଆ ଭିତରକୁ ନ ଯାଇ ହଷ୍ଟେଲ ଫେରିବା ପାଇଁ ଇଛା କଲି |ସେଠାରୁ ସିଧା ହଷ୍ଟେଲ ଆଡକୁ ବୋଧେ ଦଶ ରୁ କୋଡିଏ ପାଦ ପକାଇ ପହଞ୍ଚି ଯାଇଥିଲି |ଗେଟ ପାଖ ହେଲା ବେଳକୁ ଆଉ ଦୌଡ଼ିଲି ନାହିଁ ପାଦ ଚିପି ଚିପି ଚାଲିଲି କାଳେ କିଏ ଦେଖିଦେବ କଣ ଭାବିବ, କକ୍ଷରେ ପହଞ୍ଚି ଦେଖିଲି ସମସ୍ତେ ଶୋଇପଡିଛନ୍ତି |ହଷ୍ଟେଲ ପୂରା ଶୂନଶାନ ଲାଗୁଥାଏ, ଘଡି ଉଠାଇ ଦେଖିଲି ରାତ୍ରି ବାରଟା ପନ୍ଦର ମିନିଟ |ତାକୁ ଦେଖି ମୋର ହୃଦୟ ସ୍ପନ୍ଦନ ବଢିବାକୁ ଲାଗିଲା, ଦେହ ମୋର ବରଡ଼ା ପତ୍ର ପରି ଥରି ଉଠିଲା |କାହିଁକି କେଜାଣି କକ୍ଷରେ ଥାଇ ମଧ୍ୟ ଅଧ ଘଣ୍ଟା ଧରି ହୃଦୟ ସ୍ପନ୍ଦନ କମିଲା ନାହିଁ |ସେଦିନ ରାତିରେ ଲାଇଟ ନ ବନ୍ଦ କରି ରାତି ସାରା ଚେଇଁଥିଲି ଆଉ ନିଦ ହେଲା ନାହିଁ |ସେବେ ଠାରୁ ମୁଁ ଆଉ ଭୋର ଚାରିଟାରୁ ବ୍ୟାୟାମ ପାଇଁ ଗଲି ନାହିଁ |ଆଜି ପର୍ଯ୍ୟନ୍ତ ମୁଁ ଯିବି ଯିବି ଭାବୁଛି କିନ୍ତୁ ସେ ଘଟଣା ଏବଂ ଅଳସ ମୋତେ ବାନ୍ଧି ରଖୁଛି |ସେହି ସକାଳର କସରତ ବିନା ମୋଠାରୁ ଆତ୍ମବିଶ୍ୱାସ ଏବଂ ସ୍ୱାସ୍ଥ୍ୟବାନ ଶରୀର ଉଭେଇ ଯାଇଛି ଯେ ମୁଁ ଏବେ ପର୍ଯ୍ୟନ୍ତ ଫେରାଇ ଆଣି ପାରିନାହିଁ |କାରଣ ମୋ ଭିତରେ ଏବେ କେବଳ ସକାରାତ୍ମକ ମନୋଭାବ ବିରାଜମାନ କରିସାରିଛି |କିନ୍ତୁ ହୃଦୟରେ କେଉଁଠି ନା କେଉଁଠି ସେ ବିଶ୍ୱାସ ଅଛି ଯେ ମୁଁ ନିଶ୍ଚିତ ଭାବରେ ସେ ଆତ୍ମବିଶ୍ୱାସ ଫେରାଇ ଆଣିପାରିବି |