କନ୍ୟାରୂପେଣ ସଂସ୍ଥିତା
କନ୍ୟାରୂପେଣ ସଂସ୍ଥିତା


.
ଆଜି ବି ତା ମୁହଁ ମନେ ପଡିଗଲେ ଲୋମ ଟାଙ୍କୁରି ଉଠେ। ମତେ ଦେବୀମୟ ଦେବୀମୟ ଲାଗେ ।ମନରୁ ସବୁ ଦଃଖ ଅନୁଶୋଚନା ଦୂର ହୋଇଯାଏ ।
ସେ ରାତି ଥିଲା ବରଗଡର ପ୍ରସିଦ୍ଧ ଶ୍ୟାମାକାଳୀଙ୍କ ପୂଜା ।ଚାରିଆଡେ ଭିଡ ।ମନ୍ଦିର ଭିତରୁ ବାହାର ଯାଏଁ ବ୍ରତଧାରୀମାନଙ୍କ ଲମ୍ବା ଧାଡି ।ଶଙ୍ଖ ଘଣ୍ଟର ଧ୍ବନି ସହ ହୋମ ସମୀଧର ଧୂଆଁ ଧୂଆଁ ବାସ୍ନାରେ ସେ ପରିବେଶ ପବିତ୍ର ଲାଗୁଥାଏ ।ଭିତରୁ ବହାରଯାଏଁ ଆଲୋକର ତୋରଣ ଲାଗୁଥାଏ ଯେମିତି କାଳୀ ମନ୍ଦିର ଆଜି ନୂଆଁ ବଧୂ ରୂପେ ସଜେଇ ହୋଇଛି ।ଦିନଯାକର ଉପବାସ ରଖି ରାତିଅଧଯାଏଁ ଦେବୀଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡିରେ ଛିଡା ହେବା ମୋ ପାଇଁ କାଠିକର ପାଠ ।ତେଣୁ ମୁଁ ମୋ ସାଙ୍ଗକୁ ଧାଡିରେ ଛାଡିଦେଇ ଏ ସବୁ ଭବ୍ୟ ଦୃଶ୍ୟ ଉପଭୋଗ କରିବାରେ ମଗ୍ନ ଥାଏ ।ତାର ଦିଦି ଦିଦି ଡାକରେ ମୋର ଧ୍ୟାନଭଗ୍ନ ହୋଇଗଲା ।ଆକାଶି ଫ୍ରକ୍ ପିନ୍ଧା ୮/୯ବର୍ଷର ଝିଅଟିଏ ।ଅଲରା କହଁରା ଛୋଟ ଛୋଟ କେଶ ତା କପାଳକୁ ଛୁଁଥାଏ ।ଶେତା ପଡିଯାଇଥିବା ଓଠରେ ତା ଦରଫୁଟା ମଲ୍ଲି କଢ଼ ର ହସଟିଏ ।ବଡ ବଡ ଆଖିପତା ଥିବା ଦୁଇଟି ବଡ ବଡ କଥାକୁହା ଆଖି .।ତା ରଙ୍ଗ ବେରଙ୍ଗ ସ୍ବପ୍ନକୁ ବେଲୁନ୍ ରେ ପୁରେଇ ରଙ୍ଗୀନ୍ କରିଦେଇଛି ହାତ ରେ ଧରିଥିବା ବେଲୁନ୍ ସବୁକୁ ।
ଦିଦି ବେଲୁନ୍ ନିଅ ବେଲୁନ୍
ଆରେ ମୁଁବେଲୁନ୍ କଣ କରିବି?
ତୁମ ଘରେ ଛୁଆମାନେ ଖେଳିବେ
ଆମ ଘରେ ତ ସେମିତି କେହି ନାହାଁନ୍ତି
ହଉ ଏ ବେଲୁନ୍ ତୁଖେଳିବୁ କହି ତା ଆଡକୁ ଦଶଟଙ୍କିଆ ନୋଟ୍ ଟେ ବଢେଇଲି
ନା ଦିଦି ତୁମେ ବେଲୁନ୍ ନିଅ
ଆରେ ଥାଉ ..
ନା ଦିଦି
ଏମିତି କିଛି ସମୟ ପରେ ମୁଁ ତା ଜିଦ୍ ରେ ବାଧ୍ୟ ହୋଇ ୨ଟି ବେଲୁନ୍ ରଖିଲି ଆଉ ତାକୁ ୨୦ ଟଙ୍କା ଦେଲି ।ଲାଗୁଥିଲା ଯେମିତି ତା ସବୁ ଚଗଲାମି କୁ ବେଲୁନ୍ ଭିତରେ ବନ୍ଦକରି ପରିପକ୍ବ ହୋଇଯାଇଛି ।ସେ ସଯତ୍ନରେ ମୁଁ ଦେଇଥିବା ଟଙ୍କାକୁ ତା ପକେଟ୍ ରେ ପୁରାଉ ଥାଏ ଆଉ ମୁଁ ତଉଳୁଥାଏ ତା ଭାଗ୍ୟକୁ । କେଉଁଠି ଶିଶୁଟିଏ ପବନରେ ବେଲୁନ୍ ଉଡାଇଲା ବେଳେ କେଉଁଠି ଆଉ ଜଣେ ଶିଶୁ ପବନକୁ ବେଲୁନ୍ ରେ ପୁରେଇ ସ୍ୱପ୍ନ ବିକୁଥାଏ।
ଏ .....ଏ.....ଶୁଣ୍ ତୋ ନାଁ କଣ?ମୁଁ ହାତ ଠାରି ଡାକିଲି ।ଟିକେ ଅଟକି ଯାଇ ,ଅଧରେ ଏକ ଅଦ୍ଭୁତ ହସ ଖେଳାଇ, ମୋ ଆଡକୁ ଚାହିଁ କହିଲା "ଦୁର୍ଗା" ଆଉ ମୁଁ କିଛି କହିବା ପୂର୍ବରୁ କିଛି ଭାବିବା ପୂର୍ବରୁ ଭିଡ ଭିତରେ ଲୁଚିଗଲା ।ତା ନିରୀହ ମୁହଁରେ ମୁଁ ସେ ଦିନ ଦେଖିଥିଲି ତ୍ରିନେତ୍ରୀଙ୍କର ଦାମ୍ଭିକ ଶାନ୍ତ କମନୀୟ ରୂପ ।ମୁଁ ସଂପୂର୍ଣ୍ଣ ଭାବରେ ସ୍ତବ୍ଧ ହୋଇଯାଇଥିଲି ।ଯଜ୍ଞ ସ୍ଥଳରୁ ପଣ୍ଡିତଙ୍କର ଦେବୀ ବନ୍ଦନା ଭାସିଆସୁଥିଲା
"ଯା ଦେବୀ ସର୍ବଭୁତେସୁ କନ୍ୟା ରୂପେଣ ସଂସ୍ଥିତା
ନମଃ ତସ୍ୟୈ ନମଃ ତସ୍ୟୈ ନମଃ ତସ୍ୟୈ ନମୋ ନମଃ