STORYMIRROR

Padmalaya Padhy

Tragedy

3  

Padmalaya Padhy

Tragedy

କନ୍ୟା ଦିବସର ଅନୁଚିନ୍ତା

କନ୍ୟା ଦିବସର ଅନୁଚିନ୍ତା

3 mins
199

ଝିଅ ଜୋଇଁ ଙ୍କୁ ଦାଣ୍ଡ ଦୁଆରେ ଦେଖି ପରେଶ ବାବୁ ହତବାକ ହୋଇ ଯାଇଥିଲେ l କିନ୍ତୁ ନିଜକୁ ସମ୍ଭାଳି ନେଇ ପାଛୋଟି ଆଣିଲା ବେଳକୁ ଝିଅ ଆସି ଘର ଭିତରେ l ପରେଶ ବାବୁ ଭାବିଲେ ଯାହା ହେଉ ଝିଅ ଶେଷରେ ବାପାକୁ ଏକୁଟିଆ ଦେଖି ସମ୍ଭାଳି ପାରିଲାନି ଆସିଗଲା l ମାତ୍ର ଝିଅ ପରେଶ ବାବୁଙ୍କୁ ପାଖ ଚେୟାରରେ ବସାଇ ଦେଇ ବାପାଙ୍କ ହାତରେ ମିଠାଟିଏ ଧରାଇ ଦେଇ କହିଲା 

"ବାପା ଏଇଟା ମୋତେ ଖୁଆଇ ଦିଅ ତୁମ ଜୋଇଁ ଫୋଟୋ ଉଠାଇବେ" l

ପରେଶ ବାବୁ ବୁଝି ପାରୁ ନଥିଲେ ଝିଅ ତାଙ୍କ ହାତରୁ ମିଠା କାହିଁକି ଖାଇବାକୁ ଚାହୁଁଛି l ସେ ଯାହା ହେଉ ମିଠାଟି ଝିଅର ପାଟିରେ ଦେବା ଅବସ୍ଥାରେ ଜୋଇଁ ଫୋଟୋ ଉଠାଇ ସାରି ମୋବଇଲକୁ ପକେଟରେ ରଖିଲେ l 

ଏବେ ଯାଇ ଝିଅ ଟିକେ ଥୟ ହେଇ କହିଲା "ବାପା ତୁମେ କଣ ଜାଣିନ କି ଆଜି ପରା କନ୍ୟା ଦିବସ l ତୁମେ ସେ ପୁରୁଣା କାଳିଆ ଲୋକ ହୋଇ ରହି ଗଲ ନାଁ l କେତେ କହିଲେ ବି ବଦଳିବ ନାହିଁ l ସେଥିପାଇଁ ତୁମ ଜୋଇଁଙ୍କ ଆଗରେ ମୋତେ କେତେ ଲୋକହସା ହେବାକୁ ପଡୁଛି ତୁମେ କଣ ଜାଣିବ"? 

ପରେଶ ବାବୁ କେମିତି ବୁଝାଇବେ ଯେ ତାଙ୍କର ଆଣ୍ଠୁ ଗଣ୍ଠି ବାତ ଧୀରେ ଧୀରେ ତାଙ୍କର ଚଲା ବୁଲା ବନ୍ଦ କରିବାକୁ ବସିଲାଣି l ଏଣେ ପତ୍ନୀଙ୍କ ମୃତ୍ୟୁର ପାଞ୍ଚ ବର୍ଷ ପରେ ମଧ୍ୟ ସେ କାହିଁକି ବଞ୍ଚି ରହି ଛନ୍ତି ସେଟା ବୁଝି ପାରୁନାହାନ୍ତି l ତାଙ୍କର ସବୁ ଦିନ ନର୍କ ଯନ୍ତ୍ରଣା l କେଉଁ ଦିନ କେଉଁ ଦିବସ ଜାଣିବାକୁ ବେଳ କାହିଁ? 


ଇତି ମଧ୍ୟରେ ଝିଅ ଘର ଭିତରେ ଆଖି ବୁଲାଇ ଆଣି ସାରିଲାଣି କାଳେ ବାପା କିଛି ଜିନିଷ ଆଣି ରଖି ଥିବେ ଆଜି କନ୍ୟା ଦିବସରେ ମାଗିଲେ ମିଳିଯିବ l ଅବଶ୍ୟ ଏଥିରେ ଜୋଇଁଙ୍କର ଅବଦାନ ରହିଛି l ଜୋଇଁଙ୍କ ଇଙ୍ଗିତ ଥିଲା କିଛି ମାଗିବା ପାଇଁ l କିନ୍ତୁ ଖାଲି ଘର ଦେଖି ମାଗିବାକୁ କୁଣ୍ଠା ବୋଧହୁଏ କରି ସାଙ୍ଗେ ସାଙ୍ଗେ ଯିବାକୁ ବାହାରିଲା l ପରେଶ ବାବୁ ମଧ୍ୟ ଅଟକାଇଲେ ନାହିଁ l ହଁ ଯିବା ଆଗରୁ ଝିଅ ପରେଶ ବାବୁଙ୍କ ପାଦ ଛୁଇଁବାକୁ କିନ୍ତୁ ଭୁଲି ନଥିଲା l

ପତ୍ନୀ ବଞ୍ଚି ଥିଲା ବେଳେ ଝିଅ ତାର ଏକ ମାତ୍ର ପୁଅକୁ ନେଇ ଜୋଇଁଙ୍କ ସାଙ୍ଗରେ ଆସୁଥିଲା ଏବଂ ମାଙ୍କ ହାତ ତିଆରି ଖାଇବା ଜିନିଷ ସହିତ ତାଙ୍କର ପୁରୁଣା ଶାଢ଼ୀ ମଧ୍ୟ ଗୋଟିଏ ଗୋଟିଏ କରି ନେଉଥିଲା ଯାହା କାମବାଲୀ କୁ ଦେବାପାଇଁ ଦରକାର ହେଉଥିଲା ଓ କିଣିବାକୁ ପଡ଼ୁ ନଥିଲା l ଏବେ ଖାଲି ଘରଟିରେ ନେବା ପାଇଁ କିଛି ନାହିଁ l ପରେଶ ବାବୁ ଗୋଟିଏ ପ୍ରାଇଭେଟ ସଂସ୍ଥାରେ କିରାଣୀ ଥିଲେ l ଝିଅକୁ ପଢାଇବା ପାଇଁ ପୈତୃକ ଜମି ବିକ୍ରି କରି ଦେଇଥିଲେ l ଝିଅ ବ୍ୟାଙ୍କ ପିଓ ପାଇ ତାର ଜଣେ ବ୍ୟାଚମେଟ କୁ ବିବାହ କରିଥିଲା l କେବେବି ପରେଶ ବାବୁ ଝିଅକୁ କୌଣସି କଥାରେ ବାରଣ କରି ନାହାନ୍ତି l 

ହେଲେ ଏବେ ପରେଶ ବାବୁ ଧୀରେ ଧୀରେ ଅକର୍ମଣ୍ୟ ହୋଇ ଆସିଲେଣି l ହାତ ପାଆନ୍ତାକୁ ଜିନିଷ ଲୋଡ଼ା l ପଡୋଶୀ ଘରର ଲେଖା ଯୋଖା ପୁତୁରା ବୋହୁ ଦିନକୁ ଦୁଇ ବେଳା ରୋଷେଇ କରି ଆଣି ଦେଉଛି ବୋଲି ଗାଡି ଚାଲିଛି l 

ଝିଅ ପାଖେ ରହିବାକୁ ପରେଶ ବାବୁଙ୍କ ବହୁତ ଇଚ୍ଛା l କିନ୍ତୁ ସେଦିନର ଘଟଣା ପରେ ଆଉ କେବେବି ଝିଅ ପାଖକୁ ଯିବାକୁ ମନ କରି ନାହାନ୍ତି l ପରେଶ ବାବୁ ଆଣ୍ଠୁ ଗଣ୍ଠି ବାତ ଯୋଗୁଁ ଝିଅ ପାଖକୁ ସେଦିନ ସହର ଯାଇ ଥିଲେ l ଇଚ୍ଛା ଥିଲା ଭଲ ଡାକ୍ତରକୁ ଦେଖାଇବେ l ଆଉ ଏକ ଗୋପନୀୟ ଇଚ୍ଛା ମଧ୍ୟ ଥିଲା ଯାହା ସେ ଝିଅକୁ ଶେଷ ପର୍ଯ୍ୟନ୍ତ କହି ପାରି ନଥିଲେ l ସେ ଚାହୁଁ ଥିଲେ ଝିଅ ପାଖରେ କେତେ ଦିନ ରହି ଯିବେ l ଝିଅ ଘରେ ଚାକର ବାକର ଭର୍ତି l ହାତ ପାଖକୁ ଖାଇବା ପିଇବା ଆସି ଯିବ l ଆଣ୍ଠୁ ଗଣ୍ଠି ବାତ ତାଙ୍କୁ ଏତେ ସରି କଲାଣି ଯେ ସେ ଆଉ ପାରୁ ନାହାନ୍ତି l 

ହେଲେ ଝିଅ ଡାକ୍ତରଙ୍କୁ ପଚାରି ଔଷଧ ଆଣି ସାରି କହିଲା, 

"ବାପା ତୁମ ପାଇଁ ଛ ମାସର ଔଷଧ ଆଣି ଦେଇଛି କାଲି ତୁମେ ନିଶ୍ଚିନ୍ତରେ ଗାଁ କୁ ଯାଇ ପାରିବ" l ପରେଶ ବାବୁଙ୍କୁ ଝିଅ ର "କାଲି" ଟା ଭୀଷଣ ଆଘାତ ଦେଇ ଥିଲା l ସେ କାଲି ଆଉ ଆସି ନଥିଲା ଏବଂ ପରେଶ ବାବୁ ଗାଁ ଘର ଛାଡି ଆସିଛନ୍ତି ଚୋର ପଶି ଯିବ କହି ସେଇ ଦିନ ହିଁ ଗାଁ କୁ ଫେରି ଆସିଥିଲେ l

ସେହି ଝିଅ ଆଜି ଫୋଟୋ ଉଠାଇ ଲୋକଙ୍କୁ ଦେଖାଇବା ପାଇଁ ଏତେ ତତ୍ପର ଯେ ସେ ତା ଜନ୍ମିତ ପିତାଙ୍କୁ କେତେ ଭଲପାଏ l ଯଦି ସାରା ଦୁନିଆ ମିଛରେ ଚାଲିଛି, ପ୍ରତି ପଦେ ପଦେ ଧୋକା, ମଣିଷ ମାନଙ୍କ ଭିତରେରେ ରକ୍ତର ସମ୍ପର୍କ ହିଁ ନାହିଁ କେବଳ ମତଲବର ସମ୍ପର୍କ ତେବେ ସତ ବାପା ମାଙ୍କ ସହିତ ଫୋଟୋ ଉଠାଇବା କଣ ଦରକାର l ଭଡାରେ ଆଉ କାହାକୁ ବାପା ମା ବୋଲି ଆଣି ବସାଇ ଦେଲେ କଣ ଚଳନ୍ତା ନାହିଁ l

ପରେଶ ବାବୁ ଅନ୍ୟମନସ୍କ ହୋଇ ଯାଉ ଥିଲେ l ହଠାତ ସେ ଉଠି ଠିଆ ହେଲେ ଏବଂ ପଡିଶା ଘର ପୁତୁରା ଘରକୁ ଗଲେ l ପୁତୁରା ନଥିଲା l ପୁତୁରା ବୋହୂ ଥିଲା l ପରେଶ ବାବୁଙ୍କୁ ସକାଳୁ ଦେଖି ଅବୁଝା ଆଖିରେ ଚାହିଁ ରହିଲା l ପରେଶ ବାବୁ ଜନ୍ମରୁ ଅନାଥ ପୁତୁରା ବୋହୂକୁ ଡାକିଲେ "ମା ଟିକେ ତୋ ମୋବାଇଲ ଟା ଆଣିଲୁ l ଆଜି ପରା କଣ କନ୍ୟା ଦିବସ l ବାପା ସହିତ ଗୋଟିଏ ଫୋଟ ଉଠାଇବୁ ନାହିଁ? ଆଜି ଠାରୁ ତୁ ଅନାଥ ନୁହଁ l ତୋ ବାପା ବଂଚିଛି l ପୁତୁରା ବୋହୂ ଟି ଅଶ୍ରୁ ସମ୍ବରଣ କରି ପାରିନଥିଲା l



Rate this content
Log in

Similar oriya story from Tragedy