The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Ranjit Sahu

Tragedy

2  

Ranjit Sahu

Tragedy

ଖଣ୍ଡେ ପୁରୀ

ଖଣ୍ଡେ ପୁରୀ

2 mins
261


ଆଖିରେ ତାହାର କେତେ ଜନ୍ମର ଭୋକ କେଜାଣି, ଟୁକୁ ଟୁକୁ କରି ଅନେଇ ଥାଏ ପାଖ ଠେଲା ଗାଡ଼ିଟିରେ ଛଣା ହେଊଥିବା ପୁରୀ କଢ଼େଇ ଆଡ଼କୁ, ଯେମିତି ଅବସରଟେ ମିଳିଲେ, ହାତ ପୁରେଇ ଟାଣି ନେବ ସେଥିରୁ  ଥୋଡେ ଆଉ ଭରି ଦେବ ନିଜର ଶୁଖିଲା ଫାଟିଲା ଓଠର ମଝିରେ ଥିବା ଗହ୍ୱରରେ I ସକାଳ ସମୟର ବସ ଷ୍ଟାଣ୍ଡ ପାଖରେ ଥିବା ସଡକର ନିତି ଦିନିର ଦୃଶ୍ୟ ହୋଇ ଯାଇଥିଲା ଟିପୁନର ଆବିର୍ଭାଵ, ଠେଲା ଗାଡିର ମାଲିକ ତାହାର ଦୋକାନକୁ ଖୋଲି ଧୂପ କାଠି ଜାଳୁ ଜାଳୁ I କେମିତି ବଞ୍ଚିଗଲା କେଜାଣି,  ଅଳିଆ ଗଦାରୁ ଉଦ୍ଧାର ହୋଇଥିବା  ଶିଶୁଟି ! ମାଆର କ୍ଷୀରର ସ୍ଵାଦ ଜାଣି ନାହିଁ ପିଲାଟି କି ଜାଣି ନାହିଁ ବାପାର ଆଙ୍ଗୁଠିର ସ୍ପର୍ଶର ଦୃଢ଼ତାକୁ, କିନ୍ତୁ ବୁଝି ପାରିଛି ବର ଗଛ ମୂଳେ ବସିଥିବା ବୁଢୀଟି ମଣିଷପଣିଆର ଉଦାହରଣଟିଏ I ତାକୁ ଗୋଟେଇ ଆଣି, ନିଜର ଭିକ୍ଷାବୃତିରୁ ବଞ୍ଚେଇ ନିଜର କରି ଆଜି ପାଞ୍ଚ ବର୍ଷର ମଣିଷ ଛୁଆଟିଏ କରିଛି ବୁଢୀଟି I ପ୍ରଥମେ  ପ୍ରଥମେ ବୁଢ଼ୀ ଉପରେ ସମସ୍ତଙ୍କର ସନ୍ଦେହ ହୋଇଥିଲା- କାହାର ଶିଶୁଟିକୁ ଚୋରେଇ ଆଣି, ସହାନଭୂତି ଦ୍ଵାରା ଭିକ୍ଷା ପାଇବା ପାଇଁ ତାହାର ପ୍ରୟାସ ବୋଲି, କିନ୍ତୁ ଲୋକେ ଯେତେବେଳେ ଦେଖିଲେ, ବୁଢ଼ୀଟି ନିଜର ସବୁ କିଛି ଖର୍ଚ୍ଚ  କରି  ତାକୁ ଭରଣ ପୋଷଣ କରିବାକୁ ଲାଗିଲା ଆଉ ଥାନାକୁ  ମଧ୍ୟ କୌଣସି ଅପହରଣର ମାମଲା ରଜ୍ଜୁ ହେବାକୁ ଆସିଲାନି, ସମସ୍ତଙ୍କର ବିଶ୍ଵାସ ହେବାକୁ ଲାଗିଲା, ବୁଢ଼ୀଟିର ଉଦାରତା ଉପରେ I ବୁଢୀଟି ବରଗଛ ମୂଳରେ ରହେ, ପ୍ଲାଷ୍ଟିକ ଆଉ ବାଉଁଶର ଛୋଟିଆ ଘେରା ଭିତରେ, ବର୍ଷା ଦିନରେ ଆକାଶକୁ ହାତ ଯୋଡ଼େ, ବଜ୍ରାଘାତରୁ ବଞ୍ଚିବା ଲାଗି I 


ନିଜର ଗରିବତାକୁ କେବେ ଆଡ ହେବାକୁ ଦେଇନି ବୁଢୀଟି ଉପକାର କରିବାରେ ଅନ୍ୟମାନଙ୍କର I ଆଖ ପାଖରେ ବୁଲୁଥିବା କୁକର, ଗାଈ, ଷଣ୍ଢ ସମସ୍ତଙ୍କୁ ନିଜର କରିଛି ଆଉ ଟିପୁନର ପରିବାର ହୋଇଛି ଯାଯାବର ପଶୁ ସମୁହଟିଏ I ଠେଲା ବାଲାଟି ମଧ୍ୟ ଧରେଇ ଦିଏ ବଳକା ଖାଦ୍ୟ ଦୋକାନ ବନ୍ଦ  କଲା ବେଳେ ବୁଢୀକୁ I ସକାଳେ ବଉଣି ସରିବା ପରେ, ଧରେଇଦିଏ ଖଣ୍ଡେ ପୁରୀ ଛୁଆଟିକୁ I କୋଉ ଦିନ ଟିପୁନ ଶୋଇଥିଲେ ବୁଢ଼ୀ ହାତ ପତେଇ ଦିଏ ଠେଲା ବାଲା ଆଗରେ ତାହାର ପାଇଁ I ବୁଢ଼ୀ ଠେଲା ବାଲାକୁ ସାହାଯ୍ୟ କରେ, ଝାଡୁ ଲଗେଇଦିଏ ତାହାର ଚାରି ପାଖର ଜାଗା ସଫା ରଖିବାକୁ I 


ଆଜି କିନ୍ତୁ ଟିପୁନ ବଲବଲ କରି ଚାହିଁଛି ଠେଲା ବାଲାକୁ ଯିଏ ତାହା ଆଡକୁ ଦୃଷ୍ଟି ଦେଇ ନାହିଁ I ବୁଢ଼ୀକି ଜ୍ଵର ବୋଲି ଶୋଇଛି, ଗତ ସନ୍ଧ୍ୟାର ମିଳଥିବା ଖାଦ୍ୟ ଖାଇକି I କିଛି ସମୟ ପରେ ପାଖ ନଳକୂଅଁରୁ ଢୋକେ ପାଣି ପିଇ ଆସି ପୁଣି ଚାହିଁ ରହିଲା ଟିପୁନ ପୁରୀ କଢ଼େଇ ଆଡ଼କୁ I 

କେତେ ଲୋକ ଖାଇ ସାରି ଗଲେଣି ହେଲେ କାହାର କେମିତି କେଜାଣି ଟିକିଏ ଉଦାରତା ଭାବ ହୋଇ ନାହିଁ ଆଜି I 

"କଣ ଚାହିଁଛୁ କିରେ ଏମିତି?" କର୍କଶ ଡ଼ାକରେ ଚମକି ପଡିଲା ଟିପୁନ; ଏଇଟା ତ  ଠେଲା ବାଲା  ନୁହଁ, ଆଜି ଆଉ ଜଣେ କେହି ଆସିଛି ଠେଲା ଗାଡ଼ିର ମାଲିକ ହୋଇ ! ଟିପୁନ ଜାଣି ପାରି ନାହିଁ, ଠେଲା ମାଲିକକୁ ମଧ୍ୟ ଜ୍ଵର ହୋଇଛି ଆଉ ତାହାର ସାନ ଭାଇ ଆଜି ଆସିଛି I ପୁରୀ ଆଡ଼କୁ ଆଙ୍ଗୁଠି ଦେଖେଇଲା ଟିପୁନ I 

ମନେ ପଡ଼ିଗଲା ଠେଲା ବାଲାର ଭାଇର, ପିଲାଟିକୁ ଖଣ୍ଡିଏ ପୁରୀ ଦେବା ଲାଗି ନିର୍ଦ୍ଦେଶ ଥିଲା ବଡ଼ ଭାଇର I 

କଣ ଭାବିଲା କେଜାଣି, ଠେଲା ବାଲାଟି ଧରେଇଦେଲା ଦନାଟିରେ ଦୁଇଖଣ୍ଡ ପୁରୀ ଆଉ କିଛି ଆଳୁଦମ I କିଛି ବୁଝିବା ଆଗରୁ ଦୌଡ଼ି ଯାଇଥିଲା ଟିପୁନ ପ୍ଲାଷ୍ଟିକର ସୁରକ୍ଷା କବଚ ଭିତରକୁ I ଖାଇଲାନି କାହିଁକି? କିଛି ଭାବି ଠେଲାବାଲା  ମଧ୍ୟ ଗଲା ପଛେ ପଛେ I 


ପ୍ଲାଷ୍ଟିକ ଭିତରେ ବୁଢ଼ୀ ଶୋଇଛି ଆଉ ତାହା ପାଖରେ ଶୋଇଛି ମାଈ କୁକୁରଟିଏ ଚାରୋଟି ଛୁଆ ସହିତ I ଖଣ୍ଡେ ପୁରୀ ଆଉ ଆଳୁଦମ ଦନାଟି ପଡିଛି କୁକୁରଟିର ଆଗରେ, ଆଉ ତାକୁ ଅନେଇକି ବସିଛି ଟିପୁନ, ହାତରେ ଆର ଖଣ୍ଡ ପୁରୀ !


Rate this content
Log in

Similar oriya story from Tragedy