STORYMIRROR

ସୌମ୍ୟରଞ୍ଜନ ନାୟକ

Abstract Inspirational

4  

ସୌମ୍ୟରଞ୍ଜନ ନାୟକ

Abstract Inspirational

କେବେ ପଚାରିନଥିବା ପ୍ରଶ୍ନ

କେବେ ପଚାରିନଥିବା ପ୍ରଶ୍ନ

3 mins
28

ଅଗଷ୍ଟ ୧୬ ତାରିଖ, ବୋଉ ଡାକିବା ପୂର୍ବରୁ ଭୋର୍ ୫ଟାରୁ ମନକୁମନ ନିଦରୁ ଉଠି ପଡ଼ିଥିଲା ରକି । ବହୁତ ଖୁସି ଥିଲା ସେ, କାରଣ ନିତିଦିନ ପରି ଆଜି ସେ ସ୍କୁଲବସରେ ଯିବନି ସ୍କୁଲକୁ । ବାପାଙ୍କ ସହିତ ଯିବ ତାହା ପୁଣି ବାଇକରେ ବସିକରି । 


୬ବର୍ଷର ପିଲାଟା ପ୍ରଥମ ଶ୍ରେଣୀରେ ପଢ଼େ । ପୂର୍ବଦିନ ନୂଆକରି ସେ ସ୍କୁଲରେ ସ୍ଵାଧୀନତା ଦିବସ ପାଳନ କରିଥିଲା । ସେ ଅନୁଭୂତି ତା ପାଇଁ ଥିଲା ନିଆରା । ପାଠ ପଢାପଢିର ଟେନସନ୍ ନ ଥିଲା । ସକାଳୁ ସକାଳୁ ନୂଆ ଧଳା ଡ୍ରେସ୍ ପିନ୍ଧି ଛୋଟ ତ୍ରିରଙ୍ଗା ପତାକା ଧରି ବିଦ୍ୟାଳୟକୁ ଯାଇଥିଲା । ବିଦ୍ୟାଳୟରେ ଭାଷଣ, ସଙ୍ଗୀତ ଏବଂ ଅଭିନୟ ପ୍ରତିଯୋଗିତାମାନ ଦେଖିଥିଲା । ପାରମ୍ପରିକ ଭାବେ ବଣ୍ଟା ଯାଇଥିବା ସେଓ ବୁନ୍ଦିଆ ଏବଂ ବିସ୍କୁଟ ଖାଇଥିଲା ଆଉ କିଛି ଆଣି ଖୁସିରେ ଘରକୁ ଫେରିଥିଲା । ଦିନଯାକ ଜାତୀୟସଙ୍ଗୀତ ଏବଂ ବନ୍ଦେମାତରମ୍ ଧ୍ୱନି ମଧ୍ୟ ଗୁଣୁଗୁଣୁ ହେଉଥିଲା ।


ଆଜି ମଧ୍ୟ ବିଦ୍ୟାଳୟକୁ ଯିବାବାଟରେ ରକି ଜୟଜୟ ଧ୍ୱନି ଗାଇଗାଇ ଯାଉଥାଏ । ବାପପୁଅ ଦୁହେଁ ଯିବା ବାଟରେ ହଠାତ୍ କରି ରକି ଗାଇବା ବନ୍ଦ କରିଦେଲା ଆଉ ବାପାଙ୍କୁ ଗାଡି ରଖିବାକୁ କହିଲା । ବଜାର ପାଖାପାଖି ଜାଗା ଏବଂ ଗାଡ଼ି ମଟର ଅଧିକ ଯାତାୟତ କରୁଥାଏ । କିଛି ଯୁବକ ଆଉ ବୟସ୍କ ଲୋକ ସକାଳବୁଲା ଆଉ ଖଟି କରୁଥାନ୍ତି । ଗାଡି ରଖିବା କ୍ଷଣି ଗାଡିରୁ ଓହ୍ଲାଇ କିଛିବାଟ ପଛକୁ ଧାଇଁଗଲା ଆଉ ତଳେ ପଡ଼ିଥିବା କିଛି ରଙ୍ଗିନ୍ କାଗଜ ଗୋଟାଇ ଆଣିଲା ।


ଜନଗହଳି ଜାଗା ଆଖପାଖଲୋକ ଛୋଟ ପିଲାଟିର ଏପରି ଆଚରଣ ଦେଖି ବହୁତ ବିରକ୍ତ ପ୍ରକାଶ କଲେ । ବାପା ମଧ୍ୟ ବହୁତ ରାଗିଗଲେ । ରକିଠାରୁ ଛଡେଇ ଆଣି ଉକ୍ତ ରଙ୍ଗିନ୍ କାଗଜଗୁଡିକ ଫୋପାଡିବାକୁ ଉଦ୍ୟତ ହେବା ସମୟରେ ଦେଖିଲେ ତାହା କେବଳ ରଙ୍ଗୀନ କାଗଜ ନଥିଲା ବରଂ ଥିଲା ଆମ ଗୌରବର ଧ୍ଵଜା ତ୍ରିରଙ୍ଗା ପତାକା । ବାପାଙ୍କୁ ରାଗିବାର ଦେଖି ରକି କହିଲା କାଲି ଆମ ସ୍କୁଲରେ ଏ ରଙ୍ଗିନ୍ ପତାକାକୁ ସମସ୍ତେ ପୂଜା କରୁଥିଲେ ଆଉ ଆମେ ଏସବୁ ଠାକୁର ଘରେ ରଖି ସବୁଦିନେ ପୂଜା କରିବା ।


ଛୋଟ ପିଲାଟିର ଏପରି ବ୍ୟବହାର ଦେଖି ଏବଂ ଏପରି କଥା ଶୁଣି ବାପା କିଛି କ୍ଷଣ ସ୍ଥିର ହୋଇଗଲେ ଆଉ ପୂର୍ବଦିନର ସ୍ମୃତି ଚାରଣ କରୁଥାନ୍ତି। ଗତକାଲି ଅର୍ଥାତ୍ ଅଗଷ୍ଟ ୧୫ ତାରିଖରେ ସେ ତାଙ୍କ କ୍ଲବ ଘରେ ସ୍ଵାଧୀନତା ଦିବସ ଖୁବ୍ ସମାରୋହରେ ପାଳନ କରିଥିଲେ ଆଉ ଗାଡି ଆଗରେ ଜାତୀୟ ପତାକା ବାନ୍ଧି ନିଜକୁ ଦେଶପ୍ରେମୀ ବୋଲି ପ୍ରମାଣ କରିବାର ଉପଯୁକ୍ତ ସୁଯୋଗ ପାଇଥିଲେ ସେ । ଦେଶଭକ୍ତିରେ ଏତେ ମାତ୍ରାରେ ଉବୁଟୁବୁ ହେଉଥିଲେ ଯେ ଅଗଷ୍ଟ ୧୫ର କିଛିଦିନ ପୂର୍ବରୁ ତାଙ୍କର ମୋବାଇଲରେ ଥିଲା ହେଲୋଟ୍ୟୁନ,ରିଙ୍ଗଟୋନ୍ ,ୱାଲପେପର ସବୁଠି ଦେଶଭକ୍ତିର ଚିତ୍ର ଆଉ ସଙ୍ଗୀତ ।


ଗତକାଲି ସ୍ଵାଧୀନତା ଦିବସ ସରିଯାଇଥିଲା ଆଉ ସକାଳୁ ସକାଳୁ ତାଙ୍କର ମୋବାଇଲର ରିଙ୍ଗଟୋନ୍ ବନ୍ଦେମାତରମରୁ ଅନ୍ୟ ଆଧୁନିକ ଗୀତକୁ ବଦଳି ସାରିଥିଲା , ମୋବାଇଲର ୱାଲପେପର ମଧ୍ୟ ବଦଳି ସାରିଥିଲା ଆଉ ତାଙ୍କର ଦେଶପ୍ରେମ ମଧ୍ୟ କେବଳ ସୋସିଆଲ ମିଡିଆରେ ସୀମିତ ହୋଇସାରିଥିଲା ।

ସେ ଗତକାଲିର ନିଜର ଚିନ୍ତାଧାରା ଆଉ ଆଜିର ନିଜର ସଂକୀର୍ଣ୍ଣ ମାନସିକତା ପାଇଁ ସତେ ଯେପରି ସେ ଅନ୍ୟମନସ୍କ ହୋଇ ଯାଉଥାନ୍ତି । ନିଜ ପାଠପଢା ସମୟରେ ଦେଶଭକ୍ତିରେ ସ୍ପୃହା ଏବଂ ବର୍ତ୍ତମାନର କର୍ମବହୁଳ ସମୟରେ ନିଜର ଦେଶପ୍ରେମ ତୁଳନା କରିଚାଲିଥାନ୍ତି । କ'ଣ ଦେଶ ପ୍ରେମ କେବଳ ଅଗଷ୍ଟ ୧୫ ଆଉ ଜାନୁଆରୀ ୨୬ ଦୁଇଦିନ ପାଇଁ ?? ଦେଶପ୍ରେମ କ'ଣ କେବଳ ସୋସିଆଲ ମିଡିଆରେ ହୋଇଗଲେ ଚଳିଯିବକି ?? ତ୍ରିରଙ୍ଗା ପତାକାର ସମ୍ମାନ କ'ଣ କେବଳ ୧୫ଅଗଷ୍ଟରେ ?? ୧୬ ଅଗଷ୍ଟରେ ତଳେ ପଡ଼ିଥିବା ପତାକା ପ୍ରତି ଆମର କର୍ତ୍ତବ୍ୟ କ'ଣ ?? ବର୍ତ୍ତମାନ ଯୁବପିଢି ପାଖରେ ଦେଶଭକ୍ତିର ସ୍ପୃହା କମିଯିବାର କାରଣ କ'ଣ ?? ଏପରି ଅନେକ କିଛି....


ତାଙ୍କର ମସ୍ତିଷ୍କରେ ଉଙ୍କି ମାରୁଥିବା ଅନେକ ପ୍ରଶ୍ନ ତାଙ୍କର ଅନ୍ତରାତ୍ମାକୁ ଧିକ୍କାର କରୁଥାନ୍ତି । ପୁଅକୁ ସ୍କୁଲକୁ ନେବା ବାଟରେ ନିଜକୁ କେବେ ପଚାରିନଥିବା ପ୍ରଶ୍ନ ଆଜି ତାଙ୍କ ମନକୁ ବାରମ୍ବାର ଆନ୍ଦୋଳିତ କରୁଥାଏ । ସେ ନିଜକୁ ନିଜେ ପ୍ରଶ୍ନ କରିଚାଲିଥାନ୍ତି ପ୍ରକୃତରେ ମୋର ଏସବୁ କି ପ୍ରକାର ଦେଶପ୍ରେମ ?? 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from ସୌମ୍ୟରଞ୍ଜନ ନାୟକ

Similar oriya story from Abstract