Nityananda Nandi

Tragedy

3  

Nityananda Nandi

Tragedy

କାଳିଜାଈ

କାଳିଜାଈ

5 mins
224


ନୀଳ ପ୍ରଜାପତିଟି ଫୁଲ ଉପରେ ..ବିସ୍ତାର କରିଛି ତା ସାମ୍ରାଜ୍ୟ । ଫୁଲ ସହ ଅନ୍ତରଙ୍ଗ ହେବାର କିଛି ମୁହୂର୍ତ୍ତ, ପୃଥିବୀ ଲାଜେଇ ଯାଏ । ଆକାଶ ବି ମୁହଁ ଫେରେଇ ନିଏ । ସୂର୍ଯ୍ୟୋଦୟ ଭିତରେ ସମ୍ଭାବନାର କିଛି ମୁହୂର୍ତ୍ତ ଜୀବନ୍ତ ହୋଇ ଉଠେ ... ଦିନେଶ ବାବୁଙ୍କ ମନ ଭିତରେ କିନ୍ତୁ ଦକା ପଶେ । ନୀଳ ପ୍ରଜାପତିକୁ ଦେଖିଲେ କାହିଁକି କେଜାଣି ବ୍ୟଥିତ ହୋଇ ପଡନ୍ତି ସେ । ଲୋମ ଟାଙ୍କୁରି ଉଠେ । ପଚିଶ ବର୍ଷ ତଳକୁ ଟାଣି ହୋଇ ଯାଆନ୍ତି ଦିନେଶ ବାବୁ ।  

କାଳିଜାଈ ତାଙ୍କ ଝିଅ, ନାଲି ଟୁକୁ ଟୁକୁ କୋମଳ ପାଦରେ ଦୌଡ଼ି ଦୌଡ଼ି ନୀଳ ପ୍ରଜାପତିକୁ ଗୋଡାଉଥାଏ ତାଙ୍କ ବଗିଚାରେ । ପ୍ରଜାପତିକୁ କେବେ କଣ ଧରିପାରେ !!! 

ନୀଳ ପ୍ରଜାପତି ପାଇଁ କିନ୍ତୁ ତା ଭିତରେ ଦୁର୍ବଳତା ଥିଲା, ଆଶାତୀତ ଦୁର୍ବଳତା । କେତେ ଥର ପଡି ଯାଉଥିଲା ସେ ବଗିଚାରେ । ଆଞ୍ଚୁଡ଼ା ଆଞ୍ଚୁଡି ହୋଇ କେତେ କଷ୍ଟ ପାଉଥିଲା ସେ । ମୁହୂର୍ତ୍ତକ ଭିତରେ ଆଖିରୁ ରସ ବହିଯାଏ । ଆଣ୍ଠୁକୁ ଧରି ମିଛି ମିଛିକା ଫୁଙ୍କି ଦେଲେ ହସିଦିଏ । କାଳିଜାଈର ସେଇ ସରଳ, ନିଷ୍କପଟ ହସ ଭିତରେ ପିତୃତ୍ୱର ଗୋଟେ ବିରାଟ ସଫଳତା ଖୋଜି ପାଉଥିଲେ ଦିନେଶ ବାବୁ ।  

କେତେ ଥର ସେ ଗାଳି ଖାଇଛନ୍ତି ତା ବୋଉ ପାଖରୁ । 

"ଝିଅ ବାର ବାର ପଡି ଯାଉଛି, ଧରି ପାରୁନ "!! 

କେତେ ବାରଣ କଲେ ସେ କଣ ମାନୁଥିଲା । 

ପ୍ରବଳ ଇଚ୍ଛା ଶକ୍ତି ତା ଭିତରେ, ମନ ବେଳାଭୂଇଁକୁ ଚୁମି ଯାଉଥିଲା ପ୍ରତି ମୁହୂର୍ତ୍ତରେ ସମୁଦ୍ର ଜୁଆର ପରି ।  

ସେତେବେଳେ ତିନି ବର୍ଷ ମାତ୍ର କାଳିଜାଈକୁ । ଆକାଶ ଭରା ସ୍ୱପ୍ନ ଖୁନ୍ଦି ହୋଇଥିଲା ତା ମନ ଭିତରେ । ଅସୁମାରୀ ଆଶାର ପାହାଡ଼ ଭିତରେ ବଞ୍ଚିବାର ସ୍ୱପ୍ନ ଗଢ଼ିଥିଲା, କାଳିଜାଈ । ନୀଳ ଆକାଶରେ ଉଡୁଥିବା ପରିଟିଏ, ସମୟକୁ ପଛରେ ରଖି ଧାଉଁଥିଲା ଆଗକୁ । ଶୂନ୍ୟ ଆକାଶର ଇନ୍ଦ୍ରଧନୁ ପରି ଏଇଠି ଅଛି ଏଇଠି ନାହିଁ, ସମୟ ସହିତ ଲୁଚକାଳି ଖେଳରେ ଜିତିବାର ଏକାନ୍ତ ଇଚ୍ଛା, ଅସ୍ତ ବ୍ୟସ୍ତ କରୁଥିଲା ଟିକି କାଳିଜାଈକୁ ।  


ସାର !" କାଳିଜାଈରେ ସନ୍ଧ୍ୟା ଆମେ ପଢ଼ୁଛୁ । କାଳିଜାଈ ବାବଦରେ କିଛି କୁହନ୍ତୁ ନା.".. ଝିଅଟିଏ ଛିଡା ହୋଇ କହିଲା । ଦିନେଶ ସାରଙ୍କୁ ଜଣା ନ ଥିଲା ଯେ କାଳିଜାଈ ଗୀତଟିଏ ସାହିତ୍ୟରେ ପଢାହୁଏ ବୋଲି । ସେ ଭୂଗୋଳ ପଢ଼ାନ୍ତି ପିଲାମାନଙ୍କୁ । ସାହିତ୍ୟ ସାର ଆସି ନାହାନ୍ତି । ପ୍ରଧାନ ଶିକ୍ଷକଙ୍କ ଅନୁମତି କ୍ରମେ ସେ ବସିଛନ୍ତି ଶ୍ରେଣୀ ଗୃହରେ..


ସାର ! କିଛି କୁହନ୍ତୁ ନା କାଳିଜାଈ ବାବଦରେ ...


ଦିନେଶ ସାରଙ୍କ ଆଖି ଭରି ଆସିବା ଦେଖି ଝିଅଟି ପଚାରିଲା ସାର୍ !!!


ହଁ , କାଳିଜାଈ ମୋ ଝିଅ ।  

ଦଶ ବର୍ଷ ତଳର କଥା, ସତର ବର୍ଷ ବୟସ ହୋଇଥିଲା ମୋ ଝିଅକୁ ସେତେବେଳେ । ଭଲ ପ୍ରସ୍ତାବଟିଏ ଆସିଲା ନଦୀ ଆର ପାଖ ଗାଆଁରୁ, ମୋ ଝିଅ ପାଇଁ । ଜାଣିବାକୁ ପାଇଲି, ପୁଅର ବାପା ବି ଜଣେ ଶିକ୍ଷକ । କାହିଁକି କେଜାଣି, ଶିକ୍ଷକଙ୍କ ପାଇଁ ମୋ ଭିତରେ ଦୁର୍ବଳତା ଥାଏ । ଜଣେ ଶିକ୍ଷକଙ୍କ ଘରେ କିଛି ଥାଉ ବା ନ ଥାଉ, ସଂସ୍କାର ହିଁ ଥାଏ ପିଲାମାନଙ୍କ ପାଖରେ । ଆଖି ବନ୍ଦ କରି ରାଜି ହୋଇଗଲି ।  

ଝିଅ ଆସି କହିଲା ବାପା ! ଏତେ ଶୀଘ୍ର !!!

ମୋ ଆଖିରେ ଲୁହ ଦେଖି ଚୁପ ହୋଇଗଲା କାଳିଜାଈ । ହସି ଦେଲା ନିର୍ବୋଧ ଶିଶୁଟିଏ ପରି । କିଛି ନ କହି ବୋଉର କାନି ଭିତରେ ଛୁପିଗଲା । ଜଣେ ଅସହାୟ ପିତା ପରି ସାମାଜିକ ବ୍ୟବସ୍ଥା ଭିତରେ ଛୁପି ରହିଥିବା କଠୋର ସତ୍ୟକୁ ମୁଁ ଦେଖୁଥିଲି । ଝିଅକୁ ଆମ ଘର ଛାଡ଼ି ଯିବାକୁ ହେବ ହିଁ ହେବ !! 

ଝିଅକୁ ଏତେ ଶୀଘ୍ର ହରେଇବାର ଦୁଃଖ ଜନିତ ଲୁହ ସାଥିରେ କିଛି ଆନନ୍ଦାଶ୍ରୁ ମିଶି ରହିଥିଲା । ଏଇଥିପାଇଁ ଯେ, ଝିଅ ଘର ଠିକ୍ ନଦୀ ଆର ପଟେ, ମହାନଦୀ ମୁହାଣରେ । ଏ ପଟରୁ ଡାକିଲେ ଆର ପଟେ ରହି ମୋ କଥା ସେ ଶୁଣି ପାରିବ, ଦୁଃଖ ସୁଖରେ ।  


 ହଁ, ବାହାଘର ପରେ ଗୋଟେ ଚିଠି ଛାଡି ଯାଇଥିଲା ମୋ ପାଇଁ ମୋ ଡାଇରୀ ଭିତରେ । 

ଦେଖ ! ଚିଠିର ଫୋଟୋ ମୋବାଇଲ ଭିତରେ ମୁଁ ସାଇତି ରଖିଛି । କଣ ଲେଖିଥିଲା ଶୁଣିବ !


ବାପା !

ଇଚ୍ଛା ତ ଥିଲା, ଆଉ କିଛି ଦିନ ତମ ସହ କଟେଇ ଥାଆନ୍ତି । ଝିଅର ସବୁ ଇଚ୍ଛା କଣ ପୂରଣ ହୁଏ... ନା... । ଝିଅ ଜନମ ତ ପର ଘରକୁ !!! ଝିଅ ତ ଅଳ୍ପ ଦିନର ଅତିଥି ବାପା ଘରେ । ବାସ୍, ଜନ୍ମରୁ ବିବାହ ପର୍ଯ୍ୟନ୍ତ, କେଇଟା ଦିନ ମାତ୍ର ।  


ବହୁତ ଉତ୍କଣ୍ଠାର ସହିତ ତମକୁ ପଚାରିଲି ବାପା ! ଏତେ ଶୀଘ୍ର କାହିଁକି ? ଅଚାନକ ପାଣି ଭରି ଆସିଲା ତମ ଆଖିରେ । ତମ ଆଖିର ଲୁହ ଭିତରେ ଲୁଚି ରହିଥିବା ଅଭେଦ୍ୟ ବେଦନାକୁ ବୁଝି ପାରି ଚୁପ ରହିଲି । ଝିଅଟିଏ ପାଇଁ ବାପାଙ୍କର ଇଚ୍ଛା ସର୍ବଶ୍ରେଷ୍ଠ ଇଚ୍ଛା ବୋଲି ତମେ ମୋତେ ହିଁ ଶିଖେଇ ଥିଲ । ତମ ମନରେ ଦୁଃଖ ହେବ, ସେଇଥି ପାଇଁ ମୁଁ କିଛି କହିଲିନି । 

ମନେ ଅଛି ନା ! ନୀଳ ପ୍ରଜାପତି ପଛରେ ଦୌଡୁ ଦୌଡୁ ବାର ବାର ମୁଁ ଭୂଇଁ ଉପରେ ପଡ଼ିଯାଏ । ଆଣ୍ଠୁ ଆଞ୍ଚୁଡି ଗଲେ, ତମେ ଫୁଙ୍କି ଦିଅ ମୋ ଆଞ୍ଚୁଡ଼ା ଜାଗାରେ । ନିମିଷକ ମଧ୍ୟରେ କଷ୍ଟ ଉଭେଇଯାଏ, କି ଇନ୍ଦ୍ରଜାଲ କର କେଜାଣି !

ଗାଆଁ ଦାଣ୍ଡରେ ମୋ କାଣି ଆଙ୍ଗୁଳି ଧରି ଯେବେ ତୁମେ ଚାଲୁଥାଅ, ଗର୍ବରେ ଛାତି ଫୁଲିଉଠେ, ମୋ ବାପା ମୋ ସାଥିରେ ଅଛନ୍ତି । 

କିନ୍ତୁ ଗୋଟାଏ କଥା ବୁଝିପାରେନି, ବାପା ମାନେ ହାତ ଧରି ଚାଲି ଶିଖେଇଥିବା ଝିଅମାନଙ୍କୁ ଘରୁ ବିଦା କରି ଦିଅନ୍ତି କାହିଁକି ?

ଗୋଟାଏ ସର୍ବଶ୍ରେଷ୍ଠ ସମ୍ପର୍କ ସହ ବାନ୍ଧିଯିବା ପରେ ଦୂରେଇଯିବା କେତେ କଷ୍ଟ ଜାଣିଛ ? ବାପାଙ୍କୁ ଛାଡି କୋଉ ଝିଅ ଆଉ କାହା ଘରକୁ ଯିବା ପାଇଁ ଚାହେଁ କହିଲ !! 

ରାଗୁନି, ମନ ଭିତରେ ଜମିଥିବା ଅଭିମାନ ହିମବାହ ପରି ତରଳି ଯାଉଛି, ମୁଁ କଣ କରିବି । 

ବାପା ! ଇଲେକଟ୍ରିକ୍ ବିଲ, ଫୋନ ବିଲ ଅନ ଲାଇନରେ ଭରି ଦେଇଛି । ଫେରିଲେ, ମୁଁ ତମକୁ ସବୁ ଶିଖେଇ ଦେବି । ନିଜେ ସବୁ କରି ପାରିବ । ଇତି କାଳିଜାଈ


ଚୁପ ହୋଇଗଲେ ଦିନେଶ ସାର କିଛି ମୁହୂର୍ତ୍ତ ପାଇଁ । 


ପିଲାମାନେ ପଚାରିଲେ, ଦିଦି ଏବେ କୋଉଠି ?


ନୌକାରେ ବସିଯାଇ ହାତ ହଲି ହଲି ଟା ଟା କଲା ଆମ ଦୁଇଜଣଙ୍କୁ । ହଁ, ତାର ଶେଷ କଥା ଖାଲି ଏତିକି ଶୁଣିଥିଲି, ବୋଉ ରାତିରେ ଶୋଇବା ପୂର୍ବରୁ ଗୋଟାଏ ବଟିକା ଖାଏ । ଭୁଲିବନି !! ତାପରେ ଅନେକ କଥା ସେ କହି ଚାଲିଥିଲା, ଆଉ ଶୁଭିଲାନି.. ଆମେ ଅନେଇ ଥିଲୁ ଏକ ଲୟରେ ତା ଆଡକୁ ।  

ହୃଦୟଟା ଅତି ସହଜରେ ଭାଙ୍ଗି ଯାଉଥାଏ ଉଇ ହୁଙ୍କାଟିଏ ପରି, କଲିଜା ପଥର ପାଲଟିଯିବା ପରେ ମନଟା ଭାରି ହୋଇଯାଏ । ସ୍ମୃତି ସବୁ ବରଫ ପାଲଟି ଯାନ୍ତି କିଛି ମୁହୂର୍ତ୍ତ ପାଇଁ, ଆକାଶଟା ଆହୁରି ଶୂନ୍ୟ ଲାଗେ...

ମନକୁ ବୁଝେଇ ପୁଣି ଥରେ ନଈ ଭିତରକୁ ଅନେଇଲି । 


ଦେଖୁ, ଦେଖୁ ନୌକା ବୁଡିଗଲା । ତା ପରେ ମୁଁ ଜାଣିନି କଣ ସବୁ ଘଟି ଯାଇଛି । ପରେ ଶୁଣିଲି, କଲେକ୍ଟର ଆସି ମଟର ବୋଟ ଲଗେଇ ଖୋଜିଲେ ମୋ ଝିଅକୁ । ରାତି ସାରା ଖୋଜା ଖୋଜି କଲେ । ମୋ ଝିଅ ପିନ୍ଧିଥିବା ବିବାହ ମୁକୁଟ ଆଣି ସେମାନେ ମୋତେ ଧରେଇ ଦେଇ ଦେଇ କହିଲେ ସରି, ଡେଡ୍ ବଡି ମିଳିଲାନି, ସମୁଦ୍ର ଭିତରକୁ ଚାଲିଗଲା ବୋଧେ..


ଆଜି ବି ସେଇ ବିବାହ ମୁକୁଟ ଭିତରୁ ଯନ୍ତ୍ରଣାର ଧ୍ଵନି ଆସି ମୋ କାନ ପାଖରେ କହିଯାଏ, ବାପା ମୁଁ ତମ ପାଖେ ପାଖେ ବଞ୍ଚିଛି !! କହିବାକୁ ଇଚ୍ଛା ଥାଇ ବି ମୁଁ କିଛି କହି ପାରେନି । 

ନିସ୍ତବ୍ଧତା ଭିତରେ ତା ଗୀତ ମୋ କାନ ପାଖରେ ଗୁଣୁ ଗୁ ଣୁ କରେ । ପ୍ରତି ମୁହୂର୍ତ୍ତରେ ସେ, ନୀଳ ପ୍ରଜାପତିକୁ ଧରିବାର ମୁଁ ଦେଖେ, ଆମ ଅଗଣାରେ, ଆମ ବଗିଚାରେ...


ପିଲାମାନଙ୍କ ଆଖିରେ ଲୁହ ଦେଖି ଦିନେଶ ବାବୁ ଆଉ ସମ୍ଭାଳି ପାରିଲେନି ନିଜକୁ । 

କଣ ହେଲା କାନ୍ଦୁଛ କାହିଁକି ??

ଗୋଟାଏ ଝିଅ ଉଠି ପଡି କହିଲା, ସାର ! ମୋ ନାଁ ବି କାଳିଜାଈ !!

କାଳିଜାଈ !!!

ହଁ, ଓଠରେ ବଡ଼ କଳା ତିଳ ଚିହ୍ନ ଅଛି ବୋଲି ବୋଉ ମୋ ନାଁ ରଖିଛି କାଳିଜାଈ । 

ଗୋଟାଏ ଲୟରେ ଅନେଇ ଥିଲେ ଝିଅଟିକୁ । ଠିକ୍ ଏମିତି ତିଳ ଚିହ୍ନଟିଏ ଥିଲା ତାଙ୍କ ଝିଅର ଓଠରେ । ସବୁ ନିୟନ୍ତ୍ରଣ ହରେଇବସିଲେ, ପାଗଳ ହୋଇଗଲେ ଦିନେଶ ବାବୁ । ଏଇ ଛୋଟ ଝିଅ ଭିତରେ ନିଜ ଝିଅର ଅସ୍ତିତ୍ୱକୁ ଆବିଷ୍କାର କରିସାରିଥିଲେ ସେ, ଏହା ଭିତରେ । ଯେତିକି ହରେଇଥିଲେ, ସେତିକି ଫେରି ପାଇବାର ହିସାବ କରୁଥିଲେ ଦିନେଶ ବାବୁ ।  


"ମୋ ଝିଅ ଏଇ ଧରାପୃଷ୍ଠକୁ ଆଉଥରେ ଫେରି ଆସିଛି ବୋଧହୁଏ । ଆମ କୋଳରେ ନ ହେଲା ନାହିଁ, ଖାଲି ବଞ୍ଚି ରହୁ ମୋ ଆଖି ଆଗରେ । ବାପା ବୋଲି ନ ଡାକୁ, ମଧୁର ସମ୍ପର୍କର ମହ ମହ ବାସ୍ନା ଆସୁ ତା ପାଖରୁ । ଜଣେ ଅସହାୟ ବାପା ପାଇଁ ତାହା ହିଁ ଯଥେଷ୍ଟ । 


ଚିଲିକାର କାଳିଜାଈ ଆରମ୍ଭ କରି ମୋ ଝିଅ କାଳିଜାଈ ପର୍ଯ୍ୟନ୍ତ ଅନେକ ଘଟଣା ଦୁର୍ଘଟଣା ଘଟି ଯାଇଛି । କି ସଂଯୋଗ ଏଇ କାଳିଜାଈ ନାଁ ଭିତରେ । କିନ୍ତୁ ଆମର ଏଇ ଛୋଟ କାଳିଜାଈର କିଛି ହେବନି ।  

ଗଡ ବ୍ଲେସ୍ ହାର । ଆଉ କଣ ନୌକାର ଯୁଗ ଅଛି ଯେ ସେ ନୌକାରେ ବସି ଶାଶୁ ଘରକୁ ଯିବ !! ସ୍ଥଳ ପଥ ଦେଇ ଯିବ ସେ ଶ୍ଵଶୁର ଘରକୁ, ବାହାଘର ବେଶ୍ ଧୁମଧାମରେ ହେବ" ।  

ତୋ ବାପା କଣ କରନ୍ତି

ଝିଅ ଚୁପ ରହିଲା, 

ଓଃ, ସରି !! କିଛି ଅସୁବିଧା ନାହିଁ, ସବୁକଥା ମୁଁ ବୁଝିବି, ତୁ ଆଜିଠୁ ମୋ ଝିଅ, କାଳିଜାଈ !!!

କାଳିଜାଈର ସୁମଧୁର ହସ ଭିତରେ ଦିନେଶ ବାବୁଙ୍କ ସ୍ୱପ୍ନ, ସଜେଇ ହେଉଥିଲା ବାଇ ଚଢେଇଟିଏ ପରି । ଆଉଥରେ ଆକାଶରେ ଉଡ଼ିବା ପାଇଁ ପ୍ରସ୍ତୁତ ହେଉଥିଲା ସେ...କେତେ ସରଳ ଏ ମଣିଷ, ଅନ୍ଧବିଶ୍ୱାସକୁ ସାହାରା କରି ବଞ୍ଚେ । ସମୟ ଲାଗେନି, ସମ୍ପର୍କର ମାୟାଜାଲ ଭିତରେ ଆପେ ଆପେ ଛନ୍ଦି ହୋଇ ଯାଏ...



Rate this content
Log in

Similar oriya story from Tragedy