କାଳବୈଶାଖି
କାଳବୈଶାଖି
ବୁଢ଼ୀର କେହି ନଥାନ୍ତି. ମୁଢ଼ି ଭାଜି ବୁଢ଼ୀ ଚଳେ.ସେଇଥିରେ ନିଜ ଗୁଜୁରାଣ ସହ ଗାଈ ନେତ ପାଇଁ କିଛି ଖର୍ଚ୍ଚ କରିବା ପୂର୍ବରୁ କିଛି ନା କିଛି ସମର୍ପଣ କରେ ଭଗବାନଙ୍କୁ. କୋଉଦିନ ନିଜେ ଓପାସ ରହିଯାଏ ପଛେ ଭଗବାନଙ୍କୁ ଚିନି କି ଗୁଡ଼ ଟିକେ ହେଲେ ଦେବାକୁ ଭୁଲେ ନାହିଁ କି ପେଟରେ ଯେତେ ଭୋକ ଥିଲେ ବି ନେତ କଥା ବୁଝି କାଟି ଆଣିଥାଏ କଅଁଳ ଦୁବଘାସ ଦିଟା. ମାଗିଆଣି ଥାଏ ଘର ଘର ବୁଲି ପଖାଳ ପାଣି ସହ ପେଜ ମୁନ୍ଦାକ.
ଏବେ ଡହ ଡହ ତାତି. ଖରା ଗରମରେ ଫାଟିଯାଉଛି ଛାତି. ଖାଲି ପାଦରେ ଚାଲିହେଉନି କି ଦୁବ ଘାସ ମିଳୁନି. ସେଦିନ ନିଜ ପାଇଁ କି ନେତ ପାଇଁ କିଛି ଯୋଗାଡ଼ ନକରି ପାରି ମନଦୁଃଖରେ ଶୋଇଥାଏ ବୁଢ଼ୀ. ପେଟରେ ଦାନା ନାହିଁ. ନିଆଁ ବର୍ଷୁଛି ଆକାଶରୁ ଯେମିତି. ବେପାର ମାନ୍ଦା. ଭଗବାନଙ୍କୁ ଡାକିଲା ବୁଢ଼ୀ ପ୍ରଭୁହେ ତୁମକୁ ଲାଗିଲା ମୋ ନେତ ଆଉ ମୋ ଛାତ.. ତୁମକୁ ଲାଗିଲା ପ୍ରଭୁ.
କାଳବୈଶାଖି ତାଣ୍ଡବ ରଚିଗଲା. ଗାଈ ନେତର ପଘା ଫିଟାଇ ଆକୁଳରେ ଠାକୁରଙ୍କ ପାଦ ତଳେ ପଡିରହିଲା ବୁଢ଼ୀ. ସେ ଜାଣିଥିଲା ନେତର ପଘା ଫିଟାଇ ଦେଇଛି ସେ ହୁଏତ କୁଆଡେ ଯାଇ ଆଶ୍ରୟ ନେଇଯିବ କିନ୍ତୁ ତା ପ୍ରଭୁଙ୍କୁ ଛାଡ଼ି ସେ କୁଆଡେ ଯିବନି. ଆଖି ନଖୋଲି ପ୍ରଭୁଙ୍କ ପାଦ ତଳେ ପଡିଥାଏ ସେମିତି ନିର୍ଜୀଵଙ୍କ ଭଳି.
ହଠାତ ସୁଉ ସୁଉ ଗର୍ଜ୍ଜନ ଓ କାଳବୈଶାଖିର ତାଣ୍ଡବ ଛାଡିଗଲା. ବୁଢ଼ୀ ଡରି ଡରି ଆଖି ଖୋଲିଲା. କଣ ଦେଖୁଛି ସେ ତା କଣା ଚାଳ ଉପରେ?କି ସୁନ୍ଦର ପାଲ ପଡିଛି. ଅଗଣା ସାରା ଅମୃତଭଣ୍ଡା, ନଡ଼ିଆ ଓ ଆମ୍ବରେ ଭରି.ଆଉ ଗୁହାଳରେ ନେତ ଉଡିଆସିଥିବା ସଜନା ଡ଼ାଳ ଖାଉଛି. ଗୁହାଳ ଉପରେ ବରଡ଼ା ପଡି ଘୋଡେଇ ହୋଇଛି ଛାତ. ବୁଢ଼ୀ ଆଖିରେ ଚମକ ଦଉଡି ଗଲା ଠାକୁରଙ୍କ ପାଖକୁ କହିଲା ପ୍ରଭୁ କାହା ତମ୍ଭୁ ପାଲ କିଏ ଖୋଜୁଥିବ, କାହା ନଡ଼ିଆ ଗଛ ସଜନା ଗଛ, ଅମୃତଭଣ୍ଡା ଗଛ ଭାଙ୍ଗିଥିବ, କାହାକୁ କି ବିପତ୍ତି ପଡ଼ିଥିବ ତାଙ୍କୁ ରକ୍ଷାକର ପ୍ରଭୁ.
ସାହିତ୍ୟ ଆସରରୁ ଉଡିଆସିଥିବା ତମ୍ଭୁ ପାଲ ସେମାନେ ନେଇନଥିଲେ. ନଡ଼ିଆ, ଆମ୍ବ, ପଇଡ଼ କି ଅମୃତଭଣ୍ଡା କେହି ଖୋଜିନଥିଲେ କିନ୍ତୁ ବୁଢ଼ୀ ଡାକ ଛାଡୁଥିଲା ମୁଢ଼ି ନେବ ମୁଢ଼ି... ପଇସା ନେବିନି ଜମା..ଦେବି ଛାଡ଼ି.।