STORYMIRROR

Sunanda Mohanty

Tragedy Fantasy Thriller

4  

Sunanda Mohanty

Tragedy Fantasy Thriller

ଝିଅ ବିଦା

ଝିଅ ବିଦା

4 mins
1

ବାହାଘର ତ ବାହାଘର ପୁଣି ନିଜ ଝିଅ ବାହାଘର.ତାଲିକା ସହ ସବୁ ଜିନିଷକୁ ଗୋଟାଏ ଗୋଟାଏ କରି ମିଳାଉଥିଲା ମାନୀ.
ମା ମନ କଣ ସହଜରେ ବୁଝେ ?କାଳେ କେଉଁ ଜିନିଷ ରହିଯିବ ?ଆଉ କିଛିଦିନ ପରେ ଝୁମିର ବାହାଘର. ଝିଅକୁ କହୁଥିଲେ ମାଆ ମାନୀ,ମା'ରେ, ଏଇ ଦେଖେ ଲିଷ୍ଟ ଓ ଚାବି. ଏଇ ଦୁଇ ଆଟାଚିରେ ତୋ ଲୁଗାପଟା, ଆର ଆଟାଚିରେ ଶାଶୁ ଓଳଗି ଜିନିଷ, ସଂଖୁଳା ଭାର ; ଏଇ ନୀଳ ଟ୍ରଲି ବ୍ୟାଗଟା ନଣନ୍ଦ ପୁଟୁଳି ଓ ଭିତରେ ନଣନ୍ଦର ସୁନା କାନ ଫୁଲ ଅଛି.ହୁସିଆରି ହୋଇ ଚାବିକାଠି ରଖିଥିବୁ.ଏଠି ଚକି, ବାଙ୍କି, ଝୁଣ୍ଟିଆ ଅଛି. ୟାକୁ  ସବୁଦିନ ପିନ୍ଧିବୁ.ଏଇ ଦସ୍ତା ଟ୍ରଙ୍କରେ କଂସା, ପିତ୍ତଳ, ଷ୍ଟିଲ ଓ ନନ ଷ୍ଟିକ୍  ବାସନ.ଆର ଟ୍ରଙ୍କରେ ଠାକୁର ଘର ଜିନିଷ, ଦୀପ, ପିଲିସଜ ଓ ଅନ୍ୟାନ୍ୟ ଜିନିଷ ସହ ଗାଲିଚା ବି ଅଛି.ତୋ ବ୍ୟାଗରେ ଡେଲି ଇଉଜ ପାଇଁ ଶାଢ଼ୀ, ଡ୍ରେସ ଓ ନାଇଟି ଅଛି. ଶୋଇଲା ବେଳେ ଡ୍ରେସ, ନାଇଟି ପିନ୍ଧିବୁ. ଅଷ୍ଟ ମଙ୍ଗୁଳା ଜିନିଷ ବି ଅଲଗା କରି ରଖିଛି.ଚଉଠି ଶାଢ଼ୀ, ଶାୟା ଏଇ ଜରିରେ ଅଛି, ପୋଡାମୁହାଁ ଟେଲର ଆଜି ବ୍ଲାଉଜ ଦେବ ବୋଲି କହିଛିତ,ତାକୁ ଟିକେ ଫୋନ କରିବୁ. ତୋ ଗହଣା ପତ୍ରକୁ ହୁସିଆରି ରେ ରଖିବୁ.ବରଂ ସମୁଦୁଣିଙ୍କୁ ଦେଇଦେବୁ. ଶାଶୁଙ୍କୁ ପଚାରି ଡ୍ରେସ୍ କି ଶାଢ଼ୀ ପିନ୍ଧିବୁ.
       କୁଣିଆ ମଇତ୍ର ଗଲା ପରେ।"- ଓହୋ, ମମି ; ଏତେ ସିରିଅସ କାହିଁକି ହେଉଛ ?ଆଜିକାଲି କିଏ ଏସବୁ ଜିନିଷ ଟିକିନିଖି କରି ଦେଖୁଛି କହିଲ ?"- କିଏ ଦେଖୁ ନଦେଖୁ, ତୁ ଦେଖି ମନେ ରଖିଥା. ତୋ ଝିଅ ବାହାଘର ବେଳକୁ ତୁ ନିଜେ ସଜାଡ଼ିବୁ।"- କାହିଁକି ତମେ କୁଆଡେ ଯିଵ କି ?"
ଝିଅ ଝୁମି କଥା ଶୁଣି ଚମକି ପଡ଼ିଥିଲା ମାନୀ। ଅନେକ ବର୍ଷ ତଳେ ଏଇ ସମାନ ପଦ କଥାଟେ ନିଜ ବୋଉକୁ ପଚାରିଥିଲା ସେ, ଠିକ ନିଜ ବାହାଘର ପୂର୍ବରୁ. ଆଜି ବୋଉ ସ୍ଵର୍ଗରେ. ନାତୁଣୀ ବାହାଘର ଦେଖିବ ବୋଲି କେତେ ମନ କରିଥିଲା ? ନନା ତ ଆଗରୁ ଠକି ଦେଇଥିଲେ.ମେଘ ଭର୍ତ୍ତି ଆକାଶକୁ ଦେଖିଲେ, ଯେମିତି ବେଳେବେଳେ ଲାଗେ କି କେଉଁ ମୁହୂର୍ତ୍ତରେ ବି ହୁଏତ ବର୍ଷି ଯାଇପାରେ ବରଫ ଖଣ୍ଡ ଝରିପଡିଲା ପରି,ଆଜି ମାନୀର ମନଟା ଠିକ ସେମିତି ଲାଗୁଥିଲା.
       କେଉଁ ମୁହୂର୍ତ୍ତରେ ସେ କାନ୍ଦିପାରେ, ତେବେ ଅମାନିଆ ମନକୁ କେମିତି ଜେଜାଣି ସେ ଅକ୍ତିଆର କରି ରଖିଛି. ବୋଉ କଥା ଆଜି ବହୁତ ମନେପଡୁଥିଲା. ସବୁ କାମ ଠିକ ସମୟରେ, ସଠିକ ଭାବରେ ଚୁପ ଚାପ କରିଦେଉଥିଲା ବୋଉ ମେସିନ ଭଳି.
ଭାର ସକାଶେ ଆରିଷା ପିଠା, ଲଡୁ, ଖଜା, ଗଜା, ନିମିକି, ଲବଙ୍ଗଳତା, ମୁଆଁ ହେଉ କି ,ସ୍ବୀକାର ଥାଳିକୁ ଚନ୍ଦନରେ ସଜାଇବା, କାନ୍ଥରେ  ବାହା ଚିତା ଠାରୁ ଅନୁକୂଳ ବଡ଼ି ପରା, ଶଙ୍ଖ ଫୁଙ୍କା ଠୁ ହୁଳହୁଳି ଯାଏଁ ସବୁ କାମ କେମିତି ନିର୍ଭୁଲ ଭାବେ କରୁଥିଲା ବୋଉ ? କେଉଁ ବାକ୍ସରେ କଣ ରହିବ ତା ଲିଷ୍ଟ ବୋଉ ମୁହଁରେ. ଏ ବଖରା ରୁ ସେ ବଖରା ଗଲା ବେଳେ ମାନୀ ମୁହଁକୁ ଚୁପ କିନା ଅନାଇ ଚାଲିଯାଏ. ପଛରୁ ଲକ୍ଷ କରେ ମାନୀ, ସମସ୍ତଙ୍କ ଅଜଣାତରେ ଶାଢ଼ୀ କାନିରେ ନିଜ ଆଖି ପୋଛୁଥାଏ ବୋଉ।- ତୁ କାନ୍ଦୁଛୁ ବୋଉ ?- ଦୂର ପାଗିଳୀ ;ଝିଅ ବାହାଘରଠୁ ଅଧିକ ଖୁସି ମା ପାଇଁ ଆଉ କଣ ହୋଇପାରେ ? ଆଖିରେ କଣ ପଡ଼ିଗଲା ବୋଧେ ?"ତୋ ବୋଉକୁ କହ ଗଗଲସ ପିନ୍ଧୁ. ଏଇ କିଛି ଦିନ ହେଲାଣି ତମ ଆଖିରେ ସବୁବେଳେ କିଛି ନା ପଡୁଛି।"
ପଛପଟୁ ନନା କହୁଥିଲେ.ସବୁ ମା କାନ୍ଦନ୍ତି. ଆଛା, ଖାଲି ମୁଁ କାନ୍ଦୁଛି ? ତମ ଆଖିକୁ ଜମା ଲୁହ ଆସୁନି ?"ବୋଉ ମୁହଁ ଫୁଲାଏ ମିଛରେ.ମାନୀ ଭାବି ପାରୁ ନଥିଲା ବାପ ଘର, ନନା, ବୋଉଙ୍କୁ ଛାଡି କେମିତି ରହିବ ?- ସବୁ ଶିଖିଥା, ତୋ ପିଲାଙ୍କ ବାହାଘରରେ କାମରେ ଆସିବ।" ବୋଉ କହୁଥିଲା.କାହିଁକି ?ତୁ କୁଆଡେ ଯିବୁ କି ? ଡ୍ରେସିଂ ଟେବୁଲ ଉପରେ ବୋଉର ଫୁଲ ଚନ୍ଦନ ଦିଆ ଫଟ। ସେଇ ହସ ହସ ମୁହଁରେ ଯେମିତି କହୁଛି, ମୁଁ ତୋ ପାଖେ ପାଖେ ଅଛି. ଝୁମିର ବାହାଘର ମାସେ ଭିତରେ  ଠିକ ହୋଇଯିବ ବୋଲି କେବେ ଅନୁମାନ କରିପାରିନଥିଲା ମାନୀ. ପୁଅ ଘର ବହୁତ ଭଲ. ବଢିଆ ଦେଖିବାକୁ ଜୋଇଁ.ଏକଦମ ମ୍ୟାଚିଙ୍ଗ ଯୋଡି. ନିଜ ଦୃଷ୍ଟି ନପଡୁ ଝିଅ ଉପରେ ଭାବି ଟିକେ ଛେପ ପକାଇଦେଲା ଝୁମି ଉପରେ।- ମମି, ବ୍ୟାଡ ହାବିଟ.ସବୁ ଅନ୍ଧବିଶ୍ବାସ."- ମା ମନ କଥା ତୁ ଏବେ ବୁଝିବୁନି. ମୋ ନଜର ବା କାହା ନଜର ନଲାଗୁ.ଆଛା ଶୁଣ, ମହେନ୍ଦି ଦିନ ତୁ ସେଇ ...-  ପ୍ଲିଜ ମମି. ମୁଁ ଲେହେଁଗା ପିନ୍ଧିବି. ତୋ ଜୋଇଁ ବି ମୋ ଲେହେଁଗା କୁ ମ୍ୟାଚ କରି ଡ୍ରେସ କିଣିଛନ୍ତି."ଚୁପ କିନା ଚାଲିଗଲା ମାନୀ.
       ଏଇ କିଛିଦିନ ହେଲା ଆରମ୍ଭ ହୋଇଥିବା ନାଟକର ଅନ୍ତିମ ଦୃଶ୍ୟ ହେଵ ଝିଅ ବିଦା. ଅବଶ୍ୟ ଆଜିକାଲି ଆଉ ଆଗଭଳି କନ୍ଦା କଟା କାହିଁ ? ବୋଉ ଅପେକ୍ଷା , ନନା ଏତେ କାନ୍ଦିବେ ବୋଲି ସେ ଜମାରୁ ଭାବି ନଥିଲା.ବାପାମାନେ ବି କାନ୍ଦନ୍ତି !ସେ ଟିକେ ଟିକେ କଥାରେ ନାକ ସୁଉଁ ସୁଉଁ କରେ ବୋଲି ସରୋଜ ତାକୁ ଆଗରୁ ସତର୍କ କରାଇଦେଇଛନ୍ତି. ମଫସଲିଆଙ୍କ ଭଳି କାନ୍ଦିବନି. ତମ ନନା, ବୋଉ କେତେ କାନ୍ଦିଥିଲେ ସେ ଷ୍ଟୋରୀ ବି ଆମର ଶୁଣିବା ଦରକାର ନାହିଁ. କାନ୍ଦିଲେ ଫଟ ଓ ଭିଡିଓ ଖରାପ ହେବ."ଆଖି ଲୁହ ସିନା ବାହାରକୁ ଦିଶେ, ହେଲେ ମା ଛାତି ଭିତର ଲୁହକୁ କେଉଁ  ଫଟ, ଭିଡିଓ ରେକର୍ଡିଙ୍ଗ କରିପାରେ ! ନିଜକୁ ପ୍ରଶ୍ନ କରୁଥିଲା ମାନୀ.
ଝୁମି ବି ତା ବାପାଙ୍କ ସପକ୍ଷରେ ବାହାରି କହିଲା,- ପାପା ଠିକ କହିଛନ୍ତି. ତୁ ଆଉ ପାପା ମେହେନ୍ଦୀ ଦିନ ଗୋଟେ ଗୀତରେ ନାଚିବ.ମୋ ଦେଇ ସେ ନାଚ ଫାଚ ହେବନି. ଘରେ କେତିକି କାମ ପଡିଥିବ, ଆଉ ମୁଁ ନାଚିବି!ତମେ ବାପ ଝିଅ ନଚାନଚି ହୁଅ."
       ବାହାଘର ପ୍ରଥମ କାର୍ଡ ପୁରୀ ଯାଇଁ ଜଗନ୍ନାଥଙ୍କୁ ଦିଆ ହୋଇଛି. ବାଟ ମଙ୍ଗଳାଙ୍କ ପାଖରେ ଆସିଲାବେଳେ ଶାଢ଼ୀ ଦେବ ବୋଲି ମାନସିକ କରି ଆସିଛି ମାନୀ. ତା ବାହାଘର ବେଳେ ବୋଉ ବି କରିଥିଲା.ଝିଅମାନେ ସତରେ ବୋଉ'ର କା ; ପ୍ରତିରୂପ.ମା'ର ସଣ୍ଠଣା ଝିଅ କାଳେ ଆଣେ. ଝୁମିକୁ ନିଜ ଆଦର୍ଶରେ ଗଢିଛି ମାନୀ. ହେଲେ ଆଜିକାଲିକା ପିଲା.ଅନୁକୂଳ ବଡ଼ି ଗୁଡାକ ଶୁଖି ଗଲାଣି.ଗୋଟେ ଡବାରେ ତାକୁ ସଜାଡି ରଖୁଥିଲା ମାନୀ.ବେଦୀ ଜିନିଷ ସବୁ ତାଲିକା ସହ ମ୍ୟାଚିଙ୍ଗ କରୁଥିଲା. ମଙ୍ଗନ ହାଣ୍ଡି ଓ ଦିଅଁ ମଙ୍ଗୁଳା ଶାଢ଼ୀ, କାଣ୍ଡ କଳସୀ, ସାତଦୀପ, ଆଠ କଳସ ସବୁ ସଜାଡି ରଖିଛି ଆଗୁଆ.କାର୍ଡ ପ୍ରାୟ ବଣ୍ଟା ସାରିଲାଣି. ଦୂରରେ ଓ ବିଦେଶରେ ରହୁଥିବା ଅଧିକାଂଶ ଙ୍କୁ ହ୍ବାର୍ଟସଅପ ରେ ପଠାହୋଇଛି କାର୍ଡ.ରାତିରେ ନିଦ ଭାଙ୍ଗି ଯାଉଛି ମାନୀର। କେମିତି ବା ଆସିବ ନିଦ ମା ଆଖିକୁ ? ଖଟରେ ଆରାମରେ ଶୋଇଥିବା ଝୁମିକୁ ଅନାଇ ଆଖି ଦୁଇଟା ଜକେଇ ଆସିଲା ତାର.ଆଲମାରୀ ଖୋଲି ,ଗୋଟେ ଶାଢ଼ୀ ବାହାରକଲା ମାନୀ.ବୋଉର ମଖମଲି ପାଟଶାଢୀ.ମାନୀର ସବୁଠୁ ପ୍ରିୟ ଶାଢ଼ୀ. ସେ ଭାବୁଥିଲା ମେହେନ୍ଦି ଫଙ୍କସନ ଦିନ ଝୁମି ସେଇ ଶାଢ଼ୀ ଟା ପିନ୍ଧୁ ବୋଲି,ହେଲେ ସେ ତ ଜିଦି ଧରିଛି ଲେହେଁଗା ପିନ୍ଧିବ ବୋଲି.ଚୁପ କିନା ଡ୍ରେସିଂ ଟେବୁଲ ଉପରେ ଥୁଆହୋଇଥିବା ବୋଉର ଫଟ ସାମ୍ନାରେ ଠିଆ ହୋଇ ମାନୀ ଧୀର ସ୍ୱରରେ କହିଲା,- ତୁ ସବୁବେଳେ କହୁଥିଲୁ ବୋଲି ମୁଁ ତୋ ନାତୁଣୀ କୁ କହୁଥିଲି ଏଇ ଶାଢ଼ୀଟା ପିନ୍ଧିବା ପାଇଁ.ପିଲାଲୋକ ସେ.ଗୋଟେ ମା ର କିଛି ଜିନିଷ ଯେ ଗୋଟେ ପିଢ଼ି ଠୁ ଅନ୍ୟ ପିଢ଼ିକୁ ଯିବ ତାର ଗ୍ୟାରେଣ୍ଟି ଆଜି ନାହିଁ.ଏବେକା ପିଲାବୁଝନ୍ତି ନାହିଁ ସେଣ୍ଟିମେଣ୍ଟ, ଭାବପ୍ରବଣତା.ମୁଁ ପିନ୍ଧିବି ତୋ ଶାଢ଼ୀ ବୋଉ , ଆସନ୍ତାକାଲି ମେହେନ୍ଦି ଫଙ୍କସନ ରେ.ଆଲମାରୀରେ ଶାଢ଼ୀ ଟା ରଖି ଚୁପ କିନା ଝୁମି ପାଖରେ ଶୋଇଲା ମାନୀ. ନିଘୋଡ଼ ନିଦରେ ଶୋଇଛି ଝୁମି.ଆହା, ଆଉ ଦୁଇଦିନ ପରେ ଏ ଘରଟା ଖାଲି ହୋଇଯିବ.କେମିତି ଖାଁ ଖାଁ ଲାଗିବ ଚାରିଆଡ଼. ଗୋଟିଏ ମଣିଷ ଘରୁ ଗଲେ କାହିଁକି ଶୁନଶାନ ହୋଇଯାଏ ଘର ! ଝିଅ ମାନେ ହିଁ ସେମିତି.


Rate this content
Log in

Similar oriya story from Tragedy