ଈଶ୍ଵରଙ୍କୁ ଚିଠି
ଈଶ୍ଵରଙ୍କୁ ଚିଠି
ହେ ଈଶ୍ଵର ତୁମେ ଏ କ'ଣ କରିଦେଲ, ହସ ଖୁସିର ସଂସାରକୁ ଭାଙ୍ଗି କ'ଣ ଲାଭ ପାଇଲ। ବାର ବର୍ଷର ବୈବାହିକ ଜୀବନରେ ଝଗଡ଼ କରିଛୁ, କଳି କରିଛୁ, ହସ ଖୁସି, ଦୁଃଖ ସୁଖ ସବୁ ଭିତରେ ମୋ ସ୍ୱାମୀଙ୍କ ଉପସ୍ଥିତି ମୋତେ ଦୁନିଆର ବଡ଼ଦାଣ୍ଡରେ ସଧବାର ଆଖ୍ୟା ଦେଇ ମଥାରେ ସିନ୍ଦୂର ହାତରେ ଶଙ୍ଖା ପିନ୍ଧିବାର ସୌଭାଗ୍ୟ ପାଇଥିଲି । କିନ୍ତୁ ତୁମେ ଏ କ'ଣ କରିଦେଲ, ହାତରୁ ଶଙ୍ଖା ମଥାରୁ ସିନ୍ଦୂର ପୋଛିକି କି ଲାଭ ପାଇଲ। ଝିଅ ଦୁହିଁଙ୍କୁ କେମିତି ମଣିଷ କରିବି।ବାପ ଡାକ ଲିଭିଲା ତାଙ୍କ ଜୀବନରୁ। ତୁମେ ଏବେ ଖୁସି ନା। ମୋତେ ଏତେ ଦୁଃଖ ଦେବା ପରେ ରତ୍ନସିଂହାସନରେ ଶାନ୍ତିରେ ଶୋଇଥିବ ନିଶ୍ଚୟ । ମୋ ପିଲାମାନଙ୍କୁ ଘଣ୍ଟ ଘୋଡାଇ ରଖିଥାଅ ହେ ପ୍ରଭୁ।
ମୋ ଜୀବନରେ ଏତେ ବଡ଼ ସର୍ବନାଶ କରିବା ପରେ ଆଉ କୌଣସି ହସ ଖୁସିର ସଂସାରରେ ନିଆଁ ଲଗାଅ ନାହିଁ ପ୍ରଭୁ। ହେ ଈଶ୍ଵର ତୁମକୁ ମୋର ଚିଠି । ତୁମକୁ ବହୁତ ବିଶ୍ୱାସ କରେ, ଭକ୍ତି କରେ, ତୁମେ ମୋ ପିତା ମାତା ସବୁକିଛି ବୋଲି ମାନେ । ମୋର ଭକ୍ତିରେ ହୁଏତ କମି ଅଛି । ନହେଲେ ମୋ ଜୀବନରେ କ'ଣ ଏତେ ଦୁଃଖ ଭରିଦେଇ ଥାଆନ୍ତ । ତୁମେ ତ ମାଉସୀ ମାଆ ଘର ଯାଉଛ । ଭାଇ ଭଉଣୀ ଖୁବ୍ ଆନନ୍ଦରେ ଅଛ । ମୋ ପରିବାରକୁ କାହିଁକି ଭାଙ୍ଗିଦେଲ । ଫେରାଇ ଦିଅ ମୋ ଶଙ୍ଖା ସିନ୍ଦୂର ଏତିକି ପ୍ରାର୍ଥନା ତୁମ ଚରଣ କମଳେ । ମୋ ଛୁଆଙ୍କ ପାପା ଡାକ ଫେରେଇ ଦିଅ ।
