ହତ୍ୟା ନୁହେଁ, "ସୁରକ୍ଷା’
ହତ୍ୟା ନୁହେଁ, "ସୁରକ୍ଷା’
ସବୁ ବର୍ଷ ପରି ମହାଷ୍ଟମୀ ହେତୁ ସକାଳ ପ୍ରହରୁ ଉପବାସରେ ଅଛି ପଲ୍ଲବୀ । ଦୁର୍ଗା ମାଆଙ୍କ ପାଖରେ ପୂଜା ସାରି ହିଁ ପାଣି ପିଇବ, ଭୋଗ ପାଇବ । ଏ ବର୍ଷ କିନ୍ତୁ ତା ବ୍ରତରେ ସହାୟକ ନହୋଇ ବାଧା ସାଜିଛନ୍ତି ସ୍ୱାମୀ ସାହିଲ ଓ ଶାଶୁ ମିନତି । ସେମତିି ଦେଖିବାକୁ ଗଲେ ତ ବିବାହ ପରଠୁ ଶାଶୁଙ୍କ ମମତାରେ ପଲ୍ଲବୀ ତା ନିଜ ମାଆକୁ କେବେଠାରୁ ଭୁଲିଗଲାଣି । ସାହିଲ ବି ସ୍ୱାମୀ କମ୍ ଓ ବନ୍ଧୁ ବେଶୀ, ପ୍ରତ୍ୟେକ କାର୍ଯ୍ୟରେ ପଲ୍ଲବୀର ପରାମର୍ଶ ନିଅନ୍ତି । ବିବାହକୁ ପାଞ୍ଚ ବର୍ଷ ବିତି ଯାଇଥିଲେ ବି ତା କୋଳ ଖାଲି ଥିଲା ଆଜିଯାଏଁ । ଶାଶୁ କିମ୍ବା ସ୍ୱାମୀ ସିନା କେବେ କିଛି କହିନାହାନ୍ତି ପଲ୍ଲବୀକୁ, ହେଲେ ପଲ୍ଲବୀ ନିଜେ ନିଜେ ଘାଣ୍ଟିଚକଟି ହୁଏ ନିଜ ଭିତରେ ମାତୃତ୍ୱର ସୁଖ ଟିକିଏ ପାଇବା ପାଇଁ । ଥରେ ତାଙ୍କ ନୂଆ ପଡେ଼ାଶୀ ରମା ମାଉସୀ ତାକୁ କହିଥିଲେ, "ଆଲୋ! ତୁ ଦୁର୍ଗାଷ୍ଟମୀ କରୁନୁ କି ? ସେ ପାଇଁ ଆଜି ଯାଏଁ ତୋ ଘରେ କୁଆ ରାବ ଶୁଭୁନି ଆଉ!’ ପଲ୍ଲବୀ ଜାଣେ, ରମା ମାଉସୀ କେବଳ ତାଙ୍କ ନୂଆ ପଡେ଼ାଶୀ ନୁହେଁ ବରଂ କଲିକତାବାସୀ ଓ ଦୁର୍ଗା ମାଆଙ୍କ ଉପାସକ ବି । ତାଙ୍କ ପାଟିରୁ ଏ କଥା ଶୁଣି ତାକୁ ଲାଗିଲା, ଯେମିତି ନିଜେ ଦୁର୍ଗା ମାଆ ହିଁ ତାକୁ ମହାଷ୍ଟମୀ କରିବାକୁ କହୁଛନ୍ତି । ଯାହା ଫଳରେ ତା ଦୁଃଖ ଦୂର ହେବ । ତା କୋଳରେ ବି ଛୁଆଟେ ଖେଳିବ ।
ଆଉ ରମା ମାଉସୀ କଥା ସତ ହେଇଛି । ଗଲା ବର୍ଷ ପଲ୍ଲବୀ ଆରମ୍ଭ କରିଥିବା ମହାଷ୍ଟମୀ ବ୍ରତ, ଆଜି ତାକୁ ମାଆ ହେବାର ସୁଖ ପ୍ରଦାନ କରିଛି । କିନ୍ତୁ ସେ ସୁଖ ସାଙ୍ଗରେ ଦୁଃଖ ଯେମିତି ଜଡେ଼ଇ ହେଇ ଆଇଛି । ଆଜି ମହାଷ୍ଟମୀ । ଆଜି ଜିଦ୍ କରି ପଲ୍ଲବୀ ପାଳୁଛି ମହାଷ୍ଟମୀ ବ୍ରତ । ବାରମ୍ବାର ବିରୋଧ ସତ୍ତ୍ୱେ ଉପବାସ ରହିଛି ସକାଳୁ । ଶାଶୁ ମିନତି ଓ ସାହିଲ, ଦୁଇଜଣ ଯାକ ପଲ୍ଲବୀର ଏ କଠୋର ନିଷ୍ପତ୍ତି ପଛର ରହସ୍ୟ ବୁଝି ପାରୁନାହାନ୍ତି । ଯିଏ ପାଞ୍ଚ ବର୍ଷ ହେଲାଣି ଛୁଆଟେ ପାଇଁ ଏତେ ଅପେକ୍ଷାରତ ଥିଲା, ଏତେ ଓଷାବାର କରୁଥିଲା (ଯଦିଓ ଉଚ୍ଚଶିକ୍ଷିତା ଓ ଏସବୁରେ ବିଶ୍ୱାସ ରଖେନା), ସେ ଆଜି ପେଟ ଭିତରେ ଥିବା ପାଞ୍ଚ ମାସର ଛୁଆଟା କଥା କେମିତି ପାଶୋରି ଦେଇପାରୁଛି ଭଲା! ସବୁ ପ୍ରଶ୍ନକୁ ପଛରେ ପକେଇ ସାହିଲ କହିଲା,
- ଚାଲ ଚାଲ! ତମକୁ ପୂଜା କରେଇ ନେଇ ଆସେ ଆଗ । ତମେ ପୂଜା ସାରି କଣ ଦିଟା ଖାଇ ଦିଅ । ସେଣେ ଛୁଆଟା ମୋର ଭୋକରେ ଆଉଟୁପାଉଟୁ ହେଉଥିବ ।
ପଲ୍ଲବୀ ବି ଶାଢୀ ପିନ୍ଧି ରେଡ଼ି ହେଇ ବସିଥାଏ । କିନ୍ତୁ ଆଶ୍ଚର୍ଯ୍ୟ, ହାତରେ ତାର ଭୋଗ ଥାଳି ନଥାଏ । ସେ ସାହିଲ କଥା ଶୁଣି, ସାଙ୍ଗେ ସାଙ୍ଗେ ଉଠି ଠିଆ ହେଲା ଓ କହିଲା,
- ହଁ ଚାଲ! ଯାଇ ଅଲ୍ଟ୍ରାସାଉଣ୍ଡ୍ଟା କରିଦେଇ ଆସିବା । ଜଣା ପଡ଼ିଯିବ ପୁଅ ହେବ ନା ଝିଅ । ଯଦି ଝିଅ ହେଇଥାଏ ତାହେଲେ ସେଇଠି ହିଁ ଗର୍ଭପାତ କରେଇ ନେବା ଏବଂ ଗଙ୍ଗା ଯାଇ ବୁଡ଼ ପକେଇଦେଇ ଆସିବା ।
ପଲ୍ଲବୀର ଏ ଅବାନ୍ତର କଥା ଶୁଣି ସାହିଲ ରାଗିବ ବା କାନ୍ଦିବ, ଜାଣି ପାରୁ ନଥାଏ । ପଲ୍ଲବୀର ଏ ପାଗାଳାମୀ ନା ଉପାସ ଯୋଗୁ ଏଭଳି ଏଣୁତେଣୁ ଗପୁଛି ସେ । ନିଜକୁ ରୋକି ନପାରି, ସାହିଲ କହି ପକାଇଲା,
- ପାଗଳ ହେଇଗଲ କି ପଲ୍ଲବୀ ତମେ! ଏମିତି କ'ଣ ପାଗଳଙ୍କ ଭଳି ମନକୁ ଯାହା ଆସୁଛି ଗପି ଯାଉଛ ? ତମେ ତ ଜାଣିଛ, ମୋ ପାଇଁ ପୁଅ ହେଉ କି ଝିଅ, ଦୁହେଁ ସମାନ । ଏତେ ପାଠଶାଠ ପଢି, ଏକ ନାରୀ ହେଇ ଯଦି ତମେ ଏମିତି କହିବ, ତେବେ ମୁଁ ଆଉ କାହାଠାରୁ କି ଆଶା ରଖିବି? ତମେ ମୋ ମାଆ କଥାକୁ ନେଇ ଆଉ ଏମିତି ଭାବୁନ ତ! ମୋତେ ତ ଦୟା ଆସୁଛି ମାଆର ଚିନ୍ତାଧାରା ଉପରେ । ଆଉ ଆଶ୍ଚର୍ଯ୍ୟ ବି ଲାଗୁଛି ତମ ମୁହଁରୁ ଏସବୁ କଥା ଶୁଣି । ଯିଏ ଏ ଯାଏଁ ଜନ୍ମ ବି ହେଇନି, ତାକୁ ତମେ ମାରିଦେବାକୁ ଭାବି ପାରୁଛ? ଛିଃ... ପଲ୍ଲବୀ! ଏ କ'ଣ ସେଇ ପଲ୍ଲବୀ ଯିଏ ସବୁବେଳେ ନାରୀଶକ୍ତି କଥା କୁହେ?
- ହଁ । ହଁ ସାହିଲ । ମୁଁ ସେଇ ପଲ୍ଲବୀ । ହେଲେ ଏଥିରେ ଭୁଲ କ'ଣ ରହିଲା? ପିଲାଟା ଯଦି ଝିଅଟେ ହୁଏ, ତେବେ ସେ ଜନ୍ମ ହେଲାପରେ ସମାଜରେ ରହୁଥିବା ରାକ୍ଷସମାନଙ୍କଠାରୁୁ ଆମେ ତାକୁ କେମିତି ବଞ୍ଚେଇପାରିବା ସାହିଲ? କୁହ? କ'ଣ ଗ୍ୟାରେଣ୍ଟି ଅଛି ଯେ ଜନ୍ମ ହେଲାପରେ ତାକୁ କେବଳ ଏକ ମାଂସ ଭାବି ମାଂସଲୋଭୀ ରାକ୍ଷସମାନେ ଝୁଣିଝୁଣି ଖାଇ ନଯିବେ? ନିଜର ବିକୃତ ମାନସିକତାକୁ ସନ୍ତୁଷ୍ଟ କରିବାକୁ ଯାଇ ତା ସହିତ ଅମାନୁଷିକ ବ୍ୟବହାର ନ କରିବେ? କ'ଣ ସେ ଅନ୍ୟ ପିଲାମାନଙ୍କ ସହିତ ବାହାରେ ଖେଳିଲାବେଳେ ସୁରକ୍ଷିତ ରହିପାରିବ? କ'ଣ ସେ ସ୍କୁଲ ବସର କଣ୍ଡକ୍ଟରର, ଡ୍ରାଇଭର ବା ସ୍କୁଲର ଅନ୍ୟ ପୁରୁଷ କର୍ମଚାରୀଙ୍କ ଖରାପ ନଜରରୁ ବଞ୍ଚିପାରିବ? କୁହନା ସାହିଲ? ହଁ, ମୁଁ ମାନୁଛି ଯଦି ସେ ଏମାନଙ୍କଠାରୁ ବଞ୍ଚିଯିବ ତାହେଲେ ସହରରେ, ରାସ୍ତାରେ, କଲେଜରେ ଏବଂ ଅଫିସର ସହକର୍ମଚାରୀଙ୍କର ଖରାପ ନଜର ଏବଂ ଚିନ୍ତାଧାର ତାକୁ ବାଟ ଚଲେଇ ଦେବ ତ! ବାହାଘର ପରେ ତା ଶାଶୁଘର ଲୋକ ତାକୁ ଜିଅନ୍ତା ଜାଳି ଦେବେନି ବୋଲି ତମେ ମୋତେ ପ୍ରତିଶୃତି ଦେଇପାରିବ? ଚୁପ୍ ହେଇ ବସିଛ କ'ଣ ପାଇଁ? କିଛି ତ ଜବାବ୍ ଦିଅ ସାହିଲ! କଣ ତୁମେ ତୁମର ଅଲିଅଳି ଝିଅକୁ ଏମିତି କୌଣସି ବି ଏକ ପରିସ୍ଥିତିରେ ଦେଖିପାରିବ? ହୁଁ? କୁହନା? ଏସବୁ ଆଶଙ୍କା ଓ ଭୟ ମୋତେ କାଲି ରାତି ସାରା ଶୁଆଇ ଦେଇନି । ଏକ ନିଦେ୍ର୍ଧାଷ ଶିଶୁକୁ ଦୁନିଆକୁ ନଆଣି ତାକୁ ହତ୍ୟା କରିଦେବା ମୋ ମତରେ ତାକୁ ସୁରକ୍ଷା ଦେବା । ଏଥିପାଇଁ ବରଂ ସେ ଆମ ଉପରେ ଋଣୀ ହୋଇ ରହିବ, ନୁହେଁ?
ହାତରେ ଧରିଥିବା ଖବରକାଗଜଟା ସାହିଲ ହାତରୁ ଆପେଆପେ ଖସି ପଡ଼ିଲା ତଳେ । ତଳେ ବି ଦୁଲ୍ କରି ବସି ପଡ଼ିଲେ ମିନତି ଦେବୀ, ବୋହୂ ପଲ୍ଲବୀର ଏପରି ଯୁକ୍ତି ଶୁଣି । ପେଟରେ ହାତ ବୁଲଉ ବୁଲଉ ପଲ୍ଲବୀ ହସିଲା ଗୋଟେ ନିର୍ମାୟା ହସ ।
