ହସ ପଛରେ କୋହ
ହସ ପଛରେ କୋହ
ଜୀବନ ଗୋଟିଏ ସିନେମା। ସମସ୍ତଙ୍କୁ ଏହି ସିନେମାରେ ଅଭିନୟ କରିବା ପାଇଁ ପଡେ। ସମସ୍ତେ ଜୀବନରେ ସବୁ ପ୍ରକାର ପରିସ୍ଥିତିର ଅଭିନୟ କରି ଥାଆନ୍ତି। କେତେବେଳେ ହସ ତ କେତେବେଳେ କାନ୍ଦ। କେତେବେଳେ ସୁଖ ତ କେତେବେଳେ ଦୁଃଖ। ହସ, ଖୁସି, ଦୁଃଖ ଆଉ ଚିନ୍ତା ଏ ସବୁ କ୍ଷେତ୍ରରେ ପ୍ରତି ମଣିଷକୁ ନିଜ ନିଜ ଜୀବନର ସିନେମାର ଅଭିନୟ କରିବାକୁ ପଡେ। ଜୀବନ ସଂଗ୍ରାମରେ କେତେବେଳେ କିଏ ନାୟକ ହୋଇ ଥାଏ ତ ପୁଣି କିଏ ଖଳନାୟକ। ଜୀବନକୁ ସିନେମା କହିଲେ ଭୁଲ୍ ନୁହେଁ।
ଏମିତି ଏକ କାହାଣୀ ହେଉଛି ଅରୁଣିମା। ଅରୁଣିମା ଛୋଟ ବେଳୁ ମାଆ ଛେଉଣ୍ଡ। ହେଲେ ବାପାଙ୍କର ବହୁତ ଗେହ୍ଲି ଥିଲା। ମାଆର ଅଭାବ ଥିଲେ ମଧ୍ୟ ସେ କେବେ ପ୍ରକାଶ କରିନାହାନ୍ତି । ହେଲେ ଝିଅ ବଢୁଛି। ଘରେ ଗୋଟିଏ ସ୍ତ୍ରୀ ଲୋକର ଅଭାବ ଅନୁଭବ କରି ଅରୁଣିମାଙ୍କ ବାପା ରାକେଶ ବାବୁ ଆଉ ଥରେ ବିବାହ କରି ସାବତ ମାଆଙ୍କୁ ଆଣିଛନ୍ତି। ସାବତ ମାଆ ଶିଖା ଦେବୀ ବହୁତ ବଦମାସ। ରାକେଶ ବାବୁଙ୍କ ସାମ୍ନାରେ ଅରୁଣିମା ସହ ଭଲ ବ୍ୟବହାର ତ ଏକୁଟିଆ ସମୟରେ ଅରୁଣିମାକୁ ବହୁତ ରାଗି ହେବା ସହ ଘରର ଯାବତୀୟ କାମ କରନ୍ତି। ଅରୁଣିମା ବାପାଙ୍କୁ କିଛି କୁହନ୍ତି ନାହିଁ। କାରଣ ତାଙ୍କର ପ୍ରକୃତ ମାଆଙ୍କ ଦେହାନ୍ତ ପରେ ବାପାଙ୍କ ଦେହ ଜମାରୁ ଭଲ ରହୁ ନ ଥିଲା। ବାପାଙ୍କ ସାମ୍ନାରେ ସେ ଖୁସି ରହିବାର ଅଭିନୟ କରୁଥିଲେ। ସବୁବେଳେ ହସ ହସ ମୁହଁରେ ରହୁଥିଲେ ହେଲେ ରାତିରେ ନିଜ ମାଆଙ୍କ ଫୋଟୋକୁ ଧରି କାନ୍ଦୁ ଥିଲ। ସାବତ ମାଆ ଶିଖା ଦେବୀଙ୍କର ଗୋଟିଏ ଝିଅ ଆଉ ପୁଅ ହେଲା। ସାବତ ମାଆଙ୍କ ସହ ତାଙ୍କ ପୁଅ ଝିଅ ବି ଅରୁଣିମାଙ୍କୁ ବହୁତ କଷ୍ଟ ଦଲେ। ଆସ୍ତେ ଆସ୍ତେ ରାକେଶ ବାବୁ ସବୁ ଜାଣିଲେ ଏବଂ ଅରୁଣିମାଙ୍କୁ କହିଲେ ହଷ୍ଟେଲରେ ରହି ପାଠ ପଢିବା ପାଇଁ। ତାହା ହେଲେ ଯାଇ ଶିଖା ଆଉ ତାଙ୍କ ଝିଅ ପୁଆଙ୍କ ଅତ୍ୟାଚାରରୁ ବଞ୍ଚିବେ।
ଏବେ ଅରୁଣିମା ହଷ୍ଟେଲରେ ରହି ପାଠ ପଢିଲେ। ନିଜ ମନର ଦୁଃଖକୁ ହଷ୍ଟେଲରେ ତାଙ୍କ ଅତି ପ୍ରିୟ ସାଙ୍ଗ ବିଦ୍ୟା ଛଡା ଆଉ କାହାକୁ କୁହନ୍ତି ନାହିଁ। ହେଲେ ବିଦ୍ୟା ଛଡା କେହି ବି ଅରୁଣିମାଙ୍କ ମନ କଥା ନ ଜାଣି ତାଙ୍କ ହସ ହସ ମୁଖ ଦେଖି କୁହନ୍ତି ଯେ ଅରୁଣିମା ବହୁତ ସୁଖୀ ଝିଅଟି। ପଢା ପରେ ଅରୁଣିମା ଘରକୁ ଗଲେ ନାହିଁ। ପିଜିରେ ରହି ଚାକିରୀ କଲେ।
ଅରୁଣିମା ମଝିରେ ମଝିରେ ହଠାତ୍ ଚୁପ ହୋଇ ଯାଆନ୍ତି। ବାପା ରାକେଶଙ୍କ ମୃତ୍ୟୁ ପରେ ଅରୁଣିମା ନିଜକୁ ଏକା ଭାବନ୍ତି। ଅବଶ୍ୟ ରାକେଶ ନିଜ ସମ୍ପତ୍ତିର କିଛି ଅଂଶ ଅରୁଣିମା ନାମରେ ଲେଖି ଦେଇଛନ୍ତି।
ବିଦ୍ୟା ବି ବିବାହ ପରେ ତାଙ୍କର ସାଂସାରିକ ଜୀବନରେ ବ୍ୟସ୍ତ। ବେଳେ ବେଳେ ଅରୁଣିମା ବିଦ୍ୟାଙ୍କ ସହ କଥା ହୁଅନ୍ତି। ବିଦ୍ୟା ସବୁବେଳେ ଅରୁଣିମାଙ୍କୁ ବୁଝାଇ କୁହନ୍ତି ଯେ ତୁ ଧୈର୍ଯ୍ୟହରା ନ ହୋଇ ତୁ ତୋର ଜୀବନ ସିନେମାରେ ଅଭିନୟ କରି ଚାଲ। ଦେଖିବୁ ଦିନେ ନା ଦିନେ ତୁ ମିଛରେ ହସିବା ଅଭିନୟ ନ କରି ସତରେ ହସିବୁ।
ଚାକିରୀ କଲା ସମୟରେ ସେଠାରେ ଅରୁଣିମାଙ୍କର ମିଳନଙ୍କ ସହ ଦେଖା ହେଲା। ମିଳନ ବି ସେଠାରେ ଚାକିରୀ କରୁ ଥିଲେ।
ଅରୁଣିମା ବହୁତ ଥଟ୍ଟା ମଜା କରୁ ଥାଆନ୍ତି। ସମସ୍ତେ ଭାବୁ ଥାଆନ୍ତି ଅରୁଣିମା ବହୁତ ଖୁସିରେ ଅଛନ୍ତି। ହେଲେ ମିଳନ କେମିତି କେଜାଣି ଅରୁଣିମାଙ୍କ ମନ ଭିତର କଥା ବୁଝି ପାରିଲେ। ହସ ଭିତରେ ଥିବା କୋହକୁ ପଢି ପାରିଲେ। ଦିନେ ସେ ଅରୁଣିମାଙ୍କୁ ଡାକି ତାଙ୍କ ମନର ଦୁଃଖ ବିଷୟରେ ପଚାରିଲେ। ଅରୁଣିମା ଆଶ୍ଚର୍ଯ୍ୟ ହୋଇ ଚାହିଁ ଥିଲେ।ମିଳନ ତାଙ୍କୁ କହିଲେ ସେ ତାଙ୍କର ସାଥୀ ହୋଇ ରହିବେ। ମନର କଥା କହି ମନକୁ ହାଲୁକା କରିବା ପାଇଁ କାରଣ ସେ ଅରୁଣିମାଙ୍କ ହସ ପଛରେ କୋହ ଆଉ ଚୁପ ପଛରେ କାରଣକୁ ବୁଝିବା ପାଇଁ ଚାହାଁନ୍ତି। ଆଉ ସୁଖ ଦୁଃଖ ସବୁର ସାଥୀ ହେବା ପାଇଁ ଚାହାଁନ୍ତି। ଅରୁଣିମା ମିଳନଙ୍କ ଆଖିରେ ନିଜ ପାଇଁ ଭଲ ପାଇବା କୁ ବୁଝି ପାରିଲେ। ସେ ନିଜକୁ ସମ୍ଭାଳି ନ ପାରି ସବୁ କଥା ଖୋଲି କହିଲେ। ମିଳନ ଅରୁଣିମାଙ୍କୁ କହିଲେ ଏ କାନ୍ଦ ଆଜି ତୁମର ଶେଷ କାନ୍ଦ। ଆଜି କାନ୍ଦି ନିଜ ମନକୁ ହାଲୁକା କରି ଦିଅ। ଆଉ କଥା ଦିଅ ଆଜି ପରେ ତୁମେ ଆଉ କେବେ କାନ୍ଦିବ ନାହିଁ। ଅରୁଣିମା ବୋଧହୁଏ ଜୀବନରେ ପ୍ରଥମ ଥର ମନ ଖୋଲି ହସି ଥିଲେ। ଏ ବିଷୟରେ ସେ ତାଙ୍କ ସାଙ୍ଗ ବିଦ୍ୟାଙ୍କୁ ଜଣାଇଲେ।
ବିଦ୍ୟା କହିଲେ ଦେଖିଲୁ ତୋ ହସ ପଛର କୋହକୁ ବୁଝି ପାରୁ ଥିବା ଲୋକଟି ତୋ ଜୀବନକୁ ଆସିଗଲା। ମିଳନ ହିଁ ତୋର ପ୍ରକୃତ ଜୀବନସାଥୀ ହୋଇ ପାରିବେ।
ଅରୁଣିମା ମିଳନଙ୍କୁ ବିବାହ କରି ବହୁତ ଖୁସିରେ ରହୁଛନ୍ତି। ମିଳନଙ୍କ ପରିବାରରେ ସେ ବାପା , ମାଆ, ଭାଇ ଆଉ ଭଉଣୀ ସବୁ ସ୍ନେହ ଶ୍ରଦ୍ଧା ପାଇଲେ। ସେ ଘରେ ସେ ବୋହୁ ନୁହେଁ ବରଂ ଝିଅ ହୋଇ ରହିଲେ। ବିବାହର ବର୍ଷେ ପରେ ଅରୁଣିମାଙ୍କ ଘରକୁ ଗୋଟିଏ କୁନୁ ବାବା ଆସିଲା। ଅରୁଣିମାଙ୍କ ଦୁଃଖ ସମୟ ପରେ ହସର ଲହରୀ ଖେଳିଗଲା। ତାଙ୍କର ସୁଖ ସଂସାର ହସି ଖେଳୁ ଥିଲା।
ଅରୁଣିମାଙ୍କ ଜୀବନ ସିନେମାରୁ ଜାଣିଲେ ଯେ ଜୀବନଟି ସୁଖ ଦୁଃଖର ସମାହାର। ସମୟ ଆଉ ପରିସ୍ଥିତି ସହ ତାଳ ଦେଇ ଚାଲି ପାରି ଜୀବନଟି ସୁଖମୟ ହୁଏ।
