Ranjit Sahu

Tragedy Inspirational

4  

Ranjit Sahu

Tragedy Inspirational

ହସ ବଟିକା

ହସ ବଟିକା

2 mins
530


ଶୂଳିଆ ଅଜାଙ୍କ ରହସ୍ୟ ଜାଣିବାକୁ ଗାଆଁ ଟୋକା ସମସ୍ତେ ଉତ୍ସୁକ I ଶୁଳିଆ ବୋଲି ଡାକିବା ପଛରେ ଅଛି ତାଙ୍କ ସ୍ହଉଳୁ ଭଳି ଫୋଡି ହେଇ ଯାଉଥିବା ତାହି ଟାପରା ! ଏହି ବୁଢା ବୟସରେ ମଧ୍ୟ ସବୁ ବେଳେ ହସ ହସ ମୁହଁ କେମିତି ? ଖାଇବାକୁ ଭାତ ଡାଲି ସହ କୋଉ ଦିନ ଶାଗ ଟିକେ ମିଳିଗଲେ ଅଜା ଭାରି ଖୁସି I ଦୁଇଥର ଖିଆ ଆଉ ସଞ୍ଜ ବେଳେ ଟିକେ ଚାହା ପାଇକି ଅଜା ଖୁସି  I ସକାଳୁ ଉଠି ପୂଜା ସାରି ଯାହା ଫଳ କିଛି ଖାଇ ଥାଆନ୍ତି I ଆଈଙ୍କର ପରଲୋକ ହୋଇ ଦଶ ବର୍ଷ ହେଲାଣି I ଅଜା ତାଙ୍କର ଜୀବନ ସେମିତି ଚଲେଇଛନ୍ତି I ପାଖରେ ତାଙ୍କର ଝିଆରି ଟେ ରହୁଛି ବେଳେ ବେଳେ ଦେଖା ଶୁଣ କରେ I ପେନସନ ଟଙ୍କା ଆଉ ନିଜ ବାଡ଼ି ବଗିଚାର ଅମଳରୁ ଯାହା ଆସେ ଅଜା ସେଥିରେ ଆରାମରେ ଚଳି ଯାଆନ୍ତି I ପୂର୍ବରୁ ଗାଆଁ ଡିସପେନ୍ସାରୀରେ କମ୍ପାଉଂଡେର ଥିଲେ I ତେଣୁ ଏବେ ମଧ୍ୟ ଲୋକ ମାନେ ବେଳେ ବେଳେ ଚିକିତ୍ସା ସମ୍ବନ୍ଧୀୟ ପରାମର୍ଶ ନିଅନ୍ତି I 

କିନ୍ତୁ ଅଜାଙ୍କ ଲୋକପ୍ରିୟତାର ସବୁ ଠାରୁ  ବଡ କାରଣ ହେଲା ତାଙ୍କର ଗାଆଁ ଟୋକାଙ୍କ ସହ ଟାହି ଟାପରା କରିବା I କିଛି  ଲୋକ ଅଜାଙ୍କୁ ଡହରା ବୁଢା ବୋଲି ଡାକନ୍ତି କିନ୍ତୁ ଅଜାଙ୍କ ଖାତିର ନାହିଁ I ବାକି ତକ ଭେଣ୍ଡା ଟୋକା ଅଜାଙ୍କର ସାଙ୍ଗ I ଦିଲ ଖୋଲା ବ୍ୟକ୍ତି ଅଜା, ଯାହା କୁହ ଯୋଉ ଭାଷାରେ କୁହ, ଯୋଉ ଢଙ୍ଗରେ କୁହ, ଅଜା ମାନି ନିଅନ୍ତି, କେବେ ଖରାପ ଭାବନ୍ତି  I ଯେତେ ରାଗିକି କଥା କହିଲେ କି ଗାଳି ଦେଲେ ମଧ୍ୟ ଗାଆଁର ଟୋକା କେହି ଅଜାଙ୍କୁ ଖରାପ ଭାବନ୍ତି ନାହିଁ I ସମସ୍ତେ ଜାଣନ୍ତି  ଅଜାଙ୍କ ହୃଦୟ ବହୁତ ଭଲ  ଆଉ ସିଏ ସମସ୍ତଙ୍କୁ ସ୍ନେହ ଆଉ ଆଦର କରନ୍ତି I 

ଦିପହରରୁ ସଞ୍ଜ  ଯାଏଁ ଅଜା ଗାଆଁ ମଝି ମଝିଆ ଥିବା ବର ଗଛମୂଳେ ବସନ୍ତି ଆଉ ଆସିବା ଯିବା ଲୋକ ଯିଏ ମିଳିଲା, ତା ସହ  ବସି ଗପ ଜମାନ୍ତି I ସାହି ଟୋକା ମାନେ ମଧ୍ୟ ସବୁ ବେଳେ ବେଳେ ଅଜାଙ୍କ ସହ ହସ ଗମାତ  ହୁଅନ୍ତି I 

କାଲି ଟୁକୁନା ପଚାରିଦେଲା ଅଜାଙ୍କ ହସ ହସ ମୁହଁର ରହସ୍ୟ ଆଉ ଅଜା କହିଥିଲେ, ତାଙ୍କ ପାଖରେ ଗୋଟିଏ ହସ ବଟିକା ଅଛି ଯାହାକୁ ସିଏ ଖାଆନ୍ତି ସବୁ ଦିନ  ସକାଳେ I ତାହାକୁ  କୁଆଡେ ତାଙ୍କର ନାତି ଆଣିକି ଦେଇଥିଲା ଦଶ ବର୍ଷ ତଳେ ଯେତେବେଳେ ସିଏ ପ୍ରଥମେ ସ୍କୁଲରେ ଦାଖିଲ ହୋଇଥିଲା ଆଉ ଖରା ଛୁଟିରେ ଆସିଥିଲା ଆଈଙ୍କର ପରଲୋକ ସମୟରେ I ତା ପରେ ତାଙ୍କ ନାତି ଆଉ ଆସିନି କି ତାଙ୍କ  ପୁଅ ମଧ୍ୟ I କିନ୍ତ ସେ ବଟିକା ଖାଇ ଅଜା ପୁରା ଖୁସ I 

ଟୁକୁନା  ପୁଣି ପଚାରିଲା," ସେ ବଟିକା କଣ ଏଯାଏଁ ସରିନି?" 

ଅଜା କହିଲେ ," ମୁଁ କଣ ମିଛକୁ ଏତେ ବର୍ଷ କମ୍ପାଉଂଡେର ଥିଲି?" 

"ମୋତେ ଦେଖାଉନ ଟିକେ ସେ ବଟିକା," ଟୁକୁନା  କହିଲା I 

"ହଉ ତୁ ନେଇଯିବୁ ମୁଁ ମଲା ପରେ," ଅଜା ହସିକି କହିଥିଲେ, " ମୋ ମୁଣ୍ଡ ପାଖ ତକିଆ ତଳେ ରଖିଛି ତାକୁ  I" 

ଆଜି ସକାଳୁ ସତରେ ସତରେ ଅଜାଙ୍କ ପରଲୋକ ହୋଇ ଯାଇଛି I ଗାଆଁ ସାରା ଦୁଃଖର ଛାୟା I ସାହି ଟୋକା ସବୁ ଯାଇ ଅଜାଙ୍କ ଦୁଆରରେ I ସମସ୍ତଙ୍କ  ଆଖିରେ ଲୁହ I ସବୁ ବେଳେ ସମସ୍ତଙ୍କୁ ହସାଉଥିବା ମଣିଷଟିଏ ଆଜି ସମସ୍ତଙ୍କୁ ସବୁ ଦିନ ଲାଗି  କନ୍ଦେଇ ଦେଇଛି !

ଅଜାଙ୍କ ପାର୍ଥିବ ଶରୀରକୁ ନେଲା ପରେ, ଶେଜ ସବୁ ଉଠାଉ ଉଠାଉ ତଳେ ପଡ଼ିଗଲା ଛୋଟ ଡବାଟେ, ତାଙ୍କ ତକିଆ ତଳୁ I କୌତୁହଳରେ ଟୁକୁନା  ଯାଇ ଖୋଲିଲା ଆଉ ଦେଖିଲା ଭିତରେ ଦୁଇଟି ଏମୋଜୀ ଆକାରର ହସ ହସ ଆକୃତି ଆଉ  ଏକ ଛୋଟ କାଗଜ ଯେଉଁଥିରେ ଲେଖା ହୋଇଛି, " ଜେଜେ ଆଇ ଲଭ ୟୁ " ତଳେ ଅଛି ଗୋଟିଏ ଛୋଟ ଛୁଆର ହାତର ଛାପ ! ଭୋ ଭୋ ହୋଇ କାନ୍ଦି ଉଠିଲା ଟୁକୁନା I ପାଖରେ ଥିବା ଅନ୍ୟ ମାନଙ୍କ ସହ ଯେଉଁ ମାନେ ସମସ୍ତେ ଡବା  କଥା ଶୁଣିଥିଲେ I 


Rate this content
Log in

Similar oriya story from Tragedy