STORYMIRROR

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଗର୍ବ କଲେ ଖର୍ବ ହୁଏ

ଗର୍ବ କଲେ ଖର୍ବ ହୁଏ

2 mins
14.7K


ଦୁଇବନ୍ଧୁ ଏକ ମରୁଭୂମିରେ ଯାଉଥାନ୍ତି । ଏମାନଙ୍କ ଭିତରେ ମରୁଭୂମିରେ ଯିବା ଆସିବା କରିବାରେ ଜଣେ ପୁରୁଣା ଓ ଜଣେ ନୂଆ ଥିଲେ ।

ସେମାନେ ବାଟରେ ଯାଉ ଯାଉ ନୂଆ ବନ୍ଧୁଟିକୁ ଶୋଷ ଲାଗିଲା । ମରୁଭୂମିରେ ଯାତ୍ରା, ଜଳ କେଉଁଠୁ ଅବା ମିଳିବ? ସୁତରାଂ ପୁରୁଣା ବନ୍ଧୁ ଜଣକ ଉପାୟଶୂନ୍ୟ ହୋଇଗଲା । କାରଣ ସିଏ ବି ସାଥୀରେ ପାଣି ନେବାକୁ ଭୁଲିଯାଇଥିଲେ । ମାତ୍ର ପୁରୁଣା ବନ୍ଧୁ ଜଣକ ଈଶ୍ୱରବିଶ୍ୱାସୀ ଥିଲେ । ସୁତରାଂ ଜଳଲାଗି ସେ ଈଶ୍ୱରଙ୍କୁ ପ୍ରାର୍ଥନା କଲେ ।

ହେଲେ ନୂଆ ବନ୍ଧୁ ଜଣକ ମନେ ମନେ ଭାବୁଥାନ୍ତି ଏ ମରୁଭୂମିରେ ପଡି ଆମର ପ୍ରାଣବାୟୁ ଉଡିଯିବ ।ଏତେ ବଡ ମରୁଭୂମିରେ କିଏ କୁଆଡେ ଦେଖାଯାଉନାହାନ୍ତି, ଆମକୁ ଜଳ ମୁନ୍ଦିଏ କିଏ ଦେବ?

ଏକଥା ମନେ ମନେ ଭାବୁ ଭାବୁ ସମସ୍ତଙ୍କୁ ଚକିତ କରି ଓଟଟିଏ ଆସି ସେଠାରେ ପହଂଚିଗଲା, ଯାହା ପିଠିରେ ଚମଡା ଥଳିରେ ପାଣିଥିଲା, ମାତ୍ର ପାଖରେ କୌଣସି ମରୁଯାତ୍ରୀ ନଥିଲେ । ଏବେ ଦୁହେଁ ଜଳପିଇ ଆଶ୍ୱସ୍ତ ହେଲେ । ଏଥର ନୂଆ ଲୋକଟି ଈଶ୍ୱରଙ୍କୁ ତା’ର କୃତଜ୍ଞତା ଜଣାଇଲା ।

ମାତ୍ର ପୁରୁଣା ଲୋକଟି ନିଜର ଆତ୍ମବଡିମା ଦେଖାଇବାକୁ ଯାଇ କହିଲା, “ଦେଖିଲ ତ’ ବନ୍ଧୁ ମୋର କମାଲ । ଏହିଭଳି ଭକ୍ତିର ସହିତ ଈଶ୍ୱରଙ୍କୁ ଡାକିଲେ ସେ ବିପଦରେ ସାହା ହୁଅନ୍ତି ।”

ତାପରେ ସେମାନେ ଆଗକୁ ଚାଲିଲେ । ମରୁଭୂମି ପାର ହୋଇ ସେପାର ସହରରେ ସେମାନେ ବ୍ୟବସାୟ ଶେଷ କରି ପୁଣି ସେହି ମରୁଭୂମି ବାଟଦେଇ ଫେରି ଆସିଲେ । ଏବେ ମଧ୍ୟ ଦୁହିଁଙ୍କୁ ବାଟରେ ଶୋଷ ହେଲା । ସାଙ୍ଗରେ ଯାହା ପାଣି ଆଣିଥିଲେ ତାକୁ ପିଇ ଶେଷ କରି ଦେଇଥିଲେ ।

ଏଥର କ’ଣ କରାଯିବ? ପୂର୍ବଥର ଭଳି ଏଥର ବି ପୁରୁଣା ଲୋକଟି ପାଣିପାଇଁ ଭଗବାନଙ୍କୁ ପ୍ରାର୍ଥନା କଲେ । ହେଲେ ଏଥର ଭଗବାନ ତା’ର ଡାକ ଆଉ ଶୁଣିଲେ ନାହିଁ । ସେ ହତାଶ ହୋଇ କହିଲେ, “ଏମିତି କେମିତି ହେଲା? ସବୁବେଳେ ସାହାଯ୍ୟ ମିଳୁଥିଲା ବେଳେ ଏବେ କାହିଁକି ମିଳିଲା ନାହିଁ?”

ଠିକ୍ ଏତିକିବେଳେ ନୂଆ ଲୋକଟି କହିଲା, “ବନ୍ଧୁ ! ଏବେ ମୁଁ ଚେଷ୍ଟା କରୁଛି । ଦେଖିବା କ’ଣ ହେଉଛି?”

ନୂଆ ଲୋକଟି ଭଗବାନଙ୍କଠାରେ ପୂର୍ଣ୍ଣ ସମର୍ପିତ ହୋଇ ଡାକିଲା । ଭଗବାନ ତା’ ଡାକ ଶୁଣିଲେ, ସଂଗେ ସଂଗେ ଜଳ ଆସି ପହଂଚିଗଲା ।

ଏହା ଦେଖି ପୁରୁଣା ଲୋକଟି ଆଶ୍ଚର୍ଯ୍ୟ ହୋଇ କହିଲା, “ହେ ଭଗବାନ ! ତୁମେ ଯଦି ସତରେ ଥାଅ ତେବେ ମୋତେ କହ ଏମିତି କେମିତି ହେଲା?”

ଈଶ୍ୱର ସଂଗେ ସଂଗେ ଉଭାହୋଇ କହିଲେ, “ବାବୁରେ ! ମୁଁ ତୋ ପ୍ରାର୍ଥନା ଶୁଣିଛି । ହେଲେ ଏଇବାଟେ ଗଲାବେଳେ ତୁ ମୋତେ ପ୍ରାର୍ଥନା କରି ଜଳ ପାଇଥିଲୁ । ତା’ପରେ ତୋ ମନରେ ଗର୍ବ ପଶିଗଲା । ସୁତରାଂ ତୁ ତୋର ବନ୍ଧୁକୁ ତୋର କାରନାମା ଦେଖାଇ ଛାତି ଫୁଲାଇ ଦେଲୁ । ଯାହା ଫଳରେ ତୋର ବନ୍ଧୁ ତୋ’ଠାରୁ ପ୍ରେରଣା ପାଇ ଈଶ୍ୱରବିଶ୍ୱାସୀ ହୋଇଗଲା । ସୁତରାଂ ଏଇ ରାସ୍ତା ଦେଇ ଫେରିଲା ବେଳେ ତୋର ବନ୍ଧୁର ପ୍ରାର୍ଥନା ମୁଁ ଶୁଣି ପାରିଲି । ହେଲେ ତୋ ପାଇଁ ତୋର ଗର୍ବ ହିଁ କାଳ ହେଲା ।

ସୁତରାଂ ମନେରଖ ଯେ, ଯିଏ ଗର୍ବ କରେ ଈଶ୍ୱର ତା’ ପାଖରେ ନଥାନ୍ତି । ଫଳରେ ସେ ଈଶ୍ୱରଙ୍କ କୃପା ପାଏ ନାହିଁ, ବରଂ ଈଶ୍ୱର ତା’ର ଗର୍ବକୁ ଖର୍ବ କରିଥାନ୍ତି ।”


Rate this content
Log in

Similar oriya story from Children