ଘରର ଗରମ ମସଲା
ଘରର ଗରମ ମସଲା


ବାଃ ବୋଉ... ଏ ଆଳୁଦମ୍ ସାଙ୍ଗକୁ ପୁରି କ'ଣ ନ ଲାଗୁଛି। ମୋ ବୋଉର ଯୋଉ ହାତ ନା, ଯାହା କରିଦେଲେ ଚାଟିକି ଖାଇଯିବ। ରୋଷେଇ ଘରୁ ବୋଉ କହୁଥିଲା ବାହା ସା. ହେଇ ଏଡେ ବଡଟିଏ ହେଲାଣି ହେଲେ ସେ ଚାଟୁକରା କଥା ଏ ଯାଏଁ ଗଲାନି। ସତରେ ସ୍ତ୍ରୀ, ଝିଅ-ପୁଅ ସଂସାର ଭିତରେ ମୁଁ କ'ଣ ବୋଉ ଆଗରେ ଏଡେ ବଡଟିଏ ହେଇ ଗଲିଣି!! ଯାହା ବି ହଉ ବୋଉ କହେ ବାପା-ବୋଉଙ୍କ ଆଗରେ ଛୁଆ ସବୁବେଳେ ଛୁଆ। ତା' ହେଲେ ମୁଁ ଏଡେ ବଡ ହେଲି କୁଆଡୁ? ଯାହା ସତ ସେ କଥା କହିବାରେ ଦ୍ବିଧା କାହିଁକିି କରିବି ଯେ।
ଏମିତି ଭାବୁ ଭାବୁ ମୋ ସ୍ତ୍ରୀ ଦହି ବାଇଗଣରେ ଛୁଙ୍କ ଦେଇ ସାରି ବାପାଙ୍କର ଓ ମୋ ଖାଇବା ପ୍ଲେଟରେ ଆଣି ପରଷି ଦେଲା। ସେପଟେ ବୋଉ ମୋ ଭଉଣୀ ମିନିକୁ ଆମ୍ବ ଆଚାର ଟିକେ ଦବାକୁ କହୁ କହୁ ସିଏ ବି ଆଚାର ଧରି ଦବାକୁ ତୈୟାର୍। ଭାବୁଥିଲି ଅଜବ୍ ଆମ ମାନଙ୍କର ଘର; ପୁରୁଷ ମାନଙ୍କୁ ଖାଇବାକୁ ଦେଇ ଏଠି ନାରୀ ଆତ୍ମ ତୃପ୍ତି ଲାଭ କରନ୍ତି। ଖାଇବା ସାରି ମୋ ଟିଫିନ ନେଇ ବାହାରିଲି ବ୍ୟାଙ୍କ୍ କୁ। ବ୍ୟାଙ୍କ୍ ରେ ମାସ ଶେଷ ବେଳକୁ କାମ ହିଁ କାମ, ଫୁରସତ ହିଁ ନ ଥାଏ।
କାମ କାମ ଭିତରେ ସମୟ ଅତିବାହିତ ହୁଅନ୍ତେ ହଠାତ୍ ରାଜୀବ ଲଞ୍ଚ ବ୍ରେକ୍ ହେଲାଣି, ଚାଲ୍ ଖାଇବା ବୋଲି ସୁକାନ୍ତ ଡାକିଲାରୁ ଘଣ୍ଟା ଦେଖି ୨ଟା ହେଲାଣି ବୋଲି ଜାଣିଲି। ପୁଣି ପେଟ ପାଇଁ ମଧ୍ୟାହ୍ନରେ ଖାଇବା ପର୍ବ ଚାଲିଲା। ଖାଇବା ଭିତରେ ଟିଫିନ ସେଆରିଙ୍ଗ୍ ରେ ପରସ୍ପର ପରସ୍ପରର ପ୍ରଶଂସା କରି ଚାଲନ୍ତି। ହେଲେ ପରେଶ ଟିଫିନର ସନ୍ତୁଳା ସାମାନ୍ୟ ଲୁଣିଆ ହେଇଥିଲା ବୋଲି ସେ ଚିଡ୍ ଚିଡ୍ ହେଇ ଖାଇଲା। ମୋ ପାଟି ଆଉ ଚୁପ୍ ରହି ନ ପାରି ତାକୁ କହିବାକୁ ଆରମ୍ଭ କଲା... ସାମାନ୍ୟ ଲୁଣ ପାଇଁ ସିନା ଚିଡ୍ ଚିଡ୍ ହଉଛୁ, ହେଲେ ସ୍ତ୍ରୀ ଟିଏ କିଛି କାମରେ ବ୍ୟସ୍ତ ଥାଇପାରେ, ଏ କଥା ବି ତୁ ଭାବି ପାରିଥା'ନ୍ତୁ। ତୁ କେବେ ଅନୁଭବ କରିଛୁ; ଆମ ସୁଖ ସୁବିଧା ପାଇଁ ନାରୀ ଜାତି ତା' ଜୀବନକୁ ବିନା ପ୍ରତିବାଦରେ ସଂପୂର୍ଣ୍ଣ ରୂପେ ଜଳାଞ୍ଜଳି ଦେଇ ଦିଅନ୍ତି। ହେଲେ ଆମେ ପୁରୁଷ ଜାତି ସେମାନଙ୍କ ମୁଣ୍ଡ ଉପରେ ବୋଝ ଲଦି ଲଦି ଚାଲିଥାଉ। ଏତିକି କଥାରେ ପରେଶ ସତ୍ୟକୁ ବୁଝି ପାରି "you are right(ତୁ ଠିକ୍ କହିଛୁ)" ବୋଲି କହିଲା। ମଣିଷ ମାତ୍ରକେ ଭୁଲ୍ ହୁଏ ଓ ଭୁଲ୍ ରୁ ହିଁ ଠିକ୍ ହୁଏ। ତା' ପରେ ପୁଣି ହାତ ମୁହଁ ଧୋଇ କାମରେ ସମସ୍ତେ ଲାଗି ପଡନ୍ତି।
ଅଫିସ୍ ପରେ ବାଇକରେ ଘର ମୁହାଁ ହେଲା ବେଳେ ଭାବୁଥିଲି, ଲବଣ ବିନା ବ୍ୟଞ୍ଜନର ସ୍ବାଦୁ ଅନୁଭବ କରି ହୁଏନା। କିନ୍ତୁ ଲବଣର ଆଧିକ୍ୟ କେହି କେବେ ଜାଣି ଜାଣି କରି ମଧ୍ୟ ପାରେନା। ଗୋଟେ ଗରମ ମସଲା ତିଆରି ହେବା ପାଇଁ ତେଜପତ୍ର, ଜିରା, ଧନିଆ, ଶୁଖିଲା ଲଙ୍କା, ଡାଲଚିନି, ଅଳେଇଚ, ଗୁଜୁରାତି, ଅନାସି ଫୁଲ, ସାମାନ୍ୟ ଲୁଣର ଆବଶ୍ୟକତା ପଡେ। ତରକାରୀରେ ଚାମଚେ କି ଅଧ ଚାମଚେ ଗରମ ମସଲା ଯେମିତି ତରକାରୀକୁ ଅଧିକ ସ୍ଵାଦିଷ୍ଟ କରାଏ ଠିକ୍ ସେମିତି ତେଲ ଲୁଣର ସଂସାରରେ ଈଶ୍ବର ମାଆ, ଭଉଣୀ, ପତ୍ନୀ, କନ୍ୟା, ବୋହୂ ଆଦିଙ୍କୁ ଗରମ ମସଲା ଭଳି ଖଞ୍ଜିଛନ୍ତି। ଜଣଙ୍କ ବିନା ଆଉ ଜଣେ ଯେମିତି ମୂଲ୍ୟହୀନ। ତା' ହେଲେ ଘରର ଏ ମୂଲ୍ୟବାନ ଗରମ ମସଲାକୁ ଆମେ ଆଡେଇ ଯିବା କେମିତି?? ଏମାନଙ୍କ ବିନା ଘର ତ' ଘର ହୋଇପାରେନା।
ଘରର ଗରମ ମସଲାଙ୍କ ବିଷୟରେ ଭାବୁ ଭାବୁ ଘରେ ଆସି ପହଞ୍ଚିଲା ପରେ ମୋ କୁନି ଝିଅ ଦୌଡି ଆସି "ପାପା ଏତେ ଡେରି ହେଲା କାହିଁକି ଯେ" ପଚାରୁଥିଲା। ଆଉ ମୁଁ ଭାବୁଥିଲି କେତେ ନିଖୁଣ ସ୍ରଷ୍ଟାଙ୍କର ସୃଷ୍ଟି। ଭଲ-ମନ୍ଦ ବୁଝିବାକୁ ଓ ପଚାରିବାକୁ ଯାହା ହଉ ପରିବାର ଭିତରେ ଏତେ ସୁନ୍ଦର ଚରିତ୍ର ମାନଙ୍କୁ ଖଞ୍ଜି ଦେଇଛନ୍ତି। ଧନ୍ୟବାଦ ହେ ଈଶ୍ବର।