Arundhati Senapati

Tragedy

3  

Arundhati Senapati

Tragedy

ମଡ୍ ଆର୍ଟ

ମଡ୍ ଆର୍ଟ

3 mins
210


ଗାଆଁ ଆଉ ମାଆ ଦୁହିଁଙ୍କ ବାସ୍ନା ନିଆରା। ମାଆ ଯେତିକି ଖାଇବା ପାଇଁ ଗୋଡେଇ ଗୋଡେଇ ଡାକେ, ସେ ଡାକ ଆଉ କେହି ଡାକନ୍ତିନି। ଖାଇବା ପାଖରେ ଥାଏ କିନ୍ତୁ ସମୟ ନ ଥାଏ; କି ସରାଗରେ "ଆ ଉଠି ଆସିକି ଖାଇ ଦେ" ବୋଲି କହିବାକୁ କେହି ନ ଥା'ନ୍ତି। ଯୋଉ ବୋଉ ଏମିତି ଡାକିଥାଏ, ସିଏ ବି ଆଜି ଏ ଦୁନିଆରୁ ଚାଲିଗଲା.... ମୁଁ ଜାଣେ ବୋଉ, ତୁ ମୋର ଭଲ ମାଆଟିଏ ହେଇପାରିଲୁ ହେଲେ ମୁଁ ତୋର ଭଲ ପୁଅଟିଏ ହେଇପାରିଲି ନାହିଁ। ଏମିତି କି ତୋ ବୋହୂ ଅସ୍ମିତା ତା' ପୁଅ ଅନୁରାଗର ଭଲ ମାଆଟିଏ ନୁହେଁ ବୋଲି ମୁଁ କହି ପାରିବି। କିନ୍ତୁ ଏ ସ୍ବୀକାରୋକ୍ତିକୁ ଶୁଣିବ ଅବା କିଏ???

ଭୋପାଳରୁ ଯେତେବେଳେ କଲିକତାକୁ ମୋର ବଦଳି ହେଲା ବେଶୀ ଖୁସି ତୁ ହେଇଥିଲୁ ବୋଉ। କାରଣ କଟକରୁ କଲିକତାକୁ ବସ୍ ଚାଲେ। ମୋର ତ' ନିଜର ବଡ କାର୍ ଅଛି ହେଲେ ସେତେ ବଡ ମନଟିଏ ନାହିଁ। କିନ୍ତୁ ମୁଁ ଅଭାଗା ଯନ୍ତ୍ରବତ୍ ଖଟି ଖଟି ଛୁଟି ଦିନ ମାନଙ୍କରେ ମୋ ତିନି ଜଣିଆ ପରିବାରକୁ ସମୟ ଦିଏ, ଅନେକ ଆଡେ ବୁଲିବାକୁ ଯାଏ। ଆଉ ମାସ ଶେଷରେ ବାପାଙ୍କ ଆକାଉଣ୍ଟରେ ପଇସା ଖାଲି ପଠେଇ ଦେଇ, ଫୋନରେ ଭଲ ମନ୍ଦ ବୁଝି ନିଜ କର୍ତ୍ତବ୍ୟ ସାରି ଦିଏ। ବାପା-ବୋଉଙ୍କୁ ପାଖରେ ଆସି ରହିବାକୁ କହିଲେ ମଧ୍ୟ ଘର,ବାଡି ଛାଡି କି ଆସିବାକୁ ଦୁହେଁ ଅରାଜି। ବର୍ଷକୁ ଥରେ ଯଦି ଗାଆଁକୁ ଯାଏ, ସତେ ଯେମିତି ବାପା-ବୋଉଙ୍କ ଗୋଡ ତଳେ ଲାଗେନି। ପୋଖରୀରୁ ଜିଅନ୍ତା ମାଛ, ସଜ ପରିବା, କଦଳୀ ଭଣ୍ଡା, ମୋ ପସନ୍ଦର ଆରିସା ପିଠା କେତେ କ'ଣ ଧରି ଆଣି ତିଆରି କରି ଖୁଆଇବାରେ ବ୍ୟସ୍ତ ଥା'ନ୍ତି ଦୁହେଁ। ମୁଁ ଖାଲି ଯାହା ସଂକଳ୍ପ କରେ ଆଉ କେବେ ପୁଣି ଆସିବି କିନ୍ତୁ କର୍ମମୟ ଜୀବନ ଭିତରେ ସେ ସଂକଳ୍ପକୁ ତାଲା ଦେଇ ହୃଦୟର କେଉଁ ନିଭୃତ କୋଣରେ ଫୋପାଡି ଦିଏ। ଭାବନା ରାଜ୍ୟରେ ଖାଲି ବିଚରଣ କରି ହୁଏ, ବାସ୍ତବରେ ପରିଣତ କରିବା ସେତେ ସହଜ ନୁହେଁ। ସବୁ ଭାବନା ଆଜି ଯେମିତି ପାଣି ସୁଅ ପରି ମାଡି ଆସୁଛନ୍ତି। ଦୁଇ ଆଖିଧାର ଦେଇ ସଭିଁଙ୍କ ଅଜ୍ଞାତରେ ବହି ଯାଉଛନ୍ତି। ଇତି ମଧ୍ୟରେ ଆମ କାର୍ ଗାଆଁରେ ପହଞ୍ଚି ଘର ପାଖକୁ ଗଲା ବେଳକୁ ଲୋକ ଗଦା ହେଇଛନ୍ତି ଘର ସାମନାରେ। ବାରଣ୍ଡାରେ ବସି ବାପା ମୋତେ ଦେଖି କହୁଛନ୍ତି ତୋ ବୋଉ ଆମ ସମସ୍ତଙ୍କୁ ଛାଡି ଚାଲିଯାଇଛି ରେ ଅକ୍ଷୟ। ଶେଷ ବେଳକୁ ବହୁତ ଖୋଜି ହଉଥିଲା ତୋତେ ରେ.............. ଏହି ପଦକ ଶୁଣୁ ଶୁଣୁ ଆଉ ସମ୍ଭାଳି ନ ପାରି ମାଡି ଆସୁଥିବା ସୁଅରେ ଯେମିତି ମୁଁ ଭାସିଗଲି। ଅନୁଭବ ହେଉଥିଲା ବୋଉର ନିର୍ଜୀବ ଶରୀର ଯେମିତି ମୋତେ କହୁଥିଲା ତମେ ସମସ୍ତେ ଆସିଛ ମୋତେ ଦେଖିବା ପାଇଁ??? ମୁଁ ତ' ତୋ ସହିତ ଅଛି ଆଉ ରହିବି, କାନ୍ଦୁଛୁ କାହିଁକି???

ମୋର ୧୦ବର୍ଷର ପୁଅ ଅନୁରାଗ ମୋତେ କାନ୍ଦୁଥିବାର ଦେଖି ତା' ମାମାକୁ ବାରମ୍ବାର ପଚାରୁଥିଲା, ପାପା କାନ୍ଦୁଛନ୍ତି କାହିଁକି?? ତା' ମାଆ ବି ଏ ପ୍ରଶ୍ନର କିଛି ଉତ୍ତର ଦେଇ ନ ପାରି ତାକୁ ଜାବୁଡି ଧରି କାନ୍ଦିବାକୁ ଲାଗିଲା।।। ବୋଉ ଅହିଅ ମୁଣ୍ଡରେ ଚାଲିଗଲା ବୋଲି କହି ଗାଆଁ ସ୍ତ୍ରୀ ଲୋକ ମାନେ କାନ୍ଦୁଥା'ନ୍ତି। ଖଇ-କଉଡି ଗୋଟେଇ ନେଉଥା'ନ୍ତି। ଅସ୍ମିତା ମଧ୍ୟ ଗୋଟେଇ ନେଇ ତା' ଶାଢୀ କାନିରେ ବାନ୍ଧି ରଖିଲା। ଏ ସବୁ ଦେଖି ମୁଁ ଭାବୁଥାଏ ଯେ ବୋଉ ତୁ ବଞ୍ଚିଥିବା ଅବସ୍ଥାରେ ଯେତିକି ମହାନ୍ ଥିଲୁ, ମରିଗଲା ପରେ ଆହୁରି ମହାନ୍ ହେଇଗଲୁ। କାନ୍ଦ ରୋଳକୁ ଆଡେଇ ଅନ୍ତ୍ୟେଷ୍ଟି କ୍ରିୟା ଶେଷ କରି ସମସ୍ତେ ପିତା ପାଣି ପାଇ ଫେରିଲୁ। ବଡ ମାନଙ୍କ ସହ ବସି ଆଲୋଚନା କରି କ୍ରିୟା କର୍ମ ମଧ୍ୟ ଆଗକୁ ବଢି ଚାଲିଲା। ମୋ ପୁଅ ଅନୁରାଗକୁ ଘର ପାଖ ଲୋକ ନିଜ ଘରକୁ ନେଇ ଆଦର ଯତ୍ନରେ କିଛି ଖୁଆଇ ଶୁଆଇ ସେମାନଙ୍କ ଘରେ ପ୍ରାୟତଃ ଆଦର କରି ରଖି ଦିଅନ୍ତି। ଏ ସବୁ ଦେଖି ମୋ ଶୈଶବ ଅବସ୍ଥା ସତେ ଯେମିତି ଆଖି ଆଗରେ ନାଚୁଥିଲା। ଭାବୁଥଲି ଏ ସରାଗ ଖାଲି ଯାହା ଗାଆଁରେ ମିଳେ। ନ ହେଲେ ସହରରେ ପାଖ ଘରେ କ'ଣ ହୁଏ କେହି ଜାଣନ୍ତି ହିଁ ନାହିଁ।

ମୋ ପୁଅ ଆମ ଘର ସବୁ ବୁଲି ବୁଲି ତନ୍ନ ତନ୍ନ କରି ଦେଖେ; ଆଉ ଏଇଟା କ'ଣ ସେଇଟା କ'ଣ ଖାଲି ପଚାରି ହେଉ ଥାଏ। ଏ ପ୍ରଥମ ଥର ତାକୁ ମଧ୍ୟ ସୁଯୋଗ ମିଳିଛି ଗାଆଁରେ ଏତେ ଦିନ ସମୟ ବିତେଇବାକୁ। ମାତୃ ବିୟୋଗ ଏବଂ ବାପାଙ୍କ ବିଷଣ୍ଣ ମୁଖ ଦେଖିବା ମଧ୍ୟରେ ମୋ ପୁଅ ଅନୁରାଗର ଗୋଟିଏ ପ୍ରଶ୍ନ ମୋତେ ଯେମିତି ଧକ୍କା ଦେଇ କେଉଁ ଅଦୂରକୁ ଠେଲି ଦେଲା। ଯେତେବେଳେ ମୋ ଜନ୍ମ ଷଠିଘରକୁ ତା' ଛୁଆ ଆଖି ଆବିଷ୍କାର କରିଛି; ସେତେବେଳେ ମୋତେ ଟାଣି ଆଣି ଷଠିଘରକୁ ଆଙ୍ଗୁଠି ଦେଖାଇ ପଚାରୁଥିଲା- "ପାପା, ଇଜ୍ ଇଟ୍ ମଡ୍ ଆର୍ଟ(Papa, is it mud art)?" ମୁଁ ଆଶ୍ଚର୍ଯ୍ୟ ହୋଇ ଭାବୁଥିଲି, ଯେତେବେଳେ କୋଠାଘର ତିଆରି ହେଲା ସେତେବେଳେ ବୋଉ ହିଁ ପ୍ରଥମ ଯିଏ ବାପାଙ୍କୁ କହିଥିଲା ମୋ ଅକ୍ଷୟର ଷଠିଘର ଥିବା ଚାଳଘରକୁ ଛାଡି ଆଉ ସବୁ ଚାଳଘର ଭାଙ୍ଗିପାର।।। ବାପା ମଧ୍ୟ ବୋଉର କଥା ମୁତାବକ ସେଇଆ କରିଥିଲେ। କିନ୍ତୁ ମୋ ପୁଅ ଆଖିରେ ଆଜି ତାହା ମାଟି-କାଦୁଅରେ ତିଆରି ଏକ କଳାକୃତି। ଯିଏ ମେଡିକାଲରେ ଜନ୍ମ, 2bhk ଫ୍ଲାଟରେ 15/17ରୁମରେ ରହିଲା, ଇଂରାଜୀ ମିଡିୟମ୍ ସ୍କୁଲରେ ପଢିଲା; ସେ କେଉଁଠୁ ଅବା ଷଠିଘର ବିଷୟରେ ଜାଣିବ!!! ଷଠିଘର କ'ଣ ଅନୁରାଗକୁ ବୁଝାଇବା ପରେ ଭାବୁଥିଲି- ବୋଉ ଲୋ, ତୁ ଆଜି ଚାଲିଯିବା ସହ ମୋ ଛୁଆ ବେଳ ମଧ୍ୟ ଏ "ମଡ୍ ଆର୍ଟ" ଶବ୍ଦ ସହ ଧୂମିଳ ହୋଇଯାଇଛି।।।।।



Rate this content
Log in

Similar oriya story from Tragedy