ନୀରବ ପ୍ରେମ💖
ନୀରବ ପ୍ରେମ💖


ସପ୍ତପଦୀ ଠାରୁ ଆରମ୍ଭ କରି ତେଲ-ଲୁଣର ସଂସାର ଭିତରେ ଅନେକ ମତାନ୍ତର ଘଟିଛି, ହେଲେ ମନାନ୍ତର ନୁହେଁ। ସେ ମୋର ଜାୟା, ସନ୍ତାନର ଜନନୀ ଓ ବାପା- ବୋଉଙ୍କ ପାଇଁ ଘରର ଚଳନ୍ତି ଲକ୍ଷ୍ମୀ ସହ କୂଳବଧୂ। ନା ଅଛି ତା'ର କୌଣସି ଅଭିମାନ ନା ଅଛି କୌଣସି ଆପତ୍ତି। ସମସ୍ତ ପରିସ୍ଥିତିରେ ସେ ସଳଖ ହୋଇ ଛିଡା ହବାର କଥା କହେ। ନିଜେ ମଧ୍ୟ ସେ ମୋର ପ୍ରତିପାଦରେ ଛିଡା ହୋଇଛି ଆଜିଯାଏ।
ହେଲେ ସମୟେ ସମୟେ ତାକୁ ଯେତେ ଦେଖେ ସେତେ ଅବାକ୍ ହୁଏ। ଅସରପା, ଝିଟିପିଟି, ସଁବାଳୁଅକୁ ଡରିବା ଏକ ନାରୀ ସୁଲଭ ଗୁଣ ବୋଲି ଜାଣେ। କିନ୍ତୁ ଆଜି ରୋଷେଇଘରେ ପିଆଜଶଣ୍ଢା ତେଲକଡେଇରେ ପକେଇ ଦୂରରେ ସିଏ ଛିଡା ହୋଇଥିବାର ଦେଖି ସାମାନ୍ୟ ଆଶ୍ଚର୍ଯ୍ୟ ହୋଇଥିଲି। ଦୃଶ୍ୟଟି ସିନା ମୋ ପତିପ୍ରାଣ ପାଇଁ ସୁନ୍ଦର କିନ
୍ତୁ ବିଭିନ୍ନ ଘଟଣାମାନଙ୍କ ସହ ତୁମକୁ ତଉଲିଲେ ମନେ ହୁଏ ତୁମେ ତ' ଦମ୍ଭୀ ଓ ସାହସୀ। ଧାନ ଗଛଟିଏ ପରି ବାପଘର ଅଗଣାରୁ ତୁମେ ଆମଘର ଅଗଣାରେ ଆସି ରୁଆଁ ହୋଇଛ। ତଥାପି ସବୁ ନିଜର ପରି ମନେ କରି ଭଲ-ମନ୍ଦ ସାଉଁଟି ଚାଲିଛ। ତୁମ ବୋଉ ଚାଲିଯିବା ପରେ ଛୁଆଟିଏ ପରି କେତେ ନ କାନ୍ଦିଛ ତୁମେ!! ହେଲେ ପୁଣି ଏ ସଂସାରଟାରେ ନିଖୁଣ ଭାବେ ନିଜକୁ ହଜେଇ ଦେଇଛ। ତେଲ ପଡିବାର ଡରରେ ସିନା ଦୂରରେ ଛିଡା ହେଇଛ। ହେଲେ ଯେତେ ସମସ୍ୟା ଆସିଲେ ବି ତୁମେ ମୋ ଠାରୁ କେବେ ଦୂରେଇ ନାହଁ ଆଜିଯାଏ।
ଜଡେଇ ହୋଇ ଛିଡା ହେଇଛ ମୋର ମାଆ, ବାନ୍ଧବୀ, ପ୍ରେମିକା ଓ ପତ୍ନୀ ହୋଇ। ଇଏ ହିଁ ତ' ପ୍ରେମ, ଆଉ କ'ଣ ଅଧିକ ଏହିଠାରୁ ଥାଇପାରେ??? *ପତନାତ୍ ତ୍ରାୟତେ ଇତି ପତ୍ନୀ- ପତନରୁ ଯେ ରକ୍ଷା କରେ ସେ ହିଁ ପତ୍ନୀ।