Kanan Bala Nayak

Tragedy

4  

Kanan Bala Nayak

Tragedy

ଘରଭଙ୍ଗା

ଘରଭଙ୍ଗା

4 mins
220



  ମୁଁ କୁଆଡ଼େ ଗୋଟେ ଘରଭଙ୍ଗା ତୁମ ଘର ଭାଙ୍ଗିବା ପାଇଁ ଚେଷ୍ଟା କରିଛି। ହେଲେ ମୁଁ ତ ନିଜକୁ ତୁମର ସବୁଠାରୁ ଭଲ ବନ୍ଧୁ ବୋଲି ଭାବୁଥିଲି। ତୁମକୁ ସାମାନ୍ୟ ଖୁସି ଦେବାପାଇଁ ଯିଏ ରାତି ରାତି ଉଜାଗର ରହୁଥିଲା।କାହାର ପ୍ରରୋଚନାରେ ତୁମେ ତାକୁ ଘରଭଙ୍ଗାର ଉପାଧି ଦେଇ ତାକୁ ନିଜ ଠାରୁ ଦୂରେଇ ଦେଲ ମୁଁ ଜାଣି ପାରୁନି।ତୁମ ମୋ ଭିତରେ ଦୂରତା ସୃଷ୍ଟି କରିବା ପାଇଁ ଅନେକ ଚେଷ୍ଟା କରିଥିଲେ।ଆଉ ତୁମେ ତାଙ୍କ କଥାରେ ବଶୀଭୂତ ହୋଇଗଲ। ଯିଏ ତୁମ ମୁହଁରେ ସାମାନ୍ୟ ହସଟିଏ ଦେଖିବା ପାଇଁ ନିଜର ସମସ୍ତ କଷ୍ଟକୁ ଭୁଲି ନିମିଷେକେ ତୁମ ନିକଟରେ ଉପସ୍ଥିତ ହେଉଥିଲା ତା'ର ସେ ତ୍ୟାଗକୁ ଭୁଲି ଗଲ।ଆଉ ଅନ୍ୟ ମାନଙ୍କ କଥାରେ ବଶୀଭୂତ ହୋଇଗଲ।ତୁମ ବିଶ୍ୱାସ ଠାରୁ ତାଙ୍କ ଈର୍ଷା ଭାରୀ ପଡ଼ିଲା।


  ଆଉ ତୁମ ଠାରୁ ଯେଉଁ କଥା ଶୁଣିବି ବୋଲି କେବେ ସ୍ବପ୍ନରେ ସୁଦ୍ଧା କଳ୍ପନା କରି ନଥିଲି, ସେ ସବୁ କଥା କହିଗଲ।ଆଉ ସେଥିପାଇଁ ତୁମ ମନ ଭିତରେ ନା ଥିଲା ଦୁଃଖ ନା ଥିଲା ଗ୍ଳାନି। ହଁ ମୋର ଏତିକି ଭୁଲ୍ ଥିଲା ଯେ ତୁମ ପାଇଁ ଚିନ୍ତା କରି ମୁଁ ମୋ ନିଜକୁ ଭୂଲି ଯାଉଥିଲି। ମୋର ଏତିକି ଭୁଲ୍ ଥିଲା ତୁମର ଭଲ ମନ୍ଦ ଟିକେ ବୁଝିବା ପାଇଁ ମୁଁ ଅନ୍ୟକୁ ଫୋନ୍ କରୁଥିଲି। ମୋର ଭୁଲ୍ ଏତିକି ଥିଲା ମୁଁ ଭାବୁଥିଲି ତୁମ ପାଖକୁ କୌଣସି ବିପଦ ଆସିବା ପୂର୍ବରୁ ତାର ପ୍ରତିରୋଧ ପାଇଁ ମୁଁ ଠାଲ ସାଜି ତୁମ ଆଗରେ ଛିଡା ହୁଏ। ହେଲେ ସେ ସବୁ ମୂଲ୍ୟ ହୀନ ହୋଇ ଗଲା। ମୂଲ୍ୟ ହୀନ ହୋଇ ଗଲା ମୋରରାତିରାତିର ଉଜାଗର।ଆଉ ମୁଁ ପାଲଟି ଗଲି ଗୋଟେ ଘରଭଙ୍ଗା।


  ତୁମେ ଥରେଟେ ବି ଚିନ୍ତା କଲନି ତୁମର ସାମାନ୍ୟତମ ଖୁସି ପାଇଁ ଯିଏ ନିଜ ଜୀବନକୁ ବାଜି ଲଗାଇବାକୁ ପଛାଏ ନାହିଁ ସେ ପୁଣି ତୁମ ଘର ଭାଙ୍ଗିବାର ଚେଷ୍ଟା କରିବ କେମିତି? ହଁ ମୁଁ କେବଳ ଏତିକି ଚାହିଁଥିଲି ତୁମେ ନିଜ ଇଚ୍ଛାର ଜୀବନଟେ ବଞ୍ଚି ପାର। ନିଜ ଇଚ୍ଛାରେ ନିଜକୁ ଭଲ ଲାଗୁଥିବା ଜିନିଷଟେ କିଣି ପାର‌। ନିଜ ଇଚ୍ଛାରେ ନିଜକୁ ସଜାଇ ପାର। ନିଜ ଇଚ୍ଛାରେ କିଛି ନ କରି ପାରିବା ଭିତରେ ତୁମର କି ବିବଶତା ଲୁଚିରହିଛି ତାହା ମୁଁ ଜାଣେନି। କିନ୍ତୁ କିଛି ବିବଶତା ଯେ ଲୁଚିରହିଛି ସେ କଥା ମୁଁ ଭଲ ଭାବରେ ଅନୁଭବ କରି ପାରୁଥିଲି। ତେଣୁ କେତେ ବେଳେ ହୁଏତ ତୁମ ପସନ୍ଦର ଜୀବନ ବଞ୍ଚିବା ପାଇଁ ପ୍ରବର୍ତ୍ତାଇ ଥିବି। ତାର ଅର୍ଥ କ'ଣ ମୁଁ ତୁମ ଘର ଭାଙ୍ଗିବାକୁ ଚେଷ୍ଟା କରୁଥିଲି‌।


  ନିଜ ଇଚ୍ଛାରେ ଜୀବନ ବଞ୍ଚିବାକୁ ପ୍ରେରଣା ଦେବାଟା କଣ ଜଣେ ବନ୍ଧୁର ଅନ୍ୟ ଜଣେ ବନ୍ଧୁ ପ୍ରତି ତାର କର୍ତ୍ତବ୍ୟ ନୁହେଁ କି?ତା ଛଡା ମୁଁ ତ କେବେ ବି ତୁମ ଘର କଥାରେ ମୁଣ୍ଡ ପୁରାଇ ନି। କିନ୍ତୁ ତୁମର ଏଇ ପଦକ କଥା ମୋର ସମ୍ପର୍ଣ୍ଣ ଅସ୍ଥିତ୍ଵ ଉପରେ ପ୍ରଶ୍ନ ବାଚକ ଚିହ୍ନଟେ ଲଗାଇ ଦେଇଛି। ବନ୍ଧୁ ହିସାବରେ ଗୋଟେ ବନ୍ଧୁ ଠୁ କେବଳ ଟିକେ ଭଲ ପାଇବା ଓ ସ୍ନେହ ଛଡ଼ା ଆଉ କିଛି ଚାହିଁ ନଥିଲି। କିନ୍ତୁ ତା ପରିବର୍ତ୍ତେ ଏଇ କଥା ଶୁଣିବି ବୋଲି ଭାବି ନଥିଲି। ଯେଉଁ ବନ୍ଧୁତା ପାଇଁ ତୁମେ ତୁମ ଜୀବନର ଯେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ମୋତେ ପଚାରୁ ଥିଲ, ମୋ ବିନା ତୁମର ଜୀବନ ଶୂନ୍ୟ ଶୂନ୍ୟ ଲାଗେ ବୋଲି କହୁଥିଲ, ଅନ୍ୟର କଥା ଶୁଣି ସେ ବନ୍ଧୁତାରେ ଏତେ ବଡ଼ କଳଙ୍କର କାଳିମାଟେ ଲଗାଇ ଦେଲ କେମିତି?


  ଆଉ ତା ପୂର୍ବରୁ ଅତ୍ୟନ୍ତ ଥରେ ମୋତେ ପଚାରି ପାରି ଥାଆନ୍ତ ଯେ ମୁଁ କାହାକୁ ଏମିତି କଣ କହି ଦେଇଛି ଯେ ସେଥିରେ ତୁମ ଘରଭାଙ୍ଗି ଯିବ। ଗୋଟେ ସଚ୍ଚା ବନ୍ଧୁ ଅନ୍ୟ ବନ୍ଧୁର ଘର ଯୋଡି ଥାଏ ଭାଙ୍ଗିବା କଥା ସେ କଳ୍ପନା କରି ନଥାଏ।ତା ଘରକୁ ବଞ୍ଚାଇବା ପାଇଁ ନିଜେ ଭାଙ୍ଗି ଯାଇଥାଏ କିନ୍ତୁ ତା ଘର ଉପରେ କେବେ ଆଞ୍ଚ ଆସିବାକୁ ଦେଇ ନଥାଏ। ମୁଁ ମଧ୍ୟ ତୁମ ପାଇଁ ସବୁବେଳେ ଭାଙ୍ଗି ଯାଉଥିଲି‌। ସେଥିପାଇଁ ତୁମର ଗୋଟେ ଡାକରାରେ ନିଜର ତଥା ନିଜ ଲୋକଙ୍କର ସବୁ କାମ ଛାଡି ତୁମ ନିକଟରେ ଉପସ୍ଥିତ ହୋଇ ଯାଉଥିଲି। କେବେ ଥରେ ଭାବି ନଥିଲି ଯେ ମୁଁ ତୁମ ପରିବାର ଠାରୁ ଅଲଗା।ତୁମ ପରିବାରର ଲୋକ ନୁହେଁ। ମୁଁ ଭାବୁଥିଲି ବନ୍ଧୁତାର ସମ୍ପର୍କଟା ଏକ ନିରବ ପ୍ରତିଶ୍ରୁତି। ଯେଉଁଠି ବିନା ଡାକରାରେ ବି ଆଜୀବନ ପରସ୍ପରର ଦୁଃଖ ସୁଖରେ ସାମିଲ ହେବା ପାଇଁ ପ୍ରତିଶ୍ରୁତି ଦିଆଯାଏ। ହେଲେ ତୁମେ ସବୁ ପ୍ରତିଶ୍ରୁତିକୁ ତୁମ ଅବିଶ୍ବାସର ଅଗ୍ନିରେ ସ୍ଵାହା କରିଦେଲ।


  ଜାଣ ସବୁ ସମ୍ପର୍କର ମୂଳ ଦୂଆ ବିଶ୍ୱାସର ଆଧାରରେ ତିଷ୍ଠି ରହିଥାଏ।ଯାହା କେବେ ଆଖିକୁ ଦେଖାଯାଏ ନାହିଁ କିନ୍ତୁ ପ୍ରତ୍ୟେକ ମୁହୂର୍ତ୍ତରେ ଅନୁଭବ କରିହୁଏ। ଆଉ ତୁମ ଭିତରେ ମୋ ପ୍ରତି ଥିବା ସେ ବିଶ୍ୱାସ ଅନ୍ୟର କଥା ଶୁଣି ଦୋହଲି ଯାଇଛି ।ନ ହେଲେ ତୁମେ ମୋତେ ଏଇ କଥା କହି ପାରି ଥାଆନ୍ତ ସବୁ ସମ୍ପର୍କ ଗୋଟିଏରବର ଭଳି ତାକୁ ଯେତେ ଟାଣିବ ସିଏ ଦିନେ ନା ଦିନେ ଛିଣ୍ଡିଵ।ହଁ ଏଇ କେତେ ଦିନ ହେଲା ତୁମେ ମୋ ପ୍ରତି ଯେଉଁ ଭଳି ବ୍ୟବହାର କରୁଥିଲ ତାହା ପ୍ରତ୍ୟକ୍ଷ ନହେଲେ ମଧ୍ୟ ଅପ୍ରତ୍ୟେକ୍ଷ ଭାବରେ ସୁଚାଇ ଦେଉଥିଲା ମୋ ପାଖରେ ତୁମର କାମ ସରି ଯାଇଛି। ହେଲେ ମୁଁ ମୁର୍ଖ ତୁମକୁ ଏତେ ଭଲ ପାଉଥିଲି ଯେ ତୁମର ସେ ସଙ୍କେତକୁ ବୁଝିବାର ଚେଷ୍ଟା ‌କରୁ ନଥଲି। ମନ ଯେ ସଦା ପରିବର୍ତ୍ତନଶୀଳ ସେ କଥା ଭୁଲି ଯାଇଥିଲି। 


   ଭାବୁଥିଲି ଆମେ ଦୁଇ ଜଣ ତ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ପରସ୍ପର ସହ ବନ୍ଧୁତା ଲିଭାଇବା ପାଇଁ କଥା ଦେଇଛୁ , ଜୀବନରେ ଯାହା ଝଡ଼ ଆସିଲେ ତାକୁ ସାଙ୍ଗ ହୋଇ ମୁକାବିଲା କରିବୁ ବୋଲି ପ୍ରତିଶ୍ରୁତି ଦେଇଛୁ ।ଆଉ ଏବେ ତୁମେ ସାତ ଦିନ ଧରି ଫୋନ୍ ନ ଉଠାଇବାରୁ ତୁମ ଭଉଣୀକୁ ଫୋନ୍ କରି ତୁମ ଭଲ ମନ୍ଦ ପଚାରି ଦେଇ ଏମିତି ‌କି ଅପରାଧ କରିଦେଲି ଏଯେ ବିନା ଝଡ଼ରେ ବନ୍ଧୁରୁ ଘରଭଙ୍ଗା ହୋଇଗଲି।ହଉ ଏଇ ଘରଭଙ୍ଗାକୁ କ୍ଷମା କରି ନିଜ ଜୀବନରୁ ଦୂରେଇ ‌ଦେବ। ହେଲେ ଏ ଘର ଭଙ୍ଗା ଅପେକ୍ଷା କରିବ ଯେଉଁ ଦିନ ତା ବନ୍ଧୁ ମାନେ ‌ତୁମେ ଵୁଝି ପାରିବ ଯେ ତା ବନ୍ଧୁ ଘର ଭଙ୍ଗା ନଥିଲା, ଥିଲା ତାକୁ ବିନା ସର୍ତ୍ତରେ ଭଲପାଉଥିବା ବନ୍ଧୁ ଟିଏ।


  ଆଉ ପୁଣିଥରେ ଡାକରା ଦେବ ଆଉ କହିବ ତୁ ନ ଥିବାରୁ ମୋ ଜୀବନ ଶୂନ୍ୟ ଲାଗୁଛି ତେଣୁ ତୁ ଫେରିଆ।ତୁ ଘରଭଙ୍ଗା ନୁହେଁ ବରଂ ମୋ ବିବଶତାକୁ ବୁଝି ପାରି ମୋର ସେଇ ଶୂନ୍ୟତାକୁ ପୂର୍ଣ୍ଣ କରିବାକୁ ଚେଷ୍ଟା କରୁଥିବା ଅତି ଆପଣାର ମୋ ହୃଦୟର ଅଂଶ ଟିଏ। ଯାହା ବିନା ମୁଁ ଅଧୁରା।


Rate this content
Log in

Similar oriya story from Tragedy