ABHISEK TRIPATHY

Inspirational

3  

ABHISEK TRIPATHY

Inspirational

ଏ ଯୁଗ ର ତାନ୍ହାଜୀ

ଏ ଯୁଗ ର ତାନ୍ହାଜୀ

4 mins
363


ଏ ବର୍ଷ ସ୍ୱାଧୀନତା ଦିବସର କଥାଟିଏ I ସମୟ ପାଖା ପାଖି ଦିନ ଦୁଇଟା I ପରିବାର ସହ ସମସ୍ତେ ଖାଇ ବସିଥିଲୁ I ଟିଭି ରେ ଷ୍ଟାର ଗୋଲଡ ରେ ଚାଲୁଥିଲା ଅଜୟ ଦେବଗନ୍ ଙ୍କ ନୂତନ ସିନେମା ଟିଏ I "ତାନ୍ହାଜୀ" I ଚଳଚିତ୍ର ଟିରେ ଶିବାଜୀ ଙ୍କ ସ୍ଵରାଜ୍ୟ ଆନ୍ଦୋଳନ ତଥା ସେଥିରେ ତାଙ୍କ ସୁବେଦାର ତାନ୍ହାଜୀ ଙ୍କ ଭୂମିକା ବେଶ ଚିତାକର୍ଷକ ଭାବେ ପରିଦର୍ଶନ କରାଯାଇଥିଲା I ସବୁଠାରୁ ବେଶ ମନଲୋଭା ଥିଲା ଶେଷ ଦୃଶ୍ୟଟି I


କ୍ରୁର ମୋଗଲ ସମ୍ରାଟ ଠାରୁ, ନିଜର କିଲ୍ଲା ଦଖଲ କରିବା ନିମନ୍ତେ ଯୁଦ୍ଧ ର ଆହ୍ୱାନ ଦେଇଥିଲେ ତାନ୍ହାଜୀ I "ରା.... ରା... ରା... ରା.... " ପ୍ରଛଦପଟ ରେ ବାଜିଉଠୁଥିବା ଏଇ ଧୂନ ସହ ତାନ୍ହାଜୀଙ୍କ ଯୁଦ୍ଧ ଶୈଳୀ ଏବଂ ଜଣ ଜଣ କରି ସମସ୍ତ ମୋଗଲଙ୍କୁ ମରିବାର ଦୃଶ୍ୟ ଶିହରଣ ସୃଷ୍ଟି କରିଥିଲା ଶରୀର ମଧ୍ୟରେ I ହେଲେ ଶେଷରେ ମୋଗଲ ସମ୍ରାଟ ତାନ୍ହାଜୀଙ୍କ ହାତକୁ ଶରୀରରୁ କାଟି ଅଲଗା କରିଦେଇଥିଲେ, ତଥାପି ଲଢ଼ିଥିଲେ ତାନ୍ହାଜୀ, ଶେଷ ନିଶ୍ୱାସ ଯାଏ ସେହି କଟା ହାତରେ ଲଢ଼ିଥିଲେ ଆଉ ମୋଗଲ ରାଜାକୁ ମୃତ୍ୟୁ ଦଣ୍ଡ ଦେଇ ଲହରେଇ ଥିଲେ ଗୈରିକ ଧ୍ବଜା I ଏବଂ ସେଇ ଧ୍ବଜାକୁ ଧରି ସେଠି ହିଁ ଟଳି ପଡ଼ିଥିଲେ I

ଦୃଶ୍ୟଟିକୁ ଦେଖି ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସିଥିଲା I ଲୋମ ଟାଙ୍କୁରୀ ଉଠୁଥିଲା I ଆଉ ତୀବ୍ର ହୃତ୍ ଗତି ସହ ଗର୍ବରେ ଛାତି ଫୁଲି ଉଠିଥିଲା I ଅଜାଣତରେ ମୁଖରୁ ବାହାରି ଆସିଥିଲା, "ବାଃ.... ମୋ ଦେଶର ଯୋଦ୍ଧା... ବାଃ I"

ବାସ୍ତବରେ କେତେ ମହାନ ଥିଲେ ମୋ ଦେଶର ଯୋଦ୍ଧା ଆଉ କେତେ ମହାନ ମୋ ଦେଶର ଇତିହାସ I ଶିବାଜୀଙ୍କ ନେତୃତ୍ୱରେ ଆରମ୍ଭ ସେଇ ସ୍ୱରାଜର ଅଗ୍ନି ଲିଭିଥିଲା ପଞ୍ଚସ୍ତରୀ ବର୍ଷ ପୂର୍ବେ ଆଜିର ଦିନରେ I ଯେଉଁ ଦିନ ମୋ ଦେଶ ସ୍ୱାଧୀନ ହେଇଥିଲା ଆଉ ଫର୍ ଫର୍ ହେଇ ଉଡିଥିଲା ମୋ ତ୍ରିରଙ୍ଗା I ଗର୍ବରେ କୁଣ୍ଢେମୋଟ ହେଇଯାଇଥିଲା ପ୍ରତ୍ୟକ ଭାରତୀୟଙ୍କ ବକ୍ଷ I ସେଇ ସ୍ୱାଧୀନତା ପାଇବା ପାଇଁ ତାନ୍ହାଜୀଙ୍କ ପରି କେତେ ଯେ ଅଗଣିତ ଯୋଦ୍ଧା ନିଜ ରକ୍ତ ଝରେଇଥିଲେ, କେତେ ଯେ ନିଜ ମୁଣ୍ଡ ଗଡ଼େଇଥିଲେ ତାର ହିସାବ ନାହିଁ I ଆଜି ସେଇ ରକ୍ତର ଫଳ ସ୍ୱରୂପ ଆମେ ଭୋଗ କରୁଛେ ଏଇ ସ୍ୱାଧୀନତା... ଗର୍ବରେ କହୁଛେ ଆମେ ସ୍ୱାଧୀନ ଭାରତର ସନ୍ତାନ I

ହଠାତ ଗେଟ୍ ର "ଠନ୍... ଠନ୍...." ଶବ୍ଦ ମୋର ସେଇ ଭାବନା ରାଇଜ ରୁ ଫେରେଇ ଆଣିଥିଲା ମତେ I ସମସ୍ତେ ଦିବା ଭୋଜନ କରୁଥିଲୁ.... ତେଣୁ ଭିତରୁ ପଚାରିଲି "କିଏ?

ବାହାରୁ ଏକ ଧ୍ବନ୍ତ କଣ୍ଠରୁ ଶୁଣାଗଲା, "ବାବୁ... ଖାଇବାକୁ ଗଣ୍ଡେ ମିଳିବ!!! ବହୁତ ଭୋକରେ ଅଛି ବାବୁ..... "

"ଏଇ କର୍ମ କୋଢିଆଙ୍କ ପ୍ରାଦୁର୍ଭାବ ସତରେ ଆଜିକାଲି ବହୁତ ବଢ଼ିଗଲାଣି I କାମ ଦାମ କିଛି କରୁନାହାନ୍ତି, ଅoଳସୁଆ ଗୁଡା I କୋଉଠି ମୋ ଦେଶର ମହାନ ଇତିହାସର ଯୋଦ୍ଧା... କୋଉଠି ଏବେକାର ଏଇ କର୍ମ କୁଢିଆ ଗୁଡା I"

ଭିତରୁ ହିଁ ତାକୁ ଧିକ୍କାର କରି ତଡ଼ିଦେଲି, "ନାଁ କିଛି ମିଳିବନି... ପଳା ଏଠୁ I"

କିଛି ସମୟ ପରେ ଖାଇ ସାରି, କଲ୍ ଟେ ଆସିବାରୁ ବାହାରକୁ ଗଲି କଥା ହେବାକୁ I

ମୋ ନଜର ପଡିଗଲା, ଗେଟ ପାଖରେ ବସିଥିବା ଗୋଟେ ଲୋକଟେ ଉପରେ I ଦେହରେ ମଳି ମୁଣ୍ଡିଆ ଚିରା ସାର୍ଟ ଆଉ ଲୁଙ୍ଗି ଟେ I ବାଳ ନୁଖୁରା I ଆଖିରେ ଲେଞ୍ଜେରା ଭର୍ତ୍ତି I ମତେ ଦେଖୁ ଦେଖୁ ଉଠି ଠିଆ ହେଇଗଲା I

"ତୁ ଏଯାଏ ଯାଇନୁ? ରହ ତୋ କଥା...... "

ହଠାତ୍ ଚୁପ ହେଇଗଲି ମୁଁ I ତାର ସେଇ ହାତ କୁ ଦେଖି I ଗୋଟେ ହାତ ନଥିଲା ତାର I କାନ୍ଦୁଣୁ ମାନ୍ଦୁଣୁ ହେଇ ଠିଆ ହେଇଥିଲା ସେଇ କଟା ହାତକୁ ଯୋଡି I କହିଚାଲି ଥିଲା, "ଖାଇବାକୁ ଗଣ୍ଡେ ମିଳୁ ବାବୁ.....କାଲିଠୁ କିଛି ଖାଇନି I"

କାହିଁକି କେଜାଣି ମୋ ଆଖିରେ ଲୁହ ଜକେଇ ଆସିଲା I ଭିତରକୁ ଯାଇ ଗୋଟେ ଥାଳିରେ କିଛି ଭାତ ଆଣି ତାକୁ ଖାଇବାକୁ ଦେଲି I

ଖାଇବା ଦେଖି ତା ଖୁସି କହିଲେ ନ ସରେ, ଗାଉଁ...ଗାଉଁ...କରି ଖାଇ ଚାଲୁଥାଏ I

ତାକୁ ପଚାରିଲି ତା ବିଷୟରେ I ଖାଉ ଖାଉ କହିଲା, "ପାଖ ଗାଁ ରେ ରହେ, ମନ୍ଦିରରେ ପୋଛା ପୋଛି କରି ସେଇଠି ପଡ଼ିରହେ I ହେଲେ କରୋନା ଯୋଗୁ ମନ୍ଦିର ବନ୍ଦ I ଦାନା ଦି ଗଣ୍ଡା ପାଇଁ ପାଖରେ ପଇସା ନାହିଁ I ଘରେ ସାନ ଭଉଣୀ ଆଉ ବୁଢ଼ୀ ମା I ଗାଁ ରେ ତ ଲୋକଙ୍କ ପାଖେ ଖାଇବା ନିଅଣ୍ଟ, ସେମାନେ ମତେ କଣ ଦେବେ I ସେଥିପାଇଁ ଧୁ ଧୁ ଖରାରେ କୋଡିଏ କିଲୋମିଟର ଚାଲି ଧାଇଁ ଆସିଛି ସହରକୁ, ଦି ଗଣ୍ଡା ଖାଇବା ମିଳିବା ଆଶାରେ I"

ତାକୁ ପଚାରିଲି, "ତତେ ଦିବ୍ୟାଙ୍ଗ ଭତ୍ତା ଆଉ ସରକାରୀ ସହାୟତା କିଛି ମିଳୁନି?"

ତାର "ସେଇଟା କଣ" ଉତ୍ତର ରେ ସତରେ ମୋର ମୁଣ୍ଡ ତଳକୁ ହେଇଗଲା I

ଛାତ ଉପରକୁ ଅନେଇଲି I ସକାଳେ ଉତ୍ତୋଳନ କରିଥିବା ସେଇ ତ୍ରିରଙ୍ଗା ଟା ଫର୍ ଫର୍ ହେଇ ଉଡୁନି ଆଉ I ସତେକି ମୁଣ୍ଡ ତଳକୁ କରି ସେମିତି ଝୁଲି ରହିଛି, ଫାଶୀ ଖୁଣ୍ଟରେ ଝୁଲିବା ପରି I ଲାଗିଲା ସତେ ଯେମିତି ନିଜେ ତାନ୍ହାଜୀ ସେଇ ଭିକାରୀ ରୂପରେ ଆସିଛନ୍ତି, ଆଉ କହିଛନ୍ତି......

"ଗର୍ବରେ ଛାତି ଫୁଲେଇ ଦେଉଥିଲୁ ନା କିଛି ସମୟ ଆଗରୁ, ଚଳଚିତ୍ର ରେ ମୋ ବୀରତ୍ୱ ଦେଖି I ହେଲେ ମୋ ମୁଣ୍ଡ ତଳକୁ ଆଜି ବାସ୍ତବତାରେ ମୋ ଦେଶର ଏଇ ଦୁର୍ଦଶା ଦେଖି I କଣ ଏଥିପାଇଁ ମୁଁ ମୋ ବଳିଦାନ ଦେଇଥିଲି?? ସ୍ଵରାଜ୍ୟର ଏତେ ବର୍ଷ ପରେ ଭି ମୋ ଦେଶ ଆଜି ପଛୁଆ I ମୋ ଦେଶର ସବୁ ଲୋକ ଦିନକୁ ଦି ଗଣ୍ଡା ଖାଇବାକୁ ପାଉନାହାନ୍ତି I ଦୁର୍ନୀତିର କରାଳ ରାକ୍ଷସ ମୋ ଦେଶକୁ ଖାଇ ସାରିଲାଣି I ଇଏ ତ ମୋ ସ୍ବପ୍ନର ସ୍ଵରାଜ୍ୟ ନୁହେଁ..... ଯାହା ପାଇଁ ମୁଁ ମୋ ପ୍ରାଣର ଆହୁତି ଦେଇଥିଲି......."

କିଛି ସମୟ ଆଗରୁ ଗର୍ବରେ ଉହୁଁକି ଉଠିଥିବା ମୋ ମୁଣ୍ଡ ଲାଜରେ ତଳକୁ ହେଇଗଲା I ବାସ୍ତବରେ ଏଇ ସ୍ୱାଧୀନତା ର ମୂଲ୍ୟ କଣ, ଯଦି ଆଜି ଭି ମୋର ଅଧା ଦେଶବାସୀ ରାତିରେ ପାଣି ପି ଭୋକ ମେଣ୍ଟାଉଛନ୍ତି!!! ଏ ସ୍ୱାଧୀନତାର ଲାଭ କଣ, ଯଦି ଅଜିଭି ଅଣ୍ଟି ଛୁରୀ ସାଜି ମୋ ଦେଶର ତଣ୍ଟି କାଟୁଛନ୍ତି ଦୁର୍ନୀତି ଗ୍ରସ୍ତ ନେତା ଆଉ ଅଫିସର୍!!!! ଏ ସ୍ୱାଧୀନତାର ମାନେ କଣ, ପରାଧୀନ ଭାରତ ଅପେକ୍ଷା ଯଦି ସ୍ୱାଧୀନ ଭାରତର ନାରୀ ନିଜକୁ ବେଶୀ ସୁରକ୍ଷିତ ମନେ କରିପାରୁନି!

ଧିକ୍ ଆମ ସ୍ୱାଧୀନତା........ ସ୍ୱାଧୀନ ହେଇ ଭି ଆଜି ଆମେ ପରାଧୀନ I



Rate this content
Log in

Similar oriya story from Inspirational