ABHISEK TRIPATHY

Others

2  

ABHISEK TRIPATHY

Others

ପଲ୍ଲୀ କୋଳରେ ସନ୍ଧ୍ୟାରାଣୀ

ପଲ୍ଲୀ କୋଳରେ ସନ୍ଧ୍ୟାରାଣୀ

2 mins
2.8K


     

କାଲି ଭୁବନେଶ୍ୱରର ସୂର୍ଯ୍ୟାସ୍ତ ଦେଖି ସତରେ ବିମୋହିତ ହେଇଯାଇଥିଲି I ବାସ୍ତବରେ ପ୍ରକୃତିର ଅଲିଅଳୀ ଅଳସି କନ୍ୟା ହେଉଛି ସୂର୍ଯ୍ୟାସ୍ତ I ଶୋଭାମୟୀ ସେଇ ପଶ୍ଚିମ ଆକାଶର ରକ୍ତିମ ଆଭା ସବୁବେଳେ ମୋର ସୌନ୍ଦର୍ଯ୍ୟପିପାସୁ ପ୍ରାଣକୁ କରେ ପ୍ରଲୁବ୍ଧ I 

     ନିଜ ଫୋନରେ ସେଇ ମନଲୋଭା ଶୋଭା କୁ କଏଦ କରି ଆଣିଲି ସୋସିଆଲ ମେଡ଼ିଆ ରେ ପୋଷ୍ଟ କରିବା ପାଇଁ I ପୋଷ୍ଟ କରିବା ଆଗରୁ ମା କୁ ଥରେ ଦେଖେଇଲି I ଏକ କଟାକ୍ଷ ପୂର୍ଣ୍ଣ ହାସ୍ୟ ସହ ମା ମୋର ସବୁ ଭ୍ରମ କୁ ଦୂର କରିଦେଲା I ୟାକୁ କଣ ସୂର୍ଯ୍ୟାସ୍ତ କହନ୍ତି I ଫୋନ ରେ ଗୋଟେ ଶସ୍ତା ଫୋଟୋ ଉଠେଇ ଲାଇଟରୁମ ରେ ଏଡିଟ କରିଦେଲେ କଣ ସନ୍ଧ୍ୟାର ସେ ସ୍ୱଚ୍ଛନ୍ଦ ପ୍ରକାଶ ବର୍ଣ୍ଣନା କରିହବ I ପ୍ରକୃତ ସୂର୍ଯ୍ୟାସ୍ତ ର ମନଲୋଭା ଦୃଶ୍ୟ କଣ ବୁଝେଇଦେଲା ମା, ମତେ ତା ପିଲାଦିନର କଥା କହି I

 

 ମା' ର ପିଲା ବେଳ ସମୟରେ ପଲ୍ଲୀସନ୍ଧ୍ୟା ର ଦୃଶ୍ୟ I ପଶ୍ଚିମ ଆକାଶେ ଦିବାକରକୁ କାଳପରଦାରେ ଢାଙ୍କି ଦେଇ ଆସେ ସନ୍ଧ୍ୟା I ଦେବାଳୟରୁ ଶୁଣାଯାଏ ଘଣ୍ଟା ଘଣ୍ଟ ଶଙ୍ଖ ଧ୍ୱନି I ମନ୍ଦିର ଆଉ ଭାଗବତ ଘରେ ଆଳତୀ ର ହୁଏ କାର୍ଯ୍ୟକ୍ରମ I ପଲ୍ଲୀ ବଧୂ ମଥାରେ ଓଢଣା ଢାଙ୍କି ବୃନ୍ଦାବତୀ ପାଖରେ ସଞ୍ଜ ଦିଏ I ଖେତ ରୁ ବାହୁଡ଼ି ଆସେ କୃଷିବଳ I ଗୋଠରୁ ଗୋରୁ ପଲ ଅଡାଇ କ୍ଲାନ୍ତ ଗୋପାଳ ଘର ବହୁଡେ l ଗାଁ ଦାଣ୍ଡରେ ସାଜେ ଗୋଧୂଳି ଧୂସରିତ I ଭାଗବତ ଟୁଙ୍ଗି ରୁ ଶୁଣାଯାଏ -

"ଶ୍ରୀ ଗୁରୁ ଚରଣ ବନ୍ଦଇ, 

ଶ୍ରୀ ଭାଗବତ ଆରମ୍ଭଇ "

ଜେଜେମା କୁ ଘେରି ବସନ୍ତି ଅବୋଧ ବାଳକ ବାଳିକା I ଜେଜେମା ଖୋଲେ, କାହାଣୀ ପେଡି, କେଉଁ ଅଗନା ଅଗନୀ ବନସ୍ତର ରଜା ପୁଅ ର ପକ୍ଷୀରାଜ ଘୋଡା ଚଢିବାରୁ ଆରମ୍ଭ ହୁଏ, "କାହିଁ ଫୁଲଗଛ ମଲୁ" ପାଖରେ ଶେଷ ହୁଏ କାହାଣୀ I

ନଡା ଛପର ଭେଦ କରି ଉଠେ କଳା ଧୂଆଁ I ନିକଟସ୍ଥ କିଆ ବୁଦା ରୁ ଶୁଭେ ବିଲୁଆନନାର ହୁକେ ହୋ ଶବଦ I କେଉଁ ହାଟ ବାହୁଡା଼ ବାଟୋଇ ତିନିମୁଣ୍ଡିଆ ବରଗଛ ପାଖରୁ ଭୂତ କୁ ଘଉଡ଼ି ଦେଇ ଆସେ, ଘର୍ମକ୍ତ ଶରୀର ରେ I ଖଦ୍ୟୋତ ର ମିଞ୍ଜି ମିଞ୍ଜି ଆଲୁଅ ଆଉ ଆମ୍ବଗଛରୁ ପେଚାର ଶବ୍ଦ ଭିତରେ ପଲ୍ଲୀ ସନ୍ଧ୍ୟା ପରିଣତ ହୁଏ ବୟସୀ ରାତିରେ I

     ବୋଉ କଥା ଶୁଣି, ନିଜକୁ ପ୍ରକୃତିପ୍ରେମୀ ଭାବୁଥିବା ମୋ ଅହଂ ତଳକୁ ହେଇଗଲା I ବାସ୍ତବିକ ଏହା ମୋର ଓଡିଶା I ଯାହାର ଶୋଭା ପଟାନ୍ତର ହୀନ I ଯାହାକୁ ଗୋଟେ ସାମାନ୍ୟ ଫୋଟୋ ରେ କଏଦ କରିବା ଅସମ୍ଭବ I


Rate this content
Log in