Narayan chandra Senapati

Inspirational

2.5  

Narayan chandra Senapati

Inspirational

ଧରମ ଭାଇ

ଧରମ ଭାଇ

5 mins
587


ମଧ୍ୟରାତ୍ର ଛୁଇଁବାକୁ କିଛିକ୍ଷଣ ଅପେକ୍ଷାରେ । ମାନସ ଓ ମାନସୀ ଶଯ୍ୟାରେ ନିଦକୁ ଅପେକ୍ଷା କରିଥାନ୍ତି । ମାନସର ଅନ୍ୟମନସ୍କ ମନରେ ଭରିରହିଥିଲା କିଛି ସ୍ମୃତିର ଆହ୍ୱାନ । ହଠାତ୍ ମୋବାଇଲ୍ ର ରିଙ୍ଗ ଟୋନ୍ ଟା ତାକୁ ଚେତେଇ ଉଠାଇଦେଲା ବିଛଣାରୁ । ଫୋନ୍ ଟାକୁ ଧରି ରିସିଭ୍ କରିବା ପୂର୍ବରୁ ସହଧର୍ମିଣୀ ମାନସୀର କେତେକ ଅବାନ୍ତର ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଥିଲା ତାକୁ । ସେ କିଏ..କାହିଁକି...ଓ ଏ ଅସମୟରେ ଫୋନ୍ କାହିଁକି କରିଛି ଆଦି ସନ୍ଦେହର ପ୍ରଶ୍ନ ବାଣ କ୍ଷତ ବିକ୍ଷତ ଓ ବିବ୍ରତ କରୁଥାଏ ମାନସକୁ । ମାନସ ଏକ ବିଜ୍ଞ ସରଳ ଉଚ୍ଚମନା ଦରଦୀ ମଣିଷ । ତଥାପି ସେ ଧୀର କ୍ଷୀଣ ଗଳାରେ କହିଲା..ମୋର ଜଣେ ସମ୍ପର୍କୀୟା ଭଉଣୀ ଫୋନ୍ କରିଛି । ଏତିକି କାନରେ ନ ପଶୁଣୁ ମାନସୀ ମୋବାଇଲ୍ ଟିକୁ ଛଡେଇ ନେଇ ଦେଖିଲା...ନାଁ ଅଛି ଅନୀତା ।

ଏ ଅନୀତା କିଏ? କେଉଁ ଦିନରୁ ତୁମର ଭଉଣୀ ହେଲାଣି ? କହି ଗର୍ଜି ଉଠିଲା ମାନସୀ ।

ତୁମେ ତାକୁ ଜାଣିନ.. । ମୁଁ ତାର ଧରମ ଭାଇ,ମାନସର ଉତ୍ତର ଥିଲା ।

ଓ.. ଧରମଭାଇ...ଏଇମିତି ଚାଲିଛି ଲୁଚା ଛପା ପ୍ରେମ... । ଏଇମିତି ଅନେକ ଅବାଞ୍ଛିତ ଅବାନ୍ତର ଟିପ୍ପଣୀ ଓ ତିରସ୍କାର ବାରମ୍ବାର ଧକ୍କା ଦେଉଥାଏ ମାନସର ନିଷ୍କପଟ ମନକୁ ।  ଛତ ବିକ୍ଷତ କରୁଥାଏ ତା ନିଷ୍ପାପ ହୃଦୟକୁ । ଏଇମିତି ଯୁକ୍ତି ତର୍କ ବାଦ ବିବାଦ ତିରସ୍କାର ଓ ଭତ୍ସନା ସହଚରୀମାନେ କିଛିକ୍ଷଣ ଆନନ୍ଦରେ କରୁଥାନ୍ତି ଉଦଣ୍ଡ ନୃତ୍ୟ । କେବଳ ମାନସର କେଇପଦ ଆଦୃତ କଥାକୁ ନୀରବରେ ଶୁଣୁଥିଲା ସେ ସମୟର ଜନୈକ ଶ୍ରୋତା "ସମୟ" ଅତି ଆଗ୍ରହରେ ।

ବୁଝିଲ ମାନସୀ, ଏ ସଂସାରରେ କେବଳ ମା'ଠାରୁ ଜନ୍ମିତ ଭଉଣୀ କ'ଣ ଭଉଣୀ ? ତୁମେ ଜାଣିନ, ମୋ ପବିତ୍ର ଭାରତୀୟ ସଂସ୍କୃତିକୁ । ଏଠି ଯେ ସେନେହ ଶରଧାରେ ଭାଇକୁ ମମତାର ବନ୍ଧନରେ ନିଃସ୍ୱାର୍ଥପରତାରେ ବାନ୍ଧିଥାଏ ସେ ଜଣେ ସଚ୍ଚା ଭଉଣୀ । ମାନସୀର ମୁହଁରୁ ଜ୍ୱାଳାମୁଖି ଅଗ୍ନି ଉଦ୍ଗୀରଣ ପରି ବର୍ଷୁଥିଲା ସେ ଭାଷଣ, ବାଜ୍ୟେ ସମ୍ପର୍କକୁ ମୁଁ ବିଶ୍ୱାସ କରେନା । ତାହା ଖାଲି ପ୍ରବଞ୍ଚନା ଓ ଧର୍ମକୁ ଆଖିଠାର..ମାତ୍ର ବାସ୍ତବରେ ସେଥିରେ ନ ଥାଏ ଆନ୍ତରିକତା..ବିଶ୍ୱାସ..ଓ ଭରସା । ଏ ମିଛ ସମ୍ପର୍କ ଅବାସ୍ତବ ଓ ସଭ୍ୟତାର ବିଷାକ୍ତ ଜତୁଗୃହ । ତେବେ ମୋତେ ତୁମେ ଜଣାଅ, ଏ ଅନୀତା କିପରି ତୁମର ଭଉଣୀ ହେଲା?ଦୀର୍ଘ ୯ ବର୍ଷର ବୈବାହିକ ସମ୍ପର୍କ ଭିତରେ ଏଭଳି ଅକସ୍ମାତ ଭଉଣୀର ଚିହ୍ନ ଆଜି ମୁଁ ପାଇଛି । କୁହ....ତା ସହିତ ତୁମର ସମ୍ପର୍କ କ'ଣ?

ହଉ, ତେବେ ଶୁଣ କହି ବହୁ ଦିନର ସାଇତା ସ୍ମୃତି ପେଡିଟାକୁ ଖୋଲିଦେଲା ମାନସ ।

ସେତେବେଳେ ମୁଁ ଥିଲି ଅବିବାହିତ । ମହାପାତ୍ର ଟ୍ରେଡିଂ କମ୍ପାନୀର ଏମ୍.ଡି. । ଆମର ପାରମ୍ପରିକ ଚିରଶତ୍ରୁ ଥିଲା ସମ୍ବିତ ପଟ୍ଟନାୟକ ଯେ କି ପଟ୍ଟନାୟକ ଟ୍ରେଡିଂ କମ୍ପାନୀର ଏମ୍.ଡି. । ଶତ ସହସ୍ର ଚେଷ୍ଟାକରି ତା କମ୍ପାନୀକୁ ଆଶାନୁରୂପ ଅଗ୍ରସର କରାଇପାରୁ ନ ଥିଲା ସେ । ଶେଷରେ ଷଢଯନ୍ତ୍ର କରିଥିଲା ଟଙ୍କା ଲୁଟ୍ ସହ ଜୀବନରୁ ମୋତେ ମାରିଦେବାକୁ । ଥରେ ଅଫିସ୍ ରୁ ବିଳମ୍ବ ରାତ୍ରିରେ ଅନ୍ୟୁନ ୫୦ ଲକ୍ଷ ଟଙ୍କାନେଇ ଫେରିବାର ଥିଲା,ଅଫିସ୍ ର କୌଣସି ଏକ ଗୃହଶତ୍ରୁଠାରୁ ଖବର ନେଇ, ଫେରିବା ଜଙ୍ଗଲ ରାସ୍ତାରେ ମୂତୟନ କରିଥିଲା ଭଡାଟିଆ ଗୁଣ୍ଡା । ମୁଁ ଫେରୁଥାଏ ଜିପ୍ ରେ । ନିଘଞ୍ଚ ଜଙ୍ଗଲ ଭିତରେ ଶୁଣିଲି ଏକ ଅବଳାର ଆର୍ତ୍ତଚିତ୍କାର । ସ୍ୱର ଅନ୍ୱେଷଣ କରି ପହଞ୍ଚିଲି ପାଖରେ । ଯାହା ଦେଖିଲି ହୃଦୟ ମୋର ବାରମ୍ବାର ପ୍ରଣୋଦିତ କଲା ସେ ବିପନ୍ନକୁ ସାହାଯ୍ୟ କରିବାକୁ । ସେ ଝିଅଟିକୁ ଉଲଗ୍ନ କରି ଧର୍ଷଣ କରିବାକୁ ଉଦ୍ୟତ ହେଉଥିଲେ ଦୁର୍ବୃତ୍ତମାନେ । ଆପ୍ରାଣ ଚେଷ୍ଟା କରି ନିଜ ଇଜ୍ଜତକୁ ବଞ୍ଚାଇବାକୁ ବାରମ୍ବାର ସଂଗ୍ରାମ କରୁଥିଲା ସେ ବିଚାରୀ,କାକୁତି ମିନତି ବି କରୁଥିଲା ଓ ଭଗବାନଙ୍କୁ ଡାକୁଥିଲା ମଧ୍ୟ । ମୋ ବିବେକ କହିଲାନି ତାକୁ ସାହାଯ୍ୟ ନ କରିବାକୁ । ଭାବିଲି ଏ ଯଦି ମୋ ମା',ଭଉଣୀ କି ଝିଅ ହୋଇଥାନ୍ତା !ଟଙ୍କାକୁ ଲୋଭ ନ ରଖି ଦୁର୍ବୁର୍ତ୍ତଙ୍କ ସଙ୍ଗେ କରିଥିଲି ଯୁଦ୍ଧ । ବଞ୍ଚାଇଥିଲି ସେ ବିଚାରୀଟାକୁ । ମାତ୍ର ସମ୍ବିତର ଗୁଣ୍ଡାମାନେ ଅସମୟରେ ମୋତେ ଆକ୍ରମଣ କରିଥିଲେ । ସେମାନଙ୍କୁ କାବୁ କରି ଘଉଡାଇ ଥିଲି,ସେ ଝିଅଟିବି ମୋତେ ଅନେକ ସାହାଯ୍ୟ କରିଥିଲା । ମୋ ମୁଣ୍ଡରେ ଶକ୍ତ ମାଡ ବାଜି ଲଢୁଥିବା ବେଳେ ସେମାନଙ୍କ ଆଖିକୁ ବାଲି ଫିଙ୍ଗି ଦୁର୍ବଳ କରିଦେଇଥିଲା । ପରେ ଶକ୍ତ ଆଘାତରୁ ସଂଜ୍ଞାହୀନ ହୋଇ ପଡିରହିଲି । ବହୁତ ଚେଷ୍ଟା କରିଥିଲା ସେ ମାତ୍ର ମୁଁ ଚେତା ପାଇ ନ ଥିଲି । ଅକସ୍ମାତ୍ ବର୍ଷାର ବର୍ଷଣ ମୋତେ ନବ ଜୀବନ ଦେଇଥିଲା । ଊଠି ଦେଖିଲି,ଜଙ୍ଗଲରେ ମୁ୍ଁ ଏକାକୀ । ଜିପ୍ ପାଖରେ ଦେଖିଲି ମୋ ଡାଏରୀରେ ଏକ ଲିଖିତ ଚିଠି ଯାହାକି ଥିଲା ଅଭାଗିନୀ ସେ ଝିଅଟାର । ଲେଖାଥିଲା...

ଭାଇ ଆଜି ମୋତେ ଇଜ୍ଜତ ଦେଇ ଆପଣ ଭଗବାନଠୁ ବି ବଳି ଅଧିକ ଉପକାର କରିଛନ୍ତି । ମୁଁ ଏକ ଅନାଥିନୀ । ମୋ ସ୍ୱାମୀକୁ ମାରି ମୋତେ ବଳପୂର୍ବକ ବିବାହ କରିବାକୁ ଭୀରୁ ଦାଦା ଯୋଜନା ଚଲାଇଛି । ମୁଁ ଜାଣେ ମୁଁ କେବେ ବି ତାପରି ରାକ୍ଷସଠାରୁ ରକ୍ଷା ପାଇବିନି । ତେଣୁ ମୁଁ ଏ ନଦୀରେ ବୁଡି ଆତ୍ମ ହତ୍ୟା କରିବାକୁ ଯାଉଛି । ମୋତେ ଭୁଲ୍ ବୁଝିବେନି ।

ଇତି ଆପଣଙ୍କର ଅଭାଗିନୀ ଭଉଣୀ ଅନୀତା ।

ଇତସ୍ତତଃ ଓ ବିବ୍ରତ ହୋଇ ଦୌଡିଲି ସେ ନଦୀକୂଳକୁ । ଦେଖିଲି ସେ ଗଣ୍ଡରେ ବୁଡି ଭାସୁଛି । କୂଳକୁ ଆଣି ତା ପେଟରୁ ପାଣି କାଢିଲି । ବହୁତ କଷ୍ଟରେ ସେ ଫେରି ପାଇଲା ଚେତା । ଚେତା ପାଇ ଧକେଇ କାନ୍ଦି ମୋ ମୁଣ୍ଡର କ୍ଷତରୁ ନିର୍ଗତ ରକ୍ତ ଦେଖି ସେ ବିବ୍ରତ ହୋଇଗଲା । ଶାଢୀର କାନି ଚିରି ପୋଛିଲା ଶରଧାରେ ମୋ ମଥାର ଲହୁ,ଆଦରରେ ବାନ୍ଧିଦେଲା ତା ଶାଢୀର କାନି ଖଣ୍ଡେ ମୋ ମଥାରେ ତ ଖଣ୍ଡେ ମୋ ହାତରେ । କାନ୍ଦି କାନ୍ଦି କହିଲା ଆଜିଠୁ ତୁମେ ମୋର ଭାଇ । ହେଲେ କାହିଁକି ମୋତେ ବଞ୍ଚାଇଲ ଭାଇ । କିଏ ମୋତେ ସାହାରା ହେବ?ସେଇଦିନୁ ସେ ଭଉଣୀଟାକୁ ଅନେକ ଦିନ ଅନାଥାଶ୍ରମରେ ରଖି ତା କଥା ବୁଝୁଥିଲି । ବିବାହ ପରେ ସେ ମୋତେ ମନା କରିଥିଲା ସାହାଯ୍ୟ କରିବାକୁ..କାହିଁକି ନା ..ସେ ଚାହୁଁ ନଥିଲା ତା-ମୋ ଭାଇ ଭଉଣୀର ପବିତ୍ର ସମ୍ପର୍କରେ କିଏ ଅପବିତ୍ର ଜଳ ଢାଳୁ । ମାତ୍ର ଏତିକି ବିନତି କରିଥିଲା ଭାଇ...ମୁଁ ବଞ୍ଚିଥିବା ଯାଏଁ ଯେମିତି ସବୁ ରାକ୍ଷୀ ପୁନେଇଁରେ ତୁମ ହାତରେ ରାକ୍ଷୀ ବାନ୍ଧିବି । ସେଥିପାଇଁ ରାକ୍ଷୀପୁନେଇଁ ପୂର୍ବଦିନ ସେ ମୋତେ ଫୋନ୍ କରି ଜଣାଏ । ଆଜି ସେଇଥି ପାଇଁ ସେ ଫୋନ୍ କରିଥିଲା ତା ଘରକୁ କାଲି ଯାଇ ରାକ୍ଷୀ ବାନ୍ଧିବାକୁ ।

କଥା ନ ସରୁଣୁ ହାତରେ ରାକ୍ଷୀପୁନେଇଁର ସଜ ଧରି ପହଞ୍ଚିଗଲା ଅନୀତା ତା ଭାଇ ଘରେ । ଆନନ୍ଦର ମହକ ଯେତିକି ତା ଓଠର ହସ ଦେଇ ବାହାରି ଆସୁଥିଲା ଆଶଙ୍କାର ଉଷୁମ ବି ସେତିକି ବାରି ହେଉଥିଲା ତା ମୁଖମଣ୍ଡଳରେ । ଭାଇକୁ ପ୍ରଣିପାତ ପରେ ଇସାରାରେ ଭାଉଜକୁ ଚିହ୍ନି ଭକ୍ତିପୂତ ପ୍ରଣାମ ଜଣାଇଲା ଅନୀତା । ସଙ୍କୋଚରେ କହିଥିଲା ଭାଇ,ମୋର ଭୁଲ୍ ହୋଇଯାଇଛି । ତୁମେ ଫୋନ୍ ରିସିଭ୍ ନ କରିବାରୁ ବ୍ୟସ୍ତ ହୋଇ ଚାଲି ଆସିଲି ତୁମ ଘରକୁ ବିନା ଅନୁମତିରେ । ଭାଉଜ ଆପଣ ମୋତେ ଯେଉଁ ଦଣ୍ଡ ଦେବେ ତାହା ନିଃସଙ୍କୋଚରେ ଗ୍ରହଣ କରିବି । ମାନସୀର ହୃଦୟରୁ ସନ୍ଦେହର ଖଣ୍ଡିଆଭୂତ ଗୁଡାକ ଧିରେ ଧିରେ ଅପସରି ଗଲା ପରି ଲାଗିଲା । ସମ୍ପର୍କର ଆଇନାଟା ଏତେ ଚିକ୍କଣ ଓ ଏତେ ସ୍ୱଚ୍ଛ ତା ଅସ୍ୱଚ୍ଛ ମନ ଏବେ କଳିପାରିଲା । ନିଜ ସ୍ୱାମୀର ମହାନତା ଏତେ ..ମାତ୍ର ସେ ତାଙ୍କୁ ନୀଚ୍ଚ ପରି କଦର୍ଯ୍ୟ ବ୍ୟବହାର କରିଛି ସେଥିପାଇଁ ନିଜ ବିବେକକୁ ବାରମ୍ବାର କୁଠାରଘାତ କରିଥିଲା । ଏ ଭାଇ ଡାକର ମହତ୍ତ୍ୱ..ଭଉଣୀ ପ୍ରତି ଭାଇର ମମତାର ନିବନ୍ଧନକୁ ସେ ଶହେ ସଲାମ୍ କଲା । ନିଜକୁ ଶତ ଧିକ୍କାର କଲା । ଆଖିରୁ ଅମାନିଆ ନିଷ୍ଠୁର ନିର୍ଲଜ ଅଶ୍ରୁଗୁଡାକ ଧାର ଧାର ହୋଇ ବହିଯାଉଥାଏ । ଲଜ୍ଜାରେ ମଥାନତ କରି ଅନୀତାକୁ କହିଲା...ଅନୀତା ମୋତେ କ୍ଷମା କର । ଆଖିରୁ ଲୁହ ପୋଛି ଦେଇ ଅନୀତା କହିଲା..ତୁମେ ପରା ମୋ ଭାଉଜ,ହିନ୍ଦୁ ଧର୍ମ ଅନୁସାରେ ବଡ ଭାଉଜ ମା' ସମାନ । ମା' କେବେ ତା ଝିଅକୁ କ୍ଷମା ମାଗିପାରେ?ମାନସ ଆଡକୁ ଯାଇ ମାନସୀ କହିଲା..ମୋତେ କ୍ଷମା କରିଦିଅ । ମଥାକୁ ଆଉଜେଇ ନେଇ ମାନସ କହିଲା..ଆମେ ପରା ଜନମ ଜନମର ସାଥୀ...ତମର ଏ ସାମାନ୍ୟ ସନ୍ଦେହକୁ ମୁଁ କ'ଣ ଭୁଲ୍ ଭାବିପାରେ । ତା ଛଡା ମୋ ଭଉଣୀ ତ ତୁମକୁ କ୍ଷମା କରିଦେଇଛି... ।

ମାନସୀର ଆଖିର ଲୁହ କିଛି କହୁଥିଲା...କିଛି ଅଭାବ ଅନୁଭବ କରିଥିଲା । ତା'ର ତ ଭାଇ ନାହିଁ ସେ କେମିତି ବା ଜାଣିଥାନ୍ତା ଭାଇ ଭଉଣୀର ସମ୍ପର୍କ!ମନେ ମନେ ଗର୍ବ ଅନୁଭବ କଲା ଏଇ ଓଡିଆ ମାଟିର ବୋହୂ ବୋଲି । ଯେଉଁ ସଂସ୍କୃତି ଖିଏ ସୂତାରେ ବାନ୍ଧେ ଭାଇ ଭଉଣୀର ମମତା ଡୋରି,ପଦିଏ ମଧୁବୋଳା ଡାକରେ ଚଢେ ସମ୍ପର୍କର ସରଗକୁ ସିଡି ସେଇ ସଂସ୍କୃତିର ପୂଜାରୀ ତା ନିଜ ସ୍ୱାମୀ । ଯେକି ମାନବିକତାର ସ୍ପର୍ଶରେ ଧରମ ଭାଇରୁ ରକ୍ତର ଭାଇଠୁ ଅଧିକ ହୋଇପାରିଛନ୍ତି ସେ କେଡେ ମହାନ...ଯେ ସେଭଳି ସ୍ୱାମୀର ସ୍ତ୍ରୀ!ମାନସ ..ଅନୀତାର ହାତରେ ଉପହାର ଦେଖି..ପଚାରିବାରୁ..ଅନୀତା କହିଲା..ଭାଇ,ଆଜି ମୁଁ ଚାକିରି ପାଇଯାଇଛି । ଯେଉଁ ଭାଇ ତାକୁ ଇଜ୍ଜତ,ଜୀବନ ଦେଇ ନୂଆ ଜୀବନ ଦେଇଛି ସେ ଭାଇ ପାଇଁ ଗରିବ ଭଉଣୀଟାର ଛୋଟ ଉପହାରଟିଏ । ଶ୍ରଦ୍ଧାରେ ମାନସୀ କୁଣ୍ଢେଇ ନେଇଥିଲା ଅନୀତାକୁ.. । କହିଥିଲା ଏ ତୁମ ଧରମ ଭାଇ ନୁହଁ ଆଜିଠୁ ତୁମେ ମୋ ଗେହ୍ଳା ନଣନ୍ଦ ଓ ସେ ତୁମ ନିଜ ଭାଇ॥

ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,କେନ୍ଦୁଝର


Rate this content
Log in

Similar oriya story from Inspirational