Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Bishwaranjan Tripathy

Inspirational


4  

Bishwaranjan Tripathy

Inspirational


ଏଇ ଆମ ସଂସାର

ଏଇ ଆମ ସଂସାର

13 mins 213 13 mins 213

ନିପଟ ମଫସଲ ଗାଁ ହରିପୁରରେ ତାର ଘର । ଭୁବନେଶ୍ୱରରୁ ପ୍ରାୟ ୧୦୦ କିମି ଦୂରତ୍ୱରେ । ବିଜୁର ବାପା ମାଆ ଚାଲିଯିବା ପରେ, ସେ ପୁରା ଏକୁଟିଆ ହୋଇଯାଇଥିଲା । ତାର ବାପା ମାଆ ଛଡା ଏଦୁନିଆରେ ତାର ମୁଣ୍ଡ ଉପରେ ହାତ ରଖି ଆହା ବୋଲି କହିବାକୁ କେହିନଥିଲେ । ସେ ଘରର ବଡ଼ପୁଅ ଥିବାରୁ, ତାର କାନ୍ଧକୁ ଘରର ସମସ୍ତ ଦାୟିତ୍ୱ ସହ ଛୋଟ ଭାଇ ଭଉଣୀ ଦୁଇ ଜଣଙ୍କ (ଅଜୁ ୧୦, ମିନୁ ୮) ଦାୟିତ୍ୱ ସମ୍ପୂର୍ଣ୍ଣ ରୂପେ ଆସିଯାଇଥାଏ । ସେତେବେଳେ ବିଜୁକୁ ମାତ୍ର ୧୪ ବର୍ଷ ବୟସ ହୋଇଥାଏ । ଯେହେତୁ ଘରର ଆର୍ଥିକ ପରିସ୍ଥିତି ସେମିତି ସ୍ଵଚ୍ଛଳ ନଥିଲା,ଖାଇବା,ପିଇବା,ପିନ୍ଧିବା ଓ ନିତିଦିନିଆ ଖର୍ଚ୍ଚ ପାଇଁ ସେ ବାଧ୍ୟବାଧକତାରେ ଏତେ କମ ବୟସରୁ ନିଜର ପାଠ ପଢା ଛାଡି ଏକ ଗ୍ୟାରେଜରେ ଯାଇ ତାର କଅଁଳିଆ ହାତରେ କାମ କରୁଥିଲା।

ସେତେବେଳେ ବିଜୁ ଜୀବନର ଏକମାତ୍ର ଲକ୍ଷ୍ୟ ଥିଲା ଯେମିତି ବି ହଉ ଦୁଇ ସାନ ଭାଇ,ଭଉଣୀଙ୍କୁ ପାଠ ପଢେଇ ମଣିଷ କରିବ । ସେ ମାତ୍ର ଗୋଟିଏ କଥା ବୁଝିଥିଲା ଯେ ମୁଁ ନହେଲେ ନାହିଁ ମୋ ଭାଇ ଭଉଣୀ ଦୁଇ ଜଣଙ୍କୁ ଯଦି ପାଠ ପଢେଇ ମଣିଷ କରିଦିଏ ମୋର ଆଉ ଦୁଃଖ ରହିବନି । ସେମାନେ ପାଠ ପଢି ମୋର ମାନ ରଖିବେ ଓ ମୋର ସବୁ ଦୁଃଖ ଓ ଅସୁବିଧାରେ ମୋପାଖରେ ଛିଡାହେବେ । ଏମିତି ସବୁ ମନରେ ଭାବନା ନେଇ ସ୍ୱପ୍ନରେ ହାୱା ଭରି ଭରି ବହୁତ ପରିଶ୍ରମ କରୁଥିଲା।

ଏହିପରିଭାବେ କଷ୍ଟରେ କିଛିବର୍ଷ ବିତିଯାଏ, ବିଜୁ କିଛି କିଛି ଟଙ୍କା ସଞ୍ଚୟ କରି ନିଜର ଏକ ଗ୍ୟାରେଜ ତିଆରି କରେ । ସେଦିନ ସେ ବହୁତ ଖୁସିଥିଲା କାହିଁକି ନା ତାକୁ ଆଉ ଅନ୍ୟ ଲୋକ ପାଖରେ କାମ କରିବାକୁ ପଡିବନି, କି କାହାର ଗାଳି ଭଲ ମନ୍ଦ କଥା ଶୁଣିବାକୁ ପଡିବନି, ଯାହା ବି ରୋଜଗାର ହବ ସବୁ ତାର, ଅଜୁ ଓ ମିନାର ପାଠ ପଢା ବହୁତ ଭଲରେ ହେବ, ଆଉ କିଛି ଅସୁବିଧା ରହିବନି । ଭଗବାନଙ୍କୁ ସେ ମନେ ମନେ ବହୁତ ଧନ୍ୟବାଦ ବି ଦେଉଥାଏ।

ସେହି ବର୍ଷ ଅଜୁ ଦୁଇ ପରୀକ୍ଷା ଓ ମିନା ମାଟ୍ରିକ ପରୀକ୍ଷା ଦେଇଥାନ୍ତି । ବିଜୁ ଯେତେ ମନାକଲେ ସୁଦ୍ଧା ପରୀକ୍ଷା ଛୁଟିରେ, ଅଜୁ ମଝିରେ ମଝିରେ ଗ୍ୟାରେଜକୁ ଆସି ତାର ଭାଇକୁ ସାହାଯ୍ୟ କରୁଥାଏ । ଇତିମଧ୍ୟରେ ସେମାନଙ୍କ ପରୀକ୍ଷା ଫଳ ପ୍ରକାଶିତ ହୁଏ । ଅଜୁ ଓ ମିନା ଦୁଇଜଣ ଯାକ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୁଅନ୍ତି । ମିନା କିନ୍ତୁ ଅଜୁଠାରୁ ଭଲ ମାର୍କ ରଖି ପାସ କରିଥାଏ।

ଦୁଇ ଭାଇ ଭଉଣୀଙ୍କ ସଫଳତା ଦେଖି ବିଜୁର ଛାତି କୁଣ୍ଢେମୋଟ ହୋଇଯାଉଥାଏ, ଓ ସବୁ ଲୋକଙ୍କୁ ଆଗୁଆ କହିବୁଲୁଥାଏ ମୋ ଭାଇ ଇଞ୍ଜିନିୟର ହବ, ମୋର ସବୁ ଦୁଃଖକୁ ଦୂର କରିବ, ଆଉ ମୋର ଗେହ୍ଲି ସାନଭଉଣୀ ମିନାର ବିବାହ ଧୁମଧାମରେ କରିବ।

ସେଦିନ ଅଜୁ ଆସି ତାର ଭାଇକୁ କୁହେ ଯେ ସେ ଇଞ୍ଜିନିଅରିଂ ପାଠ ପଢିବା ପାଇଁ ଚାହୁଁଛି । ତା ସାନ ଭାଇର ଆଗ୍ରହ ଦେଖି ସେ ମନା କରିପାରେନି, ହେଲେ ତା ପାଖରେ ଏତେ ଟଙ୍କା ବି ନଥିଲା ଯେ ଅଜୁର ଇଞ୍ଜିନିଅରିଂରେ ଆଡ଼ମିଶନ କରେଇବ, ତଥାପି ତାକୁ ନିରାଶ ନକରି କୁହେ ହଁ ପଢ଼ିବୁ ନିଶ୍ଚିତ, ତୁ ବ୍ୟସ୍ତ ହୁଅନା । ଅଜୁ ତାର ବଡ ଭାଇଙ୍କ ଠୁ ସେସବୁ ଶୁଣି ପୁରା ଖୁସିହୋଇଯାଏ।

ଏପଟେ ବିଜୁ ମୁଣ୍ଡରେ ଚିନ୍ତା ଭାଇକୁ ତାର ଇଞ୍ଜିନିଅରିଂ ପଢେଇବ ତାସହିତ ଭଉଣୀକୁ କଲେଜରେ ପଢେଇବ । ଏମିତି ବହୁତ ଚିନ୍ତା କରୁଥାଏ, ଏତେ ଟଙ୍କା ଆସିବ କୋଉଠୁ? ବହୁତ ଲୋକଙ୍କୁ କାକୁତି ମିନତୀ ହୁଏ, ଧାର ଉଦ୍ଧାର ମାଗେ ହେଲେ ଯେତିକି ଟଙ୍କା ଦରକାର ସେ ଠିକ ସମୟ ମଧ୍ୟରେ ସେତିକି ଟଙ୍କା ଯୋଗାଡ଼ କରିପାରେନି । ତେଣୁ ସେ ବାଧ୍ୟ ହୋଇ ସମସ୍ତଙ୍କ ଅଜାଣତରେ ତାର ସ୍ବପ୍ନ (ଗ୍ୟାରେଜ)କୁ ବିକ୍ରି କରିଦିଏ । ଭାଇ ଭଉଣୀଙ୍କୁ ତାର ଦୁଃଖକୁ ଜାଣିବାକୁ ଦିଏନି । ସେମାନଙ୍କୁ ଭୁବନେଶ୍ୱର ସହରକୁ ପଠାଏ ପାଠ ପଢିବା ପାଇଁ।

ଯେଉଁ ଗ୍ୟାରେଜର ଦିନେ ସେ ମାଲିକ ଥିଲା ଆଜି ପୁଣି ସେଇଠି ସେ ଶ୍ରମିକ ହୋଇ କାମକରେ । ତାକୁ ସେଠି କାମ କରିବାକୁ ଖରାପ ଲାଗୁଥାଏ ତାସହିତ ଯେତିକି ଟଙ୍କା ମିଳୁଥିଲା ସେତିକି ଟଙ୍କା ବି ଅଣ୍ଟୁ ନଥିଲା । ତେଣୁ ସେ ବାଧ୍ୟ ହୋଇ ଗାଁ ପାଖରେ ଥିବା ଏକ କାରଖାନାରେ ଶ୍ରମିକ ଭାବେ କାମ କରୁଥାଏ । ସେଠୁ ଯାହା ଯେତିକି ପଇସା ମିଳୁଥାଏ ସେସବୁ ତାର ଭାଇ,ଭଉଣୀଙ୍କୁ ପଠେଇଦିଏ । କିନ୍ତୁ ସେ ନିଜେ ଶାଗ ପଖାଳ ଖାଇ ଚଳେଇନିଏ।ଏମିତିଭାବରେ ପ୍ରାୟ ଦୁଇ ବର୍ଷ ବିତିଯାଏ।

ହଠାତ ଦିନେ ବିଜୁର ଦେହ ଖରାପ ହେବାରୁ ସେ ଆଉ କାମ କରିପାରେନି, ଘରେ ପଡିରହେ । ତେଣୁ ସେ ଅଜୁ ଓ ମିନୁ ପାଖକୁ ଟଙ୍କା ପଠେଇବାରେ ଅସମର୍ଥ ହୁଏ । ସେତେବେଳକୁ ଅଜୁର ପଢା ସରିବାକୁ ଆହୁରି ଦୁଇ ବର୍ଷ ବାକିଥାଏ । କିନ୍ତୁ ମିନୁର ଦୁଇ ଶେଷ ହୋଇଯାଇଥାଏ । ସେ ସେଠି ବି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୁଏ । କିନ୍ତୁ ଟଙ୍କା ଅଭାବରୁ ଭୁବନେଶ୍ୱରରେ ଆଉ ନପଢି ଗାଁ ପାଖ କଲେଜରେ ଯୁକ୍ତ ତିନି କଳାରେ ଆଡ଼ମିଶନ ନେଇ ପଢାପଢି ଆରମ୍ଭ କରେ । ତାସହିତ ଗାଁରେ ଟିଉସନ କରି ଯାହା କିଛି ଟଙ୍କା ହୁଏ ସେଥିରେ ଭାଇର ଚିକିତ୍ସା କରିବା ସହିତ, ନିଜର ପାଠ ପଢା ଓ ଘରର ଖର୍ଚ୍ଚ କଥା ବୁଝୁଥାଏ।

ସେପଟେ ଅଜୁ ନିଜ ଭାଇର ଏମିତି ଅବସ୍ଥା ଶୁଣି ବି ଘରକୁ ଆସି ପାରୁନଥାଏ । କାରଣ ଆଗକୁ ପରୀକ୍ଷା, ଯଦି ଏବେ ଘରକୁ ଯାଏ ତ ତାର ବର୍ଷ ଯାକର ଶ୍ରମ ବୃଥାରେ ଯିବ, ପୁଣି ଘରୁ ଟଙ୍କା ନଆସିବାରୁ ଅଜୁ ମନଦୁଃଖରେ ସେଦିନ କଲେଜ ଲନରେ ଏକୁଟିଆ ବସି ଚିନ୍ତା କରୁଥାଏ । ହଠାତ ତାର ବାନ୍ଧବୀ କଲେଜର ସବୁଠୁ ସୁନ୍ଦରୀ ସହ ସହରର ସବୁଠାରୁ ଧନୀ ବ୍ୟକ୍ତି ମିଷ୍ଟର ବିଶ୍ୱଜିତ ରାଏଙ୍କ ଏକମାତ୍ର ଅଲିଅଳି ଝିଅ ମିସ ମୋନା ରାଏ ଆସି ଅଜୁ ଦେହକୁ ଆଉଜି ବସି ପଚାରେ,

ମୋନା: କଣ ହୋଇଛି ଅଜୁ, ଏମିତି ମନଦୁଃଖରେ କଣ ପାଇଁ ଏଠି ଅକେଲା ବସିଛ?

ଅଜୁ: ନା ସେମିତି କିଛି ନାହିଁ । ବାସ ଏମିତି ବସିଛି, ମନଟା ଜମା ବି ଭଲ ଲାଗୁନି।

ମୋନା: ମନ ଭଲ ଲାଗୁନି! ହେଲେ କଣ ପାଇଁ?

ଅଜୁ: କିଛି ନକହି ଚୁପ ରୁହେ।

ମୋନା: ଆରେ କୁହ କଣ ହୋଇଛି, ମତେ କହିବନି ତ ଆଉ କାହାକୁ କହିବି?

ଅଜୁ: ସବୁ ଅସୁବିଧା କଥା ଗୋଟି ଗୋଟି କରି କୁହେ । ପୁଣି କୁହେ ମୁଁ ଆଉ ପଢିବିନି, ପାଠ ପଢ଼ା ଛାଡ଼ିଦେବି।

ମୋନା: ଏଥିରେ ମନ ଦୁଃଖ କରିବାର କଣ ଅଛି, ତୁମ ଭଉଣୀ ତ ଗାଁରେ ଭାଇଙ୍କ ପାଖରେ ଅଛନ୍ତି । ସେତ ସବୁକଥା ବୁଝୁଛନ୍ତି । ଆଉ ପଢା କଣ ପାଇଁ ଛାଡିବ ଶୁଣେ? ପଢା ଛାଡି ଗାଁରେ ଯାଇ କଣ ଚାଷ କରିବ? ଆଉ ତୁମ ଭାଇ ଯୋଉ ତୁମକୁ ନେଇ ସ୍ୱପ୍ନ ଦେଖିଥିଲେ ତାର କଣ ହେବ?

ଅଜୁ: ହେଲେ.... ଏମିତି ଅବସ୍ଥାରେ ମୋର ପଢ଼ା ପାଇଁ, ମୁଁ ଏତେ ଟଙ୍କା କୋଉଠୁ ଆଣିବି?

ମୋନା: ହେଲେ ଫେଲେ କିଛି ନାହିଁ, ଆଜି ତୁମେ ଆମ ଘରକୁ ଯିବ । ତୁମ ବିଷୟରେ ମୁଁ ମୋ ଡାଡିଙ୍କୁ କହିଛି, ସେ ତୁମକୁ ଦେଖିବା ପାଇଁ ଚାହୁଁଛନ୍ତି । ଆଉ ହଁ ପଢିବା ପାଇଁ ଯାହା ପଇସା ଦରକାର ତମେ ସେଥିପାଇଁ ଚିନ୍ତା କରନି।

ଅଜୁ: ଆରେ ମୁଁ କେମିତି ଯିବି ଯେ, ନା ମୁଁ ଯାଇପାରିବିନି।

ମୋନା: କଣ ଯାଇପାରିବନି, ତୁମକୁ ଆଜି ସନ୍ଧ୍ୟାରେ ଯେମିତି ହେଲେ ବି ଯିବାକୁ ହବ, ବାସ।

ଅଜୁ: ହଉ ତାହେଲେ ଯିବି । କିନ୍ତୁ ଗୋଟେ ସର୍ତ୍ତରେ।

ମୋନା: ସର୍ତ୍ତ ପୁଣି କଣ?

ଅଜୁ: ଡାଡି ମୋସହ କଥା ହେଲାବେଳେ ତୁମେ ସେଇଠି ରହିବ।

ମୋନା: ତୁମେ ଆସ ଆଜି ସନ୍ଧ୍ୟାରେ, ସେତେବେଳେ ଦେଖିବା।

ସେଦିନ ସନ୍ଧ୍ୟାରେ ଅଜୁ ତାର ସବୁଠାରୁ ଭଲ ଡ୍ରେସଟି ପିନ୍ଧି ପୁରା ରେଡି ହୋଇଯାଇ ପହଁଞ୍ଚିଯାଏ ସହରର ବିଶିଷ୍ଟ ଶିଲ୍ପପତି ବିଶ୍ୱଜିତ ରାଏଙ୍କ ଘର ସାମନାରେ । ସେଠି ପହଞ୍ଚି ଅଜୁ ସିକ୍ୟୁରିଟିକୁ କୁହେ,

ଅଜୁ: ଭାଇ ଗେଟ ଖୋଲ ଭିତରକୁ ଯିବି, ମୋର ବିଶ୍ୱଜିତ ବାବୁଙ୍କ ସହ ଦେଖା କରିବାର ଅଛି ।

ସିକୁରିଟି: ନା ନା ବାହାର ଲୋକଙ୍କୁ ବିନା ଅନୁମତିରେ ଭିତରକୁ ପ୍ରବେଶ ନାହିଁ।

ଅଜୁ: ଆରେ ମତେ ତୁମ ବାବୁ ଡାକିଛନ୍ତି ଆଜି ସନ୍ଧ୍ୟାରେ ଦେଖା କରିବା ପାଇଁ।

ସିକୁରିଟି: ଆଛା ତୁମ ନାମ କଣ?

ଅଜୁ: ମୋ ନାମ ଅଜୟ ମହାନ୍ତି।

ସିକୁରିଟି: ସେତେବେଳୁ ନାମଟା କହୁନାହାନ୍ତି, ମୁଁ ଜାଣିବି କେମିତି ଆପଣ ଅଜୟ ବାବୁ ବୋଲି । ମନେ ମନେ ଭାବୁଥାଏ, ଇଏ ତ ବାବୁଙ୍କ ଚାକର ସନା ଠାରୁ ବି ଖରାପ ଡ୍ରେସ ପିନ୍ଧିଛି । ୟାକୁ କଣ ପାଇଁ ଡାକିଛନ୍ତି କେଜାଣି । ଏମିତି ଭାବି ଭାବି ଘରର ଗେଟଟି ଖୋଲିଦିଏ ।

ଅଜୁ ଭିତରକୁ ପ୍ରବେଶ କରି ଦେଖେ ତ ରାଜପ୍ରାସାଦ ଭଳି ଘର, ଏତେ ବଡ ବଗିଚା, ଚାକର ପୂଜାରୀ ମାଳ ମାଳ କାମ କରୁଥାନ୍ତି । ସେ ଡରି ଡରି ଘରେ ପ୍ରବେଶ କରୁଥାଏ । ହଠତ ଅଜୁକୁ ଦେଖି ଘର ସାମ୍ନାରେ ବନ୍ଧା ହୋଇଥିବା କୁକୁରଟି ଜୋରରେ ଭୁକିବାକୁ ଲାଗେ । ଅଜୁ ଡରରେ ଆଉ ଭିତରକୁ ପ୍ରବେଶ ନକରି ଫେରିଯାଉଥାଏ । ସେତେବେଲକୁ ମୋନା ଘରର ବାଲକୋନି ଉପରେ ଠିଆ ହୋଇ ସେସବୁ ଦୃଶ୍ୟକୁ ଉପଭୋଗ କରୁଥାଏ ଓ ମନେ ମନେ ବହୁତ ହସୁଥାଏ।

ହଠାତ ଅଜୁର ଫେରିଯିବା ଦେଖି ସେ ତାକୁ ପାଟି କରି ଡାକେ,

ମୋନା: ଅଜୁ ...ଶୁଣ.. ଅଜୁ, ଆରେ କୁଆଡେ ଫେରିଯାଉଛ ଘର ସାମ୍ନାରୁ?

ଅଜୁ: ଆରେ ତୁମର ସେ କୁକୁର ମତେ ଭିତରକୁ ଯିବାକୁ ଦେଲେତ।

ମୋନା: ହସିକି କୁହେ, ଏତେ ବଡ ଲୋକ ହେଲଣି ସାମାନ୍ୟ ସେ କୁକୁରଟାକୁ ଡ଼ରୁଛ।

ଅଜୁ:ଆରେ ନାଈଁ ସେ କୁକୁରକୁ ମୁଁ ଡରୁନି, ଡରୁଛି ତାର ସେ ଭୁକିବାକୁ ଦେଖି।

ମୋନା: ପୁଣି ହସିକି କୁହେ, ଆରେ ରୁହ ସେଇଠି ମୁଁ ତଳକୁ ଯାଉଛି।

ତାପରେ ମୋନା ତଳକୁ ଆସି ଅଜୁକୁ ଘରଭିତରକୁ ନେଇ ପ୍ରବେଶ କରେ, ବିଶ୍ୱଜିତବାବୁ ତାଙ୍କ ଡ୍ରଇଂ ରୁମରେ ବସି ପେପର ପଢୁଥାନ୍ତି । ସେହି ସମୟରେ ମୋନା କୁହେ,

ମୋନା: ଡାଡି ଅଜୁ ଆସିଗଲେ । କଣ କଥା ହେବା କଥା ଆପଣ ପଚାରନ୍ତୁ।

ଅଜୁ: ବିଶ୍ୱଜିତବାବୁଙ୍କୁ ପ୍ରଣାମ କରି ମୋନା ଓ ତା ନିଜ ବିଷୟରେ ସବୁ କଥା କୁହେ । ଆମେ ଦୁହେଁ ଦୁହିଁଙ୍କୁ ବହୁତ ଭଲପାଉ।

ବିଶ୍ୱଜିତ:ଆଛା ଠିକ ଅଛି, ମୋନାକୁ ନେଇ ତୁମର ଭବିଷ୍ୟତ ପ୍ଲାନ କଣ ଅଛି?

ଅଜୁ: ସାର ସେମିତି କିଛି ପ୍ଲାନ ନାହିଁ, ପଢା ସରିଲା ପରେ ଚାକିରୀ କରିବି ଓ ତାପରେ ବିବାହ।

ବିଶ୍ୱଜିତ ବାବୁ:ଆଛା ଠିକ ଅଛି, ସେସବୁ ପରେ ଦେଖିବା । ହେଲେ ମତେ ମୋନା କହୁଥିଲା ତୁମ ବଡ ଭାଇ କୁଆଡେ କୋଉ ରୋଗରେ ପୀଡିତ ଅଛନ୍ତି, ସେ କୁଆଡେ ବହୁତ ପରିଶ୍ରମ କରି ତୁମକୁ ପାଠ ପଢଉଛନ୍ତି । ଆଉ ଏବେ ରୋଗ ଶଯ୍ୟାରେ ପଡିବା ପରେ ତୁମର ପଢା ଖର୍ଚ୍ଚ ଦେବାରେ ବହୁତ ଅସୁବିଧା ହେଉଛି।

ଅଜୁ: ଆଜ୍ଞା ସାର, ମୋନା ଯାହା ବି କହିଛି ସତ।

ବିଶ୍ୱଜିତ: ଠିକ ଅଛି ତୁମେ ସେଥିପ୍ରତି ବ୍ୟସ୍ତ ହୁଅନି, ତୁମର ପଢ଼ାରେ ଯାହା ଖର୍ଚ୍ଚ ଲାଗିବ ମୁଁ ଦେବି, ଆଉ ହଁ ଏବେ କିଛି ଟଙ୍କା ନେଇଯାଅ, ପ୍ରଥମେ ତୁମ ଭାଇଙ୍କ ଚିକିତ୍ସା ଭଲରେ କରାଅ।

ଅଜୁ: ଆଜ୍ଞା ସାର।

ବିଶ୍ୱଜିତ: ସେ ସାର ଫାର କହିବା ଛାଡ଼, ତୁମେ ଏ ଘରର ଭାବି ଜ୍ୱାଇଁ, ତେଣୁ ମତେ ଡାଡି ବୋଲି ଡାକିପାର । ଆଉ ହଁ ନିଜର ଏ ହୁଲିଆ ଟିକେ ବଦଳାଅ । କହି ସେଠୁ ଚାଲିଯାନ୍ତି।

ଅଜୁ : ପୁଣି କୁହେ ଆଜ୍ଞା ସାର।

ଏହି ସମୟରେ ମୋନା କିଛି ଟଙ୍କା ଆଣି ସେ ଜାଗାରେ ପ୍ରବେଶ କରେ ଓ ଅଜୁ ହାତରେ ଟଙ୍କା ବିଡାଟି ଧରେଇଦେଇ ଖୁସିରେ ଅଜୁକୁ କୁଣ୍ଢେଇ ହସିବାକୁ ଲାଗେ । କହିବାକୁ ଲାଗେ ଯାହା ହଉ ଭଗବାନ ମୋ ଡାକ ଶୁଣିଲେ, ଡାଡି ଖୁସିରେ ଖୁସିରେ ମାନିଗଲେ ଆମ ବିବାହ କଥା ବହୁତ ଜଲ୍ଦି, ଏବେ ବି ମୋର ବିଶ୍ୱାସ ହଉନି । 

ସେପଟେ ମିନୁ ବହୁତ କଷ୍ଟରେ ତାର ଭାଇର ଚିକିତ୍ସା କରିବା ସହିତ ଘର ଚଳଉଥାଏ । ସେଦିନ ହଠାତ ମିନୁ ତାର ଅଜୁ ଭାଇକୁ ଘରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଏ । କୁହେ ଭାଇ ତୁମେ କାହାକୁ କିଛି ନଜଣେଇ ହଠାତ । ଅଜୁ କୁହେ, ଆଲୋ ଭାଇଙ୍କ ଦେହ ଖରାପ, ଆଜକୁ ଦୁଇ ମାସ ହେଲା ତାଙ୍କ ଦେହ ଭଲ ହଉନି । ସେଥିପାଇଁ ପରୀକ୍ଷା ଶେଷ କରି ଆସିଲି । ଅଜୁ ଯାଇ ତାର ବଡଭାଇକୁ ପ୍ରଣାମ କରେ, ଏହି ସମୟରେ ଅଜୁର ଶୁଖିଲା ମୁହଁକୁ ଦେଖି ବିଜୁ କୁହେ,

ବିଜୁ: ଆରେ ଅଜୁ ତୋର ପଢା କେମିତି ଚାଲିଛି? ଦେଖୁଛୁ ମୋ ଦେହ ଦୁଇ ମାସ ହେଲାଣି ପୁରା ଖରାପ । ରୋଜଗାର ବୋଲି କିଛି ନାହିଁ । ଏଇ ମିନୁଟି ଯାହା ଯେତିକି ଟିଉସନ କରି ରୋଜଗାର କରୁଛି, ନିଜ ପଢା,ଘର ଖର୍ଚ୍ଚ ସହ ସବୁକିଛି ତାର ପଢ଼ାରେ ସରିଯାଉଛି । ମତେ କ୍ଷମା କରିଦେରେ ଅଜୁ, ମୁଁ ତୋର ସ୍ୱପ୍ନକୁ ପୁରା କରିପାରିଲିନି।

ଅଜୁ: ଭାଇ ତୁମେ ବ୍ୟସ୍ତ ହୁଅନି, ମୋ ପଢା ଠିକ ଠାକ ଚାଲିଛି, ଏବେ ଖାଲି ମୋର ଗୋଟିଏ ଚିନ୍ତା ତୁମେ କେମିତି ସୁସ୍ଥ ହେବ।

ବିଜୁ: ଆରେ ମୋର କିଛି ହବନିରେ,ତୁମେ ସମସ୍ତେ ଅଛ ପରା ମୋ ସହ । ପାଗେଳାଟା, କହି କାନ୍ଦିବାକୁ ଲାଗନ୍ତି।

ଅଜୁ: ଭାଇ ତୁମେ କାନ୍ଦନି, କି ମନ ଦୁଃଖ କରନି । ମୁଁ ତୁମର ଚିକିତ୍ସା ଭୁବନେଶ୍ୱରରେ ନେଇ କରେଇବି । ସେଠି ମୁଁ ଡାକ୍ତରଙ୍କ ସହ କଥା ହେଇଛି, ତୁମେ ବହୁତ ଜଲ୍ଦି ସୁସ୍ଥ ହୋଇଯିବ।

ବିଜୁ: ଆରେ ଭୁବନେଶ୍ୱରରେ ଚିକିତ୍ସା କରିଲେ ତ ବହୁତ ଟଙ୍କା ଖର୍ଚ୍ଚ ହେବ, ତୁ ଏତେ ଟଙ୍କା ଆଣିବୁ କୋଉଠୁ?

ଅଜୁ: ତୁମେ ଟଙ୍କା କଥା ଚିନ୍ତା ନକରି, ବାହାରିଲ ଆଗେ, ମିନୁ ତୁ ବି ବାହାରେ।

ମିନୁ: ହେଲେ ଭାଇ ଏତେ ଟଙ୍କା ତୁମେ ଆଣିବ କୋଉଠୁ ଯେ?

ଅଜୁ: ଆରେ ତୁ ଭାଇଙ୍କ ଜିନିଷପତ୍ର ରେଡି କରି ଜଲ୍ଦି ବାହାରିଲୁ । ପରେ ସେସବୁ କହିବି।

ସମସ୍ତେ ଏକାଠି ହୋଇ ଭୁବନେଶ୍ୱର ବାହାରନ୍ତି, ସେଠି ବିଜୁର ଚିକିତ୍ସା ଭଲରେ ହୁଏ, ପୁରା ତିରିଶି ଦିନ ପରେ ବିଜୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ପୁନର୍ବାର ଫେରିଆସେ।

ପୁଣି ପୂର୍ବଭଳି ବିଜୁ ଫାକ୍ଟ୍ରିରେ କାମ କରିବାକୁ ଲାଗେ । ଅଜୁ କିନ୍ତୁ ଆଉ ତାର ବିଜୁ ଭାଇକୁ ଟଙ୍କା ମାଗୁନଥାଏ ତାସହିତ ମେଡ଼ିକାଲରେ ଯାହା ଟଙ୍କା ଖର୍ଚ୍ଚ ହୋଇଥିଲା ସେକଥା ବି କିଛି କହୁନଥାଏ । ବିଜୁ ସେସବୁ ବିଷୟରେ ଭାବି ଭାବି ଆଶ୍ଚର୍ଯ୍ୟ ହେଉଥାଏ, ଅଜୁକୁ ଯତେ ପଚାରିଲେ ସେ କିଛି ବି କହୁନଥାଏ । ଖାଲି କହୁଥାଏ, ଭାଇ ତୁମେ ଟଙ୍କାକୁ ନେଇ ଜମା ବ୍ୟସ୍ତ ହୁଅନି।ଏମିତି ପୁଣି ଦୁଇ ବର୍ଷ ବିତିଯାଏ । ଅଜୁ ଭଲରେ ଭଲରେ ଇଞ୍ଜିନିଅରିଂରେ କୃତକାର୍ଯ୍ୟ ହେବା ସହିତ ତାର କଲେଜ କ୍ୟାମ୍ପସରେ ଦିଲ୍ଲୀ ସ୍ଥିତ ଏକ ନାମୀ କମ୍ପାନିରେ ସିଲେକ୍ଟ ହୋଇଯାଏ । ତେଣୁ ସେ ଦିଲ୍ଲୀ ଯିବାପାଇଁ ପ୍ରସ୍ତୁତ ହୁଏ । ମୋନା ଖୁସି ହୋଇ ଅଜୁ ବିଷୟରେ ଯାଇ ତାର ଡାଡିଙ୍କୁ କୁହେ,

ବିଶ୍ୱଜିତ ବାବୁ ଖୁସି ହେବା ବଦଳରେ ରାଗିଯାନ୍ତି ଆଉ କୁହନ୍ତି, ମୁଁ କଣ ଟଙ୍କା ଦେଇଥିଲି ସେ ଯାଇ ଅଲଗା କମ୍ପାନୀରେ କାମ କରିବ । ନା ସେମିତି ହେଇପାରିବନି, ତୁ ଯାଇ ତାକୁ ବୁଝେଇଦେ, ଯେ ସେ କୌଣସି କମ୍ପାନୀରେ ଯୋଗ ନଦେଇ ଆସି ମୋ ଫାକ୍ଟ୍ରି କଥା ବୁଝୁ ଓ ଏହାକୁ ଆଗକୁ ବଢ଼େଇବାରେ ମତେ ସାହାଯ୍ୟ କରୁ । ମୋର ବି ବୟସ ହେଲାଣି, ତୁମେ ଦୁହେଁ ମିଶି ଏ ଫାକ୍ଟ୍ରିକୁ ଆଗକୁ ନେବ।

ମୋନା: ସେ କଣ ମାନିବେ ଏ ପ୍ରସ୍ତାଵରେ?

ବିଶ୍ୱଜିତ ବାବୁ: ଆରେ ସେ ମାନିବ, ନ ମାନିଲେ ତାକୁ ଜବରଦସ୍ତ ମନେଇବାକୁ ପଡିବ।

ମୋନା: ହେଲେ କେମିତି?

ବିଶ୍ୱଜିତ ବାବୁ: ଆରେ ତୁ ତାକୁ ଆଗେ ସେ ପ୍ରସ୍ତାବଟା ଦେ, ଆଉ ଦେଖେ କଣ କହୁଛି।

ମୋନା: ଓକେ ଡାଡି, ମୁଁ ତାଙ୍କୁ କାଲି କହିବି।

ପରଦିନ ସକାଳେ ବିଶ୍ୱଜିତ ବାବୁ ଯାହା ଯାହା କହିଥିଲେ ମୋନାକୁ, ସେ ଯାଇ ଅଜୁକୁ ସେସବୁ ବିଷୟରେ କୁହେ, ଅଜୁ ସେସବୁ ଶୁଣିଲା ପରେ ଦ୍ଵନ୍ଦରେ ପଡ଼ିଯାଏ, ଦିଲ୍ଲୀ ଯିବ କି ନାଈଁ । ମନେ ମନେ ପୁଣି ଭାବୁଥାଏ, ଯାହାଙ୍କ ପାଇଁ ମୋର ସ୍ୱପ୍ନ ଆଜି ପୁରା ହୋଇଛି, ଆଉ ମୋର ଭାଇ ଆଜି ସୁସ୍ଥ ହୋଇଛନ୍ତି ତାଙ୍କ ପାଇଁ ମୁଁ କଣ ଏତିକି କରିପାରିବିନି? ନା ମୁଁ ଦିଲ୍ଲୀ ଜୀବିନି ଏଠି ରହିବି, ଏମିତି କିଛି ସମୟ ଭାବିବା ପରେ ସେ ମୋନା କଥାରେ ରାଜି ହୋଇଯାଏ।

ସେପଟେ ହଠାତ ଗାଁରେ ଗୋଟେ ଦିନ ହରି ମାଷ୍ଟ୍ରେଙ୍କ ଘର ସାମନାରେ ଗହଳି ଲାଗିରହିଥାଏ, ବିଜୁ ଭାବେ ଆଜି ତ ସାରଙ୍କ ଝିଅ ପ୍ରୀତିର ବାହାଘର ଥିଲା, ଏମିତି ଗହଳି କଣ ପାଇଁ ହୋଇଛି? ସେଠିକୁ ଯାଇ ବୁଝିଲା ବେଳକୁ ଦେଖେ ତ ଯୌତୁକ ପାଇଁ ପ୍ରୀତିର ଶାଶୁଘର ଲୋକେ ହାତ ଗଣ୍ଠି ନପକେଇ ଫେରିଯାଉଥାନ୍ତି । ବିଜୁ ସେମାନଙ୍କୁ ବହୁତ ବୁଝେଇବାକୁ ଚେଷ୍ଟା କରି ବିଫଳ ହୁଏ, ହଠାତ ପ୍ରୀତିର ଶଶୁର ବିଜୁକୁ କୁହନ୍ତି, ଆରେ ବାବୁ ତୋର ଯଦି ଏତେ ସମାଜ ସେବା କରିବାର ଅଛି ତୁ ବାହା ହେଇଯାଉନୁ ସେ ମଙ୍ଗୁଳା ଝିଅକୁ । ମୋର ଟଙ୍କା ଦରକାର, ସେତିକି ନହେଲେ ଆମେ ଚାଲିଲୁ।

ବିଜୁ କୁହେ ଆପଣ ବୋଧହୁଏ ଜାଣିନାହାନ୍ତି ଯେ ଯୌତୁକ ନେବା ବା ଦେବା ଆଇନତଃ ଅପରାଧ । ପ୍ରୀତିର ଶଶୁର କୁହନ୍ତି, ବାବୁରେ ମତେ ତୁ ଆଉ ଆଇନ ପାଠ ପଢ଼ାନି, ମୁଁ ସେ ଆଇନ ପାଠ ବହୁତ ପଢ଼ିଛି, ଚାଲରେ ସବୁ । ଏମିତି କହି ବାହା ବେଦୀରୁ ପୁଅକୁ ନେଇ ଚାଲିଯାନ୍ତି । ହରି ମାଷ୍ଟ୍ରେ ତାଙ୍କ ଜୀବନର ସମସ୍ତ ସଞ୍ଚିତ ଅର୍ଥକୁ ଖର୍ଚ୍ଚ କରିଦେଇଥାନ୍ତି ଝିଅର ବାହାଘରରେ । ତେଣୁ ସେ ଚିନ୍ତାରେ ବସିଥାନ୍ତି । ସେପଟେ ପ୍ରୀତି ଆତ୍ମହତ୍ୟା କରିବା ପାଇଁ ବାହାରିଲା ବେଳକୁ କେହି ଜଣେ ଡାକ ପକେଇ କହିଲା, ପ୍ରୀତି ଦିଦିକୁ ରକ୍ଷା କର । ବିଜୁ ଦୌଡିକି ଯାଇ ସେ ଘରର କବାଟ ଭାଙ୍ଗି ପ୍ରୀତି ଆତ୍ମହତ୍ୟା କରିବାରୁ ରକ୍ଷା କରେ ଓ ସଂଗେ ସଙ୍ଗେ ତାର ମଥାରେ ସିନ୍ଦୂର ଦେଇ ତାକୁ ସ୍ତ୍ରୀ ରୂପେ ଗ୍ରହଣକରେ ଓ ସଙ୍ଗେ ସଙ୍ଗେ ଉଭୟ ବିଜୁର ଘରକୁ ଚାଲିଆସନ୍ତି । ଏସବୁ ଏତେ ଜଲ୍ଦି ଘଟିଯାଇଥିଲା ଯେ ସେ କାହାକୁ ବି ଜଣେଇ ପାରିନଥିଲା । ମିନା ବି ବହୁତ ଝୁସି ହୋଇଯାଏ, ତାର ନୂଆ ଭାଉଜ ପାଇକି।

ବିଜୟ ପ୍ରୀତିକୁ ତାର ପ୍ରଥମ ରାତିରେ କୁହେ,

ବିଜୟ: ମୁଁ ତୁମ ଭଳି ପାଠୁଆ ନୁହେଁ, ବହୁତ ରୋଜଗାର ବି ମୋର ନାହିଁ, ଘରେ ମୋର ସବୁପ୍ରକାର ଅସୁବିଧା, ସେଦିନ ସେ ସ୍ଥିତିରେ ମୁଁ କଣ କରୁଥିଲି ମୁଁ ନିଜେ ବି ଜାଣିପାରିନଥିଲି । ତୁମେ ମତେ ପାଇ ଖୁସି ତ?

ପ୍ରିତି: ତୁମେ ସେମିତି କୁହନା, ତୁମେ ମୋ ପାଇଁ ଭଗବାନଙ୍କ ଠୁ ବି ବଡ଼, କାହିଁକି ନା ତୁମେ ସେଦିନ ମୋ ଜୀବନ ବଞ୍ଚେଇବା ସହ ମୋ ବାପାଙ୍କ ଇଜ୍ଜତ ବି ରକ୍ଷା କରିଛ । କେହି କଣ ପାଇଁ ଗୋଟେ ମଙ୍ଗୁଳା କନ୍ୟାକୁ ବିବାହ କରିଥାନ୍ତା । ମୋ ଭାଗ୍ୟ ଯେ ମୁଁ ତୁମ ପରି ସ୍ୱାମୀ ପାଇଛି । ତୁମେ ବ୍ୟସ୍ତ ହୁଅନା ଆମେ ମିଶିକି ସବୁ କିଛି ଠିକ କରିଦେବା।

ବିଜୁ: ପ୍ରୀତି ଠାରୁ ଏମିତି କଥା ଶୁଣି ଖୁସିରେ କୁହେ, ସତରେ ମୁଁ ବହୁତ ଭାଗ୍ୟବାନ ଯେ ତୁମକୁ ସ୍ତ୍ରୀ ରୂପରେ ପାଇଛି।

ତାଙ୍କ ଜୀବନର ପ୍ରଥମ ରାତି ହୋଇଥିବାରୁ ସେମାନେ ଦୁହେଁ ପ୍ରଥମ କରି ପ୍ରେମର ପହିଲି ବର୍ଷାରେ ଭିଜିବାକୁ ଲାଗନ୍ତି । ଏମିତି ଭାବେ କିଛିଦିନ ବିତିଯାଏ । ବିଜୁର ବାହାଘର ବିଷୟରେ ଅଜୁ କିଛି ବି ଜାଣିନଥାଏ।

ସେପଟେ ଅଜୁ ବି ପରିସ୍ଥିତିରେ ପଡି ମୋନାକୁ ବିବାହ କରି ସାରିଥାଏ । କାରଣ ଥିଲା ବିଶ୍ୱଜିତ ବାବୁ ଚାହୁଁଥିଲେ ମରିବା ପୂର୍ବରୁ ସେ ତାଙ୍କ ଝିଅକୁ ବଧୂ ବେଶରେ ଦେଖିବା ପାଇଁ । ତେଣୁ ଅଜୁ ସେଦିନ ବାଧ୍ୟ ହୋଇ କାହାକୁ କିଛି ନ ଜଣେଇ ବିବାହ କରିନିଏ।

ଗୋଟେ ଦିନ ମିନା ତାର ଅଜୁ ଭାଇ ପାଖକୁ ଚିଠି ଲେଖେ ଗାଁକୁ ଆସିବା ପାଇଁ କାରଣ ଥିଲା ବିଜୁ ଭାଇ ଏକ ଖରାପ ପରିସ୍ଥିତିରେ ପଡି ବିବାହ କରିନେଇଥାନ୍ତି । ଗାଁକୁ ଆସିଲେ ଭୋଜି ଭାତ ସହ ନୂଆ ଭାଉଜଙ୍କୁ ଦେଖିବ । ଏହି ଭିତରେ ଅଜୁ ବି ଅନୁରୂପ ଭାବେ ଏକ ଚିଠି ଲେଖି ନିଜର ବିବାହ ବିଷୟରେ ତାର ବଡଭାଇ ବିଜୁ ପାଖକୁ ପଠାଏ।

ଅଜୁ ତା ଭଉଣୀ ମିନୁର ଚିଠି ପଢି ବହୁତ ଖୁସି ହୋଇଯାଏ, କିନ୍ତୁ ମନ ଦୁଃଖ ବି କରେ, କାହିଁକି ନା ତାର ବଡଭାଇ ବିବାହ କରନ୍ତି ଅଥଚ ସେ ଜାଣିପାରିଲାନି । ଏହି ସମୟରେ ମୋନା ଆସି ଅଜୁକୁ ବୁଝାଏ କି ଭାଇ ଏକ ଖରାପ ପରିସ୍ଥିତିରେ ପଡି ଖାଲି ବିବାହ କରିନାହାନ୍ତି ଗୋଟେ ଝିଅର ଜୀବନ ରକ୍ଷା କରିବା ସହ ଏକ ପରିବାରର ଇଜ୍ଜତ ବି ରକ୍ଷା କରିଛନ୍ତି, ଏଥିରେ ଖୁସି ହବା ବଦଳରେ ତୁମେ, ମନଦୁଃଖ କରୁଛ । ଆମେ କାଲି ଗାଁକୁ ଯିବା ହେଲା । ସେଠୁ ଅଜୁ ଖୁସିରେ କୁହେ, ଆରେ ମୁଁ ବି ଚିଠିରେ ଲେଖିକି ଜଣେଇଛି ଯେ ଆମେ କାଲି ଗାଁକୁ ଯାଉଛେ ବୋଲି।

ମୋନା: ଓଃ ସତରେ କି? ତେବେ ଚାଲ ଆଜି ସନ୍ଧ୍ୟା ବେଳେ ବଜ଼ାର ଯାଇ ସମସ୍ତଙ୍କ ପାଇଁ ଡ୍ରେସପତ୍ର କିଣା କିଣି କରିବା ତା ସହ ମୋ ଗେହ୍ଲୀ ନଣନ୍ଦ ପାଇଁ ଗୋଟେ ଭଲ ନଣନ୍ଦ ପୁଟୁଳି ବି ନେବି।

ଅଜୁ: ଓକେ ଡାର୍ଲିଂଗ, ନିଶ୍ଚିତ ଯିବା ସନ୍ଧ୍ୟାରେ।

ଏପଟେ ଅଜୁର ଚିଠି ପାଇ ବିଜୁ ବହୁତ ଆଶ୍ଚର୍ଯ୍ୟ ହୁଏ, ଓ ଭାବେ ଅଜୁ ତ କେବେ ଏମିତି ଚିଠି ଦିଏନି, ହଉ ଦେଖିବା କଣ ଲେଖିଛି । ଚିଠି ପଢି ସତରେ ଆଶ୍ଚର୍ଯ୍ୟ ହବା ସହ ଖୁସି ବି ହୁଅନ୍ତି, ଯେ ଯାହା ହଉ ଅଜୁର ବିବାହ ହୋଇଯାଇଛି । ପୁଣି ଲେଖିଛି ଯେ ସେ କାଲି ଗାଁକୁ ଆସୁଛି ବୋଲି । ସମସ୍ତେ ଖୁସି ହୋଇ ନୂଆ ବୋହୂକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହୋଇ ଅପେକ୍ଷାରେ ଥାନ୍ତି।

ସକାଳ ଦଶଟା ହବ ଘର ଆଗରେ ଗାଡିର ପିଂ ପିଂ ଶବ୍ଦ ହେଲା, ମିନା ଖୁସିରେ ଭାଇ ଆସିଲେଣି କହି ଦୌଡ଼ିକି ଯାଇ ଦେଖେ ତ ସତକୁ ସତ ଭାଇ ଭାଉଜ ଗାଡିରୁ ଓଲହୋଉ ଛନ୍ତି । ସଙ୍ଗେ ସଙ୍ଗେ ଯାଇ ବଡ ଭାଇ ଭାଉଜଙ୍କୁ ଡାକି, ଗୋଟେ ପୂଜା ଥାଳି ଧରି ଘର ସାମନାରେ ସମସ୍ତେ ଥିଲେ । ତାପରେ ତାଙ୍କୁ ବନ୍ଦାପନା କରି ଘରକୁ ପାଛୋଟି ନିଅନ୍ତି । ଘରେ ଯାଇ ସମସ୍ତେ ଖୁସିରେ ବସି ବହୁତ ସାରା ଗପନ୍ତି, ଏହିଭିତରେ ମୋନା ଆଣିଥିବା ଜିନିଷ ସବୁ ସମସ୍ତଙ୍କୁ ଦେଇଦିଏ, ସେସବୁ ଜିନିଷ ଦେଖି ସମସ୍ତେ ଖୁସିହୋଇଯାନ୍ତି।ତାପରେ ଖରାବେଳେ ସମସ୍ତେ ଏକାଠି ହୋଇ ନୂଆବୋହୁ ରାନ୍ଧିଥିବା ଖାଦ୍ୟ ଖୁସିରେ ଖାନ୍ତି । ଏହିସମୟରେ ମିନା କହୁଥାଏ ମୋ ଭାଇ ଦୁଇଜଣଙ୍କର ଅଚାନକ ବିବାହ ହୋଇଗଲା ମୁଁ ଏକାଥରେ ଦୁଇ ଦୁଇଟା ଭାଉଜ ପାଇଗଲି । ଏସବୁ ଶୁଣି ସମସ୍ତେ ହସିବାକୁ ଲାଗନ୍ତି।

ଦୁଇଦିନ ପରେଦୁଇଭାଇ ଗାଁରେ ଗୋଟେ ବଡ ଭୋଜିର ଆୟୋଜନ କରନ୍ତି, ସେସବୁର ଖର୍ଚ୍ଚ ଅଜୁ ବହନକରେ । ସେ ଅଂଚଳର ସମସ୍ତ ଲୋକ ସେଦିନ ଭୋଜି ଖାଇ ବାଃ ବାଃ କରୁଥାନ୍ତି । ଭୁବନେଶ୍ୱର ଫେରିବାକୁ ଆଉ ଗୋଟେ ଦିନ ଥାଏ, ମୋନା ଅଜୁକୁ କୁହେ,

ମୋନା: ଅଜୁ ତୁମେ ଭାଇଙ୍କୁ କହୁନା ଆମସହ ଯିବେ ସେଇଠି ଭୁବନେଶ୍ୱରରେ ରହିବେ।

ଅଜୁ: ତୁମେ କୁହ, ମୁଁ କହିଲେ ମୋକଥା ଭାଇ ଶୁଣିବେନି।

ମୋନା: ଆରେ ତୁମେ କୁହତ ଥରେ ଆଗେ।

ଅଜୁ: ନାଇଁ ତୁମେ କୁହ, ମୁଁ ପାରିବିନି ।

ମୋନା: ଆଚ୍ଛା ହଉ ତେବେ ମୁଁ ଆଜି ସନ୍ଧ୍ୟାରେ କହିବି।

ମୋନା ସେଦିନ ସନ୍ଧ୍ୟାରେ ଯାଇ ତାର ଦେଢଶୁରଙ୍କୁ କୁହେ,

ମୋନା: ଭାଇ ଆପଣ ସମସ୍ତେ ଆମ ସହ ଭୁବନେଶ୍ୱର ଚାଲନ୍ତୁ ସେଇଠି ସମସ୍ତେ ମିସିକି ରହିବା, ମୋର ନିଜର ବୋଲି କେହି ସେଠି ନାହାନ୍ତି, ଆଉ ଆପଣ ମାନଙ୍କ ସଂଗେ ମିଶିଲାପରେ ମତେ ଲାଗିଲା ମୁଁ ଯେମିତି ମୋ ପରିବାର ପାଇଯାଇଛି । ଏ ଚାରି ଦିନରେ ମୁଁ ଯେଉଁ ଖୁସି ପାଇଛି ଆପଣ ମାନଙ୍କ ସହ ମିଶି ତାହା ଅତୁଳନୀୟ।

ବିଜୁ: ଆରେ ମୋର ଏଠି ଚାକିରୀ ଅଛି, ତାସହ ଘରଦ୍ୱାର ଛାଡି କେମିତି ଯିବି ଯେ।

ମୋନା: ଆପଣ ଚାକିରୀ କଥା ଚିନ୍ତା କରନ୍ତୁନି, ଅଜୁ ଏକୁଟିଆ ଆମର ଯାହା ଫାକ୍ଟ୍ରି ଅଛି ବୁଝୁଛନ୍ତି, ସେଠି ବି କିଛି ଲୋକ ଅଜୁଙ୍କୁ ହଇରାଣ କରୁଛନ୍ତି । ତେଣୁ ଆପଣ ଗଲେ ଆମେ ସମସ୍ତେ ମିସିକି ରହିବା, ତାସହିତ ଆପଣ ବି ଅଜୁଙ୍କୁ ସାହାଯ୍ୟ କରିବେ କାମରେ । ଆଉ ସେ ଲୋକଙ୍କର ବି ଟିକେ ଡର ରହିବ । ଆଉ ଗାଁ ଘରକୁ ଭଡାରେ ଦେଇଦବା।

ବିଜୁ: ଆଛା ହଉ ମୁଁ ଟିକେ ପ୍ରୀତିକୁ ପଚାରି ବୁଝେ।

ମୋନା: ଆପଣ ନାନୀଙ୍କ କଥା ମୋ ଉପରେ ଛାଡି ଦିଅନ୍ତୁ, ତାଙ୍କୁ ବୁଝେଇବା ଦାୟିତ୍ୱ ମୋର।

ମିନୁ ବି ଆସି ତାର ଭାଇଙ୍କୁ କୁହେ ଯିବାପାଇଁ, ସମସ୍ତେ କହିବାରୁ ବିଜୁ ବାଧ୍ୟହୋଇ ରାଜି ହୋଇଯାଏ।

ତାପରେ ସମସ୍ତେ ଏକାଠି ହୋଇ ଭୁବନେଶ୍ୱର ଯାତ୍ରା କରନ୍ତି, ସେଠି ଗୋଟିଏ ଜାଗାରେ ଏକାଠି ହୋଇ ଖୁସିରେ ରୁହନ୍ତି । ଏହିଭିତରେ ଗୋଟିଏ ଦିନ ଅଜୁ ତାର ବଡ ଭାଇଙ୍କୁ ଟଙ୍କା ଯାହା ଖର୍ଚ୍ଚ ହୋଇଥିଲା ସେସବୁ ବିଷୟରେ କୁହେ । ବିଜୁ ସମସ୍ତ ଘଟଣାବଳୀ ଶୁଣିବା ପରେ ତାର ସନମାନ ବିଶ୍ୱଜିତ ବାବୁଙ୍କ ପ୍ରତି ଆହୁରି ବଢିଯାଏ । କିଛିଦିନ ପରେ ଦୁଇଭାଇ ଗୋଟେ ଭଲ ପ୍ରସ୍ତାବ ଦେଖି ମିନୁର ବିବାହ କରେଇ ଦିଅନ୍ତି । ମିନୁ ବି ତାର ବିବାହ ପରେ ବହୁତ ଖୁସିରେ ଥାଏ।

ସମସ୍ତ ପରିବାର ଏକାଠି ହୋଇ ଖୁସିରେ କାଳାତିପାତ କରନ୍ତି।



Rate this content
Log in

More oriya story from Bishwaranjan Tripathy

Similar oriya story from Inspirational