Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Kanduri Charan Rout

Romance


4.0  

Kanduri Charan Rout

Romance


ସମାନ୍ତରାଳ ସରଳ ରେଖା

ସମାନ୍ତରାଳ ସରଳ ରେଖା

5 mins 90 5 mins 90

  

   ସୁମନା, ମୋର କ'ଣ ଇଚ୍ଛା ହେଉଛି ଜାଣୁ.....? ସବୁଦିନ ତୋର ଏଇ କୋଳର ନରମ ଶେଯରେ ମୁଣ୍ଡ ରଖି ଶୋଇରହିଥାନ୍ତି ଶେଷ ସମୟ ପର୍ଯ୍ୟନ୍ତ । ମୃତ୍ୟୁ କୋଳରେ ଆଶ୍ରୟ ନେବା ପୂର୍ବରୁ ତୁ ମୋତେ ଧରି ରଖିଥାନ୍ତୁ ସାବିତ୍ରୀ ପରି ।

  ସୁମନା ଦୁଃଖ ଓ ବିରକ୍ତି ମିଶା ସ୍ୱରରେ କହିଲା ...ବନ୍ଦ କର ଏ ସବୁ, ଏମିତି କଥା କହିବାକୁ ତମକୁ ଟିକେ ଖରାପ ଲାଗୁନି...?

  ବିକାଶ ସେମିତି କହି ଚାଲିଥିଲା - ଯେତେବେଳେ ମୋର ମଲା ଦେହଟାକୁ ତୋ ହାତରୁ ଛଡେଇ ନେଇ ଶ୍ମଶାନ ଆଡକୁ ଚାଲିବେ ତୁ ମଧ୍ୟ ଠିକ୍ ସାବିତ୍ରୀ ପରି ଯମରାଜାଙ୍କୁ ସ୍ମରଣ କରୁଥିବୁ, ଆଖି ଖୋଲିଲା ବେଳକୁ ତୋ କୋଳ ଶୂନ୍ୟ । ପାଗେଳୀ ପରି ମଶାଣି ପାଖକୁ ଯାଇ ଦେଖିଲା ବେଳକୁ ମୋ ମର ଶରୀର ଚିତାରେ ଜଳୁଥାନ୍ତା, ଧୂମ କୁଣ୍ଡଳୀ ଆକାଶକୁ ଉଠୁଥାନ୍ତା କୋଇଲା ଇଞ୍ଜିନରୁ ଧୂଆଁ ଉଠିଲା ପରି । ଠିକ୍ ସେତିକି ବେଳକୁ ବିକାଶ ଚମକିଲା ପରି ଉଠି ବସିଲା, କାରଣ ସୁମନାର ଉଷୁମ ଲୁହ କେଇବୁନ୍ଦା ତା'ର ଗାଲରେ ପଡିଥିଲା । ତା'ର ଦୁଇ ଆଖିର ଲୁହଧାରକୁ ନିଜ ହାତରେ ପୋଛିଦେଇ ବିକାଶ କହିଲା....

- ସୁମନା, ତୋତେ ଛାଡି ମୁଁ କଣ କେବେ ଏକା ରହିପାରେ..?ତୋ ଛଡା ଆଉ କାହା କଥା ମୁଁ ସ୍ୱପ୍ନରେ ସୁଦ୍ଧା ଭାବିନି । ମୋରି ନାମରେ ହିଁ ତୁ ସିନ୍ଥିରେ ପିନ୍ଧିବୁ ସିନ୍ଦୂର ଟୋପା । ହେଲେ ସେ ଶୁଭ ଦିନକୁ ତୋତେ ଅପେକ୍ଷା କରିବାକୁ ପଡିବ । 

- ଆଉ କେତେ ଦିନ, ....କେତେ ଦିନ ମୁଁ ଏମିତି ଅପେକ୍ଷା କରିବି ବିକାଶ...? ତୁମକୁ ଛାଡି

  ଆଉ ମୁହୂର୍ତ୍ତେ ବି ବଞ୍ଚି ପାରିବିନି ମୁଁ । 

- ଦେଖ ଧୈର୍ଯ୍ୟହରା ହୁଅନି । କାଲି ମୁଁ ଚାଲିଯିବି ମୋର କର୍ମକ୍ଷେତ୍ରକୁ; ଚାରିମାସ ପରେ ଫେରିବି, ରଜ ବେଳକୁ । ଆଉ ସେତେବେଳେ ଆମର ହେବ ଶୁଭ ବିବାହ । 

- ନା, ଦୀର୍ଘ ଚାରିମାସ ତମକୁ ଛାଡି ମୁଁ ରହିପାରିବିନି, କେବେ ନୁହେଁ...ନା..ନା...

 ଖୁବ୍ ଜୋରରେ ଚିତ୍କାର କରିଉଠିଲା ସୁମନା କାରଣ ସେତେବେଳେ ତା' ପାଖରେ ବିକାଶନଥିଲା । ନିଜ ଘର ଭିତରେ ଖଟ ଉପରେ ଶୋଇ ରହି ସ୍ୱପ୍ନରାଜ୍ୟରେ ବିଚରଣ କରୁଥିଲା କେବଳ । ତା'ର ଲୁହ ପୋଛିଦେବାକୁ କି ତାକୁ ଆଶ୍ୱାସନା ଦେବାକୁ ପାଖରେ କେହି ନଥିଲେ । ଠିକ୍ ସେତିକିବେଳେ ପବନରେ ଭାସି ଆସୁଥିଲା ମାଇକ୍ରୋଫୋନରୁ ସଂଗୀତର ମୂର୍ଚ୍ଛନା..."ଆସିବ ବର ତୋର...ହୋଇବ ବାହାଘର...।"

ନିଜକୁ ଆଉ ସମ୍ଭାଳି ପାରିଲାନି ସୁମନା । ଚଳଚ୍ଚିତ୍ରର ଦୃଶ୍ଯ ପରି ସବୁ ଦୃଶ୍ୟ ତା' ଆଖି ଆଗରେ ନାଚି ଯାଉଥିଲା । 

  -ସୁମନା ହସିଲେ ବିକାଶ ହସୁଥିଲା । ଜଣେ ଚନ୍ଦ୍ରମା ହେଲେ ଅନ୍ୟ ଜଣେ ତା'ର ଜ୍ୟୋତ୍ସ୍ନା । ଜଣେ ସାଗର ହେଲେ ଆଉ ଜଣେ ତା'ର ବେଳାଭୂମି । ଦୁହେଁ ଦୁଇଜଣଙ୍କର ସୁଖଦୁଃଖର ସାଥୀ ଥିଲେ । କେହି କାହାରିକୁ ଦଣ୍ଡେ ନଦେଖିଲେ ରହି ପାରୁ ନ ଥିଲେ । ଉଭୟେ ଉଭୟଙ୍କୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ । ବିକାଶକୁ ନେଇ ସୁମନା ତା' ମନର କାନଭାସରେ କେତେ ରଙ୍ଗର ପ୍ରଲେପ ଦେଇଥିଲା । ହେଲେ ସେ ରଙ୍ଗ ଏମିତି ଅକାଳରେ ରଙ୍ଗହୀନ ହେଇଯିବ ସେ ଜାଣିନଥିଲା । 

  ବିକାଶ ଯେ ତା ସହିତ ଏମିତି ବିଶ୍ୱାସଘାତକତା କରିବ ସେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲା । ତା'ର ସବୁ ସ୍ୱପ୍ନ, ଆଶା ଆକାଂକ୍ଷା ଭାଙ୍ଗି ଚୁରମାର୍ ହେଇଗଲା ପରେ କ'ଣ କରିବ କିଛି ଚିନ୍ତା କରି ପାରୁନଥିଲା । 

  ବ୍ୟସ୍ତ ବିବ୍ରତ ହୋଇ ଧୀରେଧୀରେ ଉଠି ବାରି କବାଟ ଖୋଲି ନଦୀ କୂଳ ଆଡେ ଆଗେଇଲା ସୁମନା । ପୂର୍ଣ୍ଣମୀର ଜହ୍ନଟା ତା'କୁ ଯେମିତି ଖତେଇ ହେଉଥିଲା । ଚତୁର୍ଦ୍ଦିଗ ତାକୁ ଅନ୍ଧକାର ଦେଖାଯାଉଥିଲା । ନଦୀକୂଳରେ ଥିବା ବିରାଟ ବରଗଛ ତଳେ ଠିଆ ହୋଇ ମହାନଦୀକୁ ଚାହିଁଲା ସେ । ନିଜର ଛଳଛଳ ମୁହଁ ସହିତ ନଦୀର ସାମଞ୍ଜସ୍ୟ ଥିଲା ପରି ଅନୁଭବ କଲା ସେ । ତା' ସହିତ ବହୁତ ଅନ୍ତରଙ୍ଗ ହେବାପାଇଁ ଇଚ୍ଛା ହେଲା । ଧୀର ପଦକ୍ଷେପରେ ଆଗକୁ ପାଦ ବଢାଇଲା ସେ । ହଠାତ୍ ପାଦ ଦୁଇଟା ତାର ଅଟକିଗଲା, ଆଖି ଦୁଇଟା ବି ଗୋଟେ ନିର୍ଦ୍ଦିଷ୍ଟ ଜାଗାରେ ନିବଦ୍ଧ ହେଇଗଲା । ନିଜ ଆଖିକି ବିଶ୍ୱାସ କରି ପାରୁନଥିଲା ସେ । ଦୁଇ ପାପୁଲିରେ ଆଖି ଦୁଇଟାକୁ ଭଲ ଭାବରେ ମକଚି ଦେଖିଲା ତା'ର ଚିର ପରିଚିତ ଜାଗାରେ କେହି ଜଣେ ବସି ରହିଚି । ବହୁଦିନର ଅଭ୍ୟାସ ପରି କେଉଁ ଏକ ଅଜଣା ଆକର୍ଷଣରେ ସେଇଆଡେ ଆଗେଇଲା ସେ । 

 ଯେଉଁ ସ୍ଥାନରେ ସେ ଓ ବିକାଶ ଅନେକ ରାତିରେ ବସି କଥା ହେଇଛନ୍ତି । ଏପରିକି କେତେ ଥର ଲୋକଙ୍କ ଆଖିରେ ଧରା ପଡିଛନ୍ତି ମଧ୍ୟ । ତଥାପି ସେଇ ନୈଶ ଅଭିଯାନକୁ କୌଣସି ପ୍ରକାରେ ବନ୍ଦ କରି ନ ଥିଲେ । 

  ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବହୁତ କମ୍ ସମୟ ଲାଗିଲା ତା'କୁ । ଯେଉଁ ଛାୟାମୂର୍ତ୍ତିକି ଦେଖି ସେ ଆସିଥିଲା ବାସ୍ତବରେ ରକ୍ତମାଂସର ଏକ ମଣିଷ ଥିଲା ସେ, ବୋଧହୁଏ ଯୁବକ । ସୁମନାର ବିପରୀତ ଦିଗକୁ ମୁହଁକରି ବସି ଆକାଶର ଜହ୍ନକୁ ଚାହିଁ ରହିଥିଲା କେବଳ । ସୁମନାର ପଦ ଶବ୍ଦରେ ଉଠି ଠିଆ ହେଇପଡିଲା । ନିଜ ଆଖିକି ବିଶ୍ୱାସ କରିପାରିଲାନି ବିକାଶ, ସୁମନା 

ବି । ଜହ୍ନଟା ଠିକ୍ ସେତିକିବେଳେ ବାଦଲ ଉହାଡରେ ଲୁଚିଗଲା । ସୁମନାର ମୁହଁଟା ଯେମିତି ଜ୍ୟୋତ୍ସ୍ନାମୟ ହେଇ ଉଠିଲା ସେଇ ଅଳ୍ପ ଅନ୍ଧାର ଭିତରେ । କିନ୍ତୁ ପର ମୁହୂର୍ତ୍ତରେ ମନଟା ତା'ର ଉଦାସ ହେଇଗଲା । ଉଭୟେ ପରସ୍ପରକୁ ଚିହ୍ନିବାରେ ଭୁଲ କରି ନଥିଲେ । କିଛି ସମୟର ନିରବତା । 

 ନିରବତା ଭଙ୍ଗ କରି ବିକାଶ ଡାକିଲା...ସୁମନା...। ସବୁଦିନିଆ ଅଭ୍ୟାସ ପରି ସୁମନାର ପାଟିରୁ ବାହାରି ପଡିଲା..ଉଁ...।

ପୁଣି କିଛି କ୍ଷଣର ନିରବତା । ଦୁହେଁ ଦୁହିଁଙ୍କୁ ଚାହିଁ ରହିଥିଲେ କେବଳ । ବାଦଲଟା କେତେବେଳୁ ଅପସରି ଯାଇଥିଲା । ତୋଫା ଜହ୍ନ ଆଲୁଅରେ ସୁମନାର ଦୁଇ ଆଖିରୁ ବହି ଚାଲିଥିବା ଲୁହଧାରକୁ ଦେଖି ବିକାଶ ବି ନିଜକୁ ସମ୍ଭାଳି ପାରିଲାନି । ଛୋଟ ପିଲାଙ୍କ ପରି ଖୁବ୍ ଜୋରରେ କାନ୍ଦିବାକୁ ଲାଗିଲା । ସୁମନାର ଦୁଇ ହାତକୁ ନିଜ ହାତରେ ଚାପିଧରି ବାଷ୍ପାକୁଳ କଣ୍ଠରେ କହିଲା....

- ମୋତେ କ୍ଷମା କରିଦେ ସୁମନା । ତୋର ସମସ୍ତ ସ୍ୱପ୍ନକୁ ଜାଳିପୋଡି ଛାରଖାର କରି ଦେଇଛି । ସେଥିପାଇଁ ଯାହା ଶାସ୍ତି ଦେବୁ ସବୁ ମାନିବାକୁ ପ୍ରସ୍ତୁତ ଅଛି । 

ନିଜର ଉଦ୍ଗତ କୋହକୁ କୌଣସି ପ୍ରକାରେ ଚାପିରଖି ସୁମନା ବିକାଶକୁ ବୁଝେଇବାକୁ 

ଲାଗିଲା । 

  - ବିକାଶ,ଏଥିରେ ତୁମର କିଛି ଦୋଷ ନାହିଁ, ସବୁ ଦୋଷ ମୋର । ମୁଁ ଗୋଟିଏ ଗରିବ ଘରର ଝିଅ । ତୁମ ଆଭିଜାତ୍ୟ ଆଗରେ ଆମେ କିଛି ନୁହଁ । ବାମନ ହେଇ କେମିତି ମୁଁ ଚାନ୍ଦ ଧରିବାର ପ୍ରୟାସ କରିଥିଲି, ଭାବିଲେ ମୋତେ ଆଶ୍ଚର୍ଯ୍ୟ ଲାଗୁଚି । 

- ବିଶ୍ୱାସ କର ସୁମନା, ଏ ବିବାହରେ ମୋର ସାମାନ୍ୟତମ ସମ୍ମତି ନାହିଁ । ବିବାହ ଠିକ୍ କରିବା ପୂର୍ବରୁ ସେ ସଂପର୍କରେ ଘରେ ମୋତେ କିଛି ଜଣେଇ ନାହାଁନ୍ତି କି ମୋର ମତାମତ ନେଇ ନାହାଁନ୍ତି । ମାଆଙ୍କର ଦେହ ଖରାପ ଖବର ପାଇ ମୁଁ ଘରକୁ ଆସିଲି । ଆଉ ଘରକୁ ଆସି ଆଜି ଦେଖିଲା ବେଳକୁ......

  ତୁ କୁହ ମୁଁ କ'ଣ କରିବି....? ବାପା ସବୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ସାରିଥିଲେ....

- ଠିକ୍ କହିଛ, କ'ଣ ବା କରି ପାରିଥାନ୍ତ....! ଏ କଥା କହିପାରୁଚ ତମେ..?ଆଗର ସମସ୍ତ ପ୍ରତିଶ୍ରୁତି କ'ଣ ଏତେ ଶିଘ୍ର ଭୁଲିଗଲ...?


- ମୋତେ ବୁଝିବାକୁ ଚେଷ୍ଟା କର ସୁମନା..

  

  ସୁମନା କିନ୍ତୁ ସେତେବେଳେ ନିଜ ମନକୁ ଦୃଢ କରିସାରିଥିଲା । ନିଜକୁ ବି ସଂପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ସ୍ୱୀକାର କରି ପାରୁନଥିଲା ସେ । ଭଲ ପାଇବାଟା ଯଦି ଦୋଷ ହୁଏ, ସେଥିପାଇଁ ଜଣେ ନୁହେଁ ; ଉଭୟ ସମାନ ଭାବେ ଦାୟୀ । ତେଣୁ ଶେଷରେ ସେ ବିକାଶକୁ କହିଲା...

- ଯାହା ହେବାର ଥିବ ତାହା ନିଶ୍ଚୟ ହେବ । ତୁମେ କି ମୁଁ କେହି ଚାହିଁଲେ କିଛି ବଦଳେଇ ପାରିବାନି । 

ସବୁ ମାୟାମୋହକୁ ତୁଟେଇ ଘର ଛାଡି ଚାଲିଯିବାକୁ ପ୍ରସ୍ତାବ ଦେଲା ବିକାଶ । ମନ୍ଦିରରେ ବିବାହ କରି ସାରା ଜୀବନ ଏକାଠି ରହିବାକୁ ଚାହିଁଲା । 


  କିନ୍ତୁ ବିକାଶର ଏଇ ପ୍ରସ୍ତାବରେ ସୁମନା ଏକମତ ହୋଇପାରିଲାନି । ଆସନ୍ତା କାଲି ବଧୂବେଶ ସାଜି ବିକାଶର ବରବେଶକୁ ଅପେକ୍ଷା କରି ରହିଥିବା ଝିଅଟି କଥା ତା'ର ମନେ ପଡୁଥିଲା । ନିଜେ ତ ଦୁଃଖ ସହିଲାଣି । ୟା ବୋଲି ଅନ୍ୟ ଜଣଙ୍କର ସୁଖର ଆଶାରେ ନିରାଶାର ଝଡ ବୁହାଇବାକୁ ସେ ପସନ୍ଦ କଲାନି । ସେ ବି ତ ତା'ରି ପରି ଝିଅଟିଏ । ତେଣୁ ବିକାଶର ପ୍ରସ୍ତାବକୁ ସେ ସଂପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କଲା ଏବଂ ପ୍ରସ୍ତାବିତ ଝିଅଟି ସହିତ ସୁଖର ସଂସାର କରିବାକୁ ପରାମର୍ଶ ଦେଲା । 


  କିଛି କ୍ଷଣର ନିରବତା । ଚେଷ୍ଟା କରିବି କେହି କାହାରିକୁ କିଛି କହି ପାରୁ ନ ଥିଲେ । ବାଟ ଚାଲୁଚାଲୁ ପାଦ ତଳେ କଣ୍ଟା ଫୁଟିଗଲେ ଅବା କେଉଁ ମରୁଭୂଇଁରେ ଶୋଷରେ ଛଟପଟ ହେଲେ ଦୁଇଟି ପାଖାପାଖି ଚାଲୁଥିବା ବାଟୋଇ ଯେପରି ପରସ୍ପର ମୁହଁକୁ ଚାହିଁଦେଇ ଆପେଆପେ ମନକୁ ବୁଝେଇ ନିଅନ୍ତି, ସେପରି ଥିଲା ଦୁହିଁଙ୍କ ଅବସ୍ଥା । ଲାଭକ୍ଷତି, ପ୍ରାପ୍ତି-ଅପ୍ରାପ୍ତିର ହିସାବ ଠାରୁ ବହୁ ଦୂରରେ ଥାଇ ଦୁଇଟି ସମାନ୍ତର ସରଳରେଖା ପରି ସେମାନଙ୍କ ମନ ବି ଆଗକୁ ବଢି ପାରୁନଥିଲା । 

ଅନେକ ସ୍ତବ୍ଧ ମୁହୂର୍ତ୍ତର ନିରବତା ପରେ ସୁମନା କରୁଣ ଦୃଷ୍ଟିରେ ଥରେ ଚାହିଁଲା 

ବିକାଶକୁ । ଦୁଇ ଆଖିରୁ ଝରି ଯାଉଥିଲା ଧାରା ଶ୍ରାବଣର ବର୍ଷା । କୋହୋଚ୍ଛ୍ବାସ କଣ୍ଠରେ ସେ କହିଲା...

- ମୋର ହୃଦୟ ସବୁଦିନ ରହିବ ତମରି ପାଖରେ । ଆଉ ସାରା ଜୀବନ କେବଳ ତମର ପ୍ରତୀକ୍ଷା କରିବି । ଏ ଜନ୍ମରେ ନ ହେଲେ ଆର ଜନ୍ମରେ ତମେ ମୋର ନିଶ୍ଚୟ ହେବ । 

   ଏତିକି କହି ବହଳ ଅନ୍ଧାର ଭିତରେ ଅଦୃଶ୍ୟ ହେଇଗଲା ସୁମନା... । ସୁମନା ଫେରି ଯାଉଥିଲା ..ଏକ ପରିପୂର୍ଣ୍ଣତାର ପରିତୃପ୍ତିରେ...,ପ୍ରାପ୍ତିର ପ୍ରତୀକ୍ଷାରେ...,ନିଜ ଇପ୍ସିତ ସ୍ୱପ୍ନ ସାକାର ହେଇଗଲା ପରି ଏକ ବିଜୟର ଯାତ୍ରାରେ । ଏ ଯାତ୍ରାର ଯେମିତି ଶେଷ ନାହିଁ, ଏଇତ..ବିକାଶ ଓ ତା' ପ୍ରେମର ଆରମ୍ଭ ମାତ୍ର । ସେ ଭିତରେ ତୃତୀୟ ଜଣଙ୍କର ଆଗମନ ନା କେବେ ହେଇଥିଲା, ହେଇଚି ନା ଆଗକୁ ହେବ....... । 

 ତା'ର ଯିବା ବାଟକୁ ଏକ ଲୟରେ ଚାହିଁ ରହିଥିଲା ବିକାଶ.....।

    



Rate this content
Log in

More oriya story from Kanduri Charan Rout

Similar oriya story from Romance