Satyabati Swain

Tragedy Thriller

3  

Satyabati Swain

Tragedy Thriller

ଡାଡ୍

ଡାଡ୍

5 mins
552



ଆମ ଘରକୁ ଯେ କେହି ଅଚିହ୍ନା ମଣିଷ ଆସନ୍ତି ;ଦୁଇଟି କଥା ନିଶ୍ଚେ ଦେଖନ୍ତି।ପ୍ରଥମଟି ଆମ କୁକୁର ଲାଲା ଏମିତି ଭୁକ୍ ଭୁକ୍ ହୋଇ ଚଢିଯିବ ଅଚିହ୍ନା ଲୋକଟିଏ ଦେଖିଲେ ନ କହିବା ଭଲ।ଦୁଇ ଗୋଡ଼ ଟେକି ପୁରା ଛାତି ଯାଏ ଚଢିଯିବ ସେ।ବିଚରା ଅଚିହ୍ନା ମଣିଷଟି କିଲେଇ ବିଲେଇ ହୋଇ ଅତରଛିଆ ଦୌଡିବେ ଗେଟ୍ ବାହାରକୁ। ବିକଳରେ ଡକା ଛାଡିବେ ବିଠୁଲ୍....ଏ ବିଠୁଲ୍।


     ଲାଲା ସିନା କୁକୁର;କିନ୍ତୁ ତାର କାର୍ଯ୍ୟକଳାପ ପୁରା ବୁଦ୍ଧିମାନ ମଣିଷ ପରି।ମୁହଁ ଦେଖି ବୁଝି ଯାଏ ମଣିଷ ଭିତର।ଯେଉଁ ଅଚିହ୍ନା ମଣିଷ ତାକୁ ଆ ଆ ଚୁ ଚୁ ,ଗୁଡ୍ ବଏ,ଭେରୀ ଗୁଡ୍,ୱେଲ୍ ଡ଼ନ୍,ୱାଓ,ଏକ୍ସ ଲେଣ୍ଟ୍ ଆଦି ଶବ୍ଦ ପ୍ରୟୋଗ କରନ୍ତି ତାଙ୍କ ପାଖେ କୁଁ କୁଁ ହୋଇ ଲାଞ୍ଜ ହଲାଇ ଦେହରେ ଘଷିହୁଏ। ଚାରିଆଡେ ଶୁଙ୍ଘିଯାଏ। ପଛେ ପଛେ ଚାଲେ।


      କିନ୍ତୁ ଯେଉଁ ଅଚିହ୍ନା ଲୋକ ହାକ୍ ବାକ୍, ହୁସ୍ ,ଯା ,କହି ହୁରୁଡ଼ାନ୍ତି ତାଙ୍କୁ ଲାଲା ଛାଡେନି। ଚଢିଯିବ ଛାତି ପର୍ଯ୍ୟନ୍ତ। ବିଚରା ଅଚିହ୍ନା ମଣିଷ ଚିଲେଇବେ "ବିଠୁଲ୍, ଆରେ ଏ କୁକୁରଟି ନେ ବାବା। ମୋତେ କାମୁଡିବ।"କିନ୍ତୁ ଆଜି ପର୍ଯ୍ୟନ୍ତ ଲାଲା କାହାକୁ କାମୁଡ଼ିବା ଆମେ ଜାଣିନୁ। ଶୁଙ୍ଘି ଯିଵ ପ୍ରଥମେ ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ। ଭାରି ସ୍ନେହ ରଙ୍କୁଣା ଆମ ଲାଲା;ଠିକ୍ ମୋ ପରି।ଯେଉଁ ମଣିଷ ଅଚିହ୍ନା ହେଲେ ବି ତା ମୁଣ୍ଡ ସାଉଁଳନ୍ତି,ପିଠି ଥାପୁଡ଼ାନ୍ତି ସେ ମଣିଷ ପାଖ ଛାଡେନି।ଖାଲି ଅଣ୍ଟାଠାରୁ ଲାଞ୍ଜ ଯାଏ ବେଲି ଡ୍ୟାନ୍ସ କଲା ପରି ଅସ୍ଥିର ଭାବେ ହଲାଇ କୁଁ କୁଁ ହେଉଥିବ ସେ ଯିବା ଯାଏ।ମାମି କୁହନ୍ତି ଲାଲା ଆର ଜନ୍ମରେ ମଣିଷ ଥିଲା।


    ଏ ଜନ୍ମ ପୁଣି ଆର ଜନ୍ମ ସେଇଟି କଣ ମୋ ମଗଜରେ ପଶିବା ବାହାରେ।ମାମି କଥାରେ ମୁଁ ମୁଣ୍ଡ ଟୁଙ୍ଗାରେ।ଲାଲା ପରି ଅଚିହ୍ନା ଲୋକେ ଆସିଲେ ମୁଁ ମାମି କାନି ଧରି ତା ପଛେ ଲୁଚିଯାଏ।ମୁଣ୍ଡଟି କଇଁଛ ପରି ଟିକେ ମାମିର ଡାହାଣ କି ବାମ ଅଣ୍ଟା କଡେ ବାହାର କରିଥାଏ। କେବଳ ଆଖି ଓ ମଥା ଦିଶେ ଯାହା।ଅଚିହ୍ନା ଲୋକଙ୍କୁ ଦେଖି ସେମାନଙ୍କୁ ଚିହ୍ନି ବାକୁ ଚେଷ୍ଟା କରେ;ସେ ଭଲ ନା ମନ୍ଦ।ମୋତେ ଯେଉଁ ମାନେ ଭଲ ଲାଗନ୍ତି ତାଙ୍କୁ ଲୁକାଛପି ଖେଳ ପରି ଟିକେ ମୁହଁ ଦେଖାଇ ପୁଣି ଲୁଚି ପଡେ ମାମି ପଛେ।କିଛି ସମୟ ପରେ ପୁଣି ଦେଖାଏ ମୁହଁ।ଅଚିହ୍ନା ଲୋକେ ମୋତେ ପାଖକୁ ଡାକନ୍ତି;ଚକୋଲେଟ ଲୋଭ ଦେଖାନ୍ତି;ତେବେ ବି ମୁଁ ମା କାନି ଛାଡି ତା ପଛରୁ ଯାଏନି।ମାମି ଯୁଆଡେ ଯୁଆଡେ ଯାଏ ମୁଁ ସିଆଡେ ସିଆଡେ ତା ପଛେ ପଛେ ଚାଲୁଥାଏ।ଘରକୁ ଆସିବା ଲୋକେ କୁହନ୍ତି- ଉର୍ମି ମାମ୍ ତୁମ ପୁଅଟି ଖୁବ ଲାଜକୁଲା। ତାକୁ ଟିକେ ତୁମ ପରି ସ୍ମାର୍ଟ କର।


    ମୋ ମାମି ଜଣେ କୋରିଓଗ୍ରାଫର୍।ବହୁ ଲୋକେ ଯିବା ଆସିବା କରନ୍ତି ଘରକୁ। ବାରମ୍ବାର ଆସୁଥିବା ଲୋକଙ୍କୁ ଚିହ୍ନା ହୋଇଗଲେ ମୁଁ ଖୁବ ମିଶେ,ଖେଳେ ତାଙ୍କ ସଙ୍ଗେ,ପ୍ରଶ୍ନ ପଚାରି ପଚାରି ବେହାଲ କରିଦିଏ।କିନ୍ତୁ ଅଚିହ୍ନା ଲୋକ ପାଖେ ମୁଁ ଆଦୌ ସହଜ ହୋଇ ପାରେନି।ଖାସ୍ ସେଇଥିପାଇଁ ଲାଲା ଓ ମୋର ଅଧିକାଂଶ ସମୟ ଖେଳ କୁଦରେ ହଲ୍ ରେ କଟେ।ଯେଉଁଠି ମାମି କୋରିଓଗ୍ରାଫି ଶିଖାନ୍ତି ତାଙ୍କ ଛାତ୍ର ଛାତ୍ରୀ ମାନଙ୍କୁ।ମା ମୋର ଜଣେ ଲବ୍ଧ ପ୍ରତିଷ୍ଠିତ କୋରିଓଗ୍ରାଫର। ବହୁତ ଡିମାଣ୍ଡ ମା ପାଖେ କୋରିଓଗ୍ରାଫି ଶିଖିବାକୁ। ସିନେ ଜଗତର ଭିଡ଼ ଆମ ଘରେ।ପ୍ରତିଦିନ ନୂଆ ମୁହଁ ସହ ଭେଟ ହୁଏ ଲାଲାର ଓ ମୋର।ଲାଲା ଭୁକେ ଆଉ ମୁଁ ଲୁଚେ।


    ଲାଲା ମୋର ବେଷ୍ଟ ଫ୍ରେଣ୍ଡ୍।ମୋ ସହ ବଲ୍,କ୍ୟାରମ୍,ଚେସ୍ ଏପରିକି ଲୁକାଛପି ବି ଖେଳେ।ଦିନେ ଦିନେ ମାମିର ଲୋକ ମାନଙ୍କ ସହ ଡିସ୍ କସନ୍ ସରିଲା ବେଳକୁ ଅନେକ ରାତି ହୋଇଯାଏ।ଲାଲା ଆଉ ମୁଁ ଧରାଧରି ହୋଇ ଖେଳୁ ଖେଳୁ ଶୋଇପଡୁ।ମାନି ଦି ମୋର ଆୟା ମୋତେ ନେଇ ବେଡ୍ ରେ ଶୁଆଇ ଦିଅନ୍ତି।ମାମି ସହ ସାରା ଦିନ କି ସାରା ରାତି ଏକୁଟିଆ କଟେଇବା ଭାଗ୍ୟ ମୋର ଜୁଟେନି।ଖାଲି ଲୋକ ବାକ ଯିବା ଆସିବା ରାତି ଦଶ ଏଗାର ଯାଏ।ସେତେବେଳେକୁ ମୁଁ ଶୋଇ ପଡ଼ିଥାଏ।ସକାଳୁ ଉଠିଲା ବେଳକୁ ମାମି ମୋ ପାଖରେ ନ ଥାନ୍ତି।ସେ କୋରିଓଗ୍ରାଫି କରିବାକୁ ଚାଲି ଯାଇଥାନ୍ତି।ମାମି ଦିନ ରାତି ଖଟନ୍ତି। ବେଶି ଲୋକ ଦେଖା କରିବାକୁ ସଣ୍ଡେରେ ଆସନ୍ତି। ଆଉ ସେଇ ସଣ୍ଡେ ଟା ମୁଁ ସମ୍ପୂର୍ଣ୍ଣ କଟାଏ ମାମାଙ୍କ ସହ।


    ଗୋଟେ ଗୋଟେ ସଣ୍ଡେରେ କିନ୍ତୁ ମୁଁ ମୋ ମାମି ଙ୍କୁ ଅନୁଭବ କରି ପାରେନି ;ଯେବେ ଡିକ୍ ଅଙ୍କଲ୍ ଆସନ୍ତି ଆମ ଘରକୁ।ସେ ମାସକୁ ଥରେ କି ଦୁଇଥର ଆସନ୍ତି ଆମ ଘରକୁ।ସେଦିନ ମାମି ତାଙ୍କ ସହ ରୁହନ୍ତି।ହସ ଗପ କରନ୍ତି।ଏକାଠି ଖାଆନ୍ତି,ବୁଲିବାକୁ ଯାଆନ୍ତି,ଶୁଅନ୍ତି ବି। ଯଦିଓ ଡିକ୍ ଅଙ୍କଲ ଏପରି ବରାବର ଆସନ୍ତି ମୋ ପାଇଁ,ମାମା ପାଇଁ ଓ ଲାଲା ପାଇଁ ବି ଭଲ ଭଲ ଜିନିଷ ଆଣନ୍ତି;ତଥାପି ଲାଲା ପାଖେ ସେ ଜଣେ ଅଚିହ୍ନା ମଣିଷ। ଲାଲା ଜମା ଭଲ ପାଏନି ତାଙ୍କୁ। ଠିକ୍ ମୋ ପରି। ଲାଲା ଦେଖୁ ଦେଖୁ ଡିକ୍ ଅଙ୍କଲ ଙ୍କୁ ଭୁକ୍ ଭୁକ୍ ରଡି ଛାଡିବ।ଛାତିଯାଏ ଚଢିଯିବ।କେଜାଣି ଏତେଥର ଆସିଲେବି ଲାଲା ଅଚିହ୍ନା ମଣିଷ ପରି ଡିକ୍ ଅଙ୍କଲଙ୍କୁ ବ୍ୟବହାର କରେ କାହିଁକି?ଥରେ ଚିହ୍ନା ହୋଇଗଲେ ତ ଲାଲା ବନ୍ଧୁ ପରି ବ୍ୟବହାର କରେ।ଅଥଚ ଏ ଡିକ୍ ଅଙ୍କଲ ବେଳକୁ ଏମିତି କାହିଁକି କରେ?ଏ ପ୍ରଶ୍ନ ମୋ ପାଞ୍ଚ ବର୍ଷିଆ କଅଁଳ ମନକୁ ବାରବାର ଧକ୍କା ଦିଏ।ମାମିକୁ ପଚାରିଲେ ସେ କୁହନ୍ତି ଲାଲା ଟା ଆଜିକାଲି ବଦମାସ୍ ହେଲାଣି।ସେ ଆଉ ଗୁଡ୍ ବଏ ହୋଇ ନାହିଁ।

 

   ଲାଲା ପରି ମୋର ବି ସେଇ ଅବସ୍ଥା।ଡିକ୍ ଅଙ୍କଲ ମୋତେ ଟିକେ ବି ଭଲ ଲାଗନ୍ତିନି।ସେ ଯେତେ ଆଦର କଲେବି ମୋତେ କାହିଁକି ତାଙ୍କୁ ଦେଖୁ ଦେଖୁ ଚିଡି ଲାଗେ।ସେ ଆସିଲେ ମାମି ମୋର ହୋଇ ରୁହନ୍ତିନି। ଭାରି ବାଧେ ମୋତେ। ଗୋଟେ ଗୋଟେ ସଣ୍ଡେ ମୋର ପୁରା ବର୍ବାଦ ହୋଇଯାଏ। ସେ ନ ଆସିଲେ ମାମି ମୋତେ କୋଳରେ ପୁରାଇ ଅନେକ ଗପ କୁହନ୍ତି,ଅନେକ ଗୀତ ଶୁଣାନ୍ତି,ପାର୍କ ବୁଲେଇ ନିଅନ୍ତି,ମଲ୍ ନେଇ ଅନେକ ଟେଡି,ଡ୍ରେସ୍, ରିମୋଟ୍ କଣ୍ଟ୍ରୋଲ୍ ଗାଡି,ଗନ୍ ଯାହା ଚାହେଁ ସବୁ କିଣି ଦିଅନ୍ତି।ଏଇ ସାତ ଦିନେ ସଣ୍ଡେ ରେ କୋରିଓଗ୍ରାଫି ଛୁଟି। ଏଣୁ ସଣ୍ଡେକୁ ଲାଲା ଓ ମୁଁ ଅନେଇ ରହିଥାଉ।


    ଯେବେ ସେ ଡିକ୍ ଅଙ୍କଲ ଆସନ୍ତି ସବୁ କିଛି ବିଗିଡି ଯାଏ।ମାମି ଗୋଟା ସୁଦ୍ଧା ତାଙ୍କର ହୋଇଯାଆନ୍ତି।ମୁଁ ଓ ଲାଲା ଏକା ହୋଇଯାଉ।ଦିନେ ପଚାରିଲି ମାମା --ଏ ଡିକ୍ ଅଙ୍କଲ କିଏ?ସେ କାଇଁ ଆମ ଘରକୁ ଆସନ୍ତି। ସେ ଭଲ ମଣିଷ ନୁହନ୍ତି। ତାଙ୍କୁ ମନା କର ଏଣିକି ଆମ ଘରକୁ ଆସିବେନି। ମାମି ଆଶ୍ଚର୍ଯ୍ୟ ହୋଇ ମୋତେ ଚାହେଁ ଓ କହେ ହଁ କହିଦେବି।

 

   ଆଉ ଦିନେ ପଚାରିଲି --ମାମା ମୋ ଫ୍ରେଣ୍ଡ୍ ନିକୁ,କୁଟୁ,ହରି,ଏଲି,ଖୁସି,ଦ୍ରାକ୍ଷା,ଚିନା,ମୁସ୍କାନ୍,ବବି ସମସ୍ତଙ୍କର ଡାଡ୍ ଅଛନ୍ତି। ମୋର କାହାନ୍ତି ? ମାମି ହସନ୍ତି ଆଉ କୁହନ୍ତି ଅପେକ୍ଷା କର ଆଉ କିଛି ଦିନ ପରେ ଡିକ୍ ଅଙ୍କଲ ତୋ ଡାଡ୍ ହୋଇଯିବେ। କୋର୍ଟ ଅର୍ଡରକୁ ଅପେକ୍ଷା ।କିନ୍ତୁ ଏବେ ସେ ଅଙ୍କଲ କାହିଁକି ଡାଡ୍ ନୁହନ୍ତି? ଜାଣିଛ ମାମି ଡିକ୍ ଅଙ୍କଲ ମୋର ଆଦୌ ପସନ୍ଦ ନୁହଁନ୍ତି। ସେ ମୋତେ ଭଲ ଲାଗନ୍ତିନି। ମାମି କହିଲେ ନଟି ବଏ ଏପରି କୁହନ୍ତି; ତୁ ତ ମୋର ଗୁଡ୍ ବଏ ଏମିତି କୁହନ୍ତି !


    ମୁଁ ଆଉ ଲାଲା ଦୁଇଟି ଅସହାୟ ଜୀଵ ଜାଣ ଆମ ଘରେ।ଆମର ଇଛା କି ଅନିଛା କିଛି ନାହିଁ।ଦିନେ ଗୋଟେ ଅଭାବନୀୟ ଘଟଣା ଘଟିଲା।ଜଣେ ଅଚିହ୍ନା ବ୍ୟକ୍ତି ଗେଟ୍ ଖୋଲି ଘର ଆଡକୁ ଆସିଲେ।ମୁଁ ଘର ଭିତରେ ହୋମ ଟ୍ୟାକ୍ସ କରୁଥାଏ।ସନ୍ଧ୍ୟା ସମୟ।ଲାଲା ତାର ଚିରା ଚରିତ ଅଭ୍ୟାସ କ୍ରମେ ଦଉଡ଼ି ଗଲା ସେ ବ୍ୟକ୍ତିଙ୍କ ପାଖକୁ।ମୁଁ ଭାବିଲି ରକ୍ଷା ନାହିଁ।ଏବେ ରଡି ଛାଡିବେ ସେ ବ୍ୟକ୍ତି ଜଣକ।କିନ୍ତୁ ଆଶ୍ଚର୍ଯ୍ୟ ଦେଖୁ ଦେଖୁ ଭୁକିବା ପରିବର୍ତ୍ତେ ଲାଲା କୁଁ କୁଁ ହୋଇ ବହେ ଚାଟି ଗଲା ତାଙ୍କୁ।ସେ ବସି ପଡିଲେ।ଲାଲା ତାଙ୍କ ପିଠି ଦେଇ କାନ୍ଧକୁ ଚଢି ଗଲା ଓ ସେ ବ୍ୟକ୍ତିଙ୍କ ମୁଣ୍ଡ ଉପରେ ଆଗ ଦୁଇ ଗୋଡ଼ ଥୋଇ ଜିଭ କାଢି ତା ମୁଣ୍ଡ ଖୁବ ଖୁସିରେ ହଲାଇବାକୁ ଲାଗିଲା।ପୁଣି ବ୍ୟକ୍ତି ଜଣଙ୍କ ଦୁଇ ପାପୁଲି ଦେଖାଇଲେ ଲାଲା ତା ଆଗ ଗୋଡ଼ ଦିଟା ଥୋଇ ତା ଥେଇ ତା ଥେଇ ନାଚିବାକୁ ଲାଗିଲା।ତାଙ୍କ ଆଗରେ ଲାଲା ସାଧନ ବି ଭାଙ୍ଗିଲା।ଶେଷରେ ପଛ ଗୋଡ଼ରେ ବସି ଆଗ ଗୋଡ଼ରେ ନମସ୍କାର ମୁଦ୍ରାରେ ଠିଆ ହୋଇ ଜିଭ ଲହ ଲହ କଲା।


    ଝରକା ଦେଇ ଏପରି ଅଦ୍ଭୁତ ଦୃଶ୍ୟ ଦେଖି ମୁଁ କିଛି ବୁଝି ପାରିଲି ନାହିଁ।ଅଚିହ୍ନା ବ୍ୟକ୍ତି ତ ଏ।ମୁଁ ୟାଙ୍କୁ କେବେ ଆଗରୁ ଦେଖିନି।ଲାଲା ଚିହ୍ନିଲେ ବି ଏତେ ଖୁସି ଜାହିର କାହା ପାଖେ କରେନି।କିଏ ଇଏ;ଲାଲା ଯାହାଙ୍କୁ ଏତେ ଭଲ ପାଏ!!ଲାଲା କାର୍ଯ୍ୟ କଳାପ କହୁଛି ସେ ଚିହ୍ନିଛି ୟାଙ୍କୁ।ମୁଁ ଜାଣିନି କେମିତି!ଏ କଣ ମାମିର ଆଉ କେଉଁ ଡିକ୍ ଅଙ୍କଲ ପରି ଚିହ୍ନା କି??ମୋ ମନରେ ଗଦାଏ ପ୍ରଶ୍ନ।ଏଇ ଡିକ୍ ଅଙ୍କଲ ମାନଙ୍କୁ ମୁଁ ଆଦୌ ବରଦାସ୍ତ କରି ପାରେନି।ଇଚ୍ଛା ହୁଏ କହି ଦିଅନ୍ତି ହେ ଡିକ୍ ଅଙ୍କଲ ତୁମେ ଆମ ଘରକୁ ଆସିବନି। ତୁମେ ମୋତେ ଭଲ ଲାଗନା।କିନ୍ତୁ କହି ପାରେନି ମାମି ଯେ ଡିକ୍ ଅଙ୍କଲ ଙ୍କୁ ଦେଖିଲେ ମୋତେ ଭୁଲି ଯାଆନ୍ତି।ମୋତେ ମୋ ମାମି ସବୁଠାରୁ ଅଧିକ ଭଲ ପାଆନ୍ତି।ମୋଠୁ ଯାହାଙ୍କୁ ଆହୁରି ଅଧିକ ଭଲ ପାଆନ୍ତି ସେ ହେଲେ ଡିକ୍ ଅଙ୍କଲ।କହିବି କେମିତି ଯେ...ମାମା ମନ ଦୁଃଖ କରିବେ କିମ୍ବା ରାଗିବେ....


    ମୁଁ ଦେଖୁଥାଏ ଲାଲା ଓ ସେ ବ୍ୟକ୍ତି ଜଣଙ୍କ ଖୁବ ଖେଳିଲେ କିଛି ସମୟ।ମୋର ବି ଇଚ୍ଛା ହେଉଥିଲା ତାଙ୍କ ସହ ମିଶି ଖେଳିବାକୁ। କିନ୍ତୁ ଅଚିହ୍ନା ଲୋକ ଦେଖିଲେ ମାମି ପଛେ ଲୁଚିବା ମୋର ଯେ ଅଭ୍ୟାସ।ଡାକ ଛାଡ଼ିଲି ମାମି...ଇଁ ମାନି ଦି ଦଉଡ଼ି ଆସିଲେ।ମୁଁ ହାତ ଠାରି ଦେଖାଇଲି ଝର୍କା ସେପଟ ବ୍ୟକ୍ତିଙ୍କୁ।ମାନି ଦି ଙ୍କ ମୁହଁ ବି ହସି ଉଠିଲା।ତାଙ୍କ ପାଟିରୁ ବାହାରି ପଡିଲା କଲ୍ଲୋଲ ସାର୍!!!


    କିଏ ମାନି ଦି ସେ!! ମୋ ପିଲା ମନରେ ଜିଜ୍ଞାସାର ଅୟୁତ ପ୍ରଶ୍ନ ।ତୁମ ଡାଡ୍ କହିଲେ ମାନି ଦି ।ପାଟିରେ ହାତ ଦେଇ କହିଲେ ମାନି ଦି କହିଲେ" ଏ ମା ମୁଁ କହିଦେଲି ମାମ୍ ଜାଣିଲେ ରାଗିବେ।

 ମୋ ଡାଡ୍!!!!

 

ହଁ ତୁମ ଡାଡ୍।ଖୁବ ଭଲ ମଣିଷ।ତୁମ ମାମି ଡିକ୍ ଅଙ୍କଲ ଙ୍କ ସହ ସମ୍ପର୍କ ରଖିଲେ ବୋଲି ରାଗିକି ଘର ଛାଡି ଚାଲି ଯାଇଥିଲେ ଯେବେ ତୁମକୁ ସାତ ମାସ ହୋଇଥିଲା।


  ଏଇ ଅଚିହ୍ନା ମଣିଷଟି ମୋ ଡାଡ୍!!ଲାଲା ସେଇଥି ପାଇଁ ଏତେ ଖୁସି ଜାହିର କରୁଥିଲା!!ମୁଁ ଦୌଡୁଥିଲି ସମସ୍ତ ବଳ ଖଟାଇ ଚିଲ ପରି ଡାଡ୍ ଡାଡ୍ କହି ଗେଟ ଆଡକୁ...

  



Rate this content
Log in

Similar oriya story from Tragedy