ଚରିତ୍ର ହୀନା
ଚରିତ୍ର ହୀନା
ଦୀର୍ଘ ବାଇଶ ବର୍ଷର ଦାମ୍ପତ୍ୟ ଜୀବନରେ ଝଡ଼ ଉଠିଛି ସମ୍ପୂର୍ଣ୍ଣାଙ୍କର । ବାଇଶ ବର୍ଷ ଧରି ନିଜର ମନ, ହୃଦୟ ଓ ଶରୀରକୁ ସମ୍ପୂର୍ଣ୍ଣ ଭାବରେ ସମ୍ପଦକୁ ଅର୍ପଣ କରି, ତାଙ୍କ ପୁଅର ମାଆ ହୋଇ ସାରିବା ପରେ ବି, ଆଜି କାହିଁକି ସନ୍ଦେହ ଉପୁଜିଛି ସମ୍ପଦଙ୍କ ମନରେ? ଆଉ ତାକୁ ସେ ଚରିତ୍ର ହୀନାର ଆଖ୍ୟା ଦେଇ କହିଛନ୍ତି, ଯଦି ତୁମେ ମୋ ପାଇଁ ନିଜ ବାପା,ମାଆ, ଭାଇ, ଭଉଣୀ ସମସ୍ତଙ୍କୁ ତ୍ଯାଗ କରି ପାରିଲ ତେବେ ଆଉ କାହା ପାଇଁ ମୋତେ ତ୍ଯାଗ କରିପାରିବ ନାହିଁ କାହିଁକି?
ସମ୍ପଦଙ୍କ ମୁହଁରୁ ଏ କଥା ଶୁଣି ସମ୍ପୂର୍ଣ୍ଣାଙ୍କ ମନ ଓ ହୃଦୟ ଦୁଇଟି ଯାକ କାଚ ଗ୍ଲାସ୍ ପରି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଇଥିଲା । ତାଙ୍କ ଆତ୍ମାରୁ ଲୁହ ଝରିବା ପାଇଁ ଲାଗିଥିଲା । ତାହା ହେଲେ ଏଇଆ ହେଉଛି ସମ୍ପଦଙ୍କର ତା ଉପରେ ଥିବା ବିଶ୍ବାସ ଓ ଭଲ ପାଇବା? ଯାହାକୁ ନେଇ ସେ ନିଜ ଜୀବନରେ ଅଚାନକ ଆସିଥିବା କାଳବୈଶାଖୀକୁ ଏକା ଏକା ଅତିକ୍ରମ କରିବା ପାଇଁ ଚାହିଁଥିଲେ ।
କଲେଜ ପଢିବା ସମୟରେ ହିଁ ସମ୍ପୂର୍ଣ୍ଣା ଓ ସମ୍ପଦ ପରସ୍ପରର ପ୍ରେମରେ ପଡି ଯାଇଥିଲେ । ଯଦିଓ ଉଭୟଙ୍କ ପାରିବାରିକ ଷ୍ଟାଟସରେ ଆକାଶ ପାତାଳ ଫରକ ଥିଲା । ସମ୍ପୂର୍ଣ୍ଣା ସହରର ପ୍ରସିଦ୍ଧ ବ୍ୟବସାୟୀ ରମାକାନ୍ତ ଚୌଧୁରୀଙ୍କର ଏକମାତ୍ର ଝିଅ । ଆଉ ସମ୍ପଦ ନିପଟ ମଫସଲରେ ଚାଷ କରୁଥିବା ଜଣେ ଚାଷୀ ଗୋବିନ୍ଦ ନାୟକଙ୍କ ପୁଅ । ଯାହାକୁ ଭବିଷ୍ୟତରେ ନିଜର ଆଉ ଚାରି ଭଉଣୀ ଓ ଭାଇଙ୍କ ଦାୟିତ୍ବ ନେବାର ଥିଲା ।
କଲେଜ ପଢା ସରିବା ପରେ ସମ୍ପଦ ବିଭିନ୍ନ ପ୍ରକାର ଚାକିରୀ ପାଇଁ ଆବେଦନ କରିବା ପାଇଁ ଲାଗିଲେ । ହେଲେ ସଫଳତା ପାଉ ନ ଥାଆନ୍ତି । ସମ୍ପୂର୍ଣ୍ଣା ନାଁ ଯେମିତି ରୂପ ଗୁଣରେ ମଧ୍ୟ ସେମିତି । ତେଣୁ କଲେଜ ପଢା ସରୁ ସରୁ ସମ୍ପୂର୍ଣ୍ଣାଙ୍କ ପାଇଁ ସହରର ବଡ଼ ବଡ଼ ଘରୁ ପ୍ରସ୍ତାବ ସବୁ ଆସିଲା ଓ ତାଙ୍କ ବାପାଙ୍କର ଜଣେ ବନ୍ଧୁଙ୍କ ପୁଅ ସହିତ ବିବାହ ଠିକ୍ ମଧ୍ୟ ହୋଇଗଲା । ତେଣୁ କିଛି ଉପାୟ ନ ପାଇ ସମ୍ପୂର୍ଣ୍ଣା ଦିନେ କାହାକୁ କିଛି ନ ଜଣାଇ ଘର ଛାଡ଼ି ସମ୍ପଦଙ୍କ ନିକଟକୁ ଚାଲି ଆସିଲେ ଓ ତାଙ୍କୁ ସବୁ କଥା କହିଲେ ।
ସମ୍ପଦ କହିଲେ ତୁମେ ତ ଆମ ଘରର ପରିସ୍ଥିତି ଜାଣିଛ । ଗୋଟିଏ ଓଳି ଖାଇବାକୁ ମିଳିଲେ ଅନ୍ୟ ଓଳି ଉପାସ । ମୁଁ ତ ନିଜେ ଟ୍ୟୁସନ କରି ଚଳୁଛି । ମୋତେ ମୋ ଭାଇ ଭଉଣୀ ମାନଙ୍କୁ ମଧ୍ୟ ମଣିଷ କରିବାର ଅଛି । ଏଇ ପରିସ୍ଥିତିରେ ମୁଁ ତୁମ ଦାୟିତ୍ବ ନେବି କେମିତି?ତା ଛଡ଼ା ତୁମେ ଆଜି ଯାଏ ଧନ, ସମ୍ପଦ ଓ ପ୍ରାଚୁର୍ଯ୍ଯ ଭିତରେ ବଢି ଆସିଛ । ଆମ ଗରିବ କୁଡ଼ିଆରେ ରହିବ କେମିତି? ମୁଁ ତ ତୁମକୁ ଗଣ୍ଡେ ଖାଇବାକୁ ଦେବାକୁ ମଧ୍ୟ ଯୋଗ୍ୟତା ହାସଲ କରି ପାରିନାହିଁ । ତେଣୁ ତୁମେ ଫେରିଯାଅ ଓ ମୋତେ ଭୁଲି ତୁମ ବାପାଙ୍କ ପସନ୍ଦର ପିଲାକୁ ବିବାହ କରି ନିଅ । ମୋ ସହିତ ରହିଲେ ତୁମକୁ ବହୁତ କଷ୍ଟ ସହିବାକୁ ପଡିବ ।
ସମ୍ପୂର୍ଣ୍ଣା କହିଲେ ସତରେ କଣ ତୁମେ ମୋ ଭଲପାଇବାକୁ ଏତେ କମଯୋର୍ ଭାବିଲ ଯେ, ମୁଁ ଧନସମ୍ପଦ ପାଇଁ ତୁମକୁ ଛାଡି ଚାଲିଯିବି । ତା ଛଡା ମୁଁ ଯେତେବେଳେ ତୁମକୁ ଭଲ ପାଇଥିଲି, ସେତେବେଳେ କଣ ତୁମ ଧନ ସମ୍ପତ୍ତି ଓ ବଂଶ ମର୍ଯ୍ୟାଦାକୁଦେଖି ଭଲ ପାଇଥିଲି ? ମୁଁ ତୁମର ନିଷ୍କପଟ ମନ ଓ ହୃଦୟକୁ ଦେଖି ଭଲପାଇଥିଲି । ତେଣୁ ତୁମେ ଯେଉଁଠି ରଖିଲେ ମୁଁ ରହିବି, ଯାହା ଦେଲେ ଖାଇବି, ଖାଇବାକୁ ନ ମିଳିଲେ ଉପାସ ରହିବି କିନ୍ତୁ ତୁମକୁ ଛାଡି ଯିବି ନାହିଁ । କାରଣ ତୁମ ବିନା ମୁଁ ବଞ୍ଚି ପାରିବି ନାହିଁ । ମୋତେ ଖାଲି ତୁମ ହୃଦୟରେ ଜାଗାଟିଏ ଦରକାର । ଥରେ ଘରଛାଡି ଆସିଛି ମାନେ ଘରକୁ ଫେରିବାର ସମସ୍ତ ରାସ୍ତା ମୋ ପାଇଁ ବନ୍ଦ ହୋଇଯାଇଛି ।
ସେଇ ଦିନ ପାଖରୁ ନିଜର ସୁଖ, ସ୍ବାଚ୍ଛନ୍ଦ ଓ ପ୍ରାଚୁର୍ଯ୍ଯ ଭରା ଜୀବନକୁ ଛାଡି ସମ୍ପଦଙ୍କ କୁଡିଆ ଘରକୁ ଆପଣାର କରି ନେଇଥିଲେ ସମ୍ପୂର୍ଣ୍ଣା । ଯେତେ ଅସୁବିଧାରେ ରହିଲେ ମଧ୍ୟ ପାଟିରୁ ଉଁ କି ଚୁଁ ଶବ୍ଦ ଟିଏ ମଧ୍ୟ ଉଚ୍ଚାରଣ କରୁନଥିଲେ । ଆଉ ସବୁ ବେଳେ ସମ୍ପଦକୁ ଭଲ ଚାକିରିଟିଏ କରିବା ପାଇଁ ପ୍ରେରଣା ଯୋଗାଇ ଚାଲିଥିଲେ । ନିଜର ସାଧନା, ସମ୍ପୂର୍ଣ୍ଣାଙ୍କ ଭଲପାଇବା ଓ ପ୍ରେରଣା ଯୋଗୁଁ କିଛି ଦିନ ପରେ ସମ୍ପଦ ରାଜ୍ୟ ସରକାରଙ୍କର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ରୂପେ ନିଯୁକ୍ତି ପାଇଲେ ।
ଆସ୍ତେ ଆସ୍ତେ ତାଙ୍କ ଘରର ଆର୍ଥିକ ସ୍ଥିତି ମଧ୍ୟ ବଦଳିବାକୁ ଲାଗିଲା । ତାଙ୍କର ଅନ୍ୟ ଭାଇ ଓ ଭଉଣୀ ମାନେ ମଧ୍ୟ ଭଲ ଭଲ ଯାଗାରେ ଚାକିରୀ ପାଇ ନିଜ ନିଜର ଘର ସଂସାର କଲେ । ସମ୍ପଦ ଓ ସମ୍ପୂର୍ଣ୍ଣାଙ୍କ ଏକ ମାତ୍ର ପୁଅ ମଧ୍ୟ ବଡ଼ ହୋଇ କଲେଜରେ ପଢିଲା । ତାଙ୍କ ସଂସାରର ଗାଡି ସୁରୁଖୁରୁରେ ଆଗକୁ ଆଗେଇ ଚାଲିଲା । ଠିକ୍ ଏଇ ସମୟରେ ହଠାତ୍ ଦିନେ ସମ୍ପୂର୍ଣ୍ଣା ତାଙ୍କ ଶରୀରରେ ଛୋଟ ଛୋଟ ନାଲି ନାଲି ଦାଗ ସବୁ ଦେଖିବାକୁ ପାଇଲେ । ତାଙ୍କ ମନରେ ସନ୍ଦେହ ହେଲା । ସେ ସମ୍ପଦଙ୍କୁ କିଛି ଜଣାଇବା ପୂର୍ବରୁ ରୋଗ ବିଷୟରେ କନଫର୍ମ ହେବାକୁ ଚାହିଁଲେ । କାରଣ ଏବେରୁ ସମ୍ପଦଙ୍କୁ କିଛି କହିଲେ ସେ ବ୍ଯସ୍ତ ହୋଇ ପଡିବେ ।
ତେଣୁ ସେ ସମ୍ପଦଙ୍କୁ କିଛି ନ ଜଣାଇ ନିଜର ଜଣେ ପୁରୁଷ ବନ୍ଧୁ, ଯିଏକି ଜଣେ କ୍ଯାନସର ସ୍ପେଶାଲିଷ୍ଟ ଥିଲେ ତାଙ୍କର ସାହାଯ୍ୟ ନେଲେ । ସେଥିପାଇଁ ସମ୍ପୂର୍ଣ୍ଣାଙ୍କର ସେଇ ପୁରୁଷ ବନ୍ଧୁ ଜଣଙ୍କ ସବୁବେଳେ ସମ୍ପୂର୍ଣ୍ଣାଙ୍କ ପାଖକୁ ଆସୁଥିଲେ । ତାଙ୍କର ପୁରୁଷ ବନ୍ଧୁଙ୍କୁ ଆସୁଥିବାର ଦେଖି ପ୍ରଥମେ ପ୍ରଥମେ ସମ୍ପଦ କିଛି କହୁନଥିଲେ । କିଛି ଦିନ ପରେ ସମ୍ପଦକୁ ଲାଗିଲା ସମ୍ପୂର୍ଣ୍ଣା ଆଉ ଆଗ ଭଳି ତାଙ୍କର କେଆର କରୁ ନାହାଁନ୍ତି ,ସବୁ ବେଳେ ଅନ୍ୟ ମନସ୍କ ରହୁଛନ୍ତି । କିନ୍ତୁ ତାଙ୍କର ସେ ପୁରୁଷ ବନ୍ଧୁ ଜଣଙ୍କ ଆସିଲେ ତାଙ୍କ ସହ ଦୀର୍ଘ ସମୟ ଧରି କଥା ବାର୍ତ୍ତା ହେଉଛନ୍ତି ।
ତାଙ୍କ ମନରେ ଦୁଇଜଣଙ୍କର ସମ୍ପର୍କକୁ ନେଇ ସନ୍ଦେହ ଜାତ ହେଲା । ସନ୍ଦେହଟା ସବୁବେଳେ ଗୋଟେ ନିଆଁ ଝୁଲ ସଦୃଶ ହୋଇଥାଏ । ଯାହା ମନ ମଧ୍ୟରେ ଥରେ ଜାତ ହେଲେ ବର୍ଷ ବର୍ଷର ବିଶ୍ବାସକୁ ନିମିଷକରେ ଜଳି ପୋଡି ପାଉଁଶ କରିଦିଏ । ସମ୍ପଦଙ୍କ କ୍ଷେତ୍ରରେ ମଧ୍ୟ ସେଇଆ ହେଲା । ତେଣୁ ଦିନେ ସମ୍ପୂର୍ଣ୍ଣାଙ୍କର ସେଇ ପୁରୁଷ ବନ୍ଧୁ ଜଣଙ୍କ ଚାଲିଯିବା ପରେ ସମ୍ପଦ, ନାନା କଟୁ କଥା କହି ବର୍ଷି ଗଲେ ସମ୍ପୂର୍ଣ୍ଣାଙ୍କ ଉପରେ । ତାଙ୍କୁ ପଦେ କୈଫିୟତ ଦେବାର ସୁଯୋଗ ମଧ୍ୟ ଦେଲେନି । ଏପରିକି ଚରିତ୍ର ହୀନାର ଆଖ୍ୟା ଦେବା ପାଇଁ ମଧ୍ୟ ପଛାଇଲେ ନାହିଁ ।
ନାରୀ ସବୁ କିଛି ସହି ପାରେ ହେଲେ ତା ସ୍ବାମୀ ତାକୁ ଚରିତ୍ର ହୀନାର ଆଖ୍ୟା ଦେଲେ ତା ଆତ୍ମା ଥରି ଉଠେ । ବଞ୍ଚିବାଟା ତା ପାଇଁ ମରଣ ସହିତ ସମାନ ହୋଇ ଯାଇଥାଏ । ଯେଉଁ ସମ୍ପଦଙ୍କ ପାଇଁ ସେ ନିଜ ଜନ୍ମ କଲା ବାପା ମାଆଙ୍କୁ ପର କରିଦେଲେ । ଦୀର୍ଘ ବାଇଶ ବର୍ଷ ଧରି ତାଙ୍କ ମୁହଁ ଟିକେ ମଧ୍ୟ ଦେଖି ନାହାଁନ୍ତି, ସେଇ ସମ୍ପଦ ତାଙ୍କୁ ଚରିତ୍ର ହୀନାର ଆଖ୍ୟା ଦେବା ପୂର୍ବରୁ, ତାକୁ ଏତେ ବଡ଼ ବଡ଼ କଥା କହିବା ପୂର୍ବରୁ, ତାଙ୍କର ସବୁ ତ୍ଯାଗକୁ କେମିତି ଭୁଲି ଗଲେ? ଦୀର୍ଘ ବାଇଶ ବର୍ଷର ସମ୍ପର୍କ ପରେ ବି ସମ୍ପୂର୍ଣ୍ଣାଙ୍କ ଚରିତ୍ର କେମିତି ଜାଣି ପାରିଲେ ନାହିଁ ? ଆଉ ଥରଟିଏ ମଧ୍ୟ ପଚାରିବା ପାଇଁ ଉଚିତ୍ ମନେ କଲେନି ଯେ ସମ୍ପୂର୍ଣ୍ଣାଙ୍କର ଏଇ ପୁରୁଷ ବନ୍ଧୁ ଜଣଙ୍କ କିଏ ଓ ସବୁବେଳେ ସବୁବେଳେ ସମ୍ପୂର୍ଣ୍ଣାଙ୍କ ପାଖକୁ କାହିଁକି ଆସୁଛନ୍ତି? ସମ୍ପୂର୍ଣ୍ଣା ସବୁବେଳେ ଅନ୍ୟ ମନସ୍କ କାହିଁକି ରହୁଛନ୍ତି?
ତେଣୁ ସମ୍ପୂର୍ଣ୍ଣା ସ୍ଥିର କଲେ ଚରିତ୍ର ହୀନାର ଆଖ୍ୟା ନେଇ ଆଉ ସେ ସମ୍ପଦଙ୍କ ଜୀବନରେ ରହିବେ ନାହିଁ । ରାତି ପାହିବା ପୂର୍ବରୁ ସେ ସମ୍ପଦଙ୍କ ଜୀବନରୁ ଅନେକ ଦୂରକୁ ଚାଲିଯିବେ । ରାଗରେ ଓ ସନ୍ଦେହରେ ସିନା ସମ୍ପଦ, ସମ୍ପୂର୍ଣ୍ଣାଙ୍କୁ ଏତେ ଗୁଡା କଟୁ କଥା କହିଦେଲେ, ହେଲେ ସକାଳେ ସମ୍ପୂର୍ଣ୍ଣାଙ୍କୁ ଘରେ ନ ଦେଖି ତାଙ୍କ ମନଟା ବ୍ଯସ୍ତ ହୋଇ ପଡିଲା । ତାଙ୍କୁ ଏ ଘର ସେ ଘର ଖୋଜିବାକୁ ଲାଗିଲେ ।
ସେଇ ସମୟରେ ଘର ଭିତରେ ଗୋଟିଏ କାଗଜ ପଡିଥିବାର ଦେଖିବାକୁ ପାଇଲେ ଯାହା ହୁଏତ ସମ୍ପୂର୍ଣ୍ଣା ଜିନିଷ ପତ୍ର ପ୍ଯାକ୍ କରୁଥିବା ସମୟରେ ତଳେ ପଡି ଯାଇଥିଲା । ସେଇଟି ଗୋଟିଏ ବ୍ଲଡ୍ ଟେଷ୍ଟ ରିପୋର୍ଟ ଥିଲା । ଯେଉଁଥିରେ ଲେଖାଥିଲା ସମ୍ପୂର୍ଣ୍ଣାଙ୍କୁ ସେକେଣ୍ଡ ଷ୍ଟେଜ୍ ବ୍ଲଡ୍ କ୍ଯାନସର । ଆଉ ଠିକ୍ ସେଇ ସମୟରେ ସମ୍ପଦଙ୍କର ମନେ ପଡିଥିଲା ସମ୍ପୂର୍ଣ୍ଣାଙ୍କର ସେଇ ପୁରୁଷ ବନ୍ଧୁ ଜଣଙ୍କ ହେଉଛନ୍ତି ଜଣେ କ୍ଯାନସର ସ୍ପେଶାଲିଷ୍ଟ ।
