Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Madhumita Mishra

Tragedy Others

5.0  

Madhumita Mishra

Tragedy Others

ଚକୋଲେଟ

ଚକୋଲେଟ

3 mins
581



ବିରକ୍ତ ହୋଇ ଗଲାଣି ରୀତା । ପିଙ୍କିର ସବୁବେଳେ ଯେଉଁ ଝୁଙ୍କ । କେବଳ ଚକୋଲେଟ ଖାଇବ।ଯେତେ ମନା କଲେ ମଧ୍ୟ ସେ ନଛୋଡ଼ ବନ୍ଧା । କୁଆଡେ ବୁଲି ଗଲେ ଯେପରି ସେଇୟା ମାଗିବ କେହି ଘରକୁ ଆସିଲେ ମଧ୍ୟ କେବଳ ସେଇ ଚକୋଲେଟ ର ଆଗ୍ରହ । ଖେଳନା କି ନୂଆ ପୋଷାକ ଦେଖିଲେ ଖୁସି ହୁଏନି ପିଙ୍କି । କେବଳ ଚକୋଲେଟ ଦେଖିଲେ ଡେଇଁ ଉଠେ ଖୁସିରେ ।


ସମିତ ବୁଝେଇ ଦିଅନ୍ତି । " ଛୋଟ ପିଲାଟା । ଚକୋଲେଟ ଖାଇବନି ତ ଆଉ କଣ ତୁମେ ଆଉ ମୁଁ ଖାଇବା?"କିନ୍ତୁ ରୀତା ତାଙ୍କୁ ବୁଝେଇ ପାରେନି ସେ କାହିଁକି ଏତେ ବିରକ୍ତ ହୁଏ ।


ଅନେକ ଥର ବୁଝାଇଛି ରୀତା ଚକୋଲେଟ ଖାଇଲେ କିପରି ଦାନ୍ତରେ ପୋକ ଲାଗିଯାଏ । ତା ପରେ କିପରି ଡାକ୍ତର ତାକୁ ସଫା କରନ୍ତି ଆଉ କେତେ କଷ୍ଟ ହୁଏ । ସଜ ଫୁଲଟି ପରି ହସିଦିଏ ପିଙ୍କି । "ପୋକ ଲାଗିଲେ ଦେଖିବା । "ଆଉ ରୀତାର ପ୍ରତିକ୍ରିୟା ପାଇଁ ଅପେକ୍ଷା ନ କରି ଦୋୖଡି ଚାଲିଯାଏ।


ରୀତା ଏଇୟା ମଧ୍ୟ ଡରେଇଛି ଆଜିକାଲି କିପରି ଚକୋଲେଟ ଦେଇ ପିଲାଚୋର ମାନେ ପିଲା ମାନଙ୍କୁ ଚୋରେଇ ନେଇ ଯାଆନ୍ତି । ପିଙ୍କି ପୁଣି ହସିଦେଇ କହେ"ମାମା !ତମେ କଣ ଜାଣିନ କି ମୁଁ ଅଜଣା ଲୋକଙ୍କ ହାତରୁ କିଛି ନିଏନି । !!??"


    "ଜାଣିଛୁ ନା ଚକୋଲେଟ ଖାଇଲେ ପେଟ କାଟେ?"ହସିଦିଏ ପିଙ୍କି । "ମୋର କାଟୁ ତା ପରେ ଛାଡ଼ିଦେବି । "ଆଉ ପୁଣି ଦୋୖଡି ଚାଲିଯାଏ ।


ହଁ । ଏଇଟା ଅବଶ୍ୟ ଖୁସିର କଥା ଯେ ପିଙ୍କି କେବେ କୌଣସି ଅଜଣା ବ୍ୟକ୍ତି ହାତରୁ କିଛି ଖାଇବା ଜିନିଷ ନିଏନି । ସେ ଚକୋଲେଟ ହେଲେ ମଧ୍ୟ ଫେରାଇ ଦିଏ।ତଥାପି ଏତେ ଚକୋଲେଟ ଖାଇବା କଣ ଭଲ କଥା?ତା ଛଡା ଆଜିକାଲି ଯେପରି କମ୍ ବୟସରେ କେତେ ରୋଗ । !!ଜିଭକୁ କାମୁଡି ପକେଇଲା ରୀତା । . ପାଗଳୀଙ୍କ ପରି କଣ ନାହିଁ କଣ ଭାବି ଚାଲିଛି ଯେ ।


ସେଦିନ ରୀତା ବହୁତ କାମରେ ବ୍ୟସ୍ତ ଥିଲା।ତା ଛଡା ସକାଳୁ ଉପବାସ । ଦୈବୀକୃତ ନୁହେଁ ମନୁଷ୍ୟକୃତ । ମାନେ ସମିତଙ୍କ ଦୁଇ ଜଣ ସାଙ୍ଗ ଘରକୁ ଆସିଥିଲେ।ତେଣୁ ଅତିଥି ଚର୍ଚ୍ଚା । ଅବଶ୍ୟ ଏସବୁ ସାଧାରଣ କଥା।ସମିତ କହିଲେ"ତୁମେ ଖାଇ ସାରି ଟିକେ ଥକ୍କା ନିଅ । ମୁଁ ପୀଙ୍କିକୁ ବୁଲେଇ ଆଣୁଛି । "ଏତେ ବ୍ୟସ୍ତତା ଭିତରେ ସେ କାଲିଠୁ ପିଙ୍କି ସହିତ କଥା ମଧ୍ୟ ହୋଇ ପାରି ନାହିଁ ।


ରୀତା ଶାନ୍ତିରେ ନିଶ୍ୱାସ ମାରି ଖାଇବା ପର୍ବ ସମାପ୍ତ କରି ଟିକେ ଆରାମ କରିବାକୁ ଲାଗିଲା।କିଛି ସମୟ ମଧ୍ୟରେ ବାପା ଝିଅ ଫେରି ଆସିଲେ।ଘରକୁ ଆସି ପିଙ୍କି ସବୁଦିନ ପରି ଡେଇଁ ଡେଇଁ ନ ଯାଇ ଚୁପଚାପ୍ ତା ରୁମକୁ ଚାଲିଗଲା।ରୀତା ପଚାରିବା ଆଗରୁ ସମିତ କହିଲେ"ପିଙ୍କିର କଣ ହେଇଛି । ?ସେ ଆଜି ଚକୋଲେଟ ଖାଇବାକୁ ମନା କରିଦେଲା । "ଚମକି ପଡ଼ିଲା ରୀତା । .ଏକ ନିଃଶ୍ୱାସରେ ପିଙ୍କି ରୁମକୁ ଯାଇ ଦେଖିଲା ବେଳେ ପିଙ୍କି ଆଖିରେ ଆଖିଏ ଲୁହ । .


ମା କୁ ଦେଖି ପିଙ୍କି କଇଁ କଇଁ ହୋଇ କାନ୍ଦି ଉଠିଲା ଆଉ କହିଲା । "ମାମା ।  ସ୍କୁଲ୍ ବସ୍ ଡ୍ରାଇଭର ଅଙ୍କଲ ଆମ ଦୁଇ ସାଙ୍ଗକୁ କେତେ ଥର ଚକୋଲେଟ ଦିଅନ୍ତି । ମୋତେ ଆଉ ପ୍ରୀତି କୁ।ମୁଁ ଆଉ କାହା ହାତରୁ କିଛି ନିଏନି ନା ମନା କରିଦିଏ । .ସେ ଖାଇଦିଏ।କାଲି ମୁଁ ଖେଳୁ ଖେଳୁ ସ୍କୁଲ୍ ପଛ ପଡିଆକୁ ବଲ୍ ଆଣିବାକୁ ଚାଲିଗଲି । ଆଉ ଦେଖିଲି । ପ୍ରୀତି ତଳେ ଶୋଇଛି । ତା ପାଖକୁ ଗଲା ବେଳେ ତା ମୁହଁ ସାରା ଖଣ୍ଡିଆ ଦେଖିକି ଡରିଗଲି । ପ୍ରୀତି କାନ୍ଦୁଥିଲା ଆଉ ତା ହାତରେ ଚକୋଲେଟ କଭର୍ ଧରିଥିଲା । ମୋତେ ଡର ଲାଗିଲା । ମୁଁ ଦୋୖଡି ଆସିଗଲି । କିନ୍ତୁ କଣ ହେଲା ମାମା ପ୍ରୀତିର??ଚକୋଲେଟ ଖାଇକି ଖଣ୍ଡିଆ ହେଇଗଲା କି ତା ମୁଁହ?ଚକୋଲେଟ ଖାଇଲେ ପୋକ ହେବ କହିଛ । ପେଟ ଖରାପ୍ ହେବ କହିଛ । କିଏ ନେଇଯିବ କହିଛ । ହେଲେ ମୁହଁ ଖଣ୍ଡିଆ ହେବ କାହିଁକି କହିନ?ମୁଁ ଡିଶାଇଡ୍ କରିଛି । ଆଉ କେବେ ଚକୋଲେଟ ଖାଇବିନି । କିନ୍ତୁ ତୁମେ ମୋତେ ଏ କଥା କାହିଁକି କହି ନ ଥିଲ ମାମା । !!??


ପିଙ୍କି ଅଭିମାନରେ କାନ୍ଦି ତା ମାମା କୁ କୁଣ୍ଢେଇ ଧରିଥିଲା । କିନ୍ତୁ ରୀତା ଏକ ଅଜଣା ଭୟ ଆଶଙ୍କା ଆଉ ଘୃଣା ରେ ଥରି ଉଠୁଥିଲା । କଣ ବୁଝାଇବ ସେ ପିଙ୍କି କୁ?? ଅବଶ୍ୟ ଆଜି ସେ ଖୁସି ହେଉଥିଲା ପିଙ୍କି ଚକୋଲେଟ ଛାଡିଛି ବୋଲି । କିନ୍ତୁ ଚକୋଲେଟ ବିନା ମଧ୍ୟ ସେ ସୁରକ୍ଷିତ ତ । .!!??କବାଟ ପାଖରେ ରହି ସବୁ ଶୁଣୁଥିବା ସମିତ ମଧ୍ୟ ଆଖି ପୋଛି ଏହି ପ୍ରଶ୍ନର ଉତ୍ତର ଖୋଜୁଥିଲେ ବୋଧେ । .!!??



Rate this content
Log in

More oriya story from Madhumita Mishra

Similar oriya story from Tragedy