STORYMIRROR

MADHU MITA

Tragedy Classics

4  

MADHU MITA

Tragedy Classics

ଚାରିକାନ୍ଧ

ଚାରିକାନ୍ଧ

3 mins
378

ସିଏ ମଲା କି ଗଲା କାହାର ଯାଏ ଆସେ ବା କେତେ? ସିଏ ଏମିତି କିଏ କି ଯାହା ପାଇଁ ଆଉ କିଏ ଭାବିବାକୁ ଯିବ…? ଆଉ କାହା କଥା ଛାଡ କୋଳପୋଛା ଝିଅଟା ବି ତାଠୁଁ ଦୂରେଇ ଗଲା।ଆଉ କିଏ ତା ପାଖରେ ରୁହନ୍ତା…?ସିଏ କଣ ଜଣେ ବାପ ହେବାର ଧର୍ମ ନିଭେଇ ପାରିଛି କି? ସିଏ ତ ବୋଧେ ଜୀବନ ସାରା କିଛି ବି ଠିକ୍ କାମ କରି ପାରିଲାନି।


ଝିଅ ଆଗରୁ ଗୋଟେ ପୁଅ ବି ଥିଲା ତାର।ସ୍ତ୍ରୀ ମାଳତୀ ଦୁଇ ପିଲା ଆଉ ସ୍ବାମୀ ସଂସାର ସହିତ ଖଟିଥିଲା ବଞ୍ଚିଲା ଯାଏଁ। ଚାଷବାସ କରି ପରିବାର ଚଳାଉ ଥିଲା ମାଗୁଣି।ହେଲେ ହଠାତ୍ ବାତ୍ୟା ମାଡ଼ି ଆସିଲା ଦିନେ ଆଉ ତା ଚାଳ ଛପର ଉଡ଼େଇ ନେଲା।ବାତ୍ୟା ପରେ ବନ୍ୟା ହେଲା ଗାଆଁ ପାଖ ନଈରେ ଆଉ ତା ବିଲରେ ପାଣି ପଶି ସବୁ ଉଜାଡି ପକେଇଲା।ସରକାର ତରଫରୁ ଯାହା ସାହାଯ୍ୟ ମିଳିଲା ତାହା କେତେ ଦିନ ବା ଚାଲନ୍ତା…? ଅଭାବୀ ପରିବାର ଲଢେଇ କରି ଚାଲିଲା ଜୀବନ ବଞ୍ଚାଇବାକୁ।ମାଗୁଣିର ପୁଅ ଜଣେ କୁଜି ନେତା ସହିତ ବୁଲିଲା କିଛି ପଇସା ପାଇବା ଆଶାରେ।ଆଉ ବଳି ପଡ଼ିଗଲା ଦୁଇ ଗୋଷ୍ଠୀ ସଂଘର୍ଷ ଭିତରେ।


ମାଳତୀ ଆଉ ପାରିଲାନି।ପୁଅ ଚାଲିଗଲା।ଘରେ ଅଭାବ ଅନାଟନ ଲାଗି ରହିଲା।ଏମିତିରେ ସେ ବିଛଣା ଧରିଲା ଯେ ଆଉ ଉଠିଲାନି।ସିଧା ଯାଇ ଯୁଇରେ ଶୋଇଲା।ଝିଅ ନିଜ ଛୋଟ ଛୋଟ ହାତରେ ଘରକାମ ସମ୍ଭାଳିଲା।ମାଗୁଣିର ଜମି କେବେଠୁ ବିକା ସରିଥିଲା।ଗାଆଁ ଭିତରେ କାମ ନ ପାଇ ମାଗୁଣି ଆଗେଇଲା ସହର ଆଡ଼କୁ।ସେଇଠି ମୂଲ ଲାଗିଲା।ଝିଅ ପେଟକୁ ଆଉ ତା ପେଟକୁ ଟିକେ ଦାନା ଯୋଗେଇ ପାରିଲା। ହେଲେ ଯୋଗକୁ ସେ ଯେଉଁ କୋଠା ତିଆରି ପାଇଁ ମୂଲ କାମ କରୁଥିଲା ସେହି କୋଠାର ଅଧା ଅଂଶ ଦିନେ ଭୁଶୁଡ଼ି ପଡ଼ିଲା ବେଳେ ତା ଗୋଡ଼ ଭିତରେ ଲୁହା ରଡ଼ ଗଳିଗଲା।ମାଲିକ ତାର ଚିକିତ୍ସା ସିନା କରେଇଲେ ହେଲେ ଡାକ୍ତରଙ୍କୁ ତା ଗୋଡ଼ ଗୋଟିଏ କାଟି ଦେବାକୁ ହେଲା।


ଗୋଟିଏ ଗୋଡ଼ ଚାଲିଯିବା ପରେ ସେ ଆଉ ଗାଁ ବାହାରକୁ ଯାଇ ପାରିଲାନି।ଅବସ୍ଥା ଆହୁରି ଖରାପ ହେଲା। ଝିଅର ଭୋକିଲା ଶୁଖିଲା ମୁଁହ ଆଉ ବଢ଼ିଲା ଦେହ ତା ନିଦ ଉଡ଼େଇ ଦେଲା। ଝିଅ ଘର ବାହାରକୁ ଗୋଡ଼ କାଢିଲେ ତା ମନ କାନ୍ଦି ଉଠେ।ଘର ଭିତରେ ତା ପେଟର ଭୋକ ବାପ କୁ ଧିକ୍କାର କରେ। ଏତିକି ବେଳେ ଜମିଦାରଙ୍କ ବଡ ଭାଇ ମାଗୁଣି ଝିଅକୁ ତାଙ୍କ କକାଙ୍କ ସହିତ ବାହା କରେଇବାର ପ୍ରସ୍ତାବ ଆଣିଲେ। କାକାଙ୍କ ବୟସ ଅଶୀ ଟପି ସାରିଥିଲା।ତିନୋଟି ବିବାହ କରିବା ପରେ ମଧ୍ୟ ବାପା ହୋଇ ନ ପାରିବାରୁ ଆଉ ଥରେ ସେ ବାହା ହେବାକୁ ଚାହୁଁଥିଲେ।


ମାଗୁଣି ବହୁତ୍ ଭାବିଲା।ଜମିଦାର ଚାହିଁଥିଲେ ତା ଝିଅକୁ ଏମିତି ରଖି ପାରିଥାନ୍ତେ।ହେଲେ ସେ ବାହା ହୋଇ ସ୍ତ୍ରୀ କରି ନେବାକୁ ଚାହାନ୍ତି।ଆଉ କିଏ ଲୋଲୁପ ଦୃଷ୍ଟି ପକେଇବା ଆଗରୁ ତାର ସୁରକ୍ଷା କରିବା ବାପ ହିସାବରେ ତାର ଧର୍ମ।ତା ଛଡା ତାଙ୍କ ଘରେ ଝିଅ ଖାଇବା ପିଇବା ଅସୁବିଧା ତ ହେବନି।ଏସବୁ ଭାବି ଟେକିଦେଲା ସେ ଝିଅକୁ ବିବାହ ବେଦୀରେ।ହେଲେ ଝିଅ କଣ ବୁଝିଲା କେଜାଣି..!!ଏମିତି ବୁଢ଼ା ବରକୁ ବାହା କରେଇ ତା ଜୀବନ ସେ ନଷ୍ଟ କରିଦେଲା ବୋଲି କହି ବିଦାୟ ହୋଇ ଯାଇଛି ଯେ ଯାଇଛି।ମାଗୁଣି ଶୁଣିଛି ବୁଢ଼ା ଜମିଦାର କୁଆଡେ ତାଙ୍କ ସ୍ତ୍ରୀ ସାଙ୍ଗରେ ବଡ ସହରକୁ ଯାଇ ରହି ଗଲେଣି।ଖୁସିରେ ଅଛନ୍ତି ସେ।ମାଗୁଣି ଭାବେ ଯାହା ବି ହେଉ ଝିଅ ତାର ବଞ୍ଚିଛି। ସଂସାରଟି କରିଛି।ଆଉ ତାର ଚିନ୍ତା ନାହିଁ।


ହେଲେ ତା ଜୀବନ ତାକୁ ଆଉରି ହଇରାଣ କଲା।ଛୋଟା ଗୋଡ଼ ସହିତ କାମକୁ ପାରିଲାନି।ଘରେ ଖାଇବାକୁ କିଛି ରହିଲାନି।କେହି କେହି ଦୟା କରି କେତେଦିନ ଖାଇବାକୁ ଦେଲେ।ତା ପରେ ତାର ଖଣ୍ଡିଆ କାନ୍ଥ ଆଉ ଭଙ୍ଗା ଛପର ଆଡେ ଆଉ ଚାହିଁଲେ ନାହିଁ।ପଞ୍ଜରା ହାଡ ଗଣି ହେଇ ଯାଉଥିଲା ମାଗୁଣିର।ଶେଷ ନିଃଶ୍ୱାସ ଛାଡ଼ିଲା ବେଳେ ସେ ଭାବୁଥିଲା ବଞ୍ଚିଲା ବେଳେ ଚାରିମୁଠା ଖାଇବାକୁ ମିଳିଲାନି…ଚାରିଲୋକେ ତା ସହିତ କଥା କେବେ ହେଲେନି।ଏବେ ମରିଲା ପରେ ତା ଶବକୁ ଚାରିକାନ୍ଧ ମିଳିବ ତ…!!


Rate this content
Log in

Similar oriya story from Tragedy