ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ବୁଢ଼ା ମାଙ୍କଡ଼ର ପ୍ରତିଶୋଧ - ୨

ବୁଢ଼ା ମାଙ୍କଡ଼ର ପ୍ରତିଶୋଧ - ୨

3 mins
7.4K


ମାଙ୍କଡ଼ ବନ୍ଧୁଠାରୁ ଏକଥା ଶୁଣିବା ମାତ୍ରେ ଜଳ ରାକ୍ଷାସ କହିଲା ଏଥିପାଇଁ ମୁଁ ତୁମକୁ ସାହାଯ୍ୟ କରିବି ସେହିକଥା ମୋତେ କୁହ ।

ତହୁଁ ମାଙ୍କଡ଼ କହିଲା – ତୁମେ ଯଦି ଦୟାକରି ମୋତିର ମାଳାଟିଏ ମୋତେ ଦେଇପାରିବ ତାହାହେଲେ ମୁଁ ତୁମକୁ ବହୁ ପରିମାଣରେ ଖାଦ୍ୟ ଆଣି ଯୋଗାଇ ଦେବି ।

ମାଙ୍କଡ଼ଠାରୁ ଖାଦ୍ୟ କଥା ଶୁଣି ରାକ୍ଷାସ ଆନନ୍ଦ ହୋଇ ସଙ୍ଗେ ସଙ୍ଗେ ନିଜେ ପିନ୍ଧିଥିବା ମୋତିମାଳାଟିକୁ ମାଙ୍କଡ଼କୁ ଦେଇ ପକାଇଲା ।

ଏହାପରେ ମାଙ୍କଡ଼ କ’ଣ କଲାନା, ସଙ୍ଗେ ସଙ୍ଗେ ମୋତିମାଳାଟିକୁ ଗଳାରେ ପକାଇ ରାଜାଙ୍କର ନଗରରେ ଯାଇ ପହଞ୍ଚି ଗଲା । ରାଜାଙ୍କର ଦୃଷ୍ଟିରେ ଯେତେବେଳେ ସେହି ମୋତି ମାଳାଟି ପଡ଼ିଲା ରାଜାଙ୍କର ମଧ୍ୟ ସେହି ମାଳାଟି ପ୍ରତି ଲୋଭ ହେଲା । ତହୁଁ ରାଜା ବୁଢ଼ା ମାଙ୍କଡକୁ ଅତି ଆଦର କରି ପଚାରିଲେ – ତୁମ ମୋତି ମାଳାଟି ଖୁବ୍ ସୁନ୍ଦର । ମୋ ରାଜକୋଷରେ ଏତେ ରତ୍ନର ମାଳ ଅଛି ଯେ ହେଲେ ଏହି ମାଳାପରି ତାହା ସୁନ୍ଦର ଦେଖାଯାଉ ନାହିଁ । ସେଥିପାଇଁ ମୋର ମଧ୍ୟ ଇଚ୍ଛା ହେଉଛି ସେହିପରି ମାଳା ଗୋଟିଏ ପିନ୍ଧିବାକୁ । ସେହି ମାଳାଟି ତୁମେ କେଉଁଠାରୁ ଆଣିଲ ତାହା ମୋତେ କହିପାରନ୍ତ ଯଦି ମୁଁ ଯାଇ ସେହି ମାଳାରୁ ଗୋଟିଏ ଆଣନ୍ତି ।

ବୁଦ୍ଧିଆ ମାଙ୍କଡ଼ ଏଥର ତାର ପ୍ରତିଶୋଧ ନେବା ନିମନ୍ତେ ନିଜର ଚତୁରତା ଦେଖାଇ କହିଲା – ଛାମୁ! ଆମ ରାଜ୍ୟର ପଶ୍ଚିମପାଖ ଅରଣ୍ୟ ସମୀପରେ ଗୋଟିଏ ପୁଷ୍କରିଣୀ ଅଛି । ସେହି ପୁଷ୍କରିଣୀରେ ସ୍ନାନାଦି କର୍ମ ସାରି ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବାରକୁ ସୂର୍ଯ୍ୟ ଦେବତା ତୁଷ୍ଟ ହୋଇ ମୋତେ ଏହି ମୋତି ମାଳାଟି ଦେଇଥିଲେ ।

ମାଙ୍କଡ଼ଠାରୁ ଏକଥା ଶୁଣି ରାଜା ଖୁବ୍ ଆନନ୍ଦ ସହକାରେ କହିଲେ ତୁମେ ଯଦି ଏପରି କାର୍ଯ୍ୟ କରିବାରେ ସାହାଯ୍ୟ କରିବ ତାହାହେଲେ ମୁଁ ମଧ୍ୟ ତୁମକୁ ବହୁ ଧନରତ୍ନ ପ୍ରଦାନ କରିବି । ତୁମେ ମୋତେ ସାହାଯ୍ୟ କରିବ ତ?

ମାଙ୍କଡ଼ କହିଲା – କି କଥା କହୁଛନ୍ତି ଛାମୁ! ମୁଁ ଗୋଟିଏ ଛାର ମାଙ୍କଡ଼ । ଆମ ରାଜ୍ୟରେ ଫୁଲ ଫଳର ଅଭାବ ହେବାରୁ ଆପଣଙ୍କ ରାଜ୍ୟକୁ ଆସୁ ଆସୁ ଏହି ମାର୍ଗରେ ଆନନ୍ଦରେ ଫଳ ଆହାର କରି ଖୁସି ହୋଇଛି । ଆପଣ ଯେ ଆମର ଶାସକ ତଥା ପାଳକ । ଆପଣଙ୍କ ପାଇଁ ଏହି ସାମାନ୍ୟ କାର୍ଯ୍ୟଟି କରାଇ ଦେବାରେ ଅସୁବିଧା କେଉଁଠି ଅଛି ଛାମୁ! ଆପଣ ଏବେ ପ୍ରସ୍ତୁତ ହୁଅନ୍ତୁ ବରଂ ବିଳମ୍ବରେ ସମସ୍ତ ଶୁଭକାର୍ଯ୍ୟରେ ବାଧା ଦେଖା ଯାଇଥାଏ ।

ମାଙ୍କଡ଼ର କଥା ଶୁଣି ରାଜା ଖୁବ୍ ଆନନ୍ଦ ପ୍ରକାଶ କରି ମନ୍ତ୍ରୀକୁ କହିଲେ – ତୁମେ ଆମ ରାଜ୍ୟରେ ଏହି କଥା ଘୋଷଣା କରିଦିଅ ଯେ ଯିଏ ଯେତେ ଯିବାର ବ୍ୟବସ୍ଥା କରନ୍ତୁ, କାରଣ ଅନେକ ଗଲେ ଆମେ ଏକାବେଳେ ଅନେକ ଗୁଡ଼ିଏ ମୋତିମାଳ ଆଣିପାରିବା ।

ବାସ୍, ଏଥର ବୁଢ଼ା ମାଙ୍କଡ଼ ଖୁବ୍ ଖୁସି ହୋଇଯାଇ ରାଜାଙ୍କ ସହିତ ରାଜ୍ୟର ବହୁ ପ୍ରଜାମାନଙ୍କୁ ଧରି ଯାଇ ସେହି ପୋଖରୀ ପାଖରେ ପହଞ୍ଚାଇ ଦେଇ କହିଲା – ଦେଖନ୍ତୁ ଛାମୁ! ଏହି ପୂଜା ନିମନ୍ତେ ଯେଉଁମାନେ ଆସିଛନ୍ତି ସେମାନେ ଏକାବେଳକେ ପୁଷ୍କରିଣୀ ମଧ୍ୟକୁ ପ୍ରବେଶ କରିବେ ଓ ଏକା ସାଥିରେ ବୁଡ଼ିବେ । କିନ୍ତୁ ଆପଣଙ୍କୁ ଅପେକ୍ଷା କରିବାକୁ ହେବ । ଏହାର କାରଣ ହେଲା ଛାମୁ ହେଉଛନ୍ତି ଆମ ସମସ୍ତଙ୍କ ଉପରେ ଶ୍ରେଷ୍ଠ । ଏଥିପାଇଁ କହୁଥିଲି କି ସାଧାରଣ ପ୍ରଜାମାନେ ପ୍ରଥମ ସେମାନଙ୍କର ମୋତିମାଳା ପାଇଯିବା ପରେ ଆପଣ ତା’ପରେ ବୁଡ଼ ପକାଇଲେ ସୂର୍ଯ୍ୟ ଦେବତା ଆପଣଙ୍କ ପ୍ରତି ସନ୍ତୁଷ୍ଟ ହୋଇ ଆପଣଙ୍କୁ ଖୁବ୍ ମୂଲ୍ୟବାନ୍ ମୋତି ମାଳାଟିଏ ପ୍ରଦାନ କରିବେ।

ବୁଢ଼ା ମାଙ୍କଡ଼ କଥାରେ ପ୍ରଥମ ସମସ୍ତ ପୁଷ୍କରିଣୀ ମଧ୍ୟରେ ପ୍ରବେଶ କରି ବୁଡ଼ ପକାଇଲେ । ରାଜା ପୁଷ୍କରିଣୀରେ ପାହାଚ ଉପରେ ବସିଥାଆନ୍ତି । ଏହା ମଧ୍ୟରେ ପ୍ରଜାମାନେ ପୁଷ୍କରିଣୀରେ ବୁଡ଼ିବାର ବହୁ ସମୟ ଅତିବାହିତ ହୋଇଯିବାରୁ ରାଜା ମାଙ୍କଡ଼କୁ ଏହି ବିଳମ୍ବ ହେବାର କାରଣ ପଚାରନ୍ତେ ବୁଢ଼ା ମାଙ୍କଡ଼ କହିଲା – ହେ ମହାରାଜ! ପୁଷ୍କରିଣୀ ମଧ୍ୟରେ ଏକ ଜଳ ରାକ୍ଷାସ ରହୁଅଛି । ବର୍ତ୍ତମାନ ସୁଦ୍ଧା ଯେତେ ପ୍ରଜା ତା’ ମଧ୍ୟକୁ ପ୍ରବେଶ କରିଛନ୍ତି ଆଉ ସେମାନେ କାହିଁକି ଫେରୁନାହାଁନ୍ତି ତାହାର କାରଣ କ’ଣ ଆପଣ ଜାଣିପାରୁ ନାହାଁନ୍ତି ।

ରାଜାଙ୍କ ମନରେ ମାଙ୍କଡ଼ର କଥାରୁ ସନ୍ଦେହ ଆସିଲା । ସେ ଯେତେବେଳେ ମାଙ୍କଡ଼କୁ ଏହାର କାରଣ ଜାଣିବାକୁ ଇଚ୍ଛା କରନ୍ତି ସେତେବେଳକୁ ମାଙ୍କଡ଼ ନିକଟରେ ଥିବା ଉଚ୍ଚ ବୃକ୍ଷ ଉପରକୁ ଚଢ଼ିଯାଇ ସାରିଥାଏ । ରାଜା ତଳୁ ଥାଇ ମାଙ୍କଡ଼କୁ ଚାହାଁନ୍ତେ ବୁଢ଼ା ମାଙ୍କଡ଼ ହସିଦେଇ କହିଲା – ଆପଣଙ୍କର ଘୋଡ଼ା ଭଲ ହେବା ନିମନ୍ତେ ଆପଣ ମୋ ବଂଶ ମାରି ତାଙ୍କର ଚର୍ବି ନେଇଗଲେ । ସେତେବେଳେ ତ ଆପଣଙ୍କୁ ଦୁଃଖ ଲାଗି ନଥିଲା । ଏଥର ପ୍ରଜାମାନଙ୍କୁ ଜଳ ରାକ୍ଷାସ ଖାଇଗଲା । ଏଥିରେ ଆପଣ ଦୁଃଖ ନକରି ନିଜର ରାଜାବାଟୀକୁ ଫେରିଯାଆନ୍ତୁ । ମାଙ୍କଡ଼ର ପ୍ରତିଶୋଧ ପରାୟଣ କଥାକୁ ଶୁଣିସାରି ରାଜା କିଛିକ୍ଷଣ ପାଇଁ ସ୍ତବ୍ଧ ହୋଇଗଲେ । ତା’ ପରେ ଅନେକ ଗୁଡାଏ ମାଙ୍କଡ଼କୁ ମାରିଥିବା କାରଣ ନେଇ ସେ ବହୁତ ମନସ୍ତାପ କରି ପରିଶେଷରେ ଘୋଡ଼ା ଉପରେ ବସି ନିଜ ରାଜ୍ୟକୁ ଫେରିଗଲେ ।


Rate this content
Log in

Similar oriya story from Children