STORYMIRROR

shibaram dalai

Tragedy

4  

shibaram dalai

Tragedy

ବୁଲବୁଲ ନେଲା ଜୀବନ

ବୁଲବୁଲ ନେଲା ଜୀବନ

3 mins
358


   ଗତକାଲି ବ୍ଲକ ତରଫରୁ ପ୍ରଚାର ଗାଡି ଆସି ସତର୍କ କରି କହିଗଲା ଭୟଙ୍କର ବାତ୍ୟା ବୁଲବୁଲ ଆସୁଛି ।ଆପଣମାନେ କଚାଘର (ମାଟିଘର) ଛାଡି ପକ୍କା ଘରକୁ ଚାଲିଯାଆନ୍ତୁ । ଶୁଖିଲା ଖାଦ୍ୟ ବି ସଂଗ୍ରହ କରନ୍ତୁ ।୧୯୯୯ ଅକ୍ଟୋବର ୨୯ ତାରିଖ ରେ ଯେଉଁ ମହାପ୍ରଳୟଙ୍କାରୀ ବାତ୍ୟା ଧରାପୃଷ୍ଠରେ ତାଣ୍ଡବ ରଚିଥିଲା, ତାକୁ କିଏ ବା ଭୁଲି ପାରିବ । ସେହି ମହାବାତ୍ୟାରେ ଯାହା ଯାହା କ୍ଷତି ଘଟିଥିଲା ଆଜି ଯାଏ ସେ କ୍ଷତ ବି ପୁରା ହେଇନାହିଁ ।ତେଣୁ ବାତ୍ୟା ନାଁ ଶୁଣିଲେ ଦେହରେ ଯେମିତି ଗୋଟେ ଭୟର ଶିହରଣ ଖେଳିଯାଏ । 

   

  ମାତା ବୁଢ଼ୀ ଭାରି ଛେରୁକୁରି । ଆହୁରି ପୁଣି ବାତ୍ୟା ନାଁ ଶୁଣିଲେ ତାହାର ପିଳେହି ପାଣି । ତିନି ତିନିଟା ପୁଅ ଜନ୍ମ କରିଥିଲା ବୃଦ୍ଧା ବୟସରେ ଟିକିଏ ଭଲରେ କାଟିବାକୁ । ପୁଅ ତିନିଟା ବାହା ହେବା ପରେ ନିଜ ନିଜର ରାସ୍ତା କାଟିଦେଲେ । ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ସରକାର ୫୦୦ ଟଙ୍କା ଆଉ ରାସନ କାର୍ଡରେ ଯେଉଁ ୫ କିଲୋ. ଚାଉଳ ମିଳୁଛି ସେହିଥିରେ ଚଳିଯାଉଛି ମାତା ବୁଢ଼ୀ ।


    ଦଇବ ଦଉଡି ମଣିଷ ଗାଈ ଜେଣିକି ଟାଣିଲେ ତେଣିକି ଯାଇ ।ମାତା ବୁଢ଼ୀ ସେଥିରୁ ବର୍ତ୍ତି ଯିବ କିପରି ? କଥାରେ ଅଛି ପରା "ମାଆ ଖାଇଥିଲେ ତାଳ ପୁଅକୁ ହୁଅଇ କାଳ"।ସ୍ୱାମୀ ପରିଆ କରିଥିବା କୁକର୍ମ ର ଫଳ ଭୋଗୁଛି ସେ । ପରିଆ ଜମିଦାରଙ୍କ ଚାମଚା ଥିବା ବେଳେ କେତେ କାହାର ଘର ନ ଉଜାଡିଛି । କେତେ କାହାର ଘର ନ ଭାଙ୍ଗିଛି ।କହିପୋଛି କେତେ କାହାକୁ ଘରୁ ବେଘର ନ କରିଛି ସେ ।ସେଥିପାଇଁ ଆଜି ତା ଘର ତିନି ଭାଙ୍ଗ ।ବଡ଼ ପୁଅ କିରାଣୀ ଚାକିରୀଟେ କରିଛି ବୋଲି ଚାରି ବଖରା ବିଶିଷ୍ଟ ଘର ଖଣ୍ଡିକ କରିଛି ।ମଝିଆଁ ପୁଅ ରାଜନୀତିରୁ ପାଇଛି ବଖରାଏ ଘର ଆଉ ସାନ ପୁଅ ବି.ପି.ଏଲ କୁଟାରେ ବଖରାଏ ଘର ପାଇଛି ହେଲେ ଘର ଭିତର କବାଟ ଝରକା କାମ ଅସମ୍ପୂର୍ଣ୍ଣ ।ତଥାପି ସାନ ପୁଅ ବୋହୂ ସେହି ଘରେ ଦିନ କାଟୁଛନ୍ତି ।ବୁଢ଼ା ଅମଳର ସେହି ମାଟି କାନ୍ଥର ଚାଳ ଘର ଖଣ୍ଡିକ ରେ ପଡିରହି ଦିନ କାଟୁଛି ମାତା ବୁଢ଼ୀ ।କୋଉ କାଳର ମାଟିକାନ୍ଥ ତ ପାଞ୍ଚ ଫାଳ ଫାଟି ଏପଟ ସେପଟ ଦିଶୁଛି ।ଉପର ଛପର କଥା ନ କହିବା ଭଲ ।ସୂର୍ଯ୍ୟକିରଣ,ଚନ୍ଦ୍ରଆଲୋକ ବାସ କରନ୍ତି ଦିନ ଆଉ ରାତିରେ ।ଚାଳ ପାଣି ଗଡି ବତୁରୀ ଯାଇଛି କାନ୍ଥ ସବୁ ।ତିନି ପୁଅ ଥେଣ୍ଟାଥେଣ୍ଟିରେ ଗତ ବର୍ଷ ଠାରୁ ଏ ଯାଏ ଛପର ହେଇନାହିଁ ।


      ସକାଳ ପାହିଲା ବେଳକୁ କାଖରେ ଛପ ଆଉ ତକିଆ ଖଣ୍ଡେ ଜାକି ମାତା ବୁଢ଼ୀ ଆସି ବଡ଼ ପୁଅ ବୋହୂ ଘର କବାଟ ବାଡେଇଲା ।ବଡ଼ ବୋହୂ କବାଟ ଖୋଲି ଦେଖେ ତ ବୁଢ଼ୀ ଦୁଆର ମୁଁହରେ ଠିଆ ହେଇଛି।ବୋହୂ ପଚାରିଲା କଣ ହେଲା କି ଏତେ ସକାଳୁ କବାଟ ବାଡୋଉଛୁ ।ମାତା ବୁଢ଼ୀ ଉତ୍ତର ଦେଲା ବୋହୂ ମାଇକି ପ୍ରଚାର କରି ଯାଇଛି ଆଉ ଟିବି ସଦାବେଳେ କହୁଛି ବାତ୍ୟା କୁଆଡେ ଆସୁଛି ।ମୋତେ ଭାରି ଡର ଲାଗୁଛି।ମୋ ଘର ର ଅବସ୍ଥା ତ ଦେଖୁଛୁ ।ଶାଶୁ ଆଉ କିଛି କହିବା ଆଗରୁ ବୋହୂ କହିଲା ତୋ ଘର ର ଅବସ୍ଥା କଣ ଆମେ କରିଛୁ ।ଯଦି ତୋ ଘର ଭଲ ନାହିଁ ତେବେ ତୁମ ଗେଲ୍ହା ପୁଅ ଦୁହିଁଙ୍କ ପାଖକୁ ଗଲୁନି ଏଠିକି କୁଆଡ଼େ ବାତ୍ୟା ପରି ମାଡ଼ି ଆସିଛୁ ।ବୋହୂ ତୁମେ ତ ଜାଣ ସେମାନଙ୍କର ଗୋଟିଏ ଗୋଟିଏ ବଖରା ଘର ।ସେଥିରେ ସେମାନେ ତ ଠିକଠାକ ରହିପାରୁନାହାନ୍ତି ମୁଁ ସେମାନଙ୍କ ପାଖରେ ରହିବି କେମିତି ? ମୁଁ ତୁମକୁ ତୁମର ଘର ମାଗୁନାହିଁ,ଯଦି ବାରଣ୍ଡାରେ ଟିକିଏ ଜାଗା ଦିଅନ୍ତ ତେବେ ବାତ୍ୟା ପରେ ଚାଲିଯାଆନ୍ତି ।ତୋତେ ଜାଗା ଫାଗା କିଛି ମିଳିବନି, ବାତ୍ୟା ଫାତ୍ୟା କିଛି ବି ହବନି ଯା ଏଠୁ ,ସକାଳୁ ସକାଳୁ ଚାଲି ଆସିଲା ଆଉ କୋଉଠି ଜାଗା ମିଳିଲାନି ଆକୁ, ଧଡ଼ କିନା କବାଟ ପକେଇ ଦେଲା ।ଉପାୟ ନପାଇ ବୁଢ଼ୀ ନିଜ ଭଙ୍ଗାରୁଜା ଘରକୁ ଫେରିଗଲା ।

     ବାତ୍ୟା ବୁଲବୁଲ ଆସି ଧରାପୃଷ୍ଟକୁ ଖିନଭିନ କରି ଚାଲିଗଲା ।ସମସ୍ତେ ଘରୁ ବାହାରି ନିଜ ନିଜର ଭାଙ୍ଗି ଯାଇଥିବା ଘର ଆଉ ଗଛସବୁକୁ ସଜାଡୁ ଥିଲେ ।ଘଡ଼ିଏ ସକାଳ ଚାଲିଗଲାଣି,ହେଲେ ମାତା ବୁଢ଼ୀ ର ଏଯାଏ କବାଟ ଖୋଲି ନାହିଁ ।ତା ଦୁଆର ମୁଁହରେ ସମସ୍ତେ ରୁଣ୍ଡ ହେଲେ ।କବାଟ କୁ ପେଲିଠେଲି ଖୋଲା ଗଲା ।ହେଲେ ବାତ୍ୟା ବୁଲବୁଲ ସେତେବେଳକୁ ମାତାବୁଢ଼ୀ ଉପରେ ଫାଳେ କାନ୍ଥ ଠେଲି ଅନେକ ଦୂରକୁ ଚାଲିଯାଇଥିଲା ।



Rate this content
Log in

Similar oriya story from Tragedy