ବୁଢୀମାଆ
ବୁଢୀମାଆ
ରଜ ଆସୁଛି. କିଏ କେତେ ଲାଗିପଡ଼ିଛି ସଜବାଜ ହେବାକୁ. ଆଗପରି ତ ଆଉ କୁଟା,ବଟା, ଛେଚା ଏମିତିକି କାଟିବା ଦରକାର ପଡୁନି. ବଜାରରେ କଟା ପରିବା ସହ ବିଭିର୍ନ୍ନ କମ୍ପାନୀର ମସଲା ଗୁଣ୍ଡ ମିଳିଯାଉଛି. ତଥାପି ରଜ ପାଇଁ ପ୍ରସ୍ତୁତି ଚାଲିଛି ଗାଁ ସାରା ଘରେ ଘରେ. ପୋଡପିଠା ପାଇଁ ପ୍ରସ୍ତୁତି କୋଉଠି ତ କୋଉଠି ଆମ୍ବ ପରା,ଗଛରୁ ପଣସ କଟା, ନଡ଼ିଆ ପଇଡ଼ ତୋଳା ଚାଲିଛି. ନେତି ବୁଢ଼ୀ କିନ୍ତୁ ଉଦୁଉଦିଆ ଦି ପହରେ ବିଲରୁ ତୋଳୁଛି ପିତା ଶାଗ. ରଜରେ ମୌସୁମୀ ଛୁଏଁ ଓଡିଶାକୁ ତ ବର୍ଷା ହୁଏ. ସେଇଥିପାଇଁତ ଏ କୃଷିଭିତ୍ତିକ ରଜ ପର୍ବ. ମାଟି ମାଆ ଉର୍ବରା ଶସ୍ୟ ଉତ୍ପର୍ଣ୍ଣ ପାଇଁ ସକ୍ଷମ ହୁଏ ବୋଲିତ ଏ ତିନିଦିନ ମୌସୁମୀ ବର୍ଷାରେ ଭିଜି ଭିଜି ମାଟିମାଆକୁ ଛାଡିଦିଆଯାଏ କର୍ଷଣ ଉପଯୋଗୀ ହେବାପାଇଁ. ଘରେ ଘରେ ଝିଅ ବୋହୁମାନେ ଧରଣୀରାଣୀର କୃଷି ଉପଯୋଗୀ ଜମିର ପ୍ରତୀକ ରୂପ ବୋଲାଇ କରନ୍ତିନାହିଁ କୌଣସି କର୍ମ. ମନ ଆନନ୍ଦରେ ପୋଡପିଠା ଖାଇ ଦୋଳି ଖେଳି ବୋଲୁଥାଆନ୍ତି ରଜଦୋଳି କଟମଟ,,,, ମୋ ଭାଇ ମୁଣ୍ଡରେ ସୁନାମୁକୁଟ... ସୁନାମୁକୁଟ ଲୋ ଦିଶୁଥାଏ ଝଟଝଟ... ବନସ୍ତେ ଡାକିଲା ଗଜ. ସେଇ ଗୀତରେ ସମସ୍ତେ ଆନନ୍ଦ ବିଭୋର ହେଲାବେଳେ ସାଠିଏ ବର୍ଷର ବୁଢ଼ୀ ଆତଙ୍କିତ. ବର୍ଷା ଟୋପେ ପଡିଗଲେ, ପଚି ସଢ଼ି ମରିଯିବ ସବୁ ପିତାଶାଗ.ତା ବେଉସା ବୁଡ଼ିଯିବ. ହାଟ ବଜାରରେ ଏବେ ବଡ଼ ବଡ଼ ଦାମିକା ପରିବା କିଣିବା ବଦଳରେ ତା ପାଖରୁ ପିତା ଶାଗ କିଣନ୍ତି ବଡ଼ ବଡ଼ ବାବୁ ଗରାଖମାନେ . ଭଲ ଦି ପଇସା ହୁଏ ବୁଢ଼ୀର. ରଜରେ ମୌସୁମୀ ବର୍ଷା ପଡିଗଲେ ତାକୁ ପୁଣି ଆଉ ଅନ୍ୟ କିଛି ବେପାର କରିବାକୁ ପଡିବ ହେଲେ ସେ ବେପାରରେ ନଥାଏ ଭିଡ଼ କି ଦୌଡ଼. ମିଳେନି ଭଲ ଦି ପଇସା.ଖରାରେ ଖରାରେ ତେଣୁ ଲାଗିପଡି ନେତି ବୁଢ଼ୀ ତୋଳୁଛି ହିଡ଼ରୁ ପିତାଶାଗ ।
ଖରା ଗଡି ମଧ୍ୟାହ୍ନ ହେଲା କିନ୍ତୁ ନେତି ବୁଢ଼ୀ ଘରକୁ ଫେରିଲାନି. ଘରେ ମଧ୍ୟ ବୁଢ଼ୀର କେହି ନଥିଲେ ତାକୁ ଖୋଜିଆଣିବାକୁ. ବୁଲା ଷଣ୍ଢଟିଏ ପାଖରେ ଠିଆ ହେଲା ବୁଢୀର. ପିତା ଶାଗକୁ ପରସ୍ତେ ଶୁଙ୍ଘି କଣ ଭାବିଲା କେଜାଣି ବିଲମଝିରେ ପଡ଼ିଥିବା ବୁଢ଼ୀ ଦେହକୁ ଲାଗି ଶୋଇ ଫଁ ଫଁ ନିଶ୍ୱାସ ନେଲା. କିମିଆ କଲା ପରି ବୁଢ଼ୀ ଉଠିବସିଲା. ଷଣ୍ଢଟିକୁ ଆଉଁସି ଆଉଁସି ଆତ୍ମୀୟତାର ପରିଚୟ ପାଇଲା. କାନିରୁ ଫିଟେଇ ମୁଢି ଖାଇଲେ ଦୁହେଁ. ସେଇଦିନଠୁ ବୁଢ଼ୀର ସାହାରା ହୋଇଗଲା ଷଣ୍ଢଟି. ପାଇଟିକୁ ଗଲାବେଳେ ପଛେ ପଛେ ଯାଏ. ବାବୁଘର ମାନଙ୍କରୁ ରଜତିନିଦିନ ସାରା ଆମ୍ବ, ପଣସ, ସପୁରୀ ଚୋପା ସହ ତୋରାଣୀ ପିଇବାକୁ ପାଇ ଷଣ୍ଢଟି ଆଉ ବୁଢ଼ୀର ହାତ ଛାଡେନା ଯେମିତି. ବୁଢ଼ୀ ମଧ୍ୟ ବଳ ପାଏ. ମୌସୁମୀ ଲୁଚକାଳି ଖେଳୁଥିଲା ବେଳେ ରଜରେ ବନସ୍ତରେ ଗଜ ଡାକୁଛି ଗୀତରେ ଗାଁର ବାଉଁଶ ଦୋଳି କଟମଟ ଡାକୁଥିଲା ବେଳେ ବୁଢ଼ୀକୁ ଖୋଜି ଖୋଜି ଷଣ୍ଢ ଡାକୁଥାଏ ହ.....ମା. କେବେ କୋଉ ବାବୁଘର ଦୁଆରେ ତ କେବେ ବିଲ ମଝିରେ. ବୁଢ଼ୀ ଭରସା ପାଇ ତୋଳୁଥାଏ ପିତା ଶାଗ ଆଉ ରଜ ପୂର୍ବରୁ ସେସବୁ ବିକି ସଂଗ୍ରହ କରିଥାଏ ଦି ପଇସା. ଭାବୁଥାଏ ଷଣ୍ଢଟିକୁ ଏ ସନ ଗୁହାଳ କରି ରଖିବ. କାରଣ ଏଇ ହାଟରେ ସେଦିନ ବୁଢ଼ୀ ଦେଖିଛି ଗୋଟିଏ ଷଣ୍ଢର ଦୁରାବସ୍ଥା. ପେଟ ଫୁଲି ଫାଟି ମରିଗଲା ପରେ ତା ପେଟରୁ ବାହାରିଥିଲା ଶହ ଶହ ପଲିଥିନ. ସବୁ ପ୍ରାଣୀଙ୍କର ଦିନେ ଜନମ ତ ଦିନେ ମରଣ ନିଶ୍ଚିନ୍ତ କିନ୍ତୁ ଯୋଉ କଷଣ ଓ ଯନ୍ତ୍ରଣା ପାଏ ମଣିଷ, ପଶୁ, ପକ୍ଷୀ, ସେସବୁକୁ ଆଖିରେ ଦେଖି ଶିକ୍ଷା ପାଇଛି ବୁଢ଼ୀ. ପୁଅପାତି ଥିଲେ ଅଧିକା କଣ କରିଥାନ୍ତା କି ବୁଢ଼ୀର? ବରଂ ଛାଡିଥାଆନ୍ତା କୋଉ ଅନାଥାଆଶ୍ରମରେ. ଯୋଉଠି ଖାଇବାକୁ ପିଇବାକୁ ପାଇ ଆଶ୍ରୟ ପାଇଲେ ମଧ୍ୟ ସ୍ୱାଧୀନତା ନଥାଏ. ପ୍ରକୃତିକୁ ଦଣ୍ଡେ ଦେଖିବାକୁ ସମୟ ନଥାଏ. ସତକୁ ସତ ନେତି ବୁଢ଼ୀ ମୁହଁରୁ ହସ ଉକୁଟୁଥାଏ. ଲୋକଙ୍କୁ ରୋଗ ଯନ୍ତ୍ରଣାର ଉପସମରୁ ରକ୍ଷା କରିବା ପାଇଁ ପିତା ଶାଗ ବିକି ଯେତିକି ଆନନ୍ଦ ପାଏ ନେତି ବୁଢ଼ୀ ତାଠାରୁ ଅଧିକ ଆନନ୍ଦ ପାଏ ଷଣ୍ଡକୁ ଘରେ ରଖି.ସମସ୍ତଙ୍କୁ କହୁଥାଏ ଗଛ ଲଗାଇବାକୁ, ପଲିଥିନ ବର୍ଜ୍ଜନ କରିବାକୁ. ଗଛର ଛାଇରେ ଦଣ୍ଡେ ଶୋଇପଡି ଥକ୍କା ମେଣ୍ଟେଇଥାଆନ୍ତି ମଣିଷ ପଶୁ ପକ୍ଷୀ ଓ ଠିକ ସମୟରେ ବର୍ଷା ହୁଏ ପୁଣି ବର୍ଷା ପଡିଲେ ଭଲ ଫସଲ ହୁଏ. ଧାନ, ମୁଗ, ବିରି, କୋଳଥ, ମାଣ୍ଡିଆ ମଣିଷ ଖାଇଲେ ଗୋମାତା ଷଣ୍ଢ ଆଦି ନଡା କୁଟା ଖାଇ ସୁସ୍ଥ ରହିବେ ନିଶ୍ଚିନ୍ତ ବୋଲି ବୁଝିଥିବା ବୁଢ଼ୀର ଏହି ଭଳି କାର୍ଯ୍ୟ ଦେଖି ଖୋଦ ଜିଲ୍ଲାପାଳ,ଏସନ ରଜରେ ବୁଢୀକୁ ସଂକ୍ରାନ୍ତି ଦିନ ମଞ୍ଚରେ ସମ୍ବର୍ଦ୍ଧିତ କଲା ବେଳେ, ତଳେ ଦର୍ଶକ ଗ୍ୟାଲେରୀ ପାଖରେ ଶୋଇ ଷଣ୍ଢଟି କହୁଥିଲା ହ....ମା ।
