Satyajit Swain

Tragedy

5.0  

Satyajit Swain

Tragedy

ବର୍ଷା

ବର୍ଷା

1 min
481



ବାହାରେ ଅନେକ ସମୟହେଲା ବର୍ଷା ଲାଗିରହିଛି, ଯେତେବେଳେ ନଥିବ ନଥିବ ଆଉ ଯେତେବେଳେ ହେବ ଜମା ଛାଡିବନି | ଘରେ ବର୍ଷା ଖାଲି ବ୍ୟତିବସ୍ତ ହୋଇ ବୁଲୁଥାଏ | ବିବେକ ଝିଅ ସୃଷ୍ଟିକୁ ଟିଉସନରୁ ଆଣି ଆସିବେ ବୋଲି କେତେ ସମୟ ହେଲାଣି କହିଥିଲେ, ହେଲେ ଏତେବେଳଯାଏ ଆସିଲେନି | କେମିତି ଗୋଟେ ଡର ବସିଯାଏ ବର୍ଷା ମନରେ, ସହଜେ ବର୍ଷାରାତିରେ ଅନ୍ଧାର ଯେମିତି ଆହୁରି ବଢିଯାଏ | ଚାରିଆଡ଼େ ହେଉଥିବା ଶବ୍ଦସବୁ ଡରକୁ ଆହୁରି ବଢ଼େଇଦିଏ | ଫୋନବି ସହଜରେ ଲାଗେନି ଏଇ ବର୍ଷାଦିନେ |


 ଏମିତି ଏକ ବର୍ଷାଦିନେ ବିବେକଙ୍କ ସହ ଘରଛାଡ଼ି ଚାଲିଆସିଥିଲା ବର୍ଷା, ସେଦିନଠାରୁ ବାପା ଆଉ ତା' ମୁହଁ ଚାହିଁନାହାନ୍ତି କି ଫୋନରେ ପଦେ କଥା ହୋଇନାହାନ୍ତି | ଅନେକ ଥର ଝିଅ ସୃଷ୍ଟିକୁ ସମ୍ପର୍କ ଯୋଡ଼ିବାର ମାଧ୍ୟମ କରିବାକୁ ଚେଷ୍ଟା କରିଛି ବର୍ଷା, ହେଲେ ଅଜାଙ୍କର ମନ ତରଳିଛି କିନ୍ତୁ ଜଣେ ବାପାଙ୍କର ନୁହେଁ | ଏଇ କିଛି ଦିନହେଲା ବାପାଙ୍କର ଦେହ ଭଲନାହିଁ, ବୋଉ ଫୋନରେ କହୁଥିଲା, "ଆସି ଟିକେ ବାପାଙ୍କୁ ଦେଖିଯାଆ", ହେଲେ ବାପାଙ୍କର ଏକା ଜିଦ "ସିଏ ଏଠିକୁ ଆସିବନି" | 


 ବାହାରେ ଗାଡ଼ିଶବ୍ଦ ଶୁଣି କବାଟ ଖୋଲିଲା ବର୍ଷା, ନିଜର ଲୋକଙ୍କୁ ପାଖରେ ପାଇ ଟିକେ ହାଲୁକା ଅନୁଭବ କରୁଥିଲା ବର୍ଷା, ଏତିକିବେଳେ ଫୋନଟା ବାଜିଉଠିଲା, ସେପଟୁ ଭାଇ କାନ୍ଦି କାନ୍ଦି କହୁଛି, "ବାପା ଚାଲିଗଲେ ଆମକୁ ଛାଡ଼ିକି "| ବର୍ଷା ପାଦତଳେ ସତେ ଅବା ଭୂମିକମ୍ପ ହୋଇଉଠିଲା | ଖଟ ଉପରେ ଲଥ କରି ବସିପଡ଼ି ଧୀରେ ଧୀରେ କହିଲା, "ତୁ' ଚିନ୍ତା କରନା ଭାଇ, ମୁଁ' ସାଙ୍ଗେ ସାଙ୍ଗେ ଯାଉଛି ",| ସେପଟୁ ଭାଇର କ୍ଷୀଣସ୍ୱର, " ନା' ଲୋ ବର୍ଷା ତୁ' ଆସିବୁନି, ବାପାଙ୍କର ଶେଷ କଥା କଣ ଥିଲା ଜାଣୁ,"ସିଏ ମୋର କୋଉ କାମରେ ଯେମିତି ନଥାଏ, ନହେଲେ ମୋ' ଆତ୍ମା ଶାନ୍ତି ପାଇବନି |"


ଫୋନଟା ଆପେ ଆପେ ହାତରୁ ଖସିପଡିଲା ବର୍ଷାର | ବିବେକ ଆଉ ସୃଷ୍ଟି କିଛି ନଜାଣି ତା' ଆଡ଼କୁ ଚାହିଁରହିଥାନ୍ତି |ବର୍ଷା ଆଖିର ଲୁହ ସହ ତାଳଦେଇ ବର୍ଷୁଥାଏ ଅବିଶ୍ରାନ୍ତ ବର୍ଷା ||




Rate this content
Log in

Similar oriya story from Tragedy