Padmalaya Padhy

Tragedy

4  

Padmalaya Padhy

Tragedy

ବୋଉ

ବୋଉ

6 mins
226



ଦୁଇଦିନ ପାଇଁ ମାମୁଁ ଘରେ ଥିଲା ବେଳେ ହଠାତ ମା ବାପା ଦୁହେଁ ଆକ୍ସିଡେଣ୍ଟ ରେ ଆରପାରିକୁ ଚାଲିଯିବେ ଓ ସାନ ଭାଇ ସହିତ ସାରା ଜୀବନ ସେ ଅନାଥ ହୋଇଯିବ ବୋଲି କୁସୁମଲତା ସ୍ୱପ୍ନରେ ବି ଭାବି ନଥିଲା l ଆସିଥିଲା କୁଣିଆ ହୋଇ ରହିଗଲା ସାରା ଜୀବନ ପାଇଁ l ସାନ ଭାଇଟି ପୁଅ ପିଲା ବୋଲି ତାକୁ ସିନା ମାଉସୀ ରଖି ଦେଲା ହେଲେ କୁସୁମ ? କୁସୁମ ଭାବେ ମୋତେ ହେଲେ ମାଉସୀ ନେଇ ଯାଇଥାନ୍ତା କମ ସେ କମ ମାଇଁ ଙ୍କ ହାତ ର ମାଡ଼ ରୁ ବଞ୍ଚି ଯାଇଥାନ୍ତା ମଣିଷ l


ଯୋଗକୁ ଅଳ୍ପ ଦିନ ପରେ ତାଙ୍କ ଘରୁ ପ୍ରସ୍ତାବ ଆସିଥିଲା ଓ ସେ ତାଙ୍କ ବାପା ମା ଙ୍କ ସହିତ ଆସିଥିଲେ ଦେଖିବାକୁ l ତାଙ୍କ ମା ତ ବହୁତ ମେଳାପୀ ଓ ସ୍ନେହୀ ଲାଗୁଥିଲେ l କୁସୁମ କୁ ନ ବର୍ଷ ହେଲାବେଳେ ତାଙ୍କୁ ଜମା ତେର ବର୍ଷ ବୟସ l ଗଲାବେଳେ ତାଙ୍କ ମା ସୁନା ଚୁଡ଼ି ଦି ପଟ ଆଣି କୁସୁମ ହାତରେ ପିନ୍ଧାଇ ଦେଇଥିଲେ ଯାହା କୁ ପରେ ମାଇଁ ତାଙ୍କ ଝିଅ ପାଇଁ କାଢି ରଖି ନେଇଥିଲେ l ଭଲ ଲାଗିଥିଲେ ତାଙ୍କ ମା l ଯେମିତି ସେ ନିଜ ବୋଉ କୁ

ଦେଖୁଛି l ତା ପରେ କେତେ ଦିନ ଯାଏଁ ମାଇଁଙ୍କ କଥା ନରମ ହେବାକୁ ଆରମ୍ଭ କରିଥିଲା l


କୁସୁମ କୁ ଥିଲା ବାଲା ଶାଶୁ ଘର ମିଳିଛି ଯେ l ଜମି ବାଡ଼ି କୋଉଠୁ କୋଉ ଯାଏଁ ଲମ୍ବିଛି ଯାହା ର କିଛି ଛିଟା ମାଇଁ ଙ୍କ ଘରେ ବି ପଡିବ ବୋଲି ମାଇଁ ବହୁତ ଖୁସି l ଏକେତ କୁସୁମ ଏଠୁ ଚାଲି ଗଲେ ମୁକ୍ତି ମିଳିଯିବ ପୁଣି ଧନୀ ଘର ବୋହୂ ଆସିଲା ବେଳେ କଣ ଖାଲି ହାତ ରେ ଆସୁଥିବ କି ? କେତେ ଭାର ଥୋର ନେଇକି ଆସିବ ନା lସେ ନିର୍ବନ୍ଧ ସେ ବାହାଘର ଆଉ ମନେ ନାହିଁ ସିନା ହେଲେ କୁସୁମ ଘର ଯୋଗ୍ୟା ହେଲା ପରେ ସେମାନେ ଆସି ନେଇ ଯିବେ ବୋଲି କହିଥିଲେ ସେକଥା ମନେ ଥିଲା l ସେମାନେ ଚାଲି ଗଲା ପରେ ସ୍ବପ୍ନ ର ଢ଼େଉ ରେ କୁସୁମ ଖାଲି ଉବୁଟୁବୁ l


 ମାମୁଁ ଙ୍କ ଘର ଠୁ ତାଙ୍କ ଘରେ ବେଶି ମଜ୍ଜା ଥିବ l ଆଚାର କୋଳି ଲେମ୍ବୁ କୋଉଥିରେ ବି ବାରଣ ନଥିବ l ଆଚାର କୋଳି ନମିଳିଲେ ନାହିଁ ମାଡ଼ ତ ଖାଇବାକୁ ପଡ଼ିବନି l ସେମାନେ କିଛି ମାଗୁନାହାନ୍ତି ବୋଲି କୁସୁମ କଣ ଖାଲି ହାତରେ ଚାଲିଯିବ ନା କଣ l ତିନିଟା ଫ୍ରକ ସାଙ୍ଗରେ ନେବ l ତାଙ୍କ ଘରେ ଫ୍ରକ ଥିବ କି ନାହିଁ l ଆଉ କିଛି ଏଠୁ ନେବ ନାହିଁ l ତାର ଗୁଡ଼ି ସରା ଗାତ ଷଢ଼େଇ ସବୁ ସେମିତି ଛାଡ଼ିଦେଇ ଯିବ ମାଇଁଙ୍କ ଝିଅ ଖେଳୁ l ସେଠାରେ କଣ ମିଳୁ ନଥିବ କି l ଯେମିତି ହେଉ ଶୀଘ୍ର ଶୀଘ୍ର ଏଠୁ ଚାଲିଯିବ ସେ l ବହୁତ ମାଡ଼ ଖାଇବାକୁ ପଡୁଛି ତାକୁ l ସେଠି ତ ମାଉସୀ ଘର ଠୁ ବି ବେଶି ମଜ୍ଜା l ଭାଇକୁ କହିଲେ ସେ ହିଂସା ରେ ଜଳିଯିବ ଏଇନେ l


ରାତିରେ କୁସୁମ କୁ ବେଶି ଭୋକ l ଦିନ ସାରା ଖାଇବାରେ

କଟକଣା l କାମ କଲା ବେଳେ ସିନା ଭୋକ ଜଣା ପଡ଼େନା କିନ୍ତୁ ରାତିରେ ନିଦ ଆସେନି l ଯାହା ଶୁଖିଲା ଖାଇବା ଜିନିଷ ସବୁ ମାଇଁ ଙ୍କ ଆଲମାରୀ ରେ ଚାବି ପଡିଥାଏ l ସୁତରାଂ ଖାଲି ପେଟ ରେ ରାତିରେ ନିଦ ହୁଏନି l ପୁଣି ଏଇ ନିଆଁ ଲଗା ନିଦ ଟି ସକାଳୁ ସକାଳୁ ମାଡି ବସେ କୁସୁମ କୁ ପୁଣି ଥରେ ମାଡ଼ ଖୁଆଇବାକୁ l ତାଙ୍କ ଘର କୁ ଗଲେ ଯେତେ ଇଚ୍ଛା ସେତେ ଶୋଇବ l ରାତିରେ ଅଧିକା ଖାଇ ଦେଇ ଶୋଇ ଯାଉଥିବ ଯେ ଆଉ ଭୋକ ହେବନି ଓ ଶୀଘ୍ର ନିଦ ଭାଙ୍ଗିଯିବ l


ସେଠି ବି ତ କାମ କରିବାକୁ ପଡିବ ନା ନହେଲେ ସେମାନେ ଖେଳିବାକୁ ଦେବେ କି l ତାଙ୍କର ତ ନୂଆ ଘର କୋଉ ଜିନିଷ କୋଉଠି ରଖିଥିବେ କେଜାଣି l ମାମୁଁ ମାଇଁ କଥା ହେଉଥିଲେ ତାଙ୍କର ପୁଣି ବହୁତ ବଡ଼ ଘର l ତାଙ୍କ ମା ତ କୁସୁମ କୁ କୋଳରେ ବସାଇ ଏତେ ଗେଲ କଲେ ଯେମିତି ନିଜ ବୋଉ l ସ୍ବପ୍ନ ସରେନି ସିନା ରାତି ସରିଯାଏ l


ସେଦିନ ସକାଳୁ ଉଠି ଦାନ୍ତ ଘଷୁ ଘଷୁ ଖବର ଆସିଲା ଯେ ସେ ଚାଲିଗଲେ l ଏବେ ବି ତାଙ୍କର ହସ ହସ ମୁହଁ ଟା ଜଳ ଜଳ ଦିଶୁଛି l ଗୋଟିଏ ମୁହୂର୍ତ୍ତ ରେ ଅନ୍ୟକୁ ନିଜର କରିନେବା ର ଶକ୍ତି ତାଙ୍କର ଥିଲା l କହିଥିଲେ


--ତୋତେ ଆମେ ଶୀଘ୍ର ନେଇଯିବୁ l ତୁ ଆସିଲେ କେତେ ମଜ୍ଜା ହେବ l କେତେ ବୁଲିବା ଆମେ l ତୁମ ଗାଁ ରେ କିଛି ନାହିଁ ସିନା ଆମ ଗାଁ ରେ କେଡେ କେଡେ ଆମ୍ବ ତୋଟା l କେତେ ନଡ଼ିଆ ଗଛ କେତେ ପଦ୍ମ ଫୁଟିଛି ଆମ ପୋଖରୀ ରେ ତୁ ଗଲେ ଦେଖିବୁ

ସବୁ l 


ଖେଳୁଥିଲା ବେଳେ ପୁଣି ପୋଖରୀ ରେ ବୁଡି ଗଲେ ଯେ ପହଁରା ନଜାଣି ଥିବାରୁ ନିଜକୁ ବଞ୍ଚାଇ ପାରିଲେ ନାହିଁ l ସୁତରାଂ କୁସୁମ ର ଯିବା ନୋହିଲା ଓ ସେ ମାମୁଁ ଘରେ ହିଁ ବୈଧବ୍ୟ ର ସବୁ ବିଧି ବିଧାନ ନିଭାଇଥିଲା l ମାଇଁ ତ କାନ୍ଥ ରେ ଢ଼ୋ ଢ଼ୋ ମୁଣ୍ଡ ବାଡ଼ଉଥାନ୍ତି l


--ବାହା ହେବା ପରେ ଶାଶୁ ଘରେ ବିଧବା ହୋଇଥିଲେ ଶାଶୁ ଘର ଲୋକେ ସବୁ ଦାୟିତ୍ୱ ମୁଣ୍ଡାଇ ଥାନ୍ତେ l ଏବେ ଆମ ମୁଣ୍ଡ ରେ ସବୁଯାକ ବୋଝ l କପାଳ ଫାଟିଲା ଯେ ଯିବା ଆଗରୁ….l ମାଇଁ ଗର ଗର ହେଉଥିଲେ l କୁସୁମ ପଚାରିଥାନ୍ତା ଯେ ସେମାନେ ଏବେ କାହିଁକି ନେବେନାହିଁ l ପୁଣି ମାଡ଼ ବାଜିବ ସକାଳୁ ସକାଳୁ l ଥାଉ ତେବେ l


--ତୁମ ଭାଣିଜୀ ମହାରାଣୀ ଦେଖ ଆଚାର ଚାଟି ଚାଟି କେମିତି ଦାଣ୍ଡରେ ବୁଲୁଛନ୍ତି ଏଣେ କଣ ନା ବିଧବା l ଯେମିତି ମା ର ସେମିତି ଝିଅ ହେବ ନା l ଟାଉକି ପେଟ ରୁ ଟାଉକି ହିଁ ଜନ୍ମିବ l


ମାମୁଁଙ୍କ ଗୋଟିଏ ବ୍ରହ୍ମ ଚାପୁଡ଼ାରେ କୁସୁମ ର ହୋସ ଆସିଗଲା l ୟା ପରେ ଆଉ ସେ ବାହାରକୁ ଯାଇନାହିଁ l ଘରକୁ କେହି ଆସିଲେ କୁସୁମ ଭାବେ ତାଙ୍କ ଘରୁ କେହି ନେବାକୁ ଆସିଥିବେ ପରା l ହେଲେ ସେ ତ ନାହାନ୍ତି ଆଉ କିଏ ଆସିବ ? ଲୁହ ଆସିଯାଏ ଆଖି ରେ l କେତେ ଖେଳିଥାନ୍ତା ତାଙ୍କ ସାଙ୍ଗରେ l ଖେଳ ସାଥି ହେଇଥାନ୍ତେ ସେ l ବିଧବା ହେଲା ପରେ ସମସ୍ତଙ୍କ ଆସିବା ଯିବା ବନ୍ଦ ହେଇଗଲା l


କେତେ ଦିନ ପରେ ଘର ଯୋଗ୍ୟା ହେଲା କୁସୁମ l ଏ ମାଡ଼ ଖିଆ ଦେହଟିରେ କଣ ସବୁ ପରିବର୍ତ୍ତନ ଘଟିଲା ବୋଲି ନିଜେ ନିଜେ ବୁଝିବାକୁ ହୁଏ l ବୁଝାଇବାକୁ ନଥିଲେ କେହି l ଆହୁରି କଟକଣା ଆହୁରି ସମସ୍ତଙ୍କ ର ନଜର ବନ୍ଦୀ ରେ ରହିବାକୁ ପଡେ l


ପନ୍ଦର ବର୍ଷ ର କୁସୁମ ପାଇଁ ପ୍ରସ୍ତାବଟିଏ ଆସିଲା ଦିନେ l ଲୋକଟିର ଆଗରୁ ଦୁଇଟି ସ୍ତ୍ରୀ ମରି ସାରିଛନ୍ତି ଓ ବୟସ ପଚାଶ ପାଖାପାଖି ହେବକି କଣ ବୋଲି ମାମୁଁ ମାଇଁ କଥା ହେଉଥିଲେ l ପୁଅ ପିଲା ର ବୟସ ଏବଂ ବିଧବା ର ପୁଣି ଘର ସଂସାର କଣ l ଲୋକ ଲଜ୍ଜା ନାହିଁକି l ମାମୁଁ ସିଧା ସିଧା ମନା କରି ଦେଉଥିଲେ କିନ୍ତୁ ମଧ୍ୟସ୍ଥି ଜଣକ ମାଇଁଙ୍କ କାନରେ କଣ ଫୁଙ୍କିଲା ଯେ ମାଇଁ ଏକାଥରେ କେ ଅଡ଼ି ବସିଲେ ଯେ କୁସୁମ ବାହା ହେଉ l ତା ଭଲ ପାଇଁ କହୁଛନ୍ତି !! ତାର ଭବିଷ୍ୟତ ଯଦି ସେ ନଦେଖିବେ ତେବେ କିଏ ଦେଖିବ ଯେ ! କିଏ କେମିତି ଚାଲ ଚଲାଉଛି ଏବେ କୁସୁମ ଧୀରେ ଧୀରେ ବୁଝିଲାଣି l ଯାହା ହେଉ ଯୋଉଠିକି ପଠାନ୍ତୁ ଚିନ୍ତା କରିବାର ନାହିଁ l ଏ ଘରଠୁ ତ ନିଶ୍ଚୟ ଭଲ ହିଁ ଥିବ l


ଏଥର କିନ୍ତୁ କୁସୁମ ର ବିବାହ ହେଲା ନାହିଁ କି କେହି ଦେଖିବାକୁ ଆସିଲେ ନାହିଁ l ମାମୁଁ ନେଇ ସିଧା ଶାଶୁ ଘରେ ଛାଡି ଦେଇ

ଆସିଲେ l କୋଉଠି କିଏ ନେଇ ବସାଇଲା କିଏ ଜଣେ ପୁଣି ଖାଇବାକୁ ଆଣି ଦେଲା କାହାକୁ ସେ ଜାଣେନି l ତହିଁ ପର ଦିନ ତାର ସ୍ୱାମୀ କିଏ ନଜାଣିପାରି ଘରକୁ ଆସିଥିବା ଧୋବଣୀଟିକୁ କୁ ଧୀରେ ଯାଇ ପଚାରିଲା l


--ମାଉସୀ ! ଇଏ କୋଉଠି ଅଛନ୍ତି କାଇଁ ଦିଶୁ ନାହାନ୍ତି ତ l

--କାହା କଥା କହୁଛୁ ? ନ ଦେଖିଲେ ଭଲ ଲୋ ମା ! କେବେ ତା ସହ ଦେଖା ନହେଉ l ଧୋବଣୀ କପାଳ ରେ ହାତ ଦି ଥର ବାଡେଇ ସାରି କହିଲା l

--କାହିଁକି ମାଉସୀ ? ସେ ପରା ମୋ ସ୍ୱାମୀ ହେବେ l

--ସବୁ କପାଳ l ଯା ତାକୁ ଦେଖିବାକୁ ଇଚ୍ଛା ଯଦି ପାଗଳଖାନା ଯା ଦେଖି ଆସିବୁ l ତୋର କିଏ ସ୍ୱାମୀ ଅଛି ବୋଲି ଭାବୁଛୁ କି ? ଯାହାକୁ ସ୍ୱାମୀ ବୋଲି କହୁଛନ୍ତି ସେ ପାଗଳଟିଏ ବୋଲି ପାଗଳଖାନା ରେ ରଖିଛନ୍ତି l ତାର ଗୋଟିଏ ପୁଅ ଅଛି l ତୋତେ ସେମାନେ ପିଲାଟି ର ଦେଖା ଶୁଣା କରିବାକୁ ଆଣିଛନ୍ତି l ସବୁ ଭାଗ୍ୟ ଲୋ ମା !


ବହୁତ ହେଇଗଲା ଏଥର l ବାହାରି ଆସିବ ସେ l ମନ ଯୁଆଡେ ଡ଼ାକିବ ସିଆଡେ ଚାଲିଯିବ l ମାଡ଼ ଖାଇ ଅନେକ ଥର ଲହୁଲୁହାଣ ହୋଇଛି ଓ ସହିଛି ମଧ୍ୟ ହେଲେ ସ୍ବପ୍ନ ଗୁଡିକ ଲହୁଲୁହାଣ ହେଲେ ଆଉ ସହି ହେବନି l ବଞ୍ଚିବାକୁ ଦେଇ ଭଗବାନ ତାଠାରୁ ଏମିତି ସୁଧ ମୂଳ କଳନ୍ତର ଆଦାୟ କରିବେ କି ଶେଷକୁ ? ଲୋଭ ନାହିଁ ଜୀବନକୁ ଚାଲିଗଲେ ମଧ୍ୟ ଦୁଃଖ ନାହିଁ l ରାସ୍ତା କୁ ଗୋଡ଼ କାଢିଲା କୁସୁମ l 


--ବୋଉ…! ବୋଉଉଉ …! ତିନି ଚାରି ବର୍ଷ ର ପିଲାଟିଏ ବୋଉ ବୋଉ କହି କବାଟ କଣ ରେ ଲୁଚି ଯାଉଛି l କବାଟ ଫାଙ୍କ ରୁ ଆଖିଟି ଯାହା ଦିଶୁଛି l ପାଖକୁ ଗଲେ ଦୂରକୁ ଦୂରକୁ ଘୁଞ୍ଚି ଯାଉଛି l ହଲଚଲ ନହୋଇ କୁସୁମ ଯେତେବେଳେ ଠିଆ ହେଉଛି ସେତେବେଳେ ପିଲାଟି ପୁଣି ଘୁଞ୍ଚି ଆସି ବୋଉ… ଉ..ଉ...ଲହରେଇ ଲହରେଇ ଡାକି ପୁଣି ଲୁଚି ଯାଉଛି l 


କୁସୁମ ଧୀରେ ଧୀରେ ଯାଇ କବାଟ ପଛରୁ ଟେକି ଆଣି ପିଲାଟିକୁ ଛାତିରେ ଯାକି ଧରିଲା l ହଠାତ କଣ ସ୍ୱର୍ଗ ରୁ ଚେନାଏ ଆସି ହାତ ପାଆନ୍ତାରେ ଖସି ପଡ଼ିଲା କି ଆଉ ? ଏତେ ଶାନ୍ତି ଏତେ ତୃପ୍ତି ବୋଧେ ସାତ ଜନ୍ମ ରେ ତାକୁ ମିଳିନଥିଲା l କୁସୁମ ର ପାଦ ଦୁଇଟି ଘର ଆଡେ ମୁହାଁଇଲା ଏବେ l ଛୁଆଟା ସକାଳୁ କିଛି ଖାଇଛି କି ନାହିଁ କେଜାଣି ? ଖାଲି ତ ବୋଉ ବୋଉ ହଉଛି l


Rate this content
Log in

Similar oriya story from Tragedy