ବକ୍ସିସ ,,,,,,,,,,
ବକ୍ସିସ ,,,,,,,,,,
ମନରେ ଶିଖାର ଆଜି ଉତ୍ତାଳ ତରଙ୍ଗ ଉଠୁଥିଲା. କେମିତି ରା଼ନ୍ଧିବ ସେ ମାଟିହାଣ୍ଡିରେ ମାଂସ ବୋଲି ବୁଝିପାରୁନଥିଲା. ବାପାଙ୍କ ସଙ୍ଗେ ଥରେ ଭୁବନେଶ୍ୱରର ଗୋଟେ ବଡ଼ ହୋଟେଲକୁ ପଶିଲା ବେଳେ ସେ ଚୁପି ଚୁପି ବାପାଙ୍କୁ ପଚାରିଥିଲା ବାପା, ସତରେ କଣ ଏଠି ଏତେ ଗ୍ରାହକମାନଙ୍କ ପାଇଁ ମାଟିହାଣ୍ଡିରେ ମଟନ ରନ୍ଧାଯାଏ?ବାପା କହିଲେ ହଁ କାହିଁକି ନୁହେଁ ଝିଅ!ତୋ ବୋଉ ତ ପୁଣି ରୋଷେଇ ଘରେ ମଟନ ରା଼ନ୍ଧିବାକୁ ନଦେଇ ଖୋଲା ଅଗଣାରେ ଚୁଲିରେ ମାଟିହାଣ୍ଡିରେ ମଟନ ରାନ୍ଧେ ନା ନାହିଁ. ଶିଖା ଚୁପ ହୋଇଯାଇଥିଲା କିନ୍ତୁ ଖାଇବା ଟେବୁଲ ଉପରେ ୱେଟର ଭାଇଙ୍କୁ ପଚାରିଦେଇଥିଲା ସେହି ଏକା ପ୍ରଶ୍ନ ଯାହା ସେ ଟିକେ ଆଗରୁ ବାପାଙ୍କୁ ପଚାରିଥିଲା ଓ ସେ ଭାଇ ସେଇ ଏକା ଉତ୍ତର ଦେଲେ ବି ଟିକେ ବୁଲେଇ ବଙ୍କେଇ ବୋଉ ପରି କହିଥିଲେ କି କାହିଁକି ନୁହେଁ!ଯୋଉ ଜଗନ୍ନାଥଙ୍କ ଦେଶରେ କୋଟି କୋଟି ଜୀବମାନଙ୍କ ପାଇଁ ମାଆ ଲଷ୍ମୀ ଠାକୁରାଣୀ ବାଉନ କୋଟି ବ୍ୟଞ୍ଜନ କୁଡୁଆରେ ରାନ୍ଧି ପରଷୁଛନ୍ତି ସେଠାର ସର୍ବଭୁଖି ମଣିଷ ପାଇଁ ମାଟିହାଣ୍ଡି ମଟନ କାହିଁକି ନୁହେଁ. କଥାଟା ଶିଖା ପାଇଁ ସ୍ପଷ୍ଟ ନଥିଲା ସେତେବେଳେ କିନ୍ତୁ କାଉଣ୍ଟରରେ ପଇସା ଦେଇ ଫେରିଆସୁଥିବା ବାପା ଓ ଝିଅ ଶିଖାଙ୍କ ପାଖକୁ ଦଉଡି ଆସିଥିଲେ ୱେଟର ଭାଇ ଓ କହିଥିଲେ ଆପଣଙ୍କ ବିଲ ତ ଆଠଶହ ପଚାଶ ଟଙ୍କା ଆପଣ ହଜାର ଟଙ୍କା ଦେଇ ବାକି ପଇସା ଆଣିବା ପୂର୍ବରୁ ଫେରିଆସିଲେ ଯେ. ବାପା କହିଥିଲେ ଏଠିକା ମାଟିହାଣ୍ଡି ମାଂସ ଖୁବ ସୁଆଦିଆ. ମୋ ଝିଅ ପେଟ ଭରି ସନ୍ତୁଷ୍ଟିରେ ଖାଇଲା ତ ବାକି ପଇସା ଆଣିବାକୁ ଇଛା ହେଲା ନାହିଁ. ହଉ ହଉ ବୁଝିଗଲି ସଚୋଟତା ଏହି ହୋଟେଲର ବିଶେଷତା ତେବେ ଏଇଟା ଆପଣଙ୍କ ବକ୍ସିସ କହି ବାପା ୱେଟର ଭାଇଙ୍କ ହାତରେ ଗୁଞ୍ଜି ଦେଲା ବେଳେ ସେ କହୁଥିଲେ ନାଁହିଁ ମ ଆଜ୍ଞା. ଏହି ମଟନ ହଣ୍ଡାରେ ସିଝିବା ଯାଏଁ ପ୍ରସ୍ତୁତ ହୋଇ ତାପରେ ମାଟି ହାଣ୍ଡି ମାନଙ୍କରେ ପ୍ୟାକ ହୁଏ, ପରଷା ହେବା ଯାଏଁ ତ ସୁରେଇର ଜଳ ପରି ଶାନ୍ତି ମିଳିବା ପରି ଖାଇବା ଲୋକକୁ ତୃପ୍ତି ମିଳିଥାଏ ଏହି ମାଟି ହାଣ୍ଡି ମଟନ . ଯାହା ବି ହେଉ ଟେଷ୍ଟି ବହୁତ କହି ଆମେ ବାପା ଝିଅ ଫେରି ଆସିଥିଲୁ. ବାହାଘର ପରେ ଆଜି ପ୍ରଥମ ରୋଷେଇରେ ମାଟି ହାଣ୍ଡିରେ କେମିତି ମାଂସ ରା଼ନ୍ଧିବ ଶିଖା ବୋଲି ତା ମନରେ ଉତ୍ତାଳ ତରଙ୍ଗ କେବେ ବୋଉର ତ କେବେ କୋଉ ସ୍ମୃତିର.
ଖୁଡିଶାଶୁ ହଲେଇ ଦେଇ ଶିଖାକୁ କହିଲେ କଣ ଭାବୁଛ ଝିଅ! ମାଟି ହାଣ୍ଡି ମାଂସ କେମିତି କରିବ ଭାବୁଛ କି!ସବୁ ପ୍ରସ୍ତୁତ. ମୁଁ ସବୁ କରିସାରିଛି.ତୁମେ ଏବେ ବଢ଼ାବଢ଼ି କରିବ ଯାଅ. ଚକିତ ଶିଖା. ଗାଁ ଘରେ ବାହା ଦେଇ ଦାଦା ଖୁଡି ତାଙ୍କ କର୍ତ୍ତବ୍ୟ ସାରିଦେଲେ ବୋଲି ଭାବିଥିବା ଶିଖା ଆଖିରେ ଲୁହ ଟଳମଳ ଦେଖି ପୁଣି ଖୁଡି ଶାଶୁ କହୁଥିଲେ ବୋଉ ବାପା ସିନା ତୁମର ଆକ୍ସିଡେଣ୍ଟରେ ଚାଲିଗଲେ ହେଲେ ତୁମ ପରି ସହରୀ ଶିକ୍ଷିତା, ଗୁଣବତୀ ତଥା ସୁନ୍ଦରୀ ଝିଅ ଆମ ଗାଁରେ କିଏ ବୋହୁ ଥିବ ଭଲା!କାନ୍ଦନି, ଆମେ ଅଛୁ. ଶିଖାର ମନ କହୁଥିଲା ଖୁଡିଶାଶୁଙ୍କ ପାଦ ଦୁଇ ଜାବୁଡି ଥରେ ବୋଉ ବୋଲି ଡାକିବାକୁ ଆଉ ତା ପାପ ଭାବନା ସବୁକୁ ଧୋଇ ଦେବାକୁ କିନ୍ତୁ ଖୁଡି ଶାଶୁ ଚେତେଇ ଦେଇଥିଲେ ବାଢିପାରିବ ତ ଝିଅ!ସମ୍ପର୍କୀୟ ଭାଉଜ କହୁଥିଲେ କି କଥା ପଚାରୁଛ ଖୁଡି?କାଲି ଅଳତା ସିନ୍ଦୁର ଲଗେଇ ଏ ଘରକୁ ବୋହୁ ହୋଇ ଆସିଗଲା ବୋଲି ସେ କଣ ଏତେସବୁ ପାରିବେ! ଉଠ ଉଠ ଖନ୍ଦାଶାଳେ ମୁଁ ପରଷି ଦେବି ସେ କେବଳ ଖାଇବା ଟେବୁଲ ଯାଏଁ ନେଇଯିବେ. ଭାବିପାରୁନଥିଲା ଶିଖା ଏମାନେ ମାନବୀ ନା ଦେବୀ! ଖାଇଲା ବେଳେ ସମସ୍ତେ ହାତଚାଟି ଖାଇ ଶିଖାର ଭୁରି ଭୁରି ପ୍ରଶଂସା କଲା ବେଳେ ଖୁଡି କହୁଥିଲେ ବୋହୁ କାହାର ଓ ଭାଉଜ କହୁଥିଲେ ଯାଆ କାହାର! ତାଙ୍କ ଦୁହିଁଙ୍କ ପାଦ ଛୁଇଁ ଶିଖା ଆଗେଇ ଯାଉଥିଲା ଅନ୍ୟମାନଙ୍କ ପାଦ ଛୁଇଁବାକୁ ପ୍ରଣାମୀ ହିସାବରେ ତ ପଛରୁ ଖୁଡି କହୁଥିଲେ, ବାପା ଓ ମାଆ ସ୍ବର୍ଗବାସୀ ତଥାପି ଝିଅର ସଂଠଣା ଦେଖ. ଶିଖା ମନରେ ଏବେ ଏଇ ଗାଁ ଓ ପରିବାର ତଥା ଗୁରୁଜନମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ର ଉତ୍ତାଳ ତରଙ୍ଗ ତା ଭିତରେ ଉର୍ମି ହୋଇ ଲହଡି ରୂପେ ହୃଦୟ ରୁ ମନ ଯାଏଁ ଛୁଇଁ ଯାଉଥିଲା.
