STORYMIRROR

Sunanda Mohanty

Tragedy Thriller Others

4  

Sunanda Mohanty

Tragedy Thriller Others

ବାବୁନି ହେବ ଜଗତଜିତା

ବାବୁନି ହେବ ଜଗତଜିତା

4 mins
0

ବୋଉ ଜାଣିଥିଲା ଆଜି ସେ କାଶୀ ଯିବ. ତଥାପି ସକାଳୁ ଉଠି କାଳୁ ଥାଳିଆରେ ଶୁଖୁଆ ଭାତ ଗୋଳେଇ ରଖୁଥିଲା, ଶୁଆ ମିଠୁ କୁ ଗଜାମୁଗ ସାଙ୍ଗକୁ ବତୁରା ବୁଟ ଦେଉଥିଲା. ବିଲେଇ ଧଳି ଗିନାରେ କୁକୁର କାଳୁ ଖାଦ୍ୟରୁ କିଛି ଢାଳି ଚଢେଇଙ୍କ ପାଇଁ ଦାନା ଓ ପାଣି ଥୋଇସାରିଲା ପରେ ବାପାଙ୍କ ବେକରେ ସଜ ଫୁଲ ହାର ପକେଇ ବାସି ଫୁଲ ହାର ଲୁଚେଇ ରଖିଥିଲା ଶାଢ଼ୀ ଭିତରେ. ସେତିକି ବେଳକୁ ପୁଅ ଡାକ ପକେଇ ଥିଲା. ଟ୍ରେନ ଛାଡ଼ିଦେବ ବୋଉ ତ ବୋଉ ବାହାରିଯିବା ପୂର୍ବରୁ ବୋହୁ ଓ ଦୁଇ ନାତି ନାତୁଣୀ ଶୋଇଥିବା ରୁମଟା ଆଡ଼େ ଟିକେ ଚାହିଁ କଣ ଭାବିଲା କେଜାଣି କହୁଥିଲା ବାବୁଲାରେ ମୁଁ ଯାଉଛି. ଜେଜେ ଙ୍କ ଫୋଟୋରେ ମାଳ ଚଢ଼ାଉଥିବୁ, ବାବୁଲି ଲୋ ଫୁଲ ତୋଳି ସବୁଦିନ ପରି ଠାକୁର ଘରେ ଥୋଉଥିବୁ ମାଆ, ନହେଲେ ତୋ ବୋଉ ହଇରାଣ ହେବ.ଟ୍ରେନ ଭିତରେ ଅନେକ ଥର ପୁଅ ପଚାରିଥିଲା ବୋଉ ଚା ପିଇବୁ, ବୋଉ କିଛି ଖାଇବୁ ତ ନୀରବତା ଭାଙ୍ଗି ବୋଉ କହିଥିଲା କହ୍ନେଇଙ୍କୁ ଦର୍ଶନ କରିବାକୁ ଯାଉଛି. ଦର୍ଶନ ସରିଲେ ଖାଇବି. ନଚେତ ମୋକ୍ଷ ମିଳିବନି କହି ବୋଉ ଚୁପ ହୋଇଗଲା କିନ୍ତୁ ପୁଅ ଅଶୋକ ନିଜ ଅଜଣାତରେ ଚମକି ପଡିଲା.
   ବୋଉକୁ ନେଇ ଘରେ ଏବେ ବହୁ ଆଶାନ୍ତି. ଏମିତିରେ ବୋଉ ବାପା ଥିଲା ବେଳେ ମଧ୍ୟ ଶାନ୍ତିରେ ନଥିଲା କିନ୍ତୁ ବାପାଙ୍କୁ ଭଲ ପାଉଥିଲା ଖୁବ. ମିନିଟ ଗୋଟେ ପାଖରୁ ଅନ୍ତର କରୁନଥିଲା ତାଙ୍କୁ କି ସେତେବେଳେ ପୁଅ କି ଝିଅ ଡାକିଲେ ଯାଉନଥିଲା ତାଙ୍କୁ ଛାଡି. ଥରେ ପୁଅର କିଛି କାମ ଓ କଥାକୁ ନେଇ ବୋଉ ଯେବେ ବୋହୁକୁ ତୁ କହିଥିବୁ ବୋଲି ମୋ ପୁଅ ଆଣିଥିବ କି କରିଥିବ ବୋଲି ଭୁଲରେ କହିଦେଇଥିଲା ତ ବୋହୁ ମିନି ସଙ୍ଗେ ସଙ୍ଗେ ସେ କଣ ବାପାଙ୍କ ପରି ହୋଇଛନ୍ତି କି ମୋ କଥା ଶୁଣିବେ ବୋଲି କହି ମୁହେଁ ମୁହେଁ ଜବାବ ଦେଇଥିଲା. ବାପା କିନ୍ତୁ କେବେ ବୋଉ କଥା ଶୁଣୁନଥିଲେ ସତେଯେମିତି ଜଣଙ୍କର ଚେଙ୍ଗ ରାଶି କି ଜଣଙ୍କର ବେଙ୍ଗ ରାଶି ହେଲେ ଯୋଉଦିନ ବାପା ତାକୁ ଏକୁଟିଆ କରି ଚାଲିଗଲେ ସେ ଭିତରେ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡିଲେ ବି ଅଶୋକର ଦୁଇ ପୁଅ ଓ ଝିଅଙ୍କୁ ବାବୁଲା ଓ ବାବୁଲି ଡାକି ତାଙ୍କ ସହ ମିଶି ଦିନ କାଟୁଥିବା ଭିତରେ ଶାଶୁ ବୋହୁଙ୍କ ଭିତରେ କାମ ଓ କଥା ଏମିତିକି ନୀରବତାକୁ ନେଇ ମଧ୍ୟ କଳି ଝଗଡା ଓ ଆଶାନ୍ତି ଲାଗି ରହୁଥିଲା ତ ଏସବୁର ସମାଧାନ କେବଳ ବୋଉକୁ ମୋକ୍ଷ ପ୍ରାପ୍ତି ପାଇଁ କାଶୀ ରିସର୍ଟରେ ଛାଡ଼ିଦେବା ଛଡା ଅନ୍ୟ ଉପାୟ କିଛି ଦେଖାଯାଉନଥିଲା ଅଶୋକକୁ. କାଶୀ ଯିବା ନାମ ଶୁଣି ବୋଉ ବି ଉତ୍ସାହିତ ଦେଖାଯାଉଥିଲା.ଏବେ ବୋଉ ମୋକ୍ଷ ପାଇବାକୁ ଯାଉଛି କହୁଛି ଯେ ଛାତି ଧଡ଼ପଦ ହେଲା ଅଶୋକର ଭାବିକି ଯେ ବୋଉ ସବୁ ଜାଣିଛି ତେବେ!
    ଟ୍ରେନ ପଛରେ ଦୌଡୁଥିବା ଗଛ, ନଈ, ପାହାଡ଼ ଗାଁ ପରି ଅଶୋକ ମନରେ କେତେ ସ୍ମୃତି ଗୀତ. ବୋଉ କୋଳରେ ଶୋଇ ନାନାବାୟା ଗୀତ ଶୁଣିବା ଠାରୁ ପ୍ରଥମ ଦିନ ସ୍କୁଲ ଯିବା ଘଟଣା ଏବେବି ମନେ ଅଛି ଅଶୋକର. ବୋଉ ଛାଡ଼ିଦେଇ ଅପେକ୍ଷା କରିଥିଲା ଚାରିଟା ପର୍ଯ୍ୟନ୍ତ ସ୍କୁଲ ବାରଣ୍ଡାରେ ଆଉ ରାତିରେ ବୁଝେଇଥିଲା ବାବୁ ହେବୁ ଧନ. ପାଠ ପଢିଲେ ମଣିଷ ହେବୁ. ସମସ୍ତେ କହିବେ କୋଉ ମାଆ ର ପୁଅ ଇଏ!ଏକଥା କହି ମୁଣ୍ଡରେ ହାତ ବୁଲେଇ ଗୀତ ଗାଉଥିଲା ବୋଉ ଯେ କଇଁଚି କାକୁଡି ପିତା ଲଳିତା... ବାବୁନି ହେବ ଜଗତ ଜିତା... କହିବେ ଲୋକେ କିଏ ତା ପିତା ମାତା. ସେହି କଥା ଭାବୁ ଭାବୁ ବାରାଣାସୀ ରେ ଓଲ୍ହେଇ ଅଟୋରେ କାଶୀ ଯାଇ ନିଜ ରୁମ ବୁକ କରି ସାରିଥିଲା ଅଶୋକ. ସଦାଚଳଚଞ୍ଚଳ ବୋଉ ଏତେ ରୁଗ୍ଣ ହେଲେ ବି ଯିଏ ସ୍ୱାଭିମାନ ସହ ବଞ୍ଚିବାକୁ ଲଢେଇ କରି ସଂଗ୍ରାମ ଜାରି କରିଚାଲିଥିଲା ସେ ଆଜି ହଠାତ ପହଞ୍ଚୁ ପହଞ୍ଚୁ ସେଲଟର ଘରେ ନିଦେଇ ଗଲା ତ ଏହା ବୋଧେ ଭଗବାନଙ୍କର ନିର୍ଦେଶ ଭାବି ସେଇଠି ସେହି ସବୁ ମାୟା, ମୋହ, ବନ୍ଧନ ତୁଟେଇ ନିଜ ବ୍ୟାଗ ଧରି ଫେରିଆସିବାକୁ ହେଲା ଅଶୋକକୁ. ଆସିବା ପୂର୍ବରୁ ଅନ୍ତେବାସୀମାନଙ୍କ ଆଡକୁ ଚାହିଁ ଭାବୁଥିଲା ତା ବୋଉ ମଧ୍ୟ ଆଜିଠୁ ବନ୍ଧନ ମୁକ୍ତ. ଆଉ କେହି କେବେ ତା ମନରେ କଷ୍ଟ ଦେଇପାରିବେ ନାହିଁ. ଭଗବାନଙ୍କ ଆଶ୍ରିତ ହୋଇ ମୋକ୍ଷ ପ୍ରାପ୍ତି ପାଇବାର ସୁନ୍ଦର ବ୍ୟବସ୍ଥା. କାଉଣ୍ଟରରେ ବୋଉର ସବୁ ବ୍ୟବସ୍ଥା କରି ଫେରିପଡୁଥିବା ଅଶୋକକୁ ଜଣେ କେହି କହୁଥିଲେ କିଛି ଅସୁବିଧା ନାହିଁ. ଏଣିକି ରୋଗ ନୁହେଁ ବରଂ ନିଜ ଲୋକଙ୍କ ଭରସା ତୁଟିବା ଓ ଦିନେ ନିଜ ଅନ୍ତଫାଡି ଜନ୍ମ କରିଥିବା ପୁଅ, ଝିଅ, ନାତି, ନାତୁଣୀମାନଙ୍କ ସ୍ୱର ନଶୁଣି ଖୁବ ଚଞ୍ଚଳ ଆପଣଙ୍କ ବୋଉ ଅନ୍ୟମାନଙ୍କ ପରି ମୋକ୍ଷ ପାଇ ସ୍ବର୍ଗଆରୋହଣ କରିବେ. ଆମେ ଟେଲିଫୋନ କରି ଜଣେଇଦେବୁ.ଫେରିଆସୁ ଆସୁ ଅଶୋକ ଦେଖିଥିଲା ବୋଉ ଉଠି ସାରିଛି ଆଉ କାନ୍ଥରେ ବାପାଙ୍କ ଫୋଟୋ ରୁ ଆଣିଥିବା ବାସି ଫୁଲ ହାର ଟାଙ୍ଗି କଣ ଗୁଣୁ ଗୁଣୁ କରି କହୁଛି କିନ୍ତୁ ଅନ୍ୟ ମାନଙ୍କ ପରି କବାଟ ଆଡକୁ ଚାଁହୁନି କି ପୁଅ ମୋର ସତରେ ଆସିଥିଲା ଛାଡିବାକୁ ଜାଣି ଆଉ ଫେରୁନି ବୋଲି ବୁଝିଯାଇଛି ନିଶ୍ଚୟ ଭାବି ଅଶୋକ ଫେରିଆସିଥିଲା. ପର ମାସ ପୁଣି ବୋଉ ପାଖରେ ପହଁଞ୍ଚି ଦେଖିଥିଲା କାହାର ଶବ ବୁହାଯାଉଛି ତ ବୋଉ ରୁମକୁ ଦଉଡିଗଲା ଅଶୋକ. ବୋଉ ନଥିଲା.ହୁଏତ ପ୍ରାର୍ଥନା ସଭାକୁ ଯାଇଥିବ ଭାବି ଅଫିସ ଅଭିମୁଖେ ବାହାରିଲା ତ ୱାର୍ଡେନ କହୁଥିଲେ ବୋଉ ଏଇ ଏଇ ମୋକ୍ଷ ପ୍ରାପ୍ତି ହୋଇ ଚାଲିଗଲେ କିନ୍ତୁ ଗୋଟେ ଗୀତ ସେ ଗାଉଥିଲେ ବାବୁଲି ହେବୁ ମୋ ଜଗତଜିତା... ବାବୁଲା ହେବୁ ମୋ ଜଗତଜିତା. ଏଇ ବାବୁଲା ଓ ବାବୁଲି କିଏ? ୱାର୍ଡେନଙ୍କ କଥା କିଛି ଶୁଭୁନଥିଲା ଅଶୋକକୁ ସେ କହୁଥିଲା ଟିକେ ଆଗରୁ ଫୋନ୍ କଲେନି, ମୁଁ ତାକୁ ଫେରେଇ ନେବାକୁ ଆସିଥିଲି ଘରକୁ. ତା ବିନା ତା ନାତି ଓ ନାତୁଣୀ ବାବୁଲା ଓ ବାବୁଲି ମଣିଷ ହେବେ କେମିତି, ଜଗତକୁ ଜିତିବେ କେମିତି କହି ଭୂଇଁରେ ଲୋଟୁଥିଲା ଅଶୋକ ଆଉ ୱାର୍ଡେନ ବିଳିବିଳେଉଥିଲେ ଗୁଣୁଗୁଣୁ ସ୍ୱରରେ ଏଠିକୁ ଯିଏ ଆସେ ସେ କେବେ ପୁଣି ସେଇ ମୋହ, ମାୟା, ଆସକ୍ତି ଭରା ଦୁନିଆଁକୁ ଆଉ ଫେରେକି!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy