STORYMIRROR

ayiswarya maharana

Tragedy Inspirational

3  

ayiswarya maharana

Tragedy Inspirational

ବିଶିକା ମାଆ

ବିଶିକା ମାଆ

4 mins
125

ଆଜି ସକାଳୁ ଗୋଟିଏ ଦୁ଼ଃଖଦ ଖବର ପାଇ ମନ ଭାରି ଭାରି ଲାଗୁଛି । ସକାଳେ ମୋ ଝିଅକୁ ଖୁଆଇ ସାରିବା ପରେ ରୋଷେଇ ପାଇଁ ପ୍ରସ୍ତୁତି ବେଳେ ଵୋଉ ଫୋନ୍ କରି କହିଲା ଗାଁମୁଣ୍ଡ ଜେଜେମା ଚାଲିଗଲେ । ଶୁଣିଵା ପରେ ଭାରି ବ୍ୟସ୍ତ ଲାଗିଲା । ବହୁତ କଥା ମନେପଡିଗଲା । 

ଗାଁ ଶେଷ ମୁଣ୍ଡରେ ଏକ ଧାଡ଼ି ଘର । ସାମ୍ନାରେ ଏକ ଵିରାଟ ପୋଖରୀ । ପାଖରେ ଏକ ପ୍ରାଇମେରୀ ସ୍କୁଲ ଯେଉଁଠି ମୁଁ ପାଠ ପଢ଼ୁଥିଲି । ସେହି ଘରଗୁଡିକରୁ ଗୋଟିଏ ଥିଲା ଵିଶିକା ମାଆର ଘର । ମାଆର ପ୍ରକୃତ ନାମ ଥିଲା ବିଶାଖା ଦେଇ । କିନ୍ତୁ ସ୍ନେହରେ ସମସ୍ତେ ବିଶିକା ମାଆ ବୋଲି ଡାକୁଥିଲେ । ବୃଦ୍ଧ ସମୟରେ ମଧ୍ୟ ତାଙ୍କ ମୁହଁରେ ଏକ ଅଦ୍ଭୁତ ଦୀପ୍ତି ରହିଥିଲା । ମାଆ ତାଙ୍କର ତିନି ପୁଅ ଓ ସ୍ୱାମୀଙ୍କ ସହ ଖୁସିରେ ରହୁଥିଲେ । ସମୟ ସହ ତିନି ପୁଅଙ୍କର ଵିଵାହ କରାଇଥିଲେ । ଭାବିଥିଲେ ଏବେ ହସଖୁସିରେ ବାକି ଜୀବନ ମଧ୍ୟ କଟିଯିବ । କିନ୍ତୁ ବର୍ତ୍ତମାନର ପରିସ୍ଥିତି ଯେମିତି ସେଥିରୁ ଏଇ ତିନି ପୁଅ ମଧ୍ୟ ବାଦ୍ ପଡ଼ିନଥିଲେ । ସସ୍ତ୍ରୀକ ଯେ ଯାହାର ଘର କରି ରହିଥିଲେ । ହେଲେ ସାନ ପୁଅର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ପୂର୍ବବତ୍ ସେହି ଘରେ ହିଁ ରହିଥିଲେ । 

ଯେହେତୁ ସେ ସମ୍ପର୍କରେ ମୋ ବାପାଙ୍କ ନିଜ ମାଉସୀ ହେବେ, ମୁଁ ସ୍କୁଲ ଯିବାବେଳେ, ସେ ସବୁବେଳେ ମତେ ଘରକୁ ଡାକେ । ମୁଁ କିନ୍ତୁ କହିଯାଏ କି ସ୍କୁଲ ଛୁଟି ହେଲେ ଆସିବି, ଆଉ ଯାଏ ମଧ୍ୟ । ସବୁବେଳେ ମାଆ ଆଉ ବାବା ଦୁହେଁ ଦାଣ୍ଡଘରେ ବସିଥାନ୍ତି । ମତେ ଦେଖି ଦୁହେଁ ଖୁବ୍‌ ଗେହ୍ଲା କରନ୍ତି । ମାଆ ଆଖିକୁ ସେତେଭଲ ଦିଶୁନଥିଲା । ସେ ସେମିତି ଅଣ୍ଡାଳି କରିଯାଏ ଆଉ କିଛି ନା କିଛି ଖୁଆଇଦିଏ । ବେଳେବେଳେ ମୁଆଁ, ରାଶି ଲଡୁ, ଆଚାର, ଆମ୍ବ ଦେଇ କହେ ଏସବୁ ଘରକୁ ନେଇଯା । ଆଉ ଏସବୁ ପାଇଁ ମୁଁ ତା ଉପରେ ରାଗେ, କାରଣ ମୁଁ ଛୋଟ ଥିଲି ଆଉ ପତଳା ବି । ନେବାରେ ମୋତେ କଷ୍ଟ ହୁଏ । ଫେରିବା ବେଳେ ତା ଆଖିରେ ଆଖିଏ ଲୁହ ଥାଏ । ଆଉ କୁହେ ତୋ ଜେଜେମାଆକୁ କହ ଆସିକି ବୁଲିକି ଯାଆନ୍ତା । ତେଣୁ ମୁଁ ଖାଇ ଛୁଟି ହେଲେ ବେଳେ ବେଳେ ମୋ ଜେଜେମାଆକୁ ତାଙ୍କ ପାଖରେ ଛାଡି ଯାଏ ଆଉ ଫେରିବା ବେଳେ କିଛି ସମୟ ରହି ଦୁହେଁ ଫେରିଆସୁ । ବିଶିକା ମାଆ ବହୁତ କାନ୍ଦନ୍ତି । ମୁଁ ଛୋଟ ଥିଲି ତେଣୁ କାରଣଟି ଭଲ ଭାବରେ ବୁଝିପାରିନଥିଲି । କିନ୍ତୁ ପରେ ବୁଝିଲି ଯେ କୁଆଡେ ତିନି ପୁଅ ମିଶି ବୁଢ଼ା ବାପା ମାଆ ଦୁହିଁଙ୍କୁ ପାଳିବାକୁ ଵୋଝ ଵୋଲି ମନେ କରୁଥିଲେ । ଏଥିପାଇଁ ପାଳି ମଧ୍ୟ କରିଥିଲେ । 

ବାପା ମାଆ ନିଜ ସନ୍ତାନମାନଙ୍କୁ ଯଥାସମ୍ଭବ ଖୁସି ଦେଇ ପାଳନ ପୋଷଣ କରନ୍ତି । ନିଜେ ନଖାଇ ପିଲାଙ୍କୁ ଖୁଆନ୍ତି । ପର୍ବପର୍ବାଣିରେ ନିଜେ ଭଲ ନପିନ୍ଧି ପିଲାଙ୍କ ପାଇଁ ନୂଆ ପୋଷାକ କରନ୍ତି । ସାମାଜିକ ଓ ମାନସିକ ସ୍ତରରେ ସେମାନଙ୍କ ସ୍ଥିତି ସୁଦୃଢ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଏସବୁ ପରେ ମଧ୍ୟ ସେମାନେ ବୟସର ଅପରାହ୍ନରେ ପିଲାଙ୍କ ପାଇଁ ଅଲୋଡା ବୋଝ ପାଲଟି ଯାଆନ୍ତି । ସତରେ କ'ଣ ସେମାନେ ସେ ସମୟରେ କେବଳ ଖାଦ୍ୟ ହିଁ ଲୋଡିଥାଆନ୍ତି???? ସେମାନେ ଟିକିଏ ସ୍ନେହ ଶ୍ରଦ୍ଧା ମଧ୍ୟ ଖୋଜିଥାନ୍ତି । ଆଉ ଏସବୁ ବାବା ଓ ମାଆଙ୍କ ଭାଗରେ ନଥିଲା । 

      ଏସବୁ ଚିନ୍ତା କରିକରି ବାବା ପକ୍ଷାଘାତ ରୋଗୀରେ ପିଡୀତ ହୋଇ ସେବା ଶୁଶ୍ରୁଷା ଅଭାବରୁ ୨ମାସ ପରେ ମୃତ୍ୟୁବରଣ କରିଥିଲେ । ଆଉ ବିଶିକା ମାଆ ସମ୍ପୂର୍ଣ୍ଣ ଭାବେ ଏକାହୋଇ ଯାଇଥିଲା । 

ବୋଧହୁଏ ବୃଦ୍ଧ ବୟସରେ ମନକଥା ପରସ୍ପର ସହ ବାଣ୍ଟିବା, ସାଥୀ ହେବା ବିବାହର ଅଦ୍ୱିତୀୟ ଉଦ୍ଦେଶ୍ୟ । ସାଥୀଟି ଚାଲିଗଲା ପରେ ଆତ୍ମା ମୃତବତ୍ ହୋଇଯାଏ । ଘର ଭିତରେ ଏବେ ମାଆ ଏକାକୀ ହୋଇପଡ଼ିଥିଲେ, କାହାକୁ ଵା କହିବେ । ମାଆଟିଏ କ'ଣ କେବେ ପିଲାଙ୍କ ଭୁଲ୍ ଧରିବସେ ନା ଅନ୍ୟ କାହାପାଖେ କହେ । ପିଲାଟି ଯେତେ କଷ୍ଟ ଦେଲେ ମଧ୍ୟ ସେ କଦାପି ରାଗିପାରେନି । ସେ ପରା ତିନି ପୁଅଙ୍କର ଜନ୍ମଦାତ୍ରୀ । ଯେ ଏତେ କଷ୍ଟରେ ପିଲାଙ୍କୁ ପାଳନ କରିଛି, ସେ କ'ଣ ସେହି ପିଲାଙ୍କ ଅନିଷ୍ଟ ଚିନ୍ତା କରିପାରିବ!!!!

              ଧୀରେ ଧୀରେ ବିଶିକା ମାଆ ଚିନ୍ତା ଓ ଦୁଃଖକୁ ସାହାରା କରି ଖାଇବା ପିଇବା ଛାଡି ଦେଲା । କାହାର ଅବା ସେ ଧୈର୍ଯ୍ୟ ଅଛି ଯିଏ ହାତଗଢା ନୀଡ଼କୁ ଭାଙ୍ଗିବାର ଦେଖିପାରିବ । ପିଲାମାନେ ମଧ୍ୟ ମାଆଙ୍କ ପ୍ରତି ଧ୍ୟାନ ନଦେଇ ତାଙ୍କର ମୃତ୍ୟୁ କାମନା କରିଥିଲେ । ମୋ ବାପା ତାଙ୍କୁ ଆମ ଘରକୁ ଆଣିବାପାଇଁ ଯାଇଥିଲେ, କିନ୍ତୁ ମାଆ ନିଜେ ହିଁ ମନାକରିଥିଲେ । ମାଆଙ୍କ ଶରୀର କ୍ଷୁର୍ଣ୍ଣ ହେବାରେ ଲାଗିଲା । ଲୋକଲଜ୍ଜା ଭୟରେ ତାଙ୍କ ବଡପୁଅ ତାଙ୍କ ପାଖକୁ ନେଇଯାଇଥିଲେ ବୋଲି ଶୁଣିବାକୁ ପାଇଥିଲି । କିନ୍ତୁ ରୁଗ୍ଣ ଏବଂ କ୍ଷୀଣ ଶରୀରର ବଞ୍ଚିବା ପାଇଁ ସାମର୍ଥ୍ୟ ନଥିଲା । ସେ ଏହି ନର୍କରୁ ଚିରକାଳ ପାଇଁ ନିଜ ସାଥୀ ପାଖକୁ ଚାଲିଗଲେ । ଖବରଟି ଶୁଣି ବହୁତ ଦୁଃଖ ଲାଗିଲା ଯେ ଏକ ସ୍ନେହମୟୀ ନାରୀଙ୍କୁ ଆମେ ହରେଇସାରିଛୁ । ଶେଷ ସମୟରେ ମଧ୍ୟ ତାଙ୍କୁ ଦେଖି ପାରିନଥିଲି । ଆଉ ବେଶୀ ଦୟା ଆସୁଛି ତାଙ୍କ ତିନି ପୁଅଙ୍କ ଉପରେ, ଯାହାଙ୍କଠାରୁ ବାପା ମାଆଙ୍କ ହାତ ଦୂରେଇ ଯାଇଛି ଏବଂ ସେମାନେ ଏ ସମ୍ପର୍କରେ ଅଜ୍ଞ । 

          ଘରେ ଝିଅଟିଏ ଜନ୍ମ ହୋଇଥିଲେ ସମସ୍ତେ ମନଦୁଃଖ କରନ୍ତି । ଏହାର କାରଣର ଉତ୍ତର ମିଳେ ଯେ କୁଆଡେ ପୁଅ ବଂଶ ବଢାନ୍ତି । ମୃତ୍ୟୁ ପରେ ମୁଖାଗ୍ନି ଦେଲେ ସେମାନେ ମୁକ୍ତି ପାଆନ୍ତି । ଏ କି ପ୍ରକାରର ମୁକ୍ତି, ଯେଉଁଠି ମଣିଷ ବଞ୍ଚିବା ବେଳେ ସ୍ନେହ ମିଶା ସମ୍ମାନ ତ ଦୂରର କଥା, ଖାଇବାକୁ ମୁଠେ ମିଳେନାହିଁ । କିନ୍ତୁ କଟୁକ୍ତି ବହୁତ ସହଜରେ ମିଳିଥାଏ । ମୃତ୍ୟୁ ପରେ ଘରର ବାରିପଟରେ ମୃତକଙ୍କ ପାଇଁ ଭୋଜନ ମିଷ୍ଟାନ୍ନ ଆଦି ରଖି ପ୍ରେତ ପୂଜା କରାଯାଏ, ଯାହାକୁ କାଉ କିମ୍ବା କୁକୁର ଆସି ଉଦରସ୍ଥ କରିଥାନ୍ତି । ବ୍ୟକ୍ତିଙ୍କୁ ଜିବୀତ ଅବସ୍ଥାରେ ଅନାହାରରେ ରଖି ମୃତ୍ୟୁ ପରେ ଭୂରି ଭୋଜନ ଅର୍ପଣ କେତେଦୂର ଯୁକ୍ତିଯୁକ୍ତ ଅଟେ, ତାହା ମୁଁ ବୁଝି ପାରୁନାହିଁ । ମତେ ଝିଅଟିଏ ଦେଇଥିବାରୁ ଈଶ୍ଵରଙ୍କୁ ଅଶେଷ ଧନ୍ୟବାଦ । 

            ଯଦି ବାପା ମାଆଙ୍କର ମୂଲ୍ୟ ବୁଝି ହେଉନି ତେବେ କେବେ ସମୟ ଦେଖି କୌଣସି ଏକ ଅନାଥ ଆଶ୍ରମରେ ବୁଲି ଆସନ୍ତୁ । ସେତେବେଳେ ବୁଝିପାରିବେ ଈଶ୍ଵର ଆମ ପାଇଁ ପିତା ମାତା ରୂପରେ ପ୍ରକଟିତ । 



Rate this content
Log in

Similar oriya story from Tragedy