ବିବାହ ବାର୍ଷିକୀ
ବିବାହ ବାର୍ଷିକୀ
ବହୁଡ ଦିନ ପରେ ମୁଁ ଯାଇଥିଲି ବାଙ୍କୀ l ପ୍ରାୟ କୋଡିଏ ବର୍ଷ ପରେ l ବାଙ୍କୀ କଲେଜରେ ପଢିଲା ବେଳର କେତେ କଥା ମନେ ପଡି ଯାଉଥିଲା l ଦିଟା ବେଣୀ ଝୁଲେଇ ମୋ ଭିତରର କିଶୋରୀ ମୁଁଟେ ସତେ ଅବା ମୋ ସାଥୀରେ ଚାଲୁଥିଲା ଆଉ ମନେ ପକେଇ ଦଉଥିଲା ଏଇଠି ହଜି ଯାଇଥିବା ଅନେକ ମୁହୂର୍ତ୍ତ l ମୁଁ ସତେ ଅବା ଚାଲିଥିଲି ରାଣୀ ଶୁକଦେଈ ଲେଡିଜ ହଷ୍ଟେଲ୍ ଅଭିମୁଖେ l ସେଇ କିଶୋରୀ ମୁଁ ମୋତେ ଗପୁଥିଲା ଅନେକ କଥା ସେଇ ସମୟର ଆଉ ମୁଁ ଶୁଣୁଥିଲି ତା କଥା l
ହଷ୍ଟେଲର ଗ୍ରାଉଣ୍ତ ଫ୍ଳୋରରେ ଆଠ ନମ୍ବର ରୁମ୍ ଆମର l ଗେଟ୍ ପାଖରୁ ବେଶୀ ଦୂର ନୁହଁ l ଆଉ ଆଠ ନମ୍ବର ମୋଜନ୍ମ ତାରିଖ ବୋଲି ମୁଁ
ଲକି ମନେ କରେ l ଘରଠୁ ଦୂରରେ ଥାଇ ବି ଆମେ ସେଠି ଗୋଟେ ଘର ଭଳି ରହୁଥିଲୁ l କବାଟରେ ଲେଖି ଦେଇ ଥିଲୁ ସ୍ବିଟ୍ ହୋମ l ଚାରିଟା ଅଲଗା ଯାଗାରୁ ଆସି ବି ଆମେ ଏକା ଘରର ଭଳି ନିବିଡ କେମିତି ହେଇ ଯାଇଥିଲୁ କେଜାଣି ?ବହୁତ ଗପୁ ଅନାବନା କାହାଣୀଠୁ ମନ ଭଙ୍ଗା ଯୋଡାର ଖଟା ମିଠା ଗପ ବି l ଅଳକା ଅପା କିନ୍ତୁ ବେଶୀ ଗପନ୍ତିନି ଆମ ସାଥୀରେ l ବହୁତ କେୟାରିଙ୍ଗ ସିଏ l ମନେ ପକେଇ ସିଏ ଜଳଖିଆ ଖୁଆଇ ଆମକୁ
କ୍ଳାସକୁ ଛାଡନ୍ତି l ରାତିରେ ଶୋଇ ପଡିଥିଲେ ବାଧ୍ଯ କରି ଉଠାନ୍ତି ଡିନର୍ ବେଲ୍ ବାଜିଲେ l ରୁମ ଅସଜଡା ହେଇଥିଲେ ସଜେଇ ଦିଅନ୍ତି l କିନ୍ତୁ
ଆମ ଭଳି ଗପସପ ,ମାର୍କେଟିଂ କି ବୁଲାବୁଲି କରନ୍ତିନି l ତାଙ୍କର ସେଇ ଗମ୍ଭୀରତାର ରହସ୍ୟ ଭାଙ୍ଗିଥିଲେ ତାଙ୍କ ବାପା l ପ୍ରତି ରବିବାର ସିଏ ଆସନ୍ତି ଅପାଙ୍କୁଭେଟିବାକୁ l ଆମ ସାଥୀରେ ବି କଥା ହୁଅନ୍ତି l ଅପା ବିବାହିତା ଆମେ ଜାଣିଥିଲୁ l କିନ୍ତୁ ଯୋଉ ପରିସ୍ଥିତିରେ ପଡି ଅପା ବିଏ ପଢୁଥିଲେ ସେଇଟା ଖୁବ୍ ଦୁଃଖଦାୟକ l ମ୍ୟାଟ୍ରିକ୍ ପାସ୍ ପରେ ତାଙ୍କର ସୁନ୍ଦର ରୂପ ଦେଖି ଶାଶୁଘର ବୋହୂ କରି ନବାକୁ ଜିଦ୍ କଲେ l ସେପଟର ଆଗ୍ରହ ଦେଖି ଏମାନେ ବାହା କରିଦେଲେ l ପୁଅ ଦିଟା ବି ହେଲା l କିନ୍ତୁ ଅପା ନା ପାଇଲେ ସ୍ବାମୀର ପ୍ରେମ ଅବା ବୋହୂର ସମ୍ମାନ l ଥରେ ଦେହ ଖରାପ ହେଲା ଯେ ବାପ ଘରକୁ ଚାଲି ଆସିଲେ l ସେପଟୁ ନା କେହି ଦେଖି ଆସିଲେ ନା ଅପା ଭଲ ହେଲା ପରେ ନବାକୁ ଆସିଲେ l ଏବେ ଯାଇ ବାପାଙ୍କ ମୁଣ୍ତରେ ଚେତା ପଶିଲା ଯେ ଝିଅଟି ତାଙ୍କର ଏବେ ୟୁଜ୍ ଆଣ୍ଡ ଥ୍ରୋ ହେଇ ସାରିଛି l ସେଇଥିପାଇଁ ଝିଅକୁ ପାଠ ପଢେଇ ସ୍ବାବଲମ୍ବୀ କରେଇବାର ଝୁଙ୍କରେ ଆଣି ପାଠ ପଢାନ୍ତି l
ଅପା କିନ୍ତୁ ଭାରୀ ସ୍ନେହୀ ଆଉ ପିଲା ରଙ୍କୁଣୀ l ନିଜ ପୁଅ ଦିଟିଙ୍କୁ ମନେ ପକେଇ ଭାରୀ ବିମର୍ଷ ହୁଅନ୍ତି ଆଉ ଆମ ହସଖୁସିରେ ସାମିଲ ହେଇ ପାରନ୍ତିନି l ଲୁଚେଇ ଲୁଚେଇ ରାତିରେ କାନ୍ଦନ୍ତି l ମୁଁ ବହୁତ ବିଗଡେ ତାଙ୍କ ଉପରେ l ଯିଏ ଏତେ ସହଜରେ ତୁମକୁ ଭୁଲିଯାଇ ପାରିଲା ତା ପାଇଁ ଏ ତେ କାନ୍ଦ କଣ ମ !! ଅପା ବୁଝାନ୍ତି l ତା ପାଇଁ ନୁହଁ ପିଲା ଦିଟିଙ୍କ ପାଇଁ କାନ୍ଦୁଛି l ବାପା ମାଆ ଥାଇ ବି ଅଜା ଆଈ ପାଖରେ ସେମାନେ ବଢୁଛନ୍ତି l କେବେ
ବି ଦିନେ ଭାବି ନଥିଲି ରୋଜଗାରିଆ ବାପ ଥାଉଥାଉ ମୋତେ ଏତେ ଯୁଝିବାକୁ ପଡିବ ବୋଲି l ସତ କଥା l ମୁଁ ଚୁପ୍ ହେଇ ଯାଏ l ତାଙ୍କୁ ବୁଝେଇବାକୁ ମୋ ପାଖେ ଭାଷା ନଥାଏ l
କିନ୍ତୁ ଭାରୀ ରାଗିଥିଲି ମୁଁ ତାଙ୍କ ଉପରେ ଦିନେ l କହିଲେ କଣ ନା ଆଜି ମୋର ବିବାହବାର୍ଷିକୀ l ଜଲ୍ଦି ଟିକେ ରେଡି ହ ଚର୍ଚ୍ଚିକା ମନ୍ଦିର
ଯିବା l
"ବାର୍ଷିକୀ ନା ଛତୁ l ତମକୁ ଖରାପ ଲାଗୁନି ?ଯିଏ ବାସିରେ ଦିନେ ତମୁକୁ ପଚାରୁନି ତା ସାଥୀରେ ଯୋଡି ହବା ଦିନଟାକୁ ତଥାପି ଭୁଲି ପାରୁନ ?"
ସୁନ୍ଦର ହସ ଧାରେ ଆଙ୍କି ପଦେ କଥାରେ ମୋତେ ମୁଗ୍ଧ କରି ଦେଇଥିଲେ l "ବୋକୀଟା କୀଲୋ ?ଆଜି ଦିନଟା ଆସି ନଥିଲେ ସେ ଛୁଆ ଦୁଇଟା
କୋଉଠୁ ଆସିଥାନ୍ତେ ? ମୁଁ ମାଆଟିଏ l ସେତିକି ମୋର ପୂର୍ଣ୍ଣତା l ଆଜିର ତାରିଖଟା ଭୁଲିବି କେମିତି ? ସର୍ଜନାର ସମ୍ଭାବନା ପରା ଆଜି ଅଙ୍କରିତ
ହେଇଥିଲା ମୋ ଅନ୍ତରରେ l "
ବହୁତ ଦିନଯାଏ ଆମେ କଣ୍ଟାକ୍ଚରେ ଥିଲୁ l ଭଲ ସର୍ଭିସଟିଏ ସେ ପାଇଲେ l ପିଲା ଦିଟା ବି ଭଲ ମଣିଷ ହେଲେ l ଏବେ କେତେ ଦିନ ହେଲାଣି ଆଉ ମନେ ନଥିଲା ତାଙ୍କ କଥା l କେତେ ଆସୁଛନ୍ତି କେତେ ଯାଉଛନ୍ତି l ଜୀବନ ଯାତ୍ରା ଚାଲିଛି ତା ବାଟରେ ମହାଯାତ୍ରା ଯାଏ l ଗୋଟେ ପରେ ଗୋଟେ ପାହାଚ ଚଢି ମାଆଙ୍କ ମନ୍ଦିର ଆଡକୁ ଯାଉଥିଲି l ନାଁ ସେ ଦିନ ଅଛି ନାଁ ସେଦିନ ଫେରିବ l ମୋ ଭିତରେ ହଜି ଯାଉଥିଲା ସେଦିନର ମୁଁଟା l ପାହାଚର ଶେଷ ମୁଣ୍ତରେ ଚିହ୍ନା ମୁହଁଟିଏ !! ଆରେ ସିଏ ତ ଅଳକା ଅପା l ଧାଇଁ ଆସି ମୋତେ କୁଣ୍ଢେଇ ପକେଇଲେ l ସବୁ ଦିନ ସିଏ ସ୍ନେହ ରଙ୍କୁଣୀ l ଏମିତି ତାଙ୍କୁ ଭେଟିବି ବୋଲି ଭାବି ନଥିଲି l ଗୋଟେ କଣକୁ ଡାକି ନେଇ ମୋ ଭଲମନ୍ଦ ପଚାରି ଗଲେ l ସେଇଠୁ ତାଙ୍କ କଥା l ବିଧବା ହେଇ ସାରିଥିଲେ l "ହଁ ଖାଲି ସିନ୍ଦୂର ପିନ୍ଧୁଥିଲ ସିନା l କୋଉ ସୁଖ ପାଇଲ ?"
"ମାଆଟିଏ ହବା ମୋ ପାଇଁ ସବୁକିଛି ଥିଲା ଆଉ ଏବେ ବି ଅଛି l କିନ୍ତୁ ସିଏ ଯେତେ ଦୁଃଖ ପାଇ ମଲା ଭାବିଲେ ଦୁଃଖ ଲାଗୁଛି l ଆଉ ଗୋଟେ ବାହା ହବ ବୋଲି ମୋତେ ଛାଡିଲା l କିନ୍ତୁ ସେ ସୁଖ ବି ତା ପାଇଁ ଅଢେଇ ଦିନିଆ ହେଲା l ରୋଗରେ ମନକଷ୍ଟରେ ସଢିସଢି ଶେଷ ଜୀବନ ତାର କଟିଲା l "
"ଯିଏ ପ୍ରଥମ ବଢାଭାତକୁ ଗୋଡରେ ଆଡେଇ ଦିଏ ତା ପେଟ କଣ ଆଉ କେବେ ପୁରିବ ?"
"ହେଲେ ମୁଁ ଆଜି ମନ୍ଦିର କାହିଁକି ଆସିଛି ଜାଣିଛୁ? ଆଜି ମୋର ବିବାହ ବାର୍ଷିକୀ l ଏବେ ତ ବାଙ୍କୀ ଟ୍ରାନ୍ସଫର ହେଇ ଆସିଛି l "
ମୋ ରାଗ କଥା ସିଏ ଭୁଲି ନଥିଲେ l ହେଲେ ମୁଁ ବି କିଛି କମ୍ ଦେଖିଲିଣି କି ଜୀବନକୁ !! ହସି ଦେଲି ତାଙ୍କ କଥାରେ l
"ନାଁ ଅପା ,ଏ ଦିନଟି ପାଳିବା ପଛରେ ଥିବା ତୁମ ଫିଲୋସଫି ମୁଁ ଭୁଲିନି l ସେ ତ ସେବେ ବି ଥାଇ କି ନଥିଲା ତୁମପାଇଁ l ଏବେ ତ ସିଏ ସହଜେ ଆଉ ନାହିଁ l "
ମାଆଙ୍କ ମୂର୍ତ୍ତିକୁ ବୋକାଙ୍କ ଭଳି ଚାହିଁଥିଲି l ସତରେ ମାଆ ତୁ ନିଜେ ଆଉ ତୋର ସର୍ଜନା କେତେ ବିଚିତ୍ର !!ତୋର ଜୟ ହେଉ l