STORYMIRROR

Sambit Srikumar

Tragedy Classics Inspirational

3  

Sambit Srikumar

Tragedy Classics Inspirational

ଭ୍ରଷ୍ଟାଚାର

ଭ୍ରଷ୍ଟାଚାର

2 mins
193

ବହୁ ଆଡ଼ମ୍ବର ଏବଂ ସତର୍କତା ଅବଲମ୍ବନ କରି ଭଙ୍ଗା ଚାଲିଥିଲା ଜମଜ ସୌଧ। ଏହା କାଳେ ସ୍ବାଧିନୋତ୍ତର ଭାରତବର୍ଷରେ ଭ୍ରଷ୍ଟାଚାରର ସ୍ମାରକୀ ବୋଲି ଘନ ଘନ ପ୍ରଚାରିତ ହେଉଥିଲା ବରାଦୀ ଟିଭି ଚ୍ୟାନେଲଗୁଡ଼ିକର ପରଦାରେ। ଭାଷା ଓ ଅଞ୍ଚଳ ନିର୍ବିଶେଷରେ ଦେଶର ପ୍ରାୟ ସମସ୍ତ ଟିଭି ଚ୍ୟାନେଲରେ ଏଇ ଗୋଟିଏ ଖବର ଦିନସାରା ପ୍ରସାରିତ ହେଉଥିଲା। ବିଚରା ଦର୍ଶକ କରିବ ବା କଣ? 

ଜମଜ ସୌଧ ଭୂପତିତ ହେବା କ୍ଷଣି ବିସ୍ଫୋରଣ ଜନିତ ଧୂମ କୁଣ୍ଡଳୀ ଦେଖି ସାମ୍ବାଦିକ ନବଘନ ବାବୁଙ୍କ ଧର୍ମପତ୍ନୀ ଅପୂର୍ବା ଦେବୀ କହି ଉଠିଲେ, "ଏଇ ଦେଖିଲ, କେତେ ଶହ ଶହ କୋଟି ଖର୍ଚ୍ଚ ହୋଇଥିଲା ଏଇ କୋଠାରେ। କିନ୍ତୁ ମିନିଟଟିଏ ବି ଲାଗିଲା ନାହିଁ ଧୂଳିସାତ୍ ହେବାକୁ। ଏତେ ବଡ଼ କୋଠା ଯଦି ବେଆଇନ ଥିଲା ତେବେ କେହି କେମିତି ଜାଣି ପାରିଲେ ନାହିଁ? ମାନେ ଏଇ ସରକାରୀ ଅଧିକାରୀ ଆଉ ନିୟାମକ ସଂସ୍ଥାଗୁଡ଼ିକ ମନ୍ତ୍ରୀ, ତନ୍ତ୍ରୀ, ଯନ୍ତ୍ରୀ, ସନ୍ତ୍ରୀ ସମସ୍ତେ ଏଇ ଭ୍ରଷ୍ଟାଚାର ସ୍ମାରକୀରେ ଭାଗୀଦାର। ଏତେ ଛୋଟ ଛୋଟ କଥାକୁ ଟିଭି ଚ୍ୟାନେଲବାଲା ଦେଖାଉଛନ୍ତି କିନ୍ତୁ ଏତେ ବଡ଼ କୋଠା ପୁଣି ଦି ଦିଇଟା କେମିତି ଟିଭି ଚ୍ୟାନେଲବାଲା ଜାଣି ପାରିଲେ ନାହିଁ ବେଆଇନ୍ କାମ ହୋଇଛି ବୋଲି? ଖାଲି ତୁଛାଟାକୁ ବିଲଡରଙ୍କୁ ନିନ୍ଦା କରୁଛନ୍ତି ଏ ଚ୍ୟାନେଲବାଲା !" ରବିବାରର ଗରିଷ୍ଠ ଭୋଜନ ଉପରାନ୍ତେ ପଲଙ୍କ ଉପରେ ଲୋଟି ପଡିଥିବା ନବଘନ ବାବୁଙ୍କୁ ଧର୍ମପତ୍ନୀଙ୍କ କଥା ଗୁଡ଼ିକ କିଛି ଖାସ୍ ଭଲ ଲାଗିଲା ନାହିଁ। ଏମିତି ତ ସାମ୍ବାଦିକ ମାନଙ୍କ ପାଇଁ ଧର୍ମପତ୍ନୀ ହିଁ ବାସ୍ତବ ସମାଲୋଚକ। ନହେଲେ ଦୁନିଆଯାକଟାକୁ ପ୍ରଶ୍ନ ପଚାରୁଥିବା ସାମ୍ବାଦିକମାନଙ୍କୁ କିଏ ପ୍ରଶ୍ନ ପଚାରିବାକୁ ସାହସ କରିବ ? ବିରକ୍ତି ଭରା କଣ୍ଠରେ ନବଘନ ବାବୁ ପତ୍ନୀଙ୍କୁ ପ୍ରତ୍ଯୁତ୍ତରରେ କହିଲେ, "ତୁମର ସେଥିରୁ କଣ ଯାଏ ଆସେ ହେ ଯାହାର ସମ୍ପତ୍ତି ଭାଙ୍ଗିଲା, ତା'ର ତ କ୍ଷତି। ଯିଏ ଯେମିତି କରିବ ସେମିତି ଭରିବ!"

: ହଁ, ଠିକ୍ କହିଛ ତୁମେ। ଯେମିତି କେବଳ ସେଇ ବିଲଡର ହିଁ ଏସବୁ ପାଇଁ ଉତ୍ତରଦାୟୀ। କେକ୍ କଟାଗଲେ ସମସ୍ତଙ୍କୁ ଭାଗ ମିଳେ। ତଳ ପାହାଚରୁ ଉପର ପାହାଚ ଯାଏଁ ସଭିଏଁ ଏଇ ଭ୍ରଷ୍ଟାଚାରରେ ଭାଗୀଦାର । କିନ୍ତୁ ଭାଗମାପରେ ଟିକିଏ କେଉଁଠି ଗଡ଼ବଡ଼ ହୋଇଥିବ ସେଥିପାଇଁ ଭାଙ୍ଗିବାକୁ ପଡିଲା

: ଚୁପ୍ କର ହେ ତୁମେ। ଘର ସମ୍ଭାଳିବା କାମ ତୁମର ସେ କଥା ଦେଖ। ବେଶୀ ବକବକ ହୁଅ ନାହିଁ।

: ହଁ, ହଁ ମୋତେ ତ ଚୁପ୍ କରି ଦେବ। କିଏ ଜାଣେ ତୁମେ ସାମ୍ବାଦିକମାନେ ଯେ ଏଇ କେକ୍ କଟାରେ ଭାଗୁଆଳି ହୋଇ ନଥିବ ଯେ ପତ୍ନୀଙ୍କ ଠାରୁ ଏକଥା ଶୁଣି ନବଘନ ବାବୁ ସ୍ଥାଣୁ ପାଲୋଟିଗଲେ। ଶତ ଚେଷ୍ଟା କରିବା ପରେ ମଧ୍ୟ ତାଙ୍କ ମୁଖରୁ ପଦଟିଏ କଥା ବାହାରୁ ନଥିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy