Er. Bijaya Kumar Senapati

Inspirational Others Tragedy

5.0  

Er. Bijaya Kumar Senapati

Inspirational Others Tragedy

ଭଙ୍ଗାଘର

ଭଙ୍ଗାଘର

5 mins
6.9K


ପିଲା ଦିନର ସବୁକଥା ସ୍ମୃତି ହୋଇ ରହିଥାଏ ମାନସ ପଟ୍ଟରେ। ତନ୍ମଧ୍ୟରୁ କିଛି କଥା ହୃଦୟରେ ଗାରଟିଏ ହୋଇ ଆଙ୍କିହୋଇ ରହିଯାଇଥାଏ। ଯେମିତି ମୋ ପଡିଶା ଘର ଝିଅ ନୀତା। ତା ସହ ଘଟିଥିବା ଘଟଣାଟିକୁ ମୁଁ ଗଳ୍ପ ରୂପ ଦେଇଥିବାର ଜାଣିଲେ ବା ପଢିଲେ,ସେ ଖୁସି ହେବ ନିଶ୍ଚୟ। )

ଅପରାହ୍ନ ସମୟ । ନୀତା ସ୍କୁଲ୍ ବସ୍ ରୁ ଓହ୍ଲାଇ ଦୌଡିଦୌଡି ଘରକୁ ଫେରିଲା । ଘର ଠାରୁ ବସ୍ ଷ୍ଟାଣ୍ତ୍ ବେଶି  ଦୂର ନ ହେଲେବି, ବାପା ମାଆଙ୍କର ଅଲିଅଳ ଗେହ୍ଲୀ ଝିଅର କାନ୍ଧରେ ତା’ ସ୍କୁଲ୍ ବ୍ୟାଗ୍ ର ଓଜନ ତା’କୁ ଥକାଇ ଦେଇଥାଏ ।ସେଦିନ କିନ୍ତୁ ସ୍କୁଲ୍ ବ୍ୟାଗ୍ ର ଓଜନ ଟିକେ କମ୍ ଥାଏ, ଶନିବାର ଥିବାରୁ । ସେ ସିଧା ପଶିଗଲା ତା’ ପଢାଘର ଭିତରକୁ । ତା’ ଚିରାଚରିତ ପ୍ରଥାରେ ସ୍କୁଲ୍ ବ୍ୟାଗ୍ କାନ୍ଧରୁ ଫିଙ୍ଗିଦେଇ ବିଛଣା ରେ ଗୋଡ ଉପରକୁ ଓ ମୁଣ୍ତ ତଳକୁ କରି କାନ୍ଥ ଭରାଦେଇ ଗଡିପଡିଲା ।

ହଠାତ୍ ଚମକି ପଡିଲା ସେ ! ଏ କ’ଣ ? ତା କପ୍ ବୋର୍ଡ ଭିତରେ ଥିବା ପୁରୁଣା କାଗଜ ପେଟିରେ କୁନିକୁନି ବିଲେଇ ଛୁଆ ଦୁଇଟା ଚୁଁ ଚୁଁ ହେଉଛନ୍ତି । ତତ୍ କ୍ଷଣାତ୍ ସେ ପଶ୍ଚାତ୍ ମୁଦ୍ରାକୁ ଆସି ମା’ ମା’ ଡାକି ଧାଇଁଗଲା, ତାଙ୍କୁ ଏ ଖବରଟା ଜଣାଇ ଦେବା ପାଇଁ । ମାଆ ତା’ କଥା ଶୁଣୁଶୁଣୁ ମୁହଁଟା ଆମ୍ବିଳା କରି କହିଉଠିଲେ” ସେ ଅଲକ୍ଷଣୀ ଆଉ କା’ ଘର ପାଇଲା ନାହିଁ ଛୁଆ ଦେବାକୁ,ମୋରି ଘର ମିଳିଲା ତା’କୁ ।”

ନୀତା କିନ୍ତୁ ଖୁସିରେ ଧାଇଁଗଲା ସେ କୌତୁକିଆ ଛୁଆ ଦି’ଟାଙ୍କ ପାଖକୁ । ରୋଷେଇ ଘରୁ ଖୀର ଗିନା ଏ ଆଣି ବସାଇଦେଲା ତା’ଙ୍କ ଆଗରେ । ତା’ ଟିଫିନ୍ ଡବାରୁ ଦି ଖଣ୍ତ ବିସ୍କୁଟ୍ କାଢି ,ଚୁନାକରି ଖୀରରେ ଭିଜାଇଦେଲା । କୁନି କୁନି ପାଟିରେ ଚୁଁ ଚୁଁ ଚାକୁଲ୍ ଚାକୁଲ୍ କରି ଆପ୍ୟାୟିତ ହେଲେ ନୂଆ ଅତିଥି ଦିଓଟି । ଖୁସିରେ ଫାଟିପଡୁଥାଏ ନୀତା ।

ତା’ ମାଆ ପଛେ ପଛେ ଆସି ପହଞ୍ଚିଲେ ପଢାଘରେ । ସେ ତା’କୁ ସାବଧାନ୍ କରି କହିଲେ” ନୀତା, ତୁ ପିଲାଲୋକ,ଜାଣିନୁ ଏ ଅଲକ୍ଷଣା ବିଲେଇ ଜାତି କଥା । ଯଦି ୟାଙ୍କୁ ଘରେ ରଖିଲୁ, ସବୁବେଳେ ଚିନ୍ତାକରୁଥିବେ,ଏ ଘରେ କାହାର ପିଲା ପିଲି ନ ହୁଅନ୍ତା କି?ତା ଛଡା ତୁ ଜାଣିଛୁ ,ତୋ ସାନ ଭାଇ ବେମାର ପଡି,ଡାକ୍ତରଖାନା ଯିବା ବେଳେ ସେଦିନ ଏ ଅଲକ୍ଷଣୀଟା ରାସ୍ତା କାଟିଥିଲା । ଫଳ କ’ଣ ହେଲା ତ ଦେଖିଲୁ ! ସେ ପୋଲିଓରେ ଆକ୍ରାନ୍ତ ହୋଇ ଅକର୍ମଣ୍ୟ ହୋଇଗଲା,ଖାସ୍ ୟାରି ପାଇଁ । ନାଁ ବାବା ନାଁ ! ମୁଁ ତାକୁ ଏ ଘରେ ରଖାଇ ଦେବିନାହିଁ କି ଆଗକୁ ବିପଦକୁ ଡାକି ଆଣିବିନାହିଁ ।ଦିନ କେଇଟା ପରେ ତୋର ବୋର୍ଡ ପରିକ୍ଷା । ୟା ମୁହଁ ଚାହିଁ ପରୀକ୍ଷାକୁ ଗଲେ କ’ଣ ଯେ ତୁ କରିବୁ,ମୁଁ କିଛି ଭାବିପାରୁନାହିଁ ।” କୁଆଡେ ଗଲା ତା’ ମାଆ,ଛୁଆଁଙ୍କୁ ଛାଡି ? ଆଜି ତା’ର ଦିନେକୁ ମୋର ଦିନେ ! ଆସୁ ତା’କୁ ପାନେ ଚଖାଉଛି !

ନୀତା ହତବାକ୍ ହୋଇ ତା’ ମାଆଙ୍କ ମୁହଁକୁ କିଛି ସମୟ ଚାହିଁ ରହିଥାଏ ଓ ମନେ ମନେ ଭାବୁଥାଏ ,ମୁଁ ତ ପାଠ ପଢିଛି;ପରୀକ୍ଷା ଦେବି । ଏ ବିଲେଇଟି କ’ଣ ମୋର ସବୁ ଉତ୍ତରକୁ ଭୁଲ୍ କରିଦେଇପାରିବ ? ଭାଇକୁ ପୋଲିଓ ଆଟାକ୍ ହେବାରେ କ’ଣ ଏ ବିଲେଇଟାର ହାତ ଅଛି?ମାଆ ତ ଜଣେ ଶିକ୍ଷିତା , ପାଠ ପଢିଛନ୍ତି । ଏ ଅନ୍ଧବିଶ୍ୱାସ କ’ଣ ତାଙ୍କୁ ଶୋଭା ଦେଉଛି? ତା’ ଛଡା ଏ କୁନି କୁନି ପିଲା ଦି ଟାଙ୍କୁ ଧରି,ଏ ପ୍ରବଳ ଥଣ୍ତାରେ କୁଆଡେ ଯିବ ସେ?ତା’ ପାଟିରୁ ବାହାରି ପଡିଲା “ ମା,ପ୍ଲିଜ୍ ତାଙ୍କୁ ଏଠି ରହିବାକୁ ଦିଅନା ! “

ସିଂହୀ ପରି ଗର୍ଜି ଉଠି ମାଆ କହିଲେ,ଚୁପ୍ ! ବୋକୀ ! ମୋତେ ତୁ ଉପଦେଶ ଦେଏନା । ମୁଁ ଆଜି ତା’ ଘରକୁ ଭାଙ୍ଗିଦେଲେ ଗଲା । ନାଁ ଥିବ ବାଉଁଶ ନା ବାଜିବ ବଇଁଶୀ !ନୋହିଲେ ସେ ଏଠି ପିଲାଛୁଆ ଧରି ଆସ୍ଥାନ ଜମାଇବ ।

ନୀତାର ମାଆ ବାଡିଖଣ୍ତେ ଧରି , କପବୋର୍ଡରୁ ସେ କାଗଜ ପେଟିଟାକୁ ଟାଣିଟାଣି ଆଣି ଦାଣ୍ତ ବଗିଚାକୁ ଫିଙ୍ଗିଦେଲେ । ପିଲାଦୁଇଟି ଚୁଁଚୁଁ ହୋଇ ବଗିଚା ଭିତରେ ପଡିରହିଲେ । ହଠାତ୍ ମା’ ବିଲେଇଟି କୋଉଠି ଥିଲା କେଜାଣି ଧାଇଁ ଆସି ପାଟିରେ ତା’ ଛୁଆଁଙ୍କୁ କାମୁଡି ଧରି ଦୌଡିବାକୁ ଲାଗିଲା । ଏତିକିବେଳେ ଭୋ ଭୋ କରି ବୁଲା କାଳିଆ କୁକୁରଟି ଡାହାଳ ପରି ମାଡିଆସିଲା । ମା’ ବିଲେଇଟି ଭୟାତୁର ହୋଇ କୁଦାମାରି ପାଚେରୀ ଉପରକୁ ଡେଇଁ ପଡିଲା । କିନ୍ତୁ ତା’ର ଗୋଟିଏ ଛୁଆ ତା’ ପାଟିରୁ ଖସିପଡିଲା । ଯମ ପରି ଝାମ୍ପିପଡିଲା କାଳିଆ କୁକୁର ।ନୀତାର ଧୈର୍ଯ୍ୟଚ୍ୟୁତି ଘଟିଲା । ସେ ସାହସ କରି ତା’ ମାଆ ହାତରୁ ବାଡିଟା ଟାଣି ନେଇ କୁକୁରରକୁ ପିଟିବାକୁ ଲାଗିଲା । ବଞ୍ଚିଗଲା ବିଚରା ଅସହାୟ ବିଲେଇ ଛୁଆଟା । ଚାହୁଁ ଚାହୁଁ ତା’ ମାଆ ପାଚେରୀ ତଳକୁ କୁଦାମାରି ତା’ ଛୁଆକୁ କାମୁଡି ଟେକିନେଇ ପଳାଇଗଲା ।

ମାଆ ପଶୁର ହେଉ କି ପକ୍ଷୀର , ସେ ମାଆ । ତା’ ଛୁଆର ରକ୍ଷା ପାଇଁ ସେ ନିଜ ଜୀବନକୁ ସର୍ବଦା ବାଜି ଲଗାଇ ଦେଇଥାଏ । ନୀତାର ଆଖି ଖୁସିରେ ଉଜ୍ଜ୍ୱଳ ହୋଇଉଠିଲା । ତା’ମୁହଁରେ ଆତ୍ମ ତୃପ୍ତିର ହସ ଉକୁଟି ଉଠିଲା । ଯା ହେଉ , ସେ ବଞ୍ଚାଇ ଦେଇପାରିଲା ଅସହାୟ ବିଲେଇ ଛୁଆଟି କୁ !

ମାଆଙ୍କ ଡାକରେ ସମ୍ବିତ୍ ଫେରିପାଇଲା ସେ ! ମାଆ ଚିହିଁକିଉଠି କହିଲେ,”ନୀତା ! ଆଗକୁ ତୋର ବୋର୍ଡ ପରୀକ୍ଷା । ଜାଣିଛୁ,ଯଦି ସେ ବୁଲା କୁକୁରଟା ତୋତେ କାମୁଡି ଦେଇଥାନ୍ତା କ’ଣ ଯେ ହୋଇଥାଆନ୍ତା,ଏବେ ! ତୋତେ ଏବେ ଏକୋଇଶିଟା ଇଞ୍ଜ୍ଜେକସନ୍ ନେବାକୁ ପଡିଥାଆନ୍ତା । ଆ ଘରକୁ ଆ ! ପାଗଳାମି ଛାଡି ପାଠ ପଢ!

ନୀତା ଘରକୁ ଆସିଲା । କିନ୍ତୁ ତା’ ମନ ଗୋଳେଇଘାଣ୍ଟି ହେଉଥାଏ,ସେ ବିଲେଇ ଛୁଆ ଦିଟାଙ୍କ ପାଇଁ । ରାତିରେ ପ୍ରବଳ ଥଣ୍ତା ପଡିଛି । ରେଜେଇ କମ୍ବଳ ଘୋଡି ହେଲେବି ଦେହ ଥରିଯାଉଛି । କିପରି ବଞ୍ଚିବେ ସେ କୁନି କୁନି ବିଲେଇ ଛୁଆ ଦି’ଟା ? ରାତିଯାକ ସେ ପଢାରେ ମନଦେଇ ପାରିଲା ନାହିଁ କି ଶୋଇ ବି ପାରିଲାନାହିଁ । ଖାଲି ଝରକା କାଚରେ ମୁହଁ ଦେଇ ବଗିଚାକୁ ଚାହିଁରହିଲା । ତା’ ଆଖିରେ ନାଚି ଯାଉଥିଲେ ସେ କୌତୁକିଆ ବିଲେଇ ଛୁଆ ।ତା’ ପରଦିନ ଶୀତୁଆ ସକାଳରେ ବିଛଣାରୁ ଉଠାଇବା ପାଇଁ ତା’ ମାଆକୁ କସରତ କରିବାକୁ ପଡିଲାନି । ସେ ବଡିଭୋରୁ ଉଠିସାରିଥିଲା । ତା’ ମାଆ ବଡ ଖୁସିହେଲେ । ଯା ହେଉ , ପରୀକ୍ଷା ଚିନ୍ତାରେ ଝିଅ ତାଙ୍କର ଶୀଘ୍ର ଉଠିପଡିଛି ପାଠ ପଢିବାକୁ । କିନ୍ତୁ ନୀତା ଅଧୀରା ହୋଇ ଖୋଜିବୁଲୁଥାଏ ଆଉକିଛି ।

ମାଆ ଫୁଲତୋଳିବାକୁ ବଗିଚାକୁ ଯିବା ସୁଯୋଗରେ ନୀତା ବାହାରକୁ ଦୌଡି ପଳାଇଲା । କିନ୍ତୁ ଏ କ’ଣ? ମା ବିଲେଇ ଟି ପାଚେରୀ ଉପରେ ଏକଲା ଶୋଇଛି ଓ ତା’ ଆଖିରୁ ଧାର ଧାର ଲୁହ ବୋହିଚାଲିଛି । ସେ ବ୍ୟସ୍ତ ହୋଇ ଖୋଜି ଦେଇଗଲା ପାଚେରୀର ଏ ପାଖ,ସେପାଖ ଓ ଚାରିପାଖ । କିନ୍ତୁ କାହିଁ ସେ ସେ ଛୁଆ ଦିଓଟି ତ କୋଉଠି ଦିଶୁନାହାନ୍ତି ! କ’ଣ ତେବେ ଥଣ୍ତାରେ ମରିଗଲେ ? ଧୈର୍ଯ୍ୟ ହରାଇଲା ନୀତା ।

ସେ ଦୌଡିଲା ତା’ ମାଆ ପାଖକୁ । ତାଙ୍କ କାନିକୁ ଟାଣି ଧରି ଭେଁ ଭେଁ ରଡି କରି କାନ୍ଦୁ କାନ୍ଦୁ କହିଲା “ ମା ! ଦିନେ ଜେଜେମା କହୁଥିଲେ ନା ! ବିଲେଇ ମାରିଲେ ପାପ ହୁଏ ବୋଲି ? ମାର୍ଜାର ଦୋଷ ଲାଗେ ବୋଲି । ମା,ତୁମେ ପାପ କରିଛ । ତୁମେ ଘରୁ ତଡିଦେଲ ବୋଲି ସେ ବିଲେଇଛୁଆ ଦିଟା ଥଣ୍ତାରେ ମରିଯାଇଛନ୍ତି । ତା’ ମା ରାତିଯାକ ବସି କାନ୍ଦୁଛି । ମୁଁ ଯଦି ମରିଯିବି ତୁମେ ବି କାନ୍ଦିବ ନା ମା’ ? ତୁମେ ତାଙ୍କ ଘର ଭାଙ୍ଗିଦେଲ,କାଲି ଯଦି କିଏ ଆମ ଘର ଭାଙ୍ଗିଦିଏ ଆମେ କିପରି ରହିବା ମା’?ମୋତେ ବିଶ୍ୱାସ କର । ମୁଁ ପାଠ ପଢିଚି,ପରୀକ୍ଷାରେ ଲେଖିଲେ କେହି ବି ତାକୁ ଭୁଲ୍ କରିପାରିବେନି ।ଭଲ କରିବି ନିଶ୍ଚେ । ପରୀକ୍ଷାକୁ ଯିବା ବେଳେ ତା’ ମୁହଁ ଚାହିଁଲେ ମୋର କିଛି ବି କ୍ଷତି ହେବନି ବର୍ଂ ତାଙ୍କ ପାଇଁ ମୁଁ କାଲି ରାତିଯାକ ଶୋଇପାରିନି କି ପଢିପାରିନି । ମାଆ ପ୍ଲିଜ୍ ! କିଛି କର ମା’ ! ତୁମକୁ ମୋ ରା’ଣ !”

ନୀତାର ମା’ ଫୁଲ ନ ତୋଳି,ନୀରବରେ ତଳକୁ ଚାହିଁ ଚାହିଁ ଖୋଜି ଚାଲିଥିଲେ କାଲି ବଗିଚାରେ ଫିଙ୍ଗିଦେଇଥିବା କାଗଜ ପେଟିର “ଭଙ୍ଗା ଘର “ ଟିକୁ । ନୀତା ଆ ! ଆ! କହି ମା ବିଲେଇଟିକୁ ଡାକିଦେବାରୁ ସେ ମ୍ୟାଉଁ ମ୍ୟାଉଁ କରି ତଳକୁ ଡେଇଁପଡିଲା । ତା’ ପେଟ ତଳେ ଆଶ୍ରୟ ନେଇଥିବା ଛୁଆ ବିଲେଇ ଦୁଇଟା ମାଆର ଉଷୁମ ନ ପାଇ ଚୁଁ ଚୁଁ ହେବାକୁ ଲାଗିଲେ ।

ନୀତାର ଆଖିରୁ ଝରିପଡୁଥିଲା ଆନନ୍ଦର କେଇ ଟୋପା ଲୁହ ।

Er. Bijaya kumar senapati

ସି ୭୬,ସେକ୍ଟର୍ ୨ ,ରାଉରକେଲା ୬

ମୋ: ୮୮୯୫୫୦୦୯୯୨


Rate this content
Log in

Similar oriya story from Inspirational