Ayiswarya Maharana

Tragedy

3  

Ayiswarya Maharana

Tragedy

ବହି ପାହାଡ଼

ବହି ପାହାଡ଼

4 mins
327


ସୁଧୀର ବାବୁ ନିଜ ଘରେ ଥିବା ଛୋଟ ପାଠାଗାର ରେ ବସି ଉପନ୍ୟାସଟିଏ ପଢ଼ୁଥାନ୍ତି।ଶୋଇବା ଘରୁ ତାଙ୍କ ପତ୍ନୀ ରୁନୁ କହିଲେ," ଏତେ ରାତି ହେଲାଣି।ଆସ ଶୋଇପଡ।କହି କହି ତ ଅଧା ଜୀବନ ସରିଲା କିଛି ଲାଭ ହେଲାନି।ଏବେ ତ ଶୁଣ।ଆଉ କ'ଣ ବୟସ ଅଛି ଯେ ସବୁ ଦିନ ରାତିରେ ବିଳମ୍ବ ରେ ଶୋଇଲେ ଦେହ ସହିଯିବ।" ସୁଧୀର ବାବୁ ପ୍ରତିଉତ୍ତର ଦେଲେ,"ବୁଝିଲ ରୁନୁ ,କାହାକୁ କହୁଛ?ତୁମେ ତ ସବୁବେଳେ କାମ ସାରିବାକୁ ରାତି ୧୨ପାଖାପାଖି କରୁଛ।ଆଉ କ'ଣ ଏତେ ବଡ ଘରଟାରେ ତମେ ଏକା ଏକା କାମ କରୁଥିବ ଆଉ ମୁଁ ଶୋଇପଡିବି।ଆଜି ଭଲ ବିଷୟ ଟିଏ ଅଛି ତ ବହିକୁ ଛାଡି ଯିବା ପାଇଁ ଇଚ୍ଛା ହେଉନାହିଁ।ଆଉ କିଛି ଟା ବାକି ଅଛି ।ମୁଁ ସାରିଦେଇ ଯିବି ତୁମେ ଶୋଇପଡ।"

ରୁନୁ ସୁଧୀର ବାବୁଙ୍କର ପାଖକୁ ଆସି କହିଲେ,"କ'ଣ ହେଲା ତୁମେ ମୋ କାମ ସରିବା ପାଇଁ ଅପେକ୍ଷା କରୁଛ।ବାଃ ! ଖୁବ ଭଲ।ଆଗରୁ କହୁଥିଲ ଯେତେ ପଢିବି, ଛାତ୍ରଛାତ୍ରୀଙ୍କୁ ସେତେ ଜ୍ଞାନ ବାଣ୍ଟିବି। ଚାକିରୀରୁ ଅବସର ନେବା ପରେ ଭଲ ବାହାନାଟିଏ ଖୋଜିଛ।"

ସୁଧୀର ବାବୁ ପତ୍ନୀ ରୁନୁ ଙ୍କର କୁତ୍ରିମ କ୍ରୋଧ ଦେଖି କହିପକାଇଲେ ତୁମେ ସେଦିନ ଯଦି ଉପନ୍ୟାସ ଟିଏ ଉପହାରରେ ଦେଇନଥାନ୍ତ ,ମୁଁ କ'ଣ ଆଜି ଏହି ଅଭ୍ୟାସରେ ପଡ଼ିଥାନ୍ତି।ରୁନୁଙ୍କ ପାଇଁ ଏହି ଉକ୍ତିଟି ଏକ ଯାଦୁଗରୀ ଉକ୍ତି ଥିଲା,ଯାହାକୁ ବ୍ୟବହାର କରି ସୁଧୀର ବାବୁ ଖୁବ ସହଜରେ ନିଜର ବହି ପଢିବା ସମୟ ଟିକୁ ବୃଦ୍ଧି କରାଇ ଲାଭବାନ ହେଉଥିଲେ।ତେଣୁ ରୁନୁ ଟିକିଏ ହସି ଦେଇ ବିନା ବାକ୍ୟ ବିନିମୟରେ ସେଠାରୁ ଚାଲିଯାଇଥିଲେ।

ଏହା ଥିଲା ସୁଧୀର ବାବୁଙ୍କ ଘରେ ନିତିଦିନିଆ ଏକ ଛୋଟ ମିଠା ଝଗଡା।ସୁଧୀର ବାବୁ ଜଣେ ଅବସର ପ୍ରାପ୍ତ ଅଧ୍ୟାପକ।ଚାକିରୀ ଜୀବନରୁ ଅବସର ନେବାର ଗୋଟିଏ ମାସ ମଧ୍ୟ ହୋଇନାହିଁ।ବର୍ତ୍ତମାନ ସମ୍ପୂର୍ଣ୍ଣ ସମୟ ଘରେ ଥିବା ଛୋଟ ପାଠାଗାରରେ ବିତିଯାଏ କିମ୍ବା ଘର ସାମନାରେ କରିଥିବା ବଗିଚାରେ ବହି ସହ ଦିନଟି ସରୁଥାଏ।କହିବା ବାହୁଲ୍ୟ ଯେ ସେ ଏକ ପ୍ରକାରର ଗ୍ରନ୍ଥକିଟ ଥିଲେ।ବହି ପଢିବା ଯେମିତି ତାଙ୍କର ଗୋଟିଏ ନିଶା।କେଉଁ ସ୍ଥାନକୁ ଗଲେ ସେଠାରୁ ନିଶ୍ଚିତ କିଛି ବହି କିଣି ଆଣିଥିବେ।ପୁସ୍ତକ ମେଳା ତାଙ୍କ ଅତି ପ୍ରିୟ।ବହି ପ୍ରତି ଥିବା ଅସମ୍ଭବ ଆସକ୍ତି ତାଙ୍କ ଘରେ ଛୋଟ ପାଠାଗାର ଟିଏ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲା।ଏହା ବ୍ୟତୀତ ତାଙ୍କର ପୁଅ ଦୁଇଟି ବିଦେଶରେ କାର୍ଯ୍ୟରତ।ତେଣୁ ଏକାଏକା ଘରେ ବହି ସହ ସମୟ ବିତାଇବା ନିମନ୍ତେ ପଯ୍ୟାପ୍ତ ମିଳିଯାଏ। ରୁନୁ ବହୁତ ଏକା ହୋଇଯାନ୍ତି,କିନ୍ତୁ ସୁଧୀର ବାବୁଙ୍କର ଖୁସିରେ ଜରୁରୀ ନଥିଲେ ବାଧା ଦିଅନ୍ତି ନାହିଁ।

ଦିନେ ସୁଧୀର ବାବୁ ସଂନ୍ଧ୍ୟାରେ ବଗିଚାରେ ବସି କିଛି ପଢୁଥାନ୍ତି ।ସେହି ସମୟରେ ତାଙ୍କର ଜଣେ ସହକର୍ମୀ ବିନୋଦ ବାବୁଙ୍କର ଫୋନ ଆସିଲା।ଫୋନଟିର ଉତ୍ତର ଦେବାକୁ ଯାଉଯାଉ ବିନୋଦ ବାବୁ କହିଉଠିଲେ,"ସାର୍ ଆପଣ କିପରି ଅଛନ୍ତି ?ଆପଣ ତ ଅବସର ନେବା ପରେ ଆମମାନଙ୍କୁ ସମ୍ପୂର୍ଣ୍ଣ ଭୁଲିଗଲେ।ଆପଣଙ୍କ ଠାରୁ ଫୋନଟିଏ ଆସିବା ବଡ ଭାଗ୍ୟ ର କଥା।କେବେ ଆପଣଙ୍କ ଘରକୁ ଡାକନ୍ତୁ।କଲେଜ ଷ୍ଟାଫ ସମସ୍ତେ ପୁଣି ଏକାଠି ହୁଅନ୍ତେ।"ସୁଧୀର ବାବୁ କହିଲେ ,"ହଁ,ଭଲ ଅଛି।ଆପଣ ଖୁବ୍ ସୁନ୍ଦର ପ୍ରସ୍ତାବ ଟିଏ ଦେଲେ।ଠିକ୍ ଅଛି ମୁଁ ଜଣାଇବି।ଭଲ ହେବ ପୁଣି ଥରେ ସମସ୍ତେ ଦେଖା ହୋଇଯିବା।ତାପରେ ଦୁହେଁ ବେଶ୍ କିଛି ସମୟ ବର୍ତ୍ତାଳାପ କଲେ।

ତା'ପରେ ସେ ପତ୍ନୀ ରୁନୁ ଙ୍କୁ ଡାକି ଏହି ବିଷୟରେ ଜଣାଇଲେ।ସୁଧୀର ବାବୁ କହିଲେ ଏହି ଥର ଆମ କଲେଜ ଷ୍ଟାଫଙ୍କ ସହ ବିବାହ ବାର୍ଷିକୀ ପାଳନ କରିଲେ କିପରି ହୁଅନ୍ତା।ସବୁବେଳେ ତ ଆମେ ଦୁହେଁ ଏକାଏକା ପାଳନ କରୁଛେ।ରୁନୁ କହିଲେ ,"ହଁ,ଭଲ ହୁଅନ୍ତା।ଏକା ଏକା ଜୀବନ ବି ଭାରି କଷ୍ଟ।ଆମ ପିଲାମାନେ ଥିଲେ ଭଲ ହୋଇଥାନ୍ତା।"ସୁଧୀର ବାବୁ କହିଲେ ,"ତୁମେ କାଇଁ ସେସବୁ ଚିନ୍ତା କରୁଛ।ସେମାନେ ତ ବିଦେଶରେ ରହୁଛନ୍ତି। ଆସିବା ପାଇଁ ସବୁ ସୁବିଧା ହେଲେ ସିନା ଆସିବେ।କ'ଣ କେବଳ ଆମର ଵିଵାହ ବାର୍ଷିକୀ ପାଇଁ ଆସିବେ?" ରୁନୁ କହିଲେ ,"ହଁ,ମୁଁ ସବୁ ବୁଝିଛି। ସେମାନେ ଆମର ପିଲା ହୋଇ ଆମେ ଦିଜଣ ମଣିଷ କିପରି ଅଛୁ ବୁଝିବାକୁ ଚାହୁଁନାହାନ୍ତି।ଆମେ ଆମର କର୍ତ୍ତବ୍ୟ କରିଛେ।ତେଣିକି ଈଶ୍ୱରଙ୍କର ଇଚ୍ଛା।"ସୁଧୀର ବାବୁ କହିଲେ,"ତୁମେ ଏତେ ସବୁ ଚିନ୍ତା କରନି।ତୁମର ଉଚ୍ଚ ରକ୍ତଚାପ ଅଛି।ତୁମେ ଖୁସିରେ ରହିଲେ ଆମେ ଦୁହେଁ ଖୁସିରେ ରହିବା।"

ଫେବୃଆରୀ ୧୪ତାରିଖ ସଂଧ୍ୟା।ଦିନଟି ଥିଲା ସୁଧୀର ବାବୁ ଓ ତାଙ୍କ ପତ୍ନୀ ରୁନୁ ଙ୍କର ବିବାହ ବାର୍ଷିକୀର ଦିନ।ଯୋଜନା ମୁତାବକ ସମସ୍ତେ ସଂନ୍ଧ୍ୟା ୭ଟାରେ ସୁଧୀର ବାବୁଙ୍କ ଘରେ ଏକତ୍ରିତ ହେଲେ।ବଗିଚାରେ ସମସ୍ତ କାର୍ଯ୍ୟକ୍ରମ ର ଆୟୋଜନ ହୋଇଥାଏ।କେକ୍ କାଟିବା ପରେ ସମସ୍ତେ ସୁଧୀର ବାବୁଙ୍କୁ କିଛି କହିବା ପାଇଁ ଅନୁରୋଧ କରିଥିଲେ।

ସୁଧୀର ବାବୁ କହିବାକୁ ଆରମ୍ଭ କଲେ......."ଏହି ଫେବୃଆରୀ ୧୪ ତାରିଖଟି ଆଜିକାଲି ତ ପ୍ରାୟ ସମସ୍ତେ ପାଳନ କରୁଛନ୍ତି।କିନ୍ତୁ ସେତେବେଳେ ଆମ ପାଈଁ ଏହାର ମହତ୍ୱ ସେମିତି କିଛି ନଥିଲା।ସେଦିନ ମୁଁ ୟୁନିଭେର୍ସିଟି କୁ ବସ୍ ରେ ଯାଉଥିଲି।କିଛି ସମୟ ପରେ ଏକ ଷ୍ଟପେଜରେ ଅଜଣା ଝିଅଟିଏ ଯିଏ କି ଆଜି ମୋ ସହଧର୍ମିଣୀ ବସ୍ କୁ ଉଠିଲେ।ଅନ୍ୟ କେଉଁଠି ସିଟ୍ ନପାଇ ମୋ ପାଖରେ ଆସି ବସିଗଲେ।ହାତରେ ଥାଏ ଏକ ଇଂରାଜୀ ନଭେଲ।ବସ୍ ରୁ ଓଲ୍ହାଇଲା ବେଳେ ନଭେଲ କୁ ମୋ ପାଖେ ଅଜାଣତରେ ଛାଡ଼ିଦେଇଗଲେ।ତେଣୁ ମୁଁ ବସ୍ ରୁ ଓଲ୍ହାଇ ତାଙ୍କୁ ଡାକିଲି ନଭେଲ କୁ ଫେରାଇବା ପାଇଁ।କିନ୍ତୁ ସେ ହସିଦେଇ କହିଲେ ମୁଁ ପଢ଼ିସାରିଲିଣି ଆପଣ ପଢିବେ ଯଦି ରଖିଦିଅନ୍ତୁ।ମୁଁ ମଧ୍ୟ ମନାକରି ପାରିଲି ନାହିଁ।ସେତେବେଳେ ମୋତେ ଏ ବହି ପଢିବାକୁ ଭଲ ଲାଗୁନଥିଲା।କିନ୍ତୁ ଏ ନଭେଲ କୁ ରଖିଲି।ନଭେଲ ଟି ଥିଲା ଓସ୍କାର ୱିଲଡେଙ୍କ ରଚିତ "ଦ ପିକ୍ଚର ଅଫ ଡୋରିଆନ୍ ଗ୍ରେ " ।ତାହା ଥିଲା ମୋର ପ୍ରଥମ ନଭେଲ ପଢା।ସେହିଠାରୁ ମୁଁ ଅତି ନିଜର ଭାବେ ପାଇଲି ବହି ଓ ମୋ ଧର୍ମପତ୍ନୀଙ୍କୁ।ପରିବାରର ସହମତି ରେ ଆମେ ଦୁହେଁ ଫେବୃଆରୀ ୧୪ ରେ ବିବାହ ବନ୍ଧନରେ ବାନ୍ଧି ହୋଇଗଲୁ।ଏହା ଥିଲା ଆମ କାହାଣୀ।

ଏହା ପରେ ସେ ପତ୍ନୀ ରୁନୁ ଙ୍କ ହାତରେ ସୁନା ମୁଦିଟିଏ ପିନ୍ଧାଇ ଦେଲେ।କରତାଳିରେ ବଗିଚାଟି ପ୍ରକମ୍ପିତ ହେଉଥିଲା।ରୁନୁ ଙ୍କ ଆଖିରୁ ଖୁସିର ଦୁଇ ବୁନ୍ଦା ଲୁହ ଝରିଗଲା।ସଭିଏଁ ଆନନ୍ଦ ଉଲ୍ଲାସ ତଥା ଭୋଜନରେ ଆପ୍ୟାୟିତ ହେଲେ।ସୁଧୀର ବାବୁଙ୍କର ଘର ଓ ପାଠାଗାର ଦେଖି ସମସ୍ତେ ଖୁବ ପ୍ରଶଂସା କରି ନିଜ ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ।

ପୁରି ଉଠିଥିବା ଘରଟିରେ ନିର୍ଜନତା ଖେଳିଯାଇଥିଲା।ଦୁହେଁ ପିଲାମାନଙ୍କୁ ଖୁବ ଖୋଜୁଥିଲେ।ସୁଧୀର ବାବୁ ଉପରକୁ ଶକ୍ତ ହୋଇ ପତ୍ନୀ ରୁନୁଙ୍କ ବୋଧ ଦେଉଥାନ୍ତି।କିନ୍ତୁ ରୁନୁଙ୍କର କାନ୍ଦ ବନ୍ଦ ହେଉନଥାଏ।ରୁନୁଙ୍କୁ ବୁଝାଇସୁଝାଇ ସୁଧୀର ବାବୁ ତାଙ୍କୁ ଶୁଆଇଦେଲେ।ଅନେକ ଦୁଶ୍ଚିନ୍ତା ମଧ୍ୟରେ ସେ ବିଳମ୍ବରେ ଗାଢ଼ ନିଦରେ ଶୋଇଯାଇଥାନ୍ତି।

ସକାଳ ହେଲା।ସୁଧୀର ବାବୁ ଆଖିଖୋଲି ଦେଖିଲେ ସମୟ ସକାଳ ୮ଟା।ମନେ ମନେ କହିଲେ ଆଜି ଏତେ ଡେରି ହୋଇଗଲାଣି।ଆଉ ପ୍ରାତଃ ଭ୍ରମଣ ହୋଇପାରିବ ନାହିଁ।ରୁନୁ ଆଜି କିପରି ମୋତେ ଉଠାଇଲେ ନାହିଁ।ରୁନୁ...ଡାକିବାକୁ ଯାଉଛନ୍ତି ଦେଖିଲେ ରୁନୁ ପାଖରେ ଶୋଇଛନ୍ତି।ଭାବିଲେ ବିଚାରୀଟି କାଲି କେତେ କାନ୍ଦିଛି।ଡେରିରେ ଶୋଇଛି ବୋଲି ଉଠିପାରିନି।ନିଜେ ଚାଲିଲେ ରୋଷେଇ ଘରକୁ ଉଭୟଙ୍କ ପାଇଁ ଚା ତିଆରି କରିବା ପାଇଁ।ଚା ଆଣି ପତ୍ନୀଙ୍କୁ ଡାକିବାକୁ ଯାଇ ପତ୍ନୀଙ୍କ ମୁଣ୍ଡରେ ହାତ ରଖି ଦେଖିଲେ ମୁଣ୍ଡ ବରଫ ପରି ଥଣ୍ଡା ହୋଇଯାଇଛି।

ସୁଧୀର ବାବୁ ବୁଝିପାରିଲେ ରୁନୁ ତାଙ୍କୁ ଛାଡି ଚାଲିଯାଇଛନ୍ତି।ଭୋ ଭୋ କରି ଛୁଆ ଙ୍କ ପରି କାନ୍ଦିବାକୁ ଲାଗିଲେ।ପାଖ ପଡୋଶୀ ଧାଇଁ ଆସି ଝରକା ପାଖରେ ଥାଇ ଦେଖୁଥିଲେ ସୁଧୀର ବାବୁ ,ପତ୍ନୀଙ୍କର ମୃତ ଶରୀର ପାଖେ ବସି ବାହୁନି କାନ୍ଦି କାନ୍ଦି କହୁଥିଲେ......"ଯେଉଁଦିନ ଜୀବନକୁ ଆସିଥିଲ ସେହିଦିନ ରେ ଏକା କରିଦେଲ।କ'ଣ ସେଇଥି ପାଇଁ ମୋତେ ବହିର ମୋହରେ ପକାଇ ଦେଇ ବହିର ପାହାଡ ଉପରେ ଏକା ବସେଇ ଚାଲିଗଲ।

(ଜୀବନରେ ମିଳୁଥିବା ପ୍ରତ୍ୟେକଟି ମୁହୁର୍ତ୍ତକୁ ହସି ହସି ଆପଣାର ପରିଜନଙ୍କ ସହ ବିତାଇଦିଅନ୍ତୁ।କିଏ ଜଣେ ପରବର୍ତ୍ତୀ ମୁହୁର୍ତ୍ତରେ ଆମ ମଧ୍ୟରୁ କିଏ ନଥିବ।ବେଙ୍ଗ କହେ ବେଙ୍ଗୁଲିଲୋ ଦୁନିଆ କ୍ଷଣିକେ ଆନ।)



Rate this content
Log in

Similar oriya story from Tragedy