ବଦନାମ୍
ବଦନାମ୍


ଏମିତି ଢୋକେ ମନ୍ଦେ ପିଇ ଦେଲେ ଯେ ମଦୁଆ ହୋଇଯିବ, ଏ କଥା କହିବା ଭୁଲ। ସାଙ୍ଗ ସାଥି ମେଳରେ ଅଦିନିଆ ମନ୍ଦେ ପିଇ ଦେଇ ଘରକୁ ଆସିଲା ବୋଲି ଘରେ ଆଜି ଗୋଟେ ତୁମୁଳ କାଣ୍ଡ ସୃଷ୍ଟି ହୋଇଛି। ଅଖି ନନା, ବାପା ବୋଉକୁ ବହୁତ ବୁଝେଲାଣି ସେ ଆଉ ଭବିଷ୍ୟତରେ କେବେବି ମଦ ପିଇବ ନାହିଁ,କିନ୍ତୁ ସେମାନେ ବୁଝିବାକୁ ନାରାଜ।
ଅଖି ନନା ସ୍ତ୍ରୀକୁ ଭଲ ସୁଯୋଗ ଟେ ମିଳିଛି।
କାଲି ସେ ନିଶ୍ଚୟ ଅଖି ନନା ସାଙ୍ଗରେ ମାର୍କେଟିଂ ପାଇଁ ଯିବ। ନଚେତ୍ କାଲି ତା' ପାଳି। ମଦପିଆକୁ କେନ୍ଦ୍ରକରି ଘରେ ଏମିତି ନାଟ ଗୋଟେ ଲଗେଇ ଦେବଯେ ଖାଲି ଅଶାନ୍ତି ହିଁ ଅଶାନ୍ତି..!! ଅଖି ନା' ଅଖା ଧୋଉ ଥିବ, ଗୁଣ ଗାଉଥିବ। ନନା' ମଧ୍ୟ ଜାଣିଛି, ଯୋଉଦିନ ମଦ ପିଇ ଘରକୁ ଆସିବ ତା'ପରଦିନ ଘରଣୀଙ୍କୁ ସପିଂ କରେଇ ନେବାକୁ ପଡେ।
ଢୋକେ ମନ୍ଦେ ପିଉ ପିଉ ଅଖି ନନା'ର ମଦ ପିଇବା ଟା କେତେବେଳେ ଯେ,ଦୈନଦିନ ହୋଇନଯିବ ସେ କଥା କିଏ କହିବ!! ଏଣିକି ଭଲ ସାଙ୍ଗ ମାନେ ତା'ଠାରୁ ଦୁରେଇବା ଆରମ୍ଭ କଲେଣି। ଦିନର ବ୍ୟବଧାନ ବଢିବା ସଙ୍ଗେ ସଙ୍ଗେ ପିଇବାର ମାତ୍ରାଟା ବଢିବାକୁ ଲାଗିଲାଣି।ଆଗ ମାସରେ ଥରେ ନେଉଥିଲା।ତା'ପରେ ପନ୍ଦର ଦିନରେ ଥରେ, କିଛି ଦିନ ହେଲା ସପ୍ତାହରେ ଥରେ ନେଉଥିଲା କିନ୍ତୁ ଏବେ ଆଉ ସେମିତି ନାହିଁ.. ଯିଏ ଯେତେବେଳେ ସାଙ୍ଗ ସାଥି ମିଳିଲେ ପେଏଗେ ଦି ପେଏଗେ ହୋଇଯାଉଛି।
ଘରେ ବି ଦେହସୁଆ ହେବା ଆରମ୍ଭ ହେଲାଣି, ଝଗଡା ଝାଟି କରି ବାପା ବୋଉ ଥକି ପଡିଲେଣି। ଘରଣୀ କିନ୍ତୁ ଫୁଲ ଦମ୍ ରେ ନିଶା ନିବାରଣ ପାଇଁ ଲାଗିପଡିଛନ୍ତି। ନିତିଦିନିଆ ହେଲା ପରଠାରୁ ସପିଂ ଟା ବନ୍ଦ ହେଇଯାଇଛି। ଏମିତି ହେଲେ, ମୌନବ୍ରତ ଧାରଣ କରିଥିବା ସ୍ତ୍ରୀ ବି ପାଟି ଫିଟେଇ କହିବ...
ରାଗ ନ ହେବା ଘରଣୀ ରାଗ ହେବ.. ।।
ଆଜି ଛାଡଖାଇ। ଅଖି ନା' ବାହାରିଛି ଶଶୁର ଘରକୁ। ସେଇଠି ଛାଡଖାଇଟା ପାଳନ ହେବ। ଚାରି ଦିନ ହେବ ପିଲାମାନେ ଯାଇ ଅଜା ଘରେ ଅଛନ୍ତି। ଶୁକ ବାଧ୍ୟ କଲା ବୋଲି ଅଖି ନା ଗୋଟେ ପେଗ୍ ନେଇଥିଲା।ତାକୁ କେନ୍ଦ୍ରକରି ଘରଣୀ ରାଗରେ ସିଧା ଯାଇ ପିତୃଆଳୟରେ...। ଅଖି ନାନା ଚିନ୍ତା କରିଛି,ପିଲାମାନଙ୍କୁ ବୁଝେଇ ସୁଝେଇ ନେଇ ଆସିବ। ମନେ ମନେ ଶପଥ କରିଛି ଆଜିଠାରୁ ସେ ମଦ ପିଇବା ଛାଡି ଦେବ।
କଣ ମିଳୁଛି ସେଥିରୁ?? ବାପା ବୋଉ ଅଶାନ୍ତି, ସ୍ତ୍ରୀ ଅଶାନ୍ତି, ଭଉଣୀ ଅଶାନ୍ତି, ସାଇ ପଡିଶା ଅଶାନ୍ତି,
ବଂଧୁ ବାନ୍ଧବ ଅଶାନ୍ତି, ଘରେ ଅଶାନ୍ତି, ବାହାରେ ବି ଅଶାନ୍ତି, ଅଶାନ୍ତି ଅଶାନ୍ତି ଅଶାନ୍ତି। ମଦ ନ ପିଇ ସେ କଣ ଚଳି ପାରିବନି..?? ମଦ ଟା ଏମିତି କଣ ଗୋଟେ ହେଇଗଲାକି...?? ଶୁକ ଆଜି ବି ଗୋଟେ ଖମ୍ବା ଆଣିଥିଲା, ଅଖି ନା'କୁ ଡାକିଛି, କିନ୍ତୁ ସେ ଯିବନି। ମଦ ପୁରା ଛାଡିଦେବ।
ଅଖି ନା' ଶଶୁର ଘର ଯିବା ପାଇଁ ମଟର ସାଇକେଲଟା ଷ୍ଟାର୍ଟ କଲାବେଳକୁ ଶୁକ ପେଟେ ତେଣ୍ଡିଦେଇ ଆସି ରୋଳା କରୁଥିଲା... ଶୁକ କୁଆଡେ ମଟନ ଝୋଳ ଚାଖଣା ସାଙ୍ଗକୁ ହେବି ଇଙ୍ଗିଲିସ ମାଲ ଆଜି ନେଇଛି। ଶୁକ ଯେତେ ପ୍ରଲୋଭିତ କଲେ ମଧ୍ୟ ଅଖି ନା' ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଦେଲା। ତା' ଘର ସଂଶାର ଆଗ ନା' ମଦ ଆଗ?? ଜିହ୍ଵା ଲାଳସା, ଅଭ୍ୟାସଗତ ଅଭାବକୁ କଷ୍ଟେ ମଷ୍ଟେ ସମ୍ବରଣ କରି ଅଖି ନନା ମୋଟର ସାଇକେଲ ଛୁଟାଇଦେଲା ଶଶୁର ଘର ଅଭିମୁଖେ।
ମଟନ କଣ ତା ଶଶୁର ଘରେ ହେଇ ନଥିବ?? ସେ ଶୁକ ପାଖରେ କାହିଁକି ଖାଇବ?? ଏମିତି ତ ସିଏ ମଦ ଛାଡିବ, ତା'ଠାରୁ କାହିଁକି ସେ ଦି' ଢ଼ୋକ ପିଇବ...??
ଗାଁ, ସହର ଦେଇ ଗାଡି ଗଡି ଚାଲିଲା ଶଶୁର ଘର ଅଭିମୁଖେ... ତା' ସଙ୍ଗରେ ତାଳ ଦେଇ ଚିହ୍ନା ପରିଚୟ ମଦ ଦୋକାନ ଓ ଦୋକାନୀ ଗୁଡିକ...
ପ୍ରାୟ ସବୁ ମଦ ଦୋକାନରେ ଅଖି ନନା ର ଖାତା ଚାଲିଥିଲା। ଧୀରେ ଧୀରେ ସେ ଉଧାରୀ ଖାତା ବନ୍ଦ କରି ଦେଲାଣି। ଆଉ କୋଉ ଦୋକାନି ପାଖରେ ତା'ର ଉଧାର ନାହିଁ।
ଶଶୁର ଘର ଆଉ ପାଞ୍ଚ କିଲୋମିଟର ରାସ୍ତା ବାକି ଅଛି। ଗଛ ଛାଇ ଦେଖି ଗାଡିର ବ୍ରେକ କସିଲା ଅଖି ନାନା। ଡିକି ଭିତରୁ ପାଣି ବୋତଲ କାଢି ମୁହଁ ଧୋଇଲା। ମୋଟର ସାଇକେଲ ମିରରରେ ନିଜକୁ ଦେଖି ଟିକିଏ ସଜେଇ ହୋଇଗଲା। ଶଶୁର ଘରକୁ ଯିବ। କାହାର ଡାକ ଶୁଣି ପଛକୁ ଚାହିଁ ଦେଖିଲା.. ସନିଆ ଭାଇ...!!
ସନିଆ ଭାଇ ସାଙ୍ଗରେ ଅଖି ନାନା କେତେ ଥର ଏକାଠି ବସି ଚିଅର୍ସ ନ କରିଛି... ସବୁଥର ଆକାଉଣ୍ଟ ପେମେଂଟ କରିଛି ଅଖି ନାନା। ସନିଆ ଯଥାମାନ୍ୟ ଜଣାଇଲା ଅଖି ନାନାକୁ। ପୁରୁଣା ଅଭ୍ୟାସଟା ଯିବ କୁଆଡେ?? ସନିଆ ସଂକେତ ଦେଲା ବସିବାକୁ, ଆଜି ସେ ଅଖି ନାନାକୁ ଖୁସି କରେଇ ଦେବ। ଗୋଟେ ଭଲ ଇଙ୍ଗିଲିସ ମାଲ ଆଣିଛି। ଅଖି ନା କିନ୍ତୁ ଜଣେଇ ଦେଲା ସିଏ ପିଇବା ଛାଡ଼ିଦେଇଛି।
ଆରେ ଭାଇ, ଶଶୁର ଘରେ ଜୋଇଁ କୁଣିଆ ହେବୁ.. ମାଛ ମାଂସ ତର୍କାରି ହେଇଥିବ.. ଟିକିଏ ଓସଦ ପକେଇ ନ ଗଲେ କଣ ଜମିବ..?? ଅଖି ନନାର ନା'କୁ ସନିଆ ଭାଇର ହଁ.... ଅଖି ନନାର ନା'କୁ ସନିଆ ଭାଇର ହଁ..... ଶେଷରେ ଇଚ୍ଛା ବିରୋଧରେ ଅଖି ନନା ଦୁଇ ପେଗ୍ ନେଲା। ଟିକିଏ ଧରି ଆସିଲା ପରେ ଆଉ କଣ ଅଛି..??
ପେଗ୍, ପେଗ୍ ପରେ ପେଗ୍, ପେଗ୍ ପରେ ପେଗ୍ ଚାଲିଲା......
ଆଜିର ଫାଇନାନ୍ସଟା ଥିଲା ସନିଆ ଭାଇ ତରଫରୁ। ନିଶାଶକ୍ତ ଅବସ୍ଥାରେ ଅଖି ନାନା ପାଖରୁ ମେଲାଣି ନେଇ ସନିଆ ଭାଇ ପ୍ରସ୍ଥାନ କଲା।
ବେଳ ବୁଡି ଆସୁଥାଏ। ପକ୍ଷୀ ନୀଡ଼କୁ ଫେରୁ ଥାଆନ୍ତି। ଗୋଗୋଷ୍ଠ ଘର ମୁହାଁ ହେଲେଣି। ଅଖି ନା ଟୁଳୁ ଟୁଳୁ ହୋଇ ଗାଡି ଷ୍ଟାର୍ଟ କଲା....
....... ନିମିଶକ ମଧ୍ୟରେ ଚାରିଆଡ଼େ ରାଷ୍ଟ୍ର ହେଇଗଲା, ଅଖି ନା'ର ଆକ୍ସିଡେଣ୍ଟ ହେଇଛି। ତଳ ଦାନ୍ତ ସେଟଟି ଖସି ପଡିଛି। ନାକ ଓଲାରି ହୋଇ ଯାଇଛି। କାନ ପଟରୁ ରକ୍ତ ବାହାରୁଛି। ଜୀବନ ସଙ୍କଟାପନ୍ନ। ତୁରନ୍ତ ଆମ୍ବୁଲାନ୍ସ କରି ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଗଲା।
ଅଖି ନାନା ଆକ୍ସିଡେଣ୍ଟର କାରଣ ଖୋଜା ଚାଲିଲା...।।
ଦୁଇଜଣ ଲୋକ କଥାବାର୍ତ୍ତା ହେଉଥାନ୍ତି, ଇଏ କଣ ଆଜିର କଥା।ଆଗରୁ ଏଇଠି ଅନେକ ଆକସ୍ମିକ ଦୁର୍ଘଟଣା ହେଇଛି। ଆମ ବାପା ଗୋସିବାପା ଅମଳରୁ ଏଇଟା ଡର ଜାଗା। ଗୋଟିଏ ଭୁତ ରହେ। ଧଳାଲୁଗା ପିନ୍ଧି ବୁଲୁଥିବାର ଅନେକ ଲୋକ ଦେଖିଛନ୍ତି। ମୁଣ୍ଡ ଗୋଡ଼ ନଥାଇ ଶରୀରର ଖାଲି ଗଣ୍ଡି ଟା ଗଡି ଯିବା ଆସିବାର "ମାଦେଳି" ଟାକୁ ରାଧୁ ମିଶ୍ରେ ନିଜେ ଆଖିରେ ଦେଖିଛନ୍ତି। ବ୍ରହ୍ମ ଗଣ୍ଠି ପଇତା ଥିବାରୁ ନିଜ ଜୀବନ ନେଇ ଆସିଲେ।
ଭୁତ, କଅଁଳିଆ ବାଛୁରୀ ଛୁଆର ରୂପ ନେଇ ରାତିରେ ଯାଉଥିବା ବାଟୋଇଙ୍କ କରେ କରେ ଯାଏ। ବାଛୁରୀ କେତେବେଳେ ଦୃଶ୍ୟ ତ କେତେବେଳେ ଅଦୃଶ୍ୟ ହୋଇଯାଏ। ଏଭଳି ଘଟଣା କୁ ସାମ୍ନା କରିଥିବା ଅନୁଭବି ବାଟୋଇର ପିଳେହି ପାଣି ହୋଇଯାଏ।
ପଛରୁ ଥାଇ ଭଣ୍ଡାରୀ ଘରର ବୁଢ଼ୀ କହିଲା, ଆମର ସିଏ ପରା ନିଜେ ଦେଖିଛନ୍ତି, ନାଲି ଟହଟହ ଜିଭକୁ ଅଳତା ରଙ୍ଗର ଆଖିଦୁଇଟା ତା ସଙ୍ଗରେ କଳା ମଚ ମଚ ଲମ୍ବାବାଳ, ଆଉ ଧୋବ ଶାଢ଼ୀ। ପାଦ ଦୁଇଟା ଭୂଇଁରୁ ଚାଖଣ୍ଡେ ଛଡା।ଏମିତି ରୂପ ଦେଖିଲେ ଭେଟଣା ହେଇଯିବ। ଅଖି ର ଭାଗ୍ୟ ଭଲ ଗାଡ଼ିରେ କାଳି ମାତା ଥିଲେ ବୋଲି ଜୀବଦଶାରେ ଅଛି। ଆଉ କିଛି ନୁହେଁ, ସେଇ ଡାହାଣୀ ଚିରୁଗୁଣିଙ୍କ କାମ ଇଏ। ବିଚରା ଅଖି...
ଟିକିଏ ଭଲ ହେଇ ଆସିଲେ ଧୂପଝୁଣା ଟିକିଏ ଖୋଇ ଦେବ।
ଆଉ କିଛି କହୁଥିଲେ, ଫାଲତୁ କଥା..। ଆଜିକାଲି ଯୁଗରେ କି ଭୂତ ପ୍ରେତ ହୋ....
ଅଖି ଶଶୁର ଘର, ପଡିଶା ଘରର ପୁଅ ଲିଟୁ। ଅଖି ବାପାଙ୍କୁ ଅଖି ର ଆକ୍ସିଡେଣ୍ଟ କଥା ଫୋନ କରି ଜଣେଇ ଦେଲା। ସେ କଲେଜ ପଢୁଆ ପିଲା, ଭୁତ ପ୍ରେତରେ ବିଶ୍ୱାସ ରଖେନି। ଅଖି ବାପା ଦୁର୍ଘଟଣାର କାରଣ ପଚାରିବାରୁ କହିଦେଲା, ଡିସ୍ ବ୍ରେକ ଉପରେ ହାତ ଥିଲା, କାହାକୁ ସାଇଡ଼ ଦେଉ ଦେଉ ବ୍ରେକ ରେ ହାତ ଲାଗିଗଲା।ଚଳନ୍ତା ଦ୍ରୁତଗାମୀ ଗାଡିରୁ ଫୋପାଡ଼ି ହୋଇ ପଡିଗଲେ। ଏବେ ଏମ୍ସରେ ଆଡିମିଟ ହୋଇଛନ୍ତି।
ପୁଅର ଦୁର୍ଘଟଣା କଥା ଶୁଣି ଅଖି ବାପା କିଛି ଟଙ୍କା ଧରି ତର ତର ହୋଇ ବାହାରି ପଡିଲେ ଭୁବନେଶ୍ୱର ଯିବାପାଇଁ। ଦୁଆର କୁ ଆସି ଦେଖନ୍ତି ତ ଶୁକ, ବଲବଲ ହୋଇ ବକି ଚାଲିଛି.…
ଆଜି କାଲି ବୁଲା କୁକୁର ମାନଙ୍କୁ ଆଉ ପାରି ହେବନି।
ଆମ ଅଖି ନାନା ମୋଟର ସାଇକେଲ ଚକା ତଳେ କୁଆଡୁ ଆସି ଗୋଟିଏ ବୁଲା କୁକୁର ପଶିଗଲା, ଆଉ ଅଛି ଅଖି ର ଅବସ୍ଥା??
କେତେ ପୁରୁଣା ଡ୍ରାଇଭର ହୁଅ.. କେତେ ସାବଧାନରେ ଗାଡି ଚଳାଅ.. ଗାଡି ମୋଟର ଭିତରେ କୁକୁର ପଶିଗଲେ ଦୁର୍ଘଟଣା ନିଶ୍ଚୟ।
ଦୁର୍ଘଟଣା ଦୁଃଖରେ ବିବର୍ଣ୍ଣ ମୁହଁ କରି ଶୁକ କୁ ଫେରେଇ ହୋଇ ଅଖିର ବାପା ବାହାରି ଗଲେ।
ମନରେ ଚିନ୍ତା ଘାରୁ ଥାଏ, ଡିସ୍ ବ୍ରେକ ଯୋଗୁଁ ଦୁର୍ଘଟଣା ହେଲା.. ନା' ଗାଡି ଭିତରକୁ କୁକୁର ପଶିଆସିଲା??
କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁ ନଥିଲେ ସେ..।।
ଆଉ, ଅତ୍ୟଧିକ ମଦ୍ୟପାନ ପାନ ଯୋଗୁଁ ଭାରସାମ୍ୟ ହରାଇ ପଡିଯାଇନି ତ ଅଖି??
ଯଦି ଏମିତି ହୋଇଥାଏ... ନିଜ ଦୋଷ ଲୁଚେଇବାକୁ ବୁଲା କୁକୁରକୁ ସମସ୍ତେ ବଦନାମ କରୁଛନ୍ତି କାହିଁକି??
ଅଖିର ବାପା ହସ୍ପିଟାଲରେ ପହଁଚିଲେ। ପୁଅର ଅବସ୍ଥା ଦେଖି ଦୁଃଖ ଅନୁଭବ କଲେ। ନାକ ପୁରା ଓଲାରୀ ହୋଇଯାଥିଲା, ଷ୍ଟିଚ ପଡିଛି। ଶରୀରର ବିଭିନ୍ନ କ୍ଷତଜାଗାରେ ଡ୍ରେସିଙ୍ଗ କରି ପଟି ବାନ୍ଧି ଦିଆଯାଇଛି।
ବୋହୂକୁ ଦୁର୍ଘଟଣାର କାରଣ ପଚାରିବାରୁ କହିଲେ, ଅଜାଣତରେ ଗାଡିର ବ୍ରେକ ଦେଇ ହେଇଗଲା, ସେଥିପାଇଁ ଦୁର୍ଘଟଣା ଘଟିଥିଲା।
ଅଖି ଅଳ୍ପ ସୁସ୍ଥ ହେଲାଣି, ତାକୁ ଗାଁ କୁ ନେଇ ଆସିବେ।
ଗାଡି ଟିଏ ଭଡା କରି ସମସ୍ତେ ଗାଁ କୁ ଫେରିଲେ।
ଘରେ ବେଡ଼ ରେ ପଡି ପଡି ନିଜକୁ ଅପସେଟ ଅନୁଭବ କରୁଛି ଅଖି। ଆଜିକାଲି ଦାଣ୍ଡ ପିଣ୍ଢାରେ ଚୌକି ପକେଇ ବସିଲାଣି, ବାହାର ଦୁନିଆଁ ଟିକିଏ ଦେଖିଲେ ଶରୀର ପୀଡା ବା କଷ୍ଟ ଲାଘବ ହୁଏ। ଅଖିକୁ ଦେଖିବା ପାଇଁ ଶୁକ ଆସିଥିଲା। କାଲି ସନିଆ ଭାଇର କୁଆଡେ ମୋଟର ସାଇକେଲ ଆକ୍ସିଡେଣ୍ଟ ହେଇଛି. । ସେଇ... ସେଇ, ବୁଲା କୁତି ଗୋଟେ କୁଆଡୁ ଆସି ତା ମଟର ସାଇକେଲ ଚକା ଭିତରେ ପଶିଗଲା।
ଅଖି ଓ ଶୁକ ମନେ ମନେ ବୁଲା କୁକୁରଙ୍କ ଉପରେ ବିରକ୍ତ ହେଉଥିଲେ, ସବୁ ଦୁର୍ଘଟଣାର ମୂଳ କାରଣ ଏମାନେ..।
ସନ୍ତୁ ହେଉଛି ଅଖି ନନାର ପିଲା ଦିନ ସାଙ୍ଗ। ସରଘରିଆ ବାବୁ (Store Officer)ଚାକିରୀ ଖଣ୍ଡେ କୋଉ କମ୍ପାନୀରେ ପାଇଛି। ଛୁଟିରେ ଗାଁ କୁ ଆସିଥିଲା। ଯେମିତି ଅଖିର ଆକ୍ସିଡେଣ୍ଟ କଥା ଶୁଣିଛି, ଧାଇଁ ଆସିଲା ଅଖି ପାଖକୁ। ଅଖି ଚୌକି ଟିଏ ଅଫର କଲା ବସିବାକୁ। ସନ୍ତୁ ଦୁର୍ଘଟଣା ବିଷୟରେ ଗୋଟିଏ ଗୋଟିଏ ପଚାରୁ ଥାଏ, ଅଖି ଗୋଟିଏ ଗୋଟିଏ କହି ଚାଲିଥାଏ।
ଦୀର୍ଘଶ୍ଵାସ ଛାଡିଲା ସନ୍ତୁ। ଅଳ୍ପ ଦିନ ତଳେ ତା Boss/Department Head ଛୁଟି ନେଇ ଗାଁ କୁ ଯାଇଥିଲେ, ମାତ୍ରାଧିକ ମଦିରା ସେବନ କାରଣରୁ ରାସ୍ତା ଦୁର୍ଘଟଣାର ଶିକାର ହେଲେ।
ଡିପାର୍ଟମେଣ୍ଟାଲ ହେଡ, ତାଙ୍କର କିଛି ଗୋଟାଏ ମାଆନ ସମ୍ମାନ ଅଛି କି ନାହିଁ??
Bossଙ୍କ ଚାମଚା ସମସ୍ତଙ୍କୁ ଶୀତଳ ଧମକ ଦେଇଛନ୍ତି,ଯଦି କିଏ ସାର୍ ଙ୍କ ଦୁର୍ଘଟଣା ବିଷୟରେ ପଚାରନ୍ତି, ତେବେ ସମସ୍ତେ ଗୋଟିଏ କଥା କହିବ ସାର୍ ଙ୍କ ଗାଡି ଚକା ତଳକୁ କୁକୁର ପସି ଆସିଲା। ଯଦି କୌଣସି କର୍ମଚାରୀ ମଦ ଜନିତ କାରଣ ବୋଲି ଦର୍ଶାଇବ ତେବେ ତା'ଚାକିରୀ ବିପଦ ଘେରରେ....
ସନ୍ତୁ ବୁଝିପାରୁ ନଥିଲା, ମଦ ପିଇ ଦୁର୍ଘଟଣା ଘଟାଇ ସାରିବା ପରେ ନିଜ ଦୋଷକୁ ଲୁଚେବାକୁ ଯାଇ, ଏଇ ଅଭଦ୍ର ମଣିଷ ସମାଜ କୁକୁରର ଚରିତ୍ର ସଂହାର କରିଥାଏ କାହିଁକି??
ନିଜ ଅଭ୍ୟାସଗତ ଅଭାବକୁ ଚରିତାର୍ଥ କରିବାକୁ ଯାଇ ନିରୀହ କୁକୁରର ଭାବମୂର୍ତ୍ତିକୁ ଧର୍ଷଣ କରେ କାହିଁକି??
ଏମିତି ଚରିତ୍ରହୀନଙ୍କ ଯୋଗୁଁ...
#ସିଲା_ବଦନାମ।
#ମୁନ୍ନି_ବଦନାମ।
#ମୁନ୍ନା_ବଦନାମ।
ଏବଂ.....
#କୁତି_ମଧ୍ୟ_ବଦନାମ।