STORYMIRROR

Sambit Srikumar

Tragedy Inspirational

3  

Sambit Srikumar

Tragedy Inspirational

ବଦାନ୍ୟତା

ବଦାନ୍ୟତା

2 mins
204


ସେଦିନ "ମାତୃଭୂମି" ଦାତବ୍ୟ ଚିକିତ୍ସାଳୟରେ ନାହିଁ ନ ଥିବା ଭିଡ଼। ଏମିତି ତ ଭିଡ଼ କିଛି ନୂଆ କଥା ନଥିଲା ଚିକିତ୍ସାଳୟଟି ପାଇଁ। ପ୍ରତି ଦିନ ଦୂର ଦୂରାନ୍ତରୁ କି ଧନୀ କି ଗରିବ ଲୋକମାନଙ୍କ ସୁଅ ଛୁଟେ ମାଗଣାରେ ଖ୍ଯାତି ସମ୍ପର୍ଣ୍ଣ ଚିକିତ୍ସକମାନଙ୍କ ପରାମର୍ଶ ପାଇ ରୋଗର ନିଦାନ ଓ କଷ୍ଟ ଉପସମ ପାଇଁ। ଏଠାରେ ସମସ୍ତ ସେବା ବିନା କୌଣସି ଦେୟରେ ଉପଲବ୍ଧ। ଗରିବ ଲୋକଙ୍କ ପାଇଁ ମାଗଣାରେ ଭୋଜନ ମଧ୍ୟ ବିତରଣ କରାଯାଏ। ସମ୍ପୂର୍ଣ୍ଣ ଭାବରେ ସମର୍ପିତ ସେବା ମନୋଭାବ ନେଇ ଆଜି ଯାଏଁ ଚାଲିଆସିଛି ଏହି ମହତ୍ ଅନୁଷ୍ଠାନଟି।

ସହରର ବକ୍ଷସ୍ଥଳିରେ ଗଢ଼ି ଉଠିଥିବା ଏହି ଚିକିତ୍ସାଳୟଟି ଜନୈକ ସ୍ବାଧୀନତା ସଂଗ୍ରାମୀଙ୍କ ଜୀବନ ବ୍ୟାପି ସାଧନା ଓ ଅବଦାନର ଫଳ। ତାଙ୍କର ନାମ ଦୀନବନ୍ଧୁ ମହାପାତ୍ର। ଛାତ୍ରାବସ୍ଥାରୁ ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇ ଅନେକ ବାର କାରାବରଣ କରିଛନ୍ତି ସେ। ଅକଥନୀୟ ଅତ୍ୟାଚାର ସହିଛନ୍ତି ଜୀବନରେ ଦେଶମାତୃକାକୁ ସ୍ବାଧୀନ କରିବା ପାଇଁ। ନୀତି ଆଦର୍ଶର ମାଇଲସ୍ତମ୍ଭ ସେ। ଅତୁଳନୀୟ ବେସାଲିସ ବ୍ଯକ୍ତିତ୍ବର ଅଧିକାରୀ ଥିଲେ ସେ। ସ୍ବାଧୀନୋତ୍ତର ଭାରତବର୍ଷରେ ତାଙ୍କୁ ବିଭିନ୍ନ ସରକାର ସମୟରେ ଅନେକ ବାର ପ୍ରାଦେଶିକ ଏବଂ ସଂଘୀୟ ସ୍ତରରେ ମନ୍ତ୍ରୀ ପଦ ଯଚାଯାଇଥିଲେ ମଧ୍ୟ ଅତ୍ୟନ୍ତ ବିନମ୍ରତାର ସହ ପ୍ରତିଥର ପ୍ରତ୍ଯାଖ୍ଯାନ କରିଦେଇଥିଲେ।

ସେ କହୁଥିଲେ, "ମୁଁ ଜଣେ ସାଧାରଣ ଦେଶପ୍ରେମୀ। ଏଇ ମାଟିମାଆର ସନ୍ତାନ ଭାବରେ ଦେଶମାତୃକାର ସେବା କରିବା ମୋର କର୍ମ ଏବଂ ଧର୍ମ। ଏଥିପାଇଁ ମୋର କୌଣସି ପଦ ପଦବୀରେ ରହିବା ଆଦୌ ସ୍ପୃହଣୀୟ ନୁହେଁ କିମ୍ବା ଆବଶ୍ୟକତା ମଧ୍ୟ ନାହିଁ ମୋର। ନିଃସ୍ବାର୍ଥ ଅବୈତନିକ ସେବା ହିଁ ମୋ ଜୀବନର ବ୍ରତ। କାହାର ପ୍ରଶଂସା, ମାନପତ୍ର, ପୁରସ୍କାର ମୋର ଲୋଡା ନାହିଁ। ମୋ କର୍ମ ହିଁ କେବଳ ମୋର ପରିଚୟ।"

କାଳେ କେଉଁ ଦିନ ତାଙ୍କ ପରିବାରର କୌଣସି ସଦସ୍ଯ ଚିକିତ୍ସାଳୟଟି ତାଙ୍କ ପରିବାରର ବୋଲି ଭାବି ଏହା ଉପରେ ମାଲିକାନା ଦାବୀ କରି ବସିବ ଓ ଜନତାଙ୍କ ପାଇଁ ଉଦ୍ଦିଷ୍ଟ ଏହି ମହତ୍ ସୁବିଧାକୁ ବ୍ୟବସାୟରେ ପରିଣତ କରିଦେବ, ଏହି ଆଶଙ୍କା ପ୍ରକାଶ କରି ଚିକିତ୍ସାଳୟର ପରିଚାଳନା ଭାର ଏକ ସ୍ବୟଂଶାସିତ ଟ୍ରଷ୍ଟ୍ ହାତରେ ସମର୍ପି ଦେଇଥିଲେ ସେ। ଯେଉଁଥିରେ କି ତାଙ୍କ ପରିବାରର କେହି ବି ସଦସ୍ଯ ନଥିଲେ। ସମାଜର ପ୍ରତିଷ୍ଠାବାନ ଯଶସ୍ବୀ ବ୍ଯକ୍ତିବିଶେଷ ଏହି ଟ୍ରଷ୍ଟର ସଦସ୍ୟ ଭାବେ ରହିଥିଲେ।

ନିଜକୁ ଦେଶ ଜାତି ଓ ସମାଜ ପାଇଁ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗ କରିଦେଇଥିବା ସେହି ମହାପୁରୁଷ କେଉଁଠି ମଧ୍ଯ ତାଙ୍କ ନାମ ବ୍ୟବହାର ନକରିବାକୁ ବିନମ୍ର ନିବେଦନ କରିଥିଲେ। ସୁତରାଂ ପ୍ରତିଷ୍ଠାତା ହୋଇ ମଧ୍ୟ ନିଜର ପରିଚୟକୁ ସଂପୂର୍ଣ୍ଣ ଭାବେ ଗୋପନୀୟ ରଖିଥିଲେ ଚିକିତ୍ସାଳୟର କଲ୍ଯାଣାର୍ଥେ। ଏଭଳି ତ୍ଯାଗର ପରାକାଷ୍ଠା ଆଜିର ସମୟରେ ବିରଳ ପ୍ରାୟ।

ସେଇ ଚିକିତ୍ସାଳୟଟିରେ ଆଜି ଅଭୂତପୂର୍ବ ଗହଳି। ଏପରିକି ଶୋରିଷ ମୁଠେ ପକାଇବାକୁ ବି ଜାଗା ନାହିଁ! ପ୍ରଶାସନିକ କଳ ତତ୍ପର, ଦୃଶ୍ୟ ଶ୍ରାବ୍ୟ ଗଣମାଧ୍ୟମ ଜରିଆରେ ଚାଲିଛି ସିଧା ପ୍ରସାରଣ, ପୋଲିସ୍ କର୍ମୀମାନେ କରୁଛନ୍ତି ଭିଡ଼ ନିୟନ୍ତ୍ରଣ। ଘଟଣାର ଅନୁସନ୍ଧାନ କରିବା ପରେ ଜଣା ପଡିଲା ଯେ, ସ୍ଥାନୀୟ ଅଞ୍ଚଳର ଛାମୁଆ ନେତାଙ୍କ ଜନ୍ମଦିନର ଶୁଭ ଅବସରରେ ରୋଗୀଙ୍କୁ ଫଳ ବଣ୍ଟନ ବ୍ୟବସ୍ଥା କରାଯାଇଛି ସମର୍ଥକମାନଙ୍କ ଦ୍ଵାରା। ଦୁଇଟି କଦଳୀ ଓ ଗୋଟିଏ ସେଓ ଭର୍ତ୍ତି ପୁଡିଆଟିଏ। ରୋଗୀଙ୍କ ଜଳଖିଆ ପାଇଁ ବି ଯଥେଷ୍ଟ ନୁହେଁ, ତଥାପି ମହାଦାନୀର ମାନ୍ୟତା ପାଇବା ପାଇଁ ଅପରିମିତ କସରତ।

କହିବା ନିଷ୍ପ୍ରୟୋଜନ ରୋଗୀଙ୍କ ସଂଖ୍ୟା ଠାରୁ ଢେର ଗୁଣରେ ଅଧିକ ଥିଲା ତଥାକଥିତ ସ୍ବଘୋଷିତ ଦାନବୀରମାନଙ୍କ ଉପସ୍ଥାନ। ଟିଭିରେ ମୁହଁ ଦେଖାଇବା ଲାଗି ଅହେତୁକ ଆକର୍ଷଣ ହେତୁ ଘଟିଛି ଦଳାଚକଟା। ଏହି ମହତ୍ କାର୍ଯ୍ୟରେ ପନ୍ଦର ଜଣ ସମର୍ଥକ ଆହତ ହୋଇ ଦାତବ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଲେ ଚିକିତ୍ସା ପାଇଁ। ମହାଦାନୀର ମାନପତ୍ର ଆଶାୟୀ ସମର୍ଥକମାନେ ଦାତବ୍ୟ ଚିକିତ୍ସାଳୟରେ ମାଗଣା ସେବାର ଗ୍ରହୀତା ହୋଇ ଯାଇଥିଲେ ଘଟଣା ଚକ୍ରରେ!!



Rate this content
Log in

Similar oriya story from Tragedy