sushama Parija

Tragedy

3  

sushama Parija

Tragedy

ବାଘୁଣୀର ପ୍ରତିଶୋଧ

ବାଘୁଣୀର ପ୍ରତିଶୋଧ

5 mins
7.3K


ବର ବରଣୀ ସରିଲା ପରେ ସାଙ୍ଗରେ ଆସିଥିବା ଲାଇଟ୍ ବାଜାର କଣ୍ଟ୍ରାକ୍ଟରକୁ ଖୋଜିଲେ ବବରପକ୍ଷର ମୁଖିଆ। ମୂଲିଆ ମାନଙ୍କ ପାଉଣା ଦେଇ ସାରି କହିଲେ ,ବରଯାତ୍ରୀଙ୍କ ଖାଇସାରିବା ପରେ ତମ ଲୋକମାନଙ୍କୁ କହିବ ଖାଇସାରି ଯିବେ। ଲାଇଟ୍ କୁଣ୍ଡ ଗୁଡିକ ତଳେ ଥୋଇଦେଇ ବିଶ୍ରାମ ନେଉଥିଲେ ମୂଲିଆଣୀ ଦଳ। ବାଜାବାଲା ମାନେ ଦଳ ଦଳ ହୋଇ ଠିଆ ହୋଇ ବିଡି ଧୂଆଁ ଉଡେଇ ଗପସପ କରିବାରେ ବ୍ୟସ୍ତ । ସରଳା କହିଲା ଛବି ମାଆକୁ '' ଖୁଡୀ ମ ! ଚାଲ ଘରକୁ ଫେରି ଯିବା । ତିନି ତିନିଟା ଛୁଆଙ୍କୁ ଘରେ ଛାଡି ଦେଇ ଆସିଛି । ସେଥିରେ ମଝିଆଣୀ ଟାକୁ ଦି 'ଦିନ ହେଲାରାତି ହେଲାଣି, ବରଯାତ୍ରୀଙ୍କ ଖାଇବା ସରିଲା ବେଳକୁ ଆହୁରି ଘଣ୍ଟାଏ କି ଦି 'ଘଣ୍ଟା ଡେରି । ତା 'ପରେ ଯାଇ ଆମ ଖାଇବା ହେବ। ସରୁ ସରୁ ରାତି ଗୋଟାଏ କି ଦି 'ଟା ବାଜିବ। ଘରେ ପହଞ୍ଚିଲା ବେଳକୁ ସକାଳ ହେବ ଜାଣ ''। ଛବି ବୋଉ ଖୁଡୀ ତାଙ୍କ ମୂଲିଆଣୀ ଦଳର ନେତ୍ରୀ । ସାଲିଆ ସାହି ମା ମଙ୍ଗଳା ନାରୀ ସଙ୍ଘର ମୁଖ୍ୟ ସମ୍ପାଦିକା । ସାରା ଭୂବନେଶ୍ୱରରେ ଯାହାର ବରଯାତ୍ରୀ ପ୍ରୋସେସନ୍ ହେବ ସେଠି ଆଗ ଖୋଜା ପଡିବ ଛବି ମାଆକୁ । ରୋଷଣୀ ପାଇଁ ଲାଇଟ୍ ମୁଣ୍ଡାଇବାକୁ ଲୋକ ସିଏ ଯୋଗାଇ ଦେବ। ନାରୀ ସଙ୍ଘର ପାରିଲା ମାଇପି ମାନଙ୍କୁ ହେପାଜତରେ ନେବ, ଆଣିବ , ଆଉ ହାତେ ହାତେ ପାଉଣା ଗଣ୍ଡାକ ମଧ୍ୟ ଦେଇଦେବ। ସେଥିଲାଗି ସାଲିଆସାହିର ନାରୀ ମହଲରେ ତା'ର ଭାରି ଖାତିର୍ । ସାହି ଗୋଟାକର ଭଲ ମନ୍ଦ ସବୁ ଖବର ତା'ନଖ ଦର୍ପଣରେ । ସରଳାର କଥା ଶୁଣି ସେ କହିଲା '' ଚାଲରେ ପିଲାଏ ! ଆଜି ଭୋଜିଭାତ ନହେଲା ନାହିଁ , ଠିକାଦାରକୁ କହିବି ସେ ଜଣା ତିରିଶ ଟଙ୍କା କରି ଖାଇବା ଖର୍ଚ୍ଚ ଦେଇଦଉ , ଆମେ ଘରକୁ ଫେରି ଯିବା ''। ଠିକାଦାରକୁ କହି ପାଉଣା ପତ୍ର ତୁଟେଇ ଘରେ ପହଞ୍ଚିଲା ବେଳକୁ ରାତି ତିନିଟା ବାଜିଲାଣି ।

ଜରୁଆ ଛୁଆଟାକୁ ଘରେ ଛାଡି ଦେଇ ଯାଇଛି ବୋଲି ତରତର ହୋଇ ନିଜର ଚାଳିଆ ଘର ଆଡକୁ ପାଦ ବଢାଇଲା ସରଳା । ବାପ ଟା ତ ମଦୁଆ । ମୂଲ ଲାଗି ଯାହା ରୋଜଗାର କରେ ଅଧାରୁ ବେଶୀ ଯାଏ ମଦଭାଟିରେ। ସରଳା ଖାସ୍ ସେଇଥି ଲାଗି ଦିନ ମଜୁରି ବାଦ୍ ରେ ଏ ଲାଇଟ୍ ମୁଣ୍ଡାଇବା କାମ କରି ଘର ଚଳେଇବା ପାଇଁ ବାଧ୍ୟ ହୋଇଯାଏ। ଦଶ ବର୍ଷ ତଳେ ଚାରି ବରଷର ମୁନି ଆଉ ତିନି ମାସର ସୁନିକୁ ନେଇ

ରୋଜଗାର ଆଶାରେ କରୁଣାକର ଆଉ ସରଳା ଦାରିଙ୍ଗବାଡ଼ିର ଭିଟାମାଟି ଛାଡି ଆସିଥିଲେ ଭୂବନେଶ୍ୱରକୁ । ଏଇଠି ରହି ମୂଲ ମଜୁରୀ ଲାଗି ପେଟପୋଷି ଦିନ କାଟୁଥିଲେ । ଦି 'ଜଣଙ୍କ ରୋଜଗାରରେ ସୁରୁଖୁରୁରେ ଚଳି ଯାଉଥିଲା ସଂସାର। ହେଲେ ଏଇଠି ସାଲିଆସାହିରେ ଆସି ରହିବା ଦିନୁ ସାଙ୍ଗସାଥୀ ମେଳରେ ପଡି କରୁଣା ହାଣ୍ଡିଆ ପିଇବା ଛାଡି ମଦ ପିଇଲା। ଖାଲି ପିଇଲା ନାହିଁ ତ ପିଇ କରି ମାତାଲ ତ ହେଲା । ପିଆ ପିଇ କରି ଆଜି ୟା ସାଙ୍ଗରେ ତ କାଲି ତା ' ସାଙ୍ଗରେ ଝଗଡ଼ା ଝାଟି କରୁଥିଲା । ଟିକିଏ ଟିକିଏ କଥାରେ ସରଳା ଉପରକୁ ହାତ ଉଠାଉଥିଲା । ମଦ ଯେମିତି କରୁଣାକୁ ମଣିଷରୁ ପଶୁ ବନେଇ ଦେଇଥିଲା। ମଦ ଟୋପାଏ ପିଇ ଦେଲା ପରେ ତା 'ର ପାଶବିକ କ୍ଷୁଧା ବଢି ଯାଉଥିଲା , ତେଣୁ ସେ ବେଳ ଅବେଳ , ସ୍ଥାନ ,କାଳ , ପାତ୍ର କିଛି ବି ବୁଝୁ ନଥିଲା । ସରଳା ମଧ୍ୟ ତା'ରି ଭଳିଆ ଦିନ ମଜୁରିଆ ଭାବେ ଖଟି ଖଟି ସଞବେଳେ ଘରକୁ ଫେରି ରୋଷେଇବାସ କରି ଥକି ଯାଇଥିବ , ସେକଥା ସେ ବୁଝୁ ନଥିଲା ।

ସେଥିଲାଗି ସରଳାର ତିନି ତିନି ଥର ଗର୍ଭ ନଷ୍ଟ କଲା ପରେ ମଧ୍ୟ ତୃତୀୟ କନ୍ୟା ସନ୍ତାନ ଟିନି ଆସି ସାରିଥିଲା ତାଙ୍କ ସଂସାରକୁ। ତଥାପି ପ୍ରକୃତି ଛାଡୁ ନଥିଲା କରୁଣାକର । ସେଇ କଥା ଭାବି ଭାବି ଚିନ୍ତା

ବଢୁଥିଲା ସରଳାର। ସାନ ଝିଅକୁ ଜନ୍ମ ଦେଲା ପରେ ଅତ୍ୟନ୍ତ ଦୁର୍ବଳ ହୋଇ ପଡିଥିଲା ସରଳା। ଏବେ ସେ ଯଥା ସମ୍ଭବ ଦୂରେଇ ଦୂରେଇ ରହୁଥିଲା କରୁଣା ଠାରୁ । ତଥାପି ତାକୁ ନିସ୍ତାର ମିଳୁ ନଥିଲା ।

ଏମିତି ଭାବି ଭାବି ଯାଉ ଯାଉ କେତେବେଳେ ନିଜ ଘର ପାଖରେ ପହଞ୍ଚି ଯାଇଥିଲା ତା'କୁ ମାଲୁମ୍ ନଥିଲା । ଆଜିକାଲି ସେ ଏମିତି ଲାଇଟ୍ ମୁଣ୍ଡାଇବାକୁ ଗଲେ ଦାଣ୍ଡ କବାଟ ଭିତରୁ ବନ୍ଦ ନକରିବାକୁ ଘରେ କହିଯାଏ ସରଳା , ତେଣୁ ଯେତେ ରାତିରେ ବି ଫେରିଲେ ଆଉ ତା'କୁ କାହାରିକୁ ଡାକିବାକୁ ପଡେନାହିଁ।

ଦାଣ୍ଡ କବାଟ ଠେଲି ଘରେ ପଶିଲା ସରଳା । ଘରସାରା କିଟିକିଟିଆ ଅନ୍ଧାର । ଦି ବଖୁରିଆ ଘରଟିର ଗୋଟିଏ ବଖରାରେ ଶୁଏ କରୁଣାକର ଅନ୍ୟ ବଖରା ଟିରେ ସରଳା ତା'ର ତିନି ଝିଅଙ୍କୁ ଧରି ଶୁଏ । ଘର ବାରଣ୍ଡାରେ ଗୋଟାଏ ପଟକୁ ଚୁଲିଟିଏ କରି ସେଇଠି ରୋଷେଇ ବାସ କରେ। ଅଣ୍ଡାଳି ଅଣ୍ଡାଳି ଆଗ

ସେଇଠିକୁ ଗଲା ସରଳା । ଦିଆସିଲିଟି ଖୋଜି ଲଣ୍ଠନ ଟିକୁ ଲଗାଇଲା। ଲଣ୍ଠନଟି ଧରି ପିଲାମାନଙ୍କ ଶୋଇବା ଘର କୁ ଯାଉଛି କ'ଣ ଗୋଟାଏ ଗଁ ଗଁ ଶବ୍ଦ ଶୁଣି ପାଦ ଦୁଇଟି ଅଟକି ଗଲା ସରଳାର। ମନେମନେ ଭାବିଲା ବୋଧହୁଏ କରୁଣା ଢୋଲେ ପିଇ ଦେଇ ଆସିଛି ଆଉ ନିଶା ଜୋର୍ ରେ ଏମିତି ଗଁ ଗଁ ହେଉଛି । ଲଣ୍ଠନଟି ଟେକି ଧରି କରୁଣା ଶୋଇବା ଘର କବାଟ ଖୋଲି ଦେଖିଲା ସେ । କରୁଣାର ଦେଖା ଦର୍ଶନ ନଥିଲା ସେ ଘରେ। ମନରେ ଖଟକା ଲାଗିଲା ତା'ର। ମଦ ପେଟେ ପିଇ ଦେଇ କୋଉଠି ଆଉ ପଡି ନାହିଁ ତ ? ଆହା ,ମୋ ପିଲା ଗୁଡିକ ଆଜି ଏକୁଟିଆ କେମିତି ରହିଥିବେଟି ଏତେବେଳ ଯାଏଁ ?

ପିଲାଙ୍କ ଶୋଇବା ଘର ଆଡକୁ ଧାଇଁଲା ସରଳା । କବାଟ ଦର ଆଉଜା ଅଛି ଦେଖି କବାଟ ଟାକୁ ଖୋଲି

ଘର ଭିତରେ ପାଦ ପକେଇଲା । କ'ଣ ଗୋଟାଏ ସଁ ସଁ ଗଁ ଗଁ ଶବ୍ଦ ଶୁଭୁଛି, ଲଣ୍ଠନ ଟାକୁ ଆଉ ଟିକିଏ ତେଜି ଦେଲା । ଘର ଭିତରର ଦୃଶ୍ୟ ଦେଖି ଆଖି ଦୁଇଟା ବିସ୍ଫାରିତ ହେଇଗଲା ତା'ର । ବଡ ଝିଅ ମୁହଁରେ ହାତ ଟାକୁ ଚାପି ଧରି ମାଡି ବସିଛି କରୁଣା । ଯନ୍ତ୍ରଣାରେ ଛଟପଟ ହୋଇ ଗୋଡ ହାତ ବାଡେଇ ଛାଟି ପିଟି ହେଉଛି ମୁନି ହେଲେ ରାକ୍ଷସ ବାପର ଜାନ୍ତବ କ୍ଷୁଧାରୁ ନିଜକୁ ମୁକ୍ତ କରି ପାରୁ ନାହିଁ । ଉଲଗ୍ନ କରୁଣାକର ବାଘ ଶିକାରକୁ ଝୁଣି ଖାଇଗଲା ପରି ଝୁଣି ପକାଉଛି ମୁନିକୁ। କରୁଣାକରର ଶକ୍ତିଶାଳୀ ପଂଝାରେ ଦାବି ହୋଇ ଅଣନିଃଶ୍ବାସୀ ହୋଇ ପଡୁଥିବା ମୁନିର ଆଖିରୁ ଲୁହ ଧାର ଗଡି ତକିଆ ଓଦା ହେଉଛି ସିନା ରାକ୍ଷସ ବାପର ମନ ଓଦା ହେଉନାହିଁ । ମୁନିର ଗଁ ଗଁ ଆଉ କରୁଣାକର ର ସଁ ସଁ ଶବ୍ଦ ମିଶି ଘର ଟାରେ ଗୋଟାଏ ଭୟଙ୍କର ଶବ୍ଦ କୁଣ୍ଡଳୀ ସୃଷ୍ଟି ହେଉଛି। ସ୍ତବ୍ଧ ହୋଇ ଠିଆ ହୋଇଥିବା ସରଳାର ମୁଣ୍ଡରେ କିଛି ବୁଦ୍ଧି ପଶିଲା ନାହିଁ ସେ କ'ଣ କରିବ ବୋଲି । ହଠାତ୍ ସେ ଦୌଡି ଯାଇ ଚୁଲି ପାଖରେ ଥୁଆ ହୋଇଥିବା ପନିକିଟାକୁ ଭିଡି ଆଣି ପକେଇଲା ଦି ' ପାହାର କରୁଣାକରର ବେକ କୁ। ଗଣ୍ଡି ମୁଣ୍ଡ ଅଲଗା ହୋଇ ରକ୍ତ ଛିଟିକି ମୁହଁରେ ପଡିଲା ସରଳାର। ସ୍ଥାଣୁ ଭଳି ଠିଆ ହୋଇ ଥିଲା ସେ । ରକ୍ତ ସମୁଦ୍ରରେ ଭାସୁଥିଲା କରୁଣାକରର ଶବ। ରାକ୍ଷସ ବାପାର ପଂଝାରୁ ଖସି ଯାଇ ଅଧାଲଙ୍ଗଳା ମୁନି ଘରର ଗୋଟିଏ କଣରେ ଠିଆ ହୋଇ ଗୋଟାପଣେ ଥରୁଥିଲା । କିଛି ସମୟ ପରେ ନିଜେ ଉଠି ଠିଆ ହେଲା ସରଳା । ଘରୁ ଚାଲି ଚାଲି ଯାଇ ପହଞ୍ଚିଲା ଛବି ମାଆ ଘରେ। ତାକୁ ସବୁ ଘଟଣା କହି ପିଲାଙ୍କ ଦାୟିତ୍ୱ ନେବା ଲାଗି କହି ଏକା ଏକା ଗଲା ପୋଲିସ୍ ଷ୍ଟେସନ୍ । ନିଜର ଅପରାଧ ସ୍ବୀକାର କରି ହାଜତକୁ ଗଲା ବେଳକୁ କିନ୍ତୁ ତା' ଆଖିରେ ଟୋପାଏ ବି ଲୁହ ନଥିଲା ।


Rate this content
Log in

Similar oriya story from Tragedy