Jayashree Maharana

Tragedy Inspirational

3  

Jayashree Maharana

Tragedy Inspirational

ଅନୁତାପ

ଅନୁତାପ

3 mins
231


 ସମ୍ପୂର୍ଣ୍ଣ ଘରଟି ନିରବତାରେ ଭରପୂର । ମିଷ୍ଟର ଦାସ ନିରବ । ନିରବ ସମସ୍ତ ପରିବାରଜନ । ନିରବ ଘରର ପ୍ରତିଟି ପାଳିତ ପଶୁ । 

ଆଜି ଘରର ସମସ୍ତ ସଦସ୍ୟ ତଥା ସ୍ତ୍ରୀ,ପୁଅ ବୋହୂ ,ଝିଅ ଜ୍ବାଇଁ ସହ ଚାକର ପୂଜାରୀଙ୍କୁ ଏକାଠି ଡାକିବାର କାରଣ ସମସ୍ତଙ୍କୁ ଚକିତ କରିଦେଉଛି । ଆଜିଯାଏଁ ନିଜ କାମ,ଧନ ପ୍ରତିପତ୍ତିର ଅହଂକାରରେ ରୁକ୍ଷ ମୁହଁଟି ଆଜି ଶାନ୍ତ ସୁନ୍ଦର ଲାଗୁଥିଲା । 


 ସମସ୍ତଙ୍କ ନିରବତା ଭଙ୍ଗ କରି ଦାସ ବାବୁ ନିଜ ସ୍ତ୍ରୀ ରମାଦେବୀଙ୍କୁ ପାଖକୁ ଡାକିଲେ । ପ୍ରଥମ କରି ସ୍ୱାମୀଙ୍କ ମୁହଁରୁ ନିଜ ନାମ ଶୁଣି ଖୁସିରେ ଅଧୀର ହୋଇଯାଉଥିଲେ ରମାଦେବୀ । ଘଡ଼ିଏ ନିରେଖି ଚାହିଁଲେ ସ୍ୱାମୀଙ୍କୁ । ଆଜି କାହିଁକି ଏ ପରିବର୍ତ୍ତନ । ନିଜ ପାଖରେ ବସାଇ ଘରର ସମସ୍ତ ସଦସ୍ୟଙ୍କୁ ବସିବାକୁ କହି କିଛି ସମୟ ଚୁପ ହୋଇଗଲେ । 


  ନିଜେ ନିଜର ଥାକରୁ କିଛି କାଗଜ ପତ୍ର ଆଣି ସ୍ତ୍ରୀଙ୍କୁ ଦସ୍ତଖତ କରିବାକୁ କହିଲେ । ସନ୍ଦେହରେ ସମସ୍ତେ ପରସ୍ପର ମୁହଁକୁ ଚାହିଁବା ଦେଖି ଦାସ ବାବୁ ଆରମ୍ଭ କଲେ । ରମା ଟିକିଏ ରୁହ । ମୁଁ ଜାଣେ ତୁମେ ବିନା କୌଣସି ପ୍ରଶ୍ନରେ ନିଶ୍ଚିତ ଦସ୍ତଖତ କରିଦେବ କିନ୍ତୁ ଦସ୍ତଖତ କରିବା ପୂର୍ବରୁ ମୋ କଥା କଣ ଶୁଣିବ ନାହିଁ ଆଜି । ରମାଦେବୀ ମୁଣ୍ଡ ନୁଆଇଁ ହଁ ଭରିଲେ । 


 ଦାସ ବାବୁ ନିଜ ହୃଦୟର କଥା ବଖାଣି ବସିଲେ .....…


 ପିଲାଦିନୁ ଗରିବୀ ସହି ସହି ହୃଦୟଟା ମୋର କେବେ ପଥର ହୋଇଗଲା ଜାଣେନି । ସମାଜର ଠୋକର,ଉପହାସ ଶୁଣି ଶୁଣି ନିଜ ମନ ଭିତରେ ପଣ କରି ବସିଲି । ମୁଁ ଦିନେ ବଡ ଲୋକ ହୋଇ ନିଶ୍ଚିତ ସମାଜକୁ ଜବାବ ଦେବି । ଯେଉଁ ଭଗବାନ ମୋତେ ଏ ଦୁନିଆକୁ ଆଣିଛନ୍ତି ଅଭିମାନରେ ତାଙ୍କୁ ବି ପର କରିଦେଲି । ମୋର ଏକମାତ୍ର ଲକ୍ଷ୍ୟ ହେଲା ବଡ଼ଲୋକ ହେବା । ହଁ ଏତିକି ନିଜ ଉପରେ ବିଶ୍ୱାସ କେବେ ଅସତ ଉପାୟର ସାହାରା ନେଇନାହିଁ । ଦିନ ରାତି ଚବିଶ ଘଣ୍ଟାରୁ 20 ଘଣ୍ଟା କାମ କରିଛି । ନିଜ ଶକ୍ତିଠାରୁ ଅଧିକ ପରିଶ୍ରମ କରି ଏ ଧନ ସମ୍ପଦ ରୋଜଗାର କରିଛି । ମିଛ ମୋହରେ ବାନ୍ଧିହୋଇଗଲି । ଗରିବ ଘର ଝିଅ ବୋଲି ବାବା ବୋଉଙ୍କ ଇଚ୍ଛାରେ ରମାକୁ ବିବାହ କରିଲି ସତ କିନ୍ତୁ କେବେ ଶଯ୍ୟାସଂଗୀନି ବ୍ୟତୀତ ଅନ୍ୟ କିଛି ମାନି ନାହିଁ । 


କୁହ ରମା ତୁମର କୌଣସି ଜିନିଷରେ ଅଭାବ କରିଛି ପରା ?


ରମାଦେବୀ- ନା ନା ତୁମେ ସେମିତି କାହିଁକି ଭାବୁଛ । ଖୁବ ସନ୍ତର୍ପଣରେ ଆଖିର ଲୁହକୁ ଲୁଚାଇବାକୁ ଚେଷ୍ଟା କରିବା ସମୟରେ ଦାସ ବାବୁ ହାତକୁ ଧରି କହିପକାଇଲେ ....ଜାଣେ ରମା । ସ୍ନେହଶ୍ରଦ୍ଧା ପ୍ରେମ ବିନା ଏସବୁ ମୂଲ୍ୟହୀନ । 


କିନ୍ତୁ ଆମ ପିଲାମାନଙ୍କୁ କୌଣସି ଜୀବନରେ କଣ କେବେ ଅବହେଳା କରିଛି । ଯୋଉ ଦୁଃଖ କଷ୍ଟ ମୁଁ ସହିଥିଲି ସେ ସବୁଠାରୁ ଦୂରେଇ ରଖିଛି । ସେମାନଙ୍କ ପାଠପଢା, ସୁସ୍ଥତା ପାଇଁ କେବେ ଅବହେଳା କରିଛି । 


କଥା ନ ସରୁଣୁ ବଡ଼ ପୁଅ ସୁରଜ କହିଲା ...ନା ବାବା । ତୁମେ ଦୁନିଆର ସବୁଠାରୁ ଯତ୍ନଶୀଳ । 


କିନ୍ତୁ କେବେ ପିତୃତ୍ବର ଖୁସି ମୁଁ ସାଉଁଟି ନାହିଁ ଜୀବନରେ । ସବୁବେଳେ ଟଙ୍କା ପଛରେ ଧାଇଁଛି । ତୁମ ମାଆ ନିଜକୁ ଆଉ ଏ ଘର ପରିବାରକୁ ସମ୍ଭାଳିଛି । କେବେ ପ୍ରତିବାଦ କରିନି । କେବେ ନିଜ କର୍ତ୍ତବ୍ୟରୁ ଓହରିନାହିଁ । ତୁମେମାନେ ଭୟରେ ହେଉ କିମ୍ବା ସମ୍ମାନରେ ମୋ ସାମନାରେ ମୁଣ୍ଡ ଉଠେଇ କଥା କହିନାହଁ । କେବେ ତୁମ୍ଭମାନଙ୍କ ସହ ସମୟ ବିତେଇ ନାହିଁ । କେବେ ହସମଜା କରିନାହିଁ । ଦୁଇ ଦୁଇଟି ବୋହୂ ଆଣିଲି ,ଝିଅ ବଦଳରେ ଜୋଇଁଟିଏ ପାଇଲି କେବେ ସେମାନଙ୍କ ସୁଖଦୁଃଖ ପଚାରିନାହିଁ । 


 କୁହନ୍ତି ନା ମଣିଷ ଯେ କୌଣସି ଜିନିଷର ଶେଷ ସୀମାରେ ପହଞ୍ଚିଗଲେ ସବୁକିଛି ଭୁଲିଯାଏ । ଆଜି ମୁଁ ଅହଂକାରର ଶେଷ ସୀମାରେ ପହଞ୍ଚିସାରିଛି । ଆଜି ଅନୁତାପରେ ମୋର ହୃଦୟ ବିଗଳିତ । ମୁଁ ବୁଝିପାରିଛି ଟଙ୍କା ପଇସା ଜୀବନର ସବୁ କିଛି ନୁହେଁ । ଟଙ୍କା ଦେଇ ମୃତ ମଣିଷକୁ ଜୀବନ୍ତ କରିହୁଏନି, ଟଙ୍କା ଦେଇ ସ୍ନେହଶ୍ରଦ୍ଧା ଭଲପାଇବା କିଣିହୁଏନି । କିଣିହୁଏ ଡରଭୟ ,ଘୃଣା ଆଉ ଅଭିଶାପ । 


ଏ ଜୀବନଟା ଆଉ କେତେଦିନ । ମରିବା ପୂର୍ବରୁ ଅନୁତାପର ଲୁହରେ ସବୁ ପାପ ଧୋଇଦେବାକୁ ଚାହେଁ । ରମାଦେବୀ ତାଙ୍କ ପାଟିରେ ହାତ ଦେଉ ଦେଉ କହିପକାଇଲେ ଏ ଅମଙ୍ଗଳ କଥା ତୁଣ୍ଡରେ ଧରିବ ନାହିଁ କହିଦେଉଛି । ଆଉ ଏ ଲୁହ କଣ ପାଇଁ । 


 ଏ ଆନନ୍ଦର ଲୁହ ରମା । ମୁଁ ଚାହେଁ ତୁମେମାନେ ମୋ ପରି ଟଙ୍କା ପଛରେ ଦଉଡିବ ନାହିଁ । ମାନୁଛି ଧନ ବିନା ଏ ସଂସାରେ ମାନ ସମ୍ମାନ ସଫଳତା ଅସମ୍ଭବ କିନ୍ତୁ ବିଶ୍ୱାସ ଥିଲେ ସବୁକିଛି ସମ୍ଭବ । ତୁମେ ସମସ୍ତେ ଏ ଧନ ପ୍ରତିପତ୍ତିର ଅଧିକାରୀ କିନ୍ତୁ ଅପବ୍ୟୟ କରିବ ନାହିଁ ବୋଲି ଆଶା । 


 ମୁଁ ମନସ୍ଥ କରିଛି ଏକ ଅନାଥ ଆଶ୍ରମ କରିବି । ତୁମେମାନେ କଣ ମୋତେ ସହଯୋଗ କରିବ ନାହିଁ ?


ସମସ୍ତଙ୍କ ମୁହଁରେ ଖୁସି । ସହମତିର ଭରସା ପାଇ ଆଖିରୁ ଝରିଯାଉଥିଲା ଲୁହ । ସମସ୍ତଙ୍କର ଅନୁମାନ ଏ ଲୁହ ଅନୁତାପର । କିନ୍ତୁ ମିଷ୍ଟର ଦାସ ହିଁ ଜାଣିଥିଲେ ଏ ଲୁହ ଅବଶୋଶର । ଜୀବନର ପ୍ରକୃତ ଅର୍ଥ ବୁଝିବା ପାଇଁ ବୋଧହୁଏ ଏ ଜୀବନଘାତି କର୍କଟ ଦ୍ୱାରା ସେ ପୀଡିତ । ଭଗବାନଙ୍କ ଲୀଳା ବି ବିଚିତ୍ର । ନଚେତ ତାଙ୍କପରି ଅଜ୍ଞାନ କଣ ଅନୁତାପରେ ଧୋଇପାରନ୍ତା ନିଜ ପାପକୁ । ଏଥର ସେ ଶାନ୍ତିରେ ଶେଷ ନିଃଶ୍ୱାସ ତ୍ୟାଗ କରିପାରିବେ । ଡାକ୍ତରଙ୍କ ଅନୁସାରେ ଜୀବନର ଆଉ କେତେଟା ମାସ ବଞ୍ଚିବେ ସେ ସମୟ ନିଜ ଲୋକଙ୍କ ସହ ହସଖୁସିରେ ବିତାଇପାରିବେ । 



Rate this content
Log in

Similar oriya story from Tragedy