Padmini Sahu

Abstract

3.4  

Padmini Sahu

Abstract

ଅନନ୍ୟାର ଅନୁଭୂତି

ଅନନ୍ୟାର ଅନୁଭୂତି

2 mins
196


       ପ୍ରିୟ ସାଙ୍ଗ ସୁକନ୍ୟା । ମୋର ଅଭିନନ୍ଦନ । ତୋ ପରିବାରର ଗୁରୁଜନଙ୍କୁ ପ୍ରଣାମ ଓ ସାନମାନଙ୍କୁ ମୋର ସ୍ନେହାଶିର୍ବାଦ ଜଣେଇବୁ l ଆଶାକରେ ପ୍ରଭୁ ଦୟାମୟ ତୋ ଭଲରେ ରଖିଥିବେ । 

   ଆଜି ତୋ କଥା ବହୁତ ମନେ ପଡୁଛି l ସେଇଥିପାଇଁ ଚିଠିଟିଏ ଲେଖୁଛି l ସେଦିନ ମୋତେ ଗାଁ ମେଳଣ ପଡିଆରେ ପଚାରୁଥିଲୁ ଅନନ୍ୟା, ତୋ ଶାଶୁଘରେ କେମିତି ଅଛୁ । ତୁ ତ ଚାକିରୀ କରୁଛୁ । ବହୁତ ଭଲରେ ଥିବୁ । ତୋ ସ୍ଵାମୀ ବି ଚାକିରିଆ । କିନ୍ତୁ ବହୁତ ଲୋକ ଭିଡ଼ ଯୋଗୁଁ ମୁଁ କିଛି କହିପାରିଲିନି । 

   ଶୁଣ, ମୁଁ କେମିତି ଅଛି । ଭୋର ସକାଳର କାଳୀ ଅନ୍ଧାରରରୁ ନିଝୁମ ରାତିର ବିଳମ୍ବିତ ପ୍ରହର ଯାଏ ଖଟି ଚାଲିଥାଏ । କେହି ଜଣେ କୁହନ୍ତିନି ଟିକେ ବସି ଯାଇ ଥକ୍କା ମାର ବୋଲି l କା ପାନରୁ ଚୂନ ଖସିଗଲେ,କା ଡ୍ରେସ ଇସ୍ତ୍ରୀ ନହେଲେ, ଟାଇମରେ ଚା ନ କରିପାରିଲେ ଘରେ ମିନି ମହାଭାରତ ... । ଅଭିମନ୍ୟୁକୁ ସପ୍ତରଥୀ ଘେରି ଗଲା ପରି ମୋତେ ଘେରି ଯାଆନ୍ତି । ମୁଁ ଅବାକ । ଚକ୍ରବ୍ୟୁହ ଭେଦି ଫେରିପାରେନି ମୁଁ l 

ଅଫିସ ଯିବା ପାଇଁ ମୁଁ ତର ବର ହେଉଥାଏ । ପୁଅ ରାହା ଧରି କାନ୍ଦୁଥାଏ । ରୋଷେଇ ଘରେ ଅଇଁଠା ବାସନ ଯେମିତି ବିଦ୍ରୂପ କରି ଡାକୁଥାନ୍ତି ଅନନ୍ୟା ଜଲଦି ଆମକୁ ସଫା କର l କାନ୍ଥ ଘଣ୍ଟା ନଅ ଥର ଟନ୍ ଟନ୍ କରି ବାଜି ଉଠିଲା । ସବୁ କାମ ସାରି ଅଫିସ ଯିବାକୁ ରେଡି ହେଲି । କପାଳରେ ଝାଳ ଟପ ଟପ ଖସି ପଡୁଥାଏ । ଭ୍ୟାନିଟ ଧରି ବହାରିପଡ଼େ ଅଫିସ । ନିଜ ଚୌକିରେ ଯାଇ ବସିପଡ଼ିଲି । 

  ସେପଟୁ ଦୃଢ ଗମ୍ଭୀର ସ୍ୱରରେ ଶୁଣାଗଲା, ଏତେ ଲେଟ । ଟାଇମ ଟେବୁଲ ଜଣା ନାହିଁ । ଉପରକୁ ମୁଁହ ଟେକି ଦେଖେତ ହାକିମଙ୍କ ନାଲି ଆଖି l କିଛି ନ କହି ନିଜ କାମରେ ଲାଗିଯାଏ l ସଞ୍ଜ ନଇଁ ଆସୁଥାଏ । ମୋ ପୁଅର ରାହା ଧରା କାନ୍ଦ ମୋ ଆଖି ଆଗରେ ନାଚି ଯାଉଥାଏ l ତର ତରରେ ଘରମୁଁହା ହେଲା ବେଳକୁ ପୁଣି କର୍କଶ ସ୍ୱରରେ ଶୁଣାଯାଏ, ଡେରିରେ ତ ଆସୁଛ,ଗଲାବେଳେ ଏତେ ତରତର କିଆଁ । ମୁଁ ନିରୁପାୟ !!!

   ବସଷ୍ଟାଣ୍ଡ ପାଖ ଦେଇ ଗଲାବେଳେ କାନରେ ବାତାରା ଟୋକାଙ୍କ ଡାଇଲଗ, ଓହଃ କଣ ଲାଗୁଛ ମ l ଶେଷରେ ଘରେ ପାଦ ଦେଉଦେଉ ଶାଶୁଙ୍କର ବାଣୀ, ଘରର ବୋହୁଟା ଫେରିବାରେ ଏତେ ଲେଟ । ଭ୍ୟାନିଟ ଧରି ଲଥ କିନା ବସିପଡ଼ିଲି । ମୋ ପୁଅକୁ କୋଳେଇ ନେଉ ନେଉ ରୋଷେଇ ଘର ହାତ ଠାରି ଡାକେ ଅନନ୍ୟା ଚା କରିବୁନି ???

   ରାତିର ନିଝୁମ ପ୍ରହର ବେଶୀ କଷ୍ଟ ମୋ ପାଇଁ !!! ସବୁ କାମ ସାରି ବିଶ୍ରାମ ଖୋଜୁଥିବା ଅବଶ ଦେହଟାକୁ ହଠାତ କେହି ଜଣେ ଭିଡି ନେଇଯାଏ ମୁଲାୟମ ଗଦିକୁ ..... । ଡେରି ଯାଏ ପ୍ରନ ଭିଡିଓ ଦେଖିସାରି ସ୍ୱାମୀ ଖୋଜେ ରୋମାନ୍ସ l ସେଥିରୁ ମୁକୁଳିବାକୁ ଚେଷ୍ଟା କଲାବେଳେ ସିଗାରେଟ ଗନ୍ଧ ଛଡା ପାଟିରୁ ବାହାରି ଆସେ, ଛି ଛି ...କି ଫ୍ରିଜିଡ଼ ମାଇକିନିଆ । ଆଖିରେ ଭରି ଯାଏ ଲୁହ, ଓଠରେ ଦବି ଯାଏ ହସ । ସତେ ଯେମିତି ମଣିଷ ଖୋଳ ଭିତରେ ମୁଁ ଏକା ମେସିନ । ନିଜକୁ ଧିକ୍କାର କରି ପଚାରେ, ମୁଁ ଚାକିରୀ କରି ଜିତିଛି, ନା ପୁଣି ହାରି ଯାଇଛି l ଆଖି ପତା ପଡ଼ୁପଡୁ କାନ୍ଥର ଘଣ୍ଟା ଚାରିଥର ବାଜି ଉଠେ l କ୍ରିଙ୍ଗ ....କ୍ରିଙ୍ଗ .....କ୍ରିଙ୍ଗ ...କ୍ରିଙ୍ଗ ଉଠ ଅନନ୍ୟା, ପୁଣି କାମ ସାରି ଅଫିସ ଯିବା ଯେ ... । ସେତେବେଳେ ପୁଅ କାନି ଭିଡି ଧରି ଛାଡ଼ୁନଥାଏ । 

ଶୁଣିଲୁ ତ ମୋ ନିତି ଦିନ ଜୀବନର କଥା l ମୁଁ ସୁଖେରେ ଅଛିକି ଦୁଃଖରେ ତୁ କହିବୁ ????? ତୁ କେମିତି ଅଛୁ ଜଣେଇବୁ । ରହିଲି ......... ।  

   ଇତି

ତୋର ଅତି ପ୍ରିୟ ସାଙ୍ଗ ଅନନ୍ୟା



Rate this content
Log in

Similar oriya story from Abstract