STORYMIRROR

linki barik

Inspirational

3  

linki barik

Inspirational

ଅମାବାସ୍ୟାର ଚାନ୍ଦ

ଅମାବାସ୍ୟାର ଚାନ୍ଦ

6 mins
215


ପ୍ରାପ୍ତିର ଆଶା ମନୁଷ୍ୟକୁ କରି ଦେଇ ପାରେ ତଳିତଳାନ୍ତ, କିନ୍ତୁ ପ୍ରାପ୍ତି ପାଇଁ ଉଦ୍ୟମ ମନୁଷ୍ୟ ଜୀବନରେ ଏକ ନୂତନ ସୂର୍ଯ୍ୟୋଦୟ ସୃଷ୍ଟି କରିବା ସହିତ ମନୁଷ୍ୟକୁ ଆଣିଦିଏ ରଙ୍ଗୀନ୍ ଦୁନିଆଁରେ ରଙ୍ଗବୋଳା ଚେନାଏ ଆତ୍ମତୃପ୍ତିର ହସ। ଏ ଦୁନିଆଁ ପ୍ରାପ୍ତି ଓ ଆପ୍ରାପ୍ତିର ଜଞ୍ଜିର ହୋଇଥିବା ବେଳେ ମନୁଷ୍ୟ ସମୟ ସ୍ରୋତରେ ବିଗତ ଆଗତ ନଥିବା ଏକ ଶୁଷ୍କ ପତ୍ର। ରଙ୍ଗମଞ୍ଚଟି ରଙ୍ଗୀନ୍ ଥିବାବେଳେ ମନୁଷ୍ୟ ବେରଙ୍ଗୀ। ମନରୂପକ ତୁରଙ୍ଗରେ ଲଗାମ ଦେବାକୁ ହେଲେ ବିବେକ ନାମ୍ନଧାରୀ ଶିକୁଳିକୁ ଆଗମନ କରିବାକୁ ପଡେ। ରସନା କିଛି ବ୍ୟକ୍ତ କରିବାକୁ ଯିବା ବେଳେ ମସ୍ତିଷ୍କକୁ ଥରେ ତର୍ଜମା କରିବାକୁ ପଡ଼େ।


    କଥାରେ କୁହନ୍ତି ଅମାବାସ୍ୟାରେ ଯେ ଜନ୍ମ ହୁଏ ସେ କେବେବି ଯୋଗଜନ୍ମା ହୋଇ ପାରେନା। କିପରି ଏକ ଅମାବାସ୍ୟା ବିଭାବରୀ ଏକ ଚାନ୍ଦକୁ ଜନ୍ମ ଦେଇଛି ଏହି କାହାଣୀରେ ତାହା ବ୍ୟକ୍ତ।


       ସୀତାଂଶୁର ଆଜି ମନ ଭଲ ନାହିଁ ବୋଧହୁଏ। ହଁ ରହିବ ବା କେମିତି! ଯିଏ ମାତ୍ର ମାସକରୁ ଜନ୍ମଦାତ୍ରୀ ମାଆକୁ ହରେଇ ସାରିଛି, କଳିକା ଥିବା ଅବସ୍ଥାରେ ବାପାଙ୍କୁ ହରେଇଛି, ସେ କି ଅବା ଖୁସି ହୋଇ ପାରିବ। ତଥାପି ସୀତାଂଶୁର ଆଜି ଟିକେ ବେଶୀ ମନଦୁଃଖ ସବୁଦିନ ଅପେକ୍ଷା। ସୀତାଂଶୁକୁ କଦାପି ମନକଷ୍ଟରେ ଦେଖି ପାରେନା ସୁମନ। ସୁମନ ସୀତାଂଶୁର ବାଲ୍ୟ ବନ୍ଧୁ ସହିତ ପ୍ରେମିକା ମଧ୍ୟ, ଏବଂ ଦୁହେଁ ଖୁବ୍ ଜଲ୍ଦି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।


      ସହରର ଶେଷାଂଶର ସମୁଦ୍ର କୂଳରେ ସମୁଦ୍ରଠୁ କିଛି ଦୂରରେ ନିଜର ମନସୀଜ ଚେହେରାକୁ ଲେଟାଇ ଦେଇ ସୀତାଂଶୁ ଚାହିଁରହିଛି ଅପଲକେ ଏକଳୟରେ ସେଇ ବ୍ୟୋମକୁ। ଅପଲକ ନେତ୍ର, ହାତ ଦୁଇଟି ମୁଣ୍ଡର ଆସରା, ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ଲେଟାଇ ଥିବା ବେଳେ ଆଉ ଗୋଟିଏ ଗୋଡ଼ ଆଣ୍ଠୁଭାଙ୍ଗି ଶୋଇରହିଛି ସୌମ୍ୟକାନ୍ତ ଯୁବକ ସୀତାଂଶୁ।ସୀତାଂଶୁକୁ ଖୋଜିଖୋଜି ନପାଇ ଯାଇ ପହଞ୍ଚିଛି ସୁମନ।


ସୁମନ:–– ତୁ ଏଇଠି ଶୋଇଛୁ!... ମୁଁ ତତେ ଯାଇ ପୁରା ସହରଟା ସାରା ଖୋଜି ଆସିଲାଣି।


ସୀତାଂଶୁ:–– ଏ ନଖରୀ!... ତୁ ଭଲ ଭାବେ ଜାଣୁ। ମୁଁ ଯେବେ ଘରେ ନଥାଏ ସେବେ ଏଇଠି ହଁ ଥାଏ। ତଥାପି ତୁ ସାରା ସହରଟା କଣ ପାଇଁ ଖୋଜୁଥିଲୁ ମୁଁ ଟିକେ ଶୁଣେ!...


ସୁମନ:––– ନା... ନା... ମୁଁ ସେମିତି ଟିକେ କହିଦେଲି ନା!... ତୁ ଜଲଦି ମୋ ସହ ଘରକୁ ଯିବୁ ବୋଲି।... କହିକହି ସୁମନ ଯାଇ ସୀତାଂଶୁ ପାଖରେ ବସି ପଡିଲା।... ଏଥର ଚାଲ୍!... ଘରକୁ ଯିବୁ?????? ନା ରାତି ସାରା ଏଇଠି କାଟି ଦେବାକୁ ପଡ଼ିବ?????????


ସୀତାଂଶୁ:––– ଆଉ କିଛି ସମୟ ରହ ନା।... ଏମିତି ଗୁମସୁମ୍ ପରିବେଶ ଘରେ ଆଉ ମିଳିବନି।


ସୁମନ:–– ଥାଉ ଥାଉ!... ସେତିକି ଥାଉ ତୋ ମାଖନ ମାରିବା।... କାଲିକି ଯେମିତି ଏ ସହର କୁଆଡେ ପଳେଇଥିବ ନା ଏ ସମୁଦ୍ରକୂଳ କୁଆଡେ ଚାଲି ଯାଇଥିବ?????


   କେହି କୁଆଡେ଼ ଯାଇ ନଥିବେ ସୋମୁ!... ହେଲେ ଆଜିର ଏଇ ସମୟ ଆଉ ନଥିବ।... ଆଛା ଛାଡ଼ ଏବେ ସମୟ କଥା।... କହିଲୁ ଘରେ ଆମ ବିଷୟରେ କଣ ନିଷ୍ପତ୍ତି ନେଲେ??????? ବାପା ମାନିଗଲେ ନା ଆଉ କିଛି କହିଲେ?????


ସୁମନ:–– ବାପାଙ୍କର ସେଇ ଗୋଟିଏ କଥା।...


  ସୋମୁ!... ଆଜି ତତେ ଗୋଟେ ଗପ କହିବାକୁ ଇଚ୍ଛା ହଉଛି। କହିବି ନିଶ୍ଚୟ।... ଶୁଣିବୁ ନା??????


ସୁମନ:–– ନିଶ୍ଚୟ ଶୁଣିବି। ଗପ ଶୁଣିବାକୁ ତ ମୋତେ ବହୁତ୍ ଭଲ ଲାଗେ। ତୁ କହ।


  ଶୁଣୁ ତାହେଲେ!...୨୮ ବର୍ଷ ତଳର କଥା। ଆନନ୍ଦପୁର ଗାଆଁରେ ଭାରି ଗହଳ ଚହଳ। ଗାଁ ମଝିରେ ଅବଧାନଙ୍କ ଘର। ଗହଳ ଚହଳର କାରଣ, ଆଜି ଅବଧାନେ ମହାଶୟଙ୍କ ସାନବୋହୁଙ୍କ ସାଦଖିଆ ପର୍ବ। ସାନବୋହୁ ଆଉ ଦୁଇ ବୋହୁଙ୍କ ସମେତ ଅଗଣାରେ ବସିଛନ୍ତି। ନାଲିରଙ୍ଗର ପାଟଶାଢ଼ୀର ସତେକି ଦେବୀପ୍ରତିମା ଦୃଶ୍ୟମାନ। ଗାଁ ମାଇପେ ମାନେ କିଏ କେତେ ପ୍ରକାରେ ଆସି ସାଦଭାରରୁ ଟିକେ ଖୁଆଇ ଦେଇ ଯାଉଛି। ଆଉ ଆସୁଥିବା ନବାଗତ ଅତିଥିଙ୍କୁ ଆଶୀର୍ବାଦ କରି ଯାଉଛି। ବଡ଼ ଆଉ ମଝିଆଁ ବୋହୁ ସାନ ବୋହୁଙ୍କ ପାଖେ ପାଖେ ଥାଆନ୍ତି ସତ, କିନ୍ତୁ ଅନିଚ୍ଛା ସତ୍ତ୍ୱେ। ଶ୍ଵଶୁର ମହାଶୟଙ୍କ ନିର୍ଦ୍ଦେଶରେ। କାରଣ ସେମାନେ ଗର୍ଭବତୀ ଥିବା ଅବସ୍ଥାରେ ସେମାନଙ୍କ ପାଇଁ ଏଟେ ବଡ଼ ଆୟୋଜନ କରି ନଥିଲେ ଶ୍ୱଶୁର ମହାଶୟ। ସାନ ବୋହୁମାଆଙ୍କୁ ଅବଧାନେ ମାଷ୍ଟ୍ରେ ଟିକେ ଶ୍ରଦ୍ଧା କରନ୍ତି ତ!... ସବୁ ଦୃଶ୍ୟକୁ ଅବଧାନେ ଦୂରରୁ ଦେଖି ଆନନ୍ଦ ଅଶ୍ରୁ ଗଡାଉଥିଲେ। ସାଦଖିଆ ପର୍ବ ଚାଲିଥାଏ। ଘରେ ଖୁସିର ଗଗନେ ଆତ୍ମତୃପ୍ତିର ଚପଳା ଚମକୁ ଥାଏ। ହଠାତ୍ ସାନପୁଅଙ୍କ ବିକଟାଳ ଚିତ୍କାର ଶୁଭିଲା। ସମସ୍ତେ ଦଉଡ଼ି ଯାଇ ଦେଖନ୍ତି ତ, ଅବଧାନେଙ୍କ ସାନ ପୁଅ ରଘୁନନ୍ଦନ ବାମ ପଟ ଛାତିରେ ହାତ ରଖି ଖୁବ୍ ଜୋର୍ରେ ଚିତ୍କାର କରୁଥାନ୍ତି। ଘର ଠାରୁ ଚିକିତ୍ସାଳୟ ବିଶେଷ ଦୂର ହୋଇଥିବାରୁ ଚିକିତ୍ସାଳୟ ଯିବା ବାଟରେ ହିଁ ହୃଦଘାତ ରୋଗରେ ପ୍ରାଣ ହରାଇଲେ ରଘୁନନ୍ଦନ। ନିଜର ପ୍ରଥମ ପିଲାର ଆଗମନ ନିମନ୍ତେ ଏତେ ଖୁସି ସମାରୋହ କାଳରେ ଏପରି ଏକ ଶକ୍ତ ଦାରୁଣ ଦଣ୍ଡକୁ ଗ୍ରହଣ କରି ପାରି ନଥିଲେ ସାନବୋହୁ। ଅବଧାନେଙ୍କ ସାହାରାରେ ନିଜ ବୈଧବ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ଅପେକ୍ଷା କରିଥିଲେ ଆଶାର ଆଉ ଏକ କିରଣକୁ। କିଛିଦିନ ବିତିଗଲା ପରେ ଆସି ପହଁଚିଲା ଏକ ଅମାବାସ୍ୟାର ରାତି। ଅମାବାସ୍ୟା ରଜନୀରେ ସେଦିନ ଇରମ୍ବଦ ଯେମିତି ଅରାତି ସାଜିଲା। ସୌଦାମିନୀର ତାଣ୍ଡବ ରୂପ ସହିତ ଉପଳ ଅମ୍ବୁଦ ଯେପରି ସବୁରି ଘରେ ପ୍ରକୃତିର ତାଲା ପକେଇ ଭୈରବ ମୁଣ୍ଡ ଟେକି ତାଣ୍ଡବ ନୃତ୍ୟ କଲା। ଅବଧାନେଙ୍କ ଘରେ ଯନ୍ତ୍ରଣାର କ୍ରନ୍ଦନ ସ୍ବର ଛୁଟି ଆସୁଛି। ଅବଧାନେ ନା ସହି ପାରୁଛନ୍ତି ନା ଧର୍ଯ୍ୟ ଧରି ରହି ପାରୁଛନ୍ତି। ସାନବୋହୁଙ୍କ ସାଦଖିଆ ଦିନ ସାନପୁଅର ମୃତ୍ୟୁ ହେବା ଯୋଗୁଁ ଗାଆଁ ଲୋକେ ଭାବି ନେଇଛନ୍ତି ସନ୍ତାନଟି ଏକ ଅଭିଶାପ ସ୍ୱରୂପ ଅବଧାନଙ୍କ ଘରକୁ ଆସ

ୁଛି। ତେଣୁ କେହି ଜଣେ ବି ଆସୁନାହାନ୍ତି ଡରିକି। ଅବଧାନେ ବ୍ୟସ୍ଥତା ଭିତରେ ବାରମ୍ବାର ଶିବସମ୍ଭୁଙ୍କୁ ମଥାନତ ପ୍ରଣାମ ଜଣାଇ ବାରିଦୁଆରମୁହଁରୁ ଦାଣ୍ଡଦୁଆରମୁହଁ ହେଉଛନ୍ତି।... ରାତି ବଢ଼ି ବଢ଼ି ଚାଲିଛି।... ବୋହୁମାଙ୍କର ଗର୍ଭ ଯନ୍ତ୍ରଣା ମଧ୍ୟ ବଢ଼ିବାରେ ଲାଗିଛି। ଯଦିବା ବଡବୋହୁ ଏବଂ ମଝିଆଁବୋହୁ ତାଙ୍କ ପାଖେ ପାଖେ ଅଛନ୍ତି, ସେମାନେ ମଧ୍ୟ ନିରୁପାୟ। କାରଣ ସେମାନେ ମଧ୍ୟ ଏଇ କିଛି ଦିନର ବୋହୁ। ଯଦି ରଙ୍ଗ ଅପା, କାମିନୀ ଅପା ଆଉ ପାର୍ବତୀ ମାଉସୀ ଥରେ ଆସି ଦେଖି ଯାଆନ୍ତେ ତେବେ ହୁଏତ କିଛି ଫଳପ୍ରଦ ହୁଅନ୍ତା। ଅବଧାନେ ଯାଇ ସଭିଙ୍କୁ ଥରେ ଥରେ ଡାକି ଆସିଲେଣି।... ବିଭିନ୍ନ ଆଳ ସୃଷ୍ଟି କରି ସେମାନେ ମଧ୍ୟ ଆସିବାକୁ ନାରାଜ। ହଠାତ୍ କବାଟ ଠକ୍ ଠକ୍ ଶବ୍ଦ ହେବାରୁ ଅବଧାନେ ଯାଇ ଦେଖନ୍ତି ତ, ଏକା ଅପରିଚିତ ମହିଳା ମୁଖରେ ସ୍ମିତହାସ୍ୟର ରେଖା ଟାଣି ଛିଡ଼ା ହୋଇଛନ୍ତି। ଆଗନ୍ତୁକ ମହିଳାଜଣଙ୍କୁ ଦେଖି ଅବଧାନେ:––– ଚିହ୍ନି ପାରିଲିନି।... କିଏ ଆପଣ?... ଏତେ ବର୍ଷା ରାତିରେ!... ପ୍ରଶ୍ନକୁ ସମ୍ପୂର୍ଣ୍ଣ ହେବାକୁ ନଦେଇ ମହିଳା ଜଣକ:–– ମୁଁ ସତ୍ୟା!... ଏଇ ବାଟ ଦେଇ ଯାଉଥିଲି... ହଠାତ୍ ଘରେ କାହାର ଚିତ୍କାର ଶୁଣି ମୁଁ ଭିତରକୁ ଆସିବାକୁ ଉଚିତ୍ ମନେ କଲି।...


ହଁ ମାଆ!... ମୋ ସାନ ବୋହୁ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏତେ ବର୍ଷା ରାତିରେ କେହି ବି ଆସୁ ନାହାନ୍ତି ଘରକୁ।... ଆଗନ୍ତୁକ ମହିଳା ଜଣକ ବର୍ତ୍ତମାନ ଆଉ କିଛି ଉତ୍ତର ନକରି ଚାଲିଲେ ସାନବୋହୁଙ୍କ କକ୍ଷ ଆଡ଼କୁ।... ଅବଧାନେ ଆଶ୍ଚର୍ଯ୍ୟ ହେଇ ଚାହିଁଥାନ୍ତି ମହିଳା ଜଣକୁ।... ମହିଳା ଜଣକ ସାନବୋହୁଙ୍କ ଚାଲିଗଲେ ଏବଂ ଅବଧାନେ ଅପେକ୍ଷା କରି ରହିଲେ।... କିଛି ସମୟ ପରେ କୋମଳ ନବଜନ୍ମିତ ଶିଶୁର କୁଆଁ କୁଆଁ ରାବ ଛୁଟି ଆସିଲା ଘର ଭିତରୁ... ଆଗନ୍ତୁକ ମହିଳା ଜଣକ ନବଜନ୍ମିତ ପୁତ୍ରଶିଶୁକୁ ଆଣି ଅବଧାନେଙ୍କୁ... ଏଇ ନିଅ!... ଯାହା ପାଇଁ ତୁମର ଏତେ ବ୍ୟସ୍ତତା।...  ଯାହାକୁ ତୁମେ ଅପଲକେ ଅପେକ୍ଷା କରିଥିଲ!... ଶିଶୁପୁତ୍ରଟିକୁ ଅବଧାନେଙ୍କ ହାତକୁ ଟେକିଦେଇ ଚାଲିଗଲେ ମହିଳା ଜଣକ। କିନ୍ତୁ ଆଶ୍ଚର୍ଯ୍ୟର କଥା ନୂତନ ଅତିଥିଙ୍କ ଆଗମନେ ହିଁ ପ୍ରକୃତିର ଉଗ୍ର ରୂପ ଶାନ୍ତ ହୋଇଗଲା। ଅମାବାସ୍ୟା ଦିନ ଜନ୍ମ ନେଲା ବୋଲି ସାହିପଡ଼ିସା ସବୁ କେତେ କଣ କହିଗଲେ ତାର ହିସାବ ନାହିଁ। ଏକୋଇଶି ଦିନ ବିତିଗଲା, ଆସିଲା ନବଜନ୍ମିତ ଶିଶୁର ନାମକରଣର ଦିନ। ପିଲାଟି ଦେଖିବାକୁ ଠିକ୍ ବାପା ପରିକା ହେଇ ଥିବାରୁ ଅବଧାନେ ତା ନା ରଖିଥିଲେ "ସୀତାଂଶୁ"। କିଛି ଦିନ ବିତି ଯିବା ପରେ ପୁଣି ଦାରୁଣ ସମୟ ହାତ ଠାରି ଡାକିଲା ସୀତାଂଶୁକୁ। ମାତ୍ର ମାସେ ହେଇଥିଲା ଏଇ ବିରାଟ ଦୁନିଆଁର ତା' ଠୁ ମାର ପଣତକାନି ମଧ୍ୟ ଦୂର ହେଇଗଲା। ସାନବୋହୁ ମଧ୍ୟ ମୃତ୍ୟୁବରଣ କଲେ। ଅବଧାନେଙ୍କ ପାଇଁ ପୁତ୍ରମୃତ୍ୟୁ ଅପେକ୍ଷା ସାନବୋହୁଙ୍କ ମୃତ୍ୟୁର ଯନ୍ତ୍ରଣା ଅସହ୍ୟ ହେଲା। ବଡ଼ବୋହୁ ଏବଂ ମଝିଆଁ ବୋହୁ ସୀତାଂଶୁ ଠାରୁ ମୁହଁ ଫେରେଇ ନେଲେ। ସଭିଙ୍କ ମତରେ ସେ ପିଲା ମିଶ୍ର ଘର ପାଇଁ ଏକ ଅଭିଶାପ। ଅବଧାନଙ୍କର ଗାଆଁରେ ଜମିଦାରଙ୍କ ସହ ଭଲ ସମ୍ପର୍କ। ଜମିଦାର ଜଣେ ସହୃଦୟବାନ ବ୍ୟକ୍ତି। ଅବଧାନଙ୍କ ଦିନକାଳ ସରି ସରି ଆସିଲାଣି। ବଡବୋହୁ ଏବଂ ମଝିଆଁ ବୋହୁ କେହି ସାନ ନାତିକୁ ଆପଣେଇ ନେଉ ନାହାଁନ୍ତି। ପୁଅ ଦୁଇ ଜଣ ମଧ୍ୟ ନୀରବ। ଜମିଦାର ଅନେକ ଦିନ ହେଇ ଗଲାଣି ପୁଅ ବୋହୁଙ୍କ କୋଳରେ ନାତି ନାତୁଣୀଟିଏ ଦେଖି ପାରିଲେନି। ଅବଧାନେ ସ୍ଥିର କଲେ ନାତିକୁ ଜମିଦାରଙ୍କ କୋଳକୁ ଟେକିଦେବେ ବୋଲି। ତାହା ହିଁ ହେଲା। ନାତିକୁ ଅବଧାନେ ଜମିଦାରଙ୍କ ସହ ବାର୍ତ୍ତାଳାପ କରି ତାଙ୍କ ଘରେ ଛାଡ଼ି ଦେଇ ଆସିଲେ। ଜମିଦାରଙ୍କ ପୁଅ ଏବଂ ବୋହୁ ମଧ୍ୟ ସହୃଦୟରେ ସୀତାଂଶୁକୁ ଗ୍ରହଣ କରି ନେଲେ। ନାତିକୁ ଏକ ବର୍ଷ ନପୁରୁଣୁ ଅବଧାନେ ମଧ୍ୟ ପୁଅ ବୋହୁଙ୍କୁ ଭାଳି ଭାଳି ଆଖି ବୁଝିଲେ। ଅବଧାନେଙ୍କ ମୃତ୍ୟୁ ପରେ ଗାଁ ମଇପେ ମାନେ ନାତିକୁ ଆଉ ନାଆଁ ଧରି ଡ଼ାକିଲେ ନାହିଁ। କେହି ହତଭାଗା, କେହି ଅଲକ୍ଷଣା ତ କେହି ହତିଶିରା ବୋଲି ଡ଼ାକିଲେ। ଜମିଦାର ବାବୁଙ୍କ ପୁଅ ବୋହୁ ସୀତାଂଶୁର ଭଲ ଭବିଷ୍ୟତ ପାଇଁ ଗାଁ ଛାଡିଦେବାକୁ ନିଷ୍ପତ୍ତି ନେଲେ। ଜମିଦାର ମଧ୍ୟ ଆପର୍ତି କଲେ ନାହିଁ। ବରଂ ପୁଅ ବୋହୁଙ୍କ ସମେତ ନିଜେ ଆସି ସହରରେ ରହି ନାତିର ଉଜ୍ବଳ ଭବିଷ୍ୟତ ପାଇଁ ସଂଘର୍ଷ କଲେ। ନାତିର ସ୍କୁଲରେ ପ୍ରଥମ ବର୍ଷରେ ନାମ ଲେଖାଇଲା ବେଳକୁ ସେ ଦ୍ଵିତୀୟ ବର୍ଷର ପାଠ ସବୁ ଜାଣି ସାରି ଥାଏ। ଅତି ଉତ୍ତମ ନମ୍ବରରେ ସେ ସବୁ ଶ୍ରେଣୀରେ କୃତକାର୍ଯ୍ୟ ହେବା ସହିତ ଆଶାନୁରୂପକ ନମ୍ବର ରଖି ମେଟ୍ରିକ୍ ପାସ କଲା। ମାଟ୍ରିକ ପରେ ଇଞ୍ଜିନୟରିଙ୍ଗ୍ ପାଠ ଅଧ୍ୟୟନ କରିବ ବୋଲି ମନେ ବାଞ୍ଚି ସେ ବାପା ମାଆଙ୍କୁ ଜଣାଇଲା। ସେତେବେଳେ ସେ ତା ଅସ୍ତିତ୍ୱ ଜାଣି ନଥିଲା। ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ଏକ ସୁପ୍ରତିଷ୍ଠିତ ବୃତ୍ତିଗତ ଇଞ୍ଜିନୟର ଭାବେ ସେ ନିଜକୁ ଆବିଷ୍କାର କଲା। ଯେଉଁଦିନ ତାର ଚାକିରୀ ହେଇଗଲା ମନ ଆନନ୍ଦରେ ବାପା, ମାଆ ଓ ଜେବେବାପାଙ୍କ ପାଖକୁ ଧାଇଁ ଆସିଥିଲା ଜୀବନର ଏକ ନୂତନ ପୃଷ୍ଠା ଖୋଲି ଦେବାକୁ, ହେଲେ ସେ ଅଜ୍ଞାତ ଥିଲା ଅଜ୍ଞାତ ଯନ୍ତ୍ରଣାର ପୁରୁଣା ଫର୍ଦ୍ଦ ତା ଜୀବନରେ ମଧ୍ୟ ଅଛି। ମା ତାର ବାପାଙ୍କୁ ଅଶ୍ରୁଳ ନୟନରେ କହିଲେ... ଦେଖିଲ ତମେ!... ଆଜି ମୋ ପୁଅ ଅମାବାସ୍ୟାର ଚନ୍ଦ୍ର ହେଇ ପାରିଛି। ଅମାବାସ୍ୟାର ଚନ୍ଦ୍ର ହେଇ କେମିତି ଆମ ସଭିଙ୍କୁ ଆଲୋକ ପ୍ରଦାନ କରୁଛି।... ଉକ୍ତିଟି ସୀତାଂଶୁ ଶୁଣିଦେଇ ଥିବାରୁ ଜେଜେଙ୍କୁ ନିଜର ନିୟମ ଦେଇ ପଚାରିଲା ଅମାବାସ୍ୟାର ଚାନ୍ଦ ପଛର ରହସ୍ୟ ବିଷୟରେ। ଜେଜେ ମହାଶୟ ପ୍ରାଣପ୍ରିୟ ନାତିର ଜୀବନ ନିୟମ ଭଙ୍ଗ ନ କରିପାରି ଅମାବାସ୍ୟା ଚାନ୍ଦର ସବୁ ପୁରୁଣା ଫର୍ଦ୍ଦ ଖୋଲି ଦେଇଥିଲେ ନାତି ଆଗରେ। ଆଉ ଆଜି ସେଇ ଦୁଃଖିନୀ ମା'ର ୨୮ ତମ ଶ୍ରାଦ୍ଧବାର୍ଷିକୀ।... ଏ ଥିଲା ମୋ ଜୀବନର କାହାଣୀ। ଯାହା ମୁଁ ତତେ ପ୍ରଥମ ଥର ପାଇଁ କହିଲି ସୋମୁ...


ଦୈନଦିନ ଜୀବନର ଘଟଣା ଓ ପରିଘଟଣାରୁ ଖୁବ୍ ଶିକ୍ଷା ମିଳେ ମଣିଷ ସମାଜକୁ। ଏମିତି ଅନେକ ତାରକା ସୁଯୋଗ ସ୍ଥଳେ ଅମାବାସ୍ୟାର ଚାନ୍ଦ ହୋଇପାରିବେ, ଅନେକ ବଣମଲ୍ଲୀ ବାସ ଚହଟାଇ ପାରିବେ ଅନେକ ଗଙ୍ଗଶିଉଳି ପ୍ରତିଭା ଦେଖାଇ ପାରିବେ।



Rate this content
Log in

Similar oriya story from Inspirational