jitamitra swain

Tragedy

4.4  

jitamitra swain

Tragedy

ଅଲୋଡା

ଅଲୋଡା

3 mins
753



ଗ୍ରାଜୁଏସନ ପରେ ଉଚ୍ଚଶିକ୍ଷା ପାଇଁ କଟକ ଯିବାକୁ ପଡିଲା ମୋତେ । ସେଇଠି ତା ସହ ଦେଖା ହୋଇ ଥିଲା । ସେ.... ସୁଲୋଚନା.. । 

ମୁଁ କଟକରେ ଯେଉଁ ହଷ୍ଟେଲରେ ରହୁଥିଲି,ସେଇଠି ସେ ଘର ଝାଡୁ ପୋଛା କାମ କରୁଥିଲା । ଵହୁତ ଚୁପଚାପ । ସେମିତି ଚୁପଚାପ ସଵୁ କାମ କରି ଯାଏ । କେବେ ଘରକୁ ଯିବାକୁ ତରତର ହୁଏନି କି ଅଧିକ ପଇସା ପାଇଁ ଅଳି କରେନି । ବୟସରେ ଆମଠୁ ପାଞ୍ଚ ସାତ ବର୍ଷ ବଡ଼ ହେବ । ହେଲେ ବଡ଼ ହେଉ କି ସାନ,ଆମ ସମସ୍ତଙ୍କୁ ସେ ଦିଦି ଡାକେ । କାମ କମ୍ ଥିଲେ ଚୁପଚାପ ବସି କଣ ଭାବେ । 

ହଷ୍ଟେଲରେ ସମସ୍ତେ ନିଜ ପାଠ ଓ କାମରେ ଲାଗି ରହି ଥାନ୍ତି । ତା ଖବର ବୁଝିବାକୁ କାହା ପାଖରେ ସମୟ ନ ଥାଏ । ମୁଁ ମଧ୍ୟ ତା ସହ କଥା ହୋଇ ନଥିଲି ପାଖାପାଖି ଛଅ ମାସ ଯାଏ । ଛଅ ମାସ ପରେ ତା ସହ କଥା ହେବାର ସୁଯୋଗ ମିଳିଲା ଆଉ ସେତେବେଳେ ହିଁ ତାର ଲୁକ୍କାୟିତ ପରିଚୟ ଜଣା ପଡ଼ିଲା । ସେ ସମୟ ଥିଲା ପୂଜା ଛୁଟି । ଅଧିକାଂଶ ପିଲା ଘରକୁ ଫେରି ଯାଇ ଥିଲେ ଛୁଟିକୁ ଉପଭୋଗ କରିବାକୁ । ହେଲେ ମୁଁ ଆଉ୨-୩ ଟି ପିଲା ଫେରି ପାରି ନଥିଲୁ ଟିଉସନ ପାଇଁ । ବହୁତ ବିରକ୍ତି ଲାଗୁଥିଲା । ଏତେ କୋଳାହଳମୟ ହଷ୍ଟେଲଟା ଖୁବ ନିଛାଟିଆ ଲାଗୁଥିଲା । ଖାଲି ଯେତିକି ସମୟ ଟିଉସନ ଯିବ ଆଉ ତା ପରେ ହଷ୍ଟେଲରେ ବସି ବୋର ହେବ । ବାହାରକୁ ବି କେତେ ସମୟ ଯିବ ଆଉ କେତେ ସମୟ ବା ମୋବାଇଲରେ ଲାଗିବ?ଯାହା ବି ହେଉ,ସବୁ ସାନ୍ଗ ଥିଲେ ଯେତିକି ଖୁସି ମିଳେ ସେତିକି ଖୁସି କଣ ମିଳିବ?ସେଦିନ ରୁମରେ ବସି ବସି ବୋର ହେଉଥିଲି ଯେ ସୁଲୋଚନା ଆସିଲା ରୁମ ଝାଡୁ କରିବାକୁ । 

ମୁଁ ତକୁ ପଚାରିଲି:-  ତୁମେ କୋଉଠି ରୁହ?

ସେ ହାତ ଠାରି କହିଲା ଓ......ସେଇପଟେ ଗୋଟେ ଵସ୍ତି ଅଛି । ସେଇଠି ରହୁଛି । 

ମୁଁ ପୁଣି ପଚାରିଲି:-ତୁମ ସହିତ ଆଉ କିଏ ରୁହେ?

ସେ କହିଲା ,ମୁଁ ଏକା । ଆଉ କେହି ନାହାନ୍ତି । 

ମୁଁ କହିଲି, କାହିଁକି?ତୁମ ପରିବାର?

ସେ ଟିକେ ରହି ଗଲା ଆଉ ତା ପରେ କହିଲା, ମୋର କେହି ନାହାନ୍ତି । 

ମୁଁ କହିଲି:ମାନେ?

ସେ କହିଲା, ତୁମେ ଜାଣି କଣ କରିବ?

ମୁଁ ଟିକେ ସଚେତନ ହେଇ ଗଲି ମୋ ପ୍ରଶ୍ନ ପ୍ରତି । ଆରେ,ମୁଁ ତାକୁ କଣ ପଚାରୁଚି?କେଵେ ଆଗରୁ ତା ସହ କଥା ହେଇନି । ଆଜି ହିଁ କଥା ହେଲି ଆଉ ଏମିତିକା ପ୍ରଶ୍ନ ପଚାରୁଚି । ମୋତେ ଟିକେ ଖରାପ ଲାଗିଲା । ମୁଁ ଚୁପ୍ ହୋଇ ଗଲି । ସେ ଵି ଚୁପଚାପ ରୁମ ଝାଡୁ କରିବାରେ ଲାଗିଲା । ରୁମଟା ଝାଡୁ କରି ସାରି ମୋ ପାଖକୁ ପୁଣି ଆସିଲା । ତଳେ ବସି ପଡ଼ି କହିଲା, ଦିଦି, ଏତେ ଦିନ ପରେ କେହି ମୋ ବିଷୟରେ ପଚାରିଲା । ଭଲ ଲାଗିଲା । 


  ତା ପରେ ମୁଁ ଚୁପଚାପ ରହୁଥିବା ସୁଲୋଚନା ଭିତରେ ଆବିଷ୍କାର କଲି ଏକ ପ୍ରଗଳ୍ଭା ନାରୀକୁ । 


ସେ ଗପି ଚାଲିଲା:-ଦିଦି, ମୁଁ ଆମ ଗାଁ ସ୍କୁଲରେ ଅଷ୍ଟମ ଯାଏ ପଢ଼ିଛି । ଆମ ଜାତିରେ କେହି ଅଧିକ ପାଠ ପଢ଼ନ୍ତିନି । ତେଣୁ ମୁଁ ସେତିକି ପଢ଼ି ଘରେ ରହିଲି । କିଛି ବର୍ଷ ପରେ ମୋର ବାହାଘର ହେଲା । ସେ.. ମଦନ,ଭୁବନେଶ୍ବରର ଗୋଟିଏ ବସ୍ତିରେ ରୁହେ । ଅଟୋ ଚଲାଏ । ବାହାଘର ପରେ ମୁଁ ବି ଆସି ଭୁବନେଶ୍ୱରରେ ରହିଲି । ଅଟୋରୁ ସେତେବେଳେ ଏତେ ପଇସା ହେଉ ନଥିଲା । ତେଣୁ ମୁଁ ବି କେତେଟା ଘରେ ପାଇଟି କଲି । ବେଶୀ ପଇସା ନଥିଲା । ହେଲେ ସତ କହୁଛି ଦିଦି, ମୁଁ ଖୁସିରେ ଥିଲି । ଅଧିକ ଧନ କଣ ହେବ?

ବର୍ଷକ ପରେ ପିଲାଟିଏ ହେଲା । ମୁଁ ବହୁତ ଖୁସି ଥିଲି । ହେଲେ ମଦନ ଖୁସି ନ ଥିଲା । ସେ ପୁଅଟିଏ ଚାହୁଁଥିଲା । ହେଲେ ଆମର ଝିଅ ହୋଇ ଥିଲା । ମୁଁ ଭାବିଲି ବାପ ସିଏ । କେତେ ଦିନ ଏମିତି ରହିବ? କିଛି ଦିନ ପରେ ନିଜ ଝିଅକୁ ଆପଣାଇ ନେବନି? ହେଲେ ସେ ଦିନକୁ ଦିନ ଅଧିକ ନିଷ୍ଠୁର ହୋଇ ଗଲା । ଝିଅକୁ କେବେ ସ୍ନେହ କଲାନି କି ଆଡ଼ ଆଖିରେ ଚାହିଁଲାନି । ହେଲେ ମୁଁ ବିଚଳିତ ହେଲିନି । ମୁଁ ମୋ ଝିଅକୁ ଉଭୟଙ୍କ ସେନେହ ଦେଇ ପାଳିବାର ସାହସ ରଖିଥିଲି । ଏମିତି ମୋ ଝିଅ ଧୀରେ ଧୀରେ ବଡ଼ ହେଉ ଥିଲା । ସେଦିନ ମୁଁ ପରିବା କାଟୁ ଥିଲି । ଝିଅ ମୋର ଆଣ୍ଠେଇ ଆଣ୍ଠେଇ ଜଳନ୍ତା ଚୂଲି ପାଖକୁ ଚାଲି ଯାଇ ଥିଲା । ମୋର ହଠାତ ନଜର ପଡ଼ିଲା । ସେଇଠି ମଦନ ବସି ଦେଖୁଛି,ହେଲେ କିଛି କରୁନି । ମୁଁ ଧାଇଁ ଯାଇ ଝିଅକୁ ଉଠେଇ ଆଣିଲି । ସେ ଦିନ ମୋତେ ଟିକେ ବାଧିଲା । ଯାହା ବି ହେଲେ ମାଆ ମୁଁ ।  କେମିତି ସହିଥାନ୍ତି ? ମଦନକୁ କହିଲି, କେମିତି ବାପ ତୁ?ଝିଅ ଜଳି ଯାଇଥାନ୍ତା । ସେ ଚିଡି ଯାଇ କହିଲା, ଜଳି କି ମରିଯାଉ । କହି ଉଠି ଚାଲି ଗଲା । ତା ପରେ ମୁଁ ଝିଅ ପାଇଁ ଟିକେ ଅଧିକ ସତର୍କ ହେଲି । ପାଖେ ପାଖେ ରଖିଲି ତାକୁ । ଏମିତିରେ ଝିଅ ତିନି ଵର୍ଷର ହୋଇଗଲା । ଖନେଇ ଖନେଇ କଥା କହିଲା । ମୁଁ ତାକୁ ନେଇ ସ୍ୱପ୍ନ ଦେଖିବା ଆରମ୍ଭ କଲି । ତାକୁ ପାଠ ପଢେଇବି । ସେ ଚାକିରି କରିଵ । ଅନ୍ତତ ମୋ ପରି ବାର ଦୁଆର ହେବନି । ଧୀରେ ଧୀରେ ତାର ପାରିବାପଣ ଉପରେ ମୋର ଭରସା ଆସିଲା । ତାକୁ ଏକା ଖେଳି ବାକୁ ଛାଡିଲି । ମୁଁ କାମକୁ ଯିବା ସମୟତକ ସେ ବସ୍ତି ପିଲାଙ୍କ ସହ ଖେଳେ । ସେଦିନ ଖେଳୁ ଖେଳୁ ରାସ୍ତା ଉପରକୁ ଚାଲି ଗଲା । ବଡ଼ ଦୁର୍ଘଟଣା ଟିଏ ହୋଇଗଲା ଦିଦି । ଜଣେ ବାବୁଙ୍କ କାର୍ ଧକ୍କା ଦେଲା ତାକୁ । ସେ ବଞ୍ଚିଲାନି । ସେଇଠି ହି ମୋତେ ଏକା କରି ଚାଲି ଗଲା ମୋ ଝିଅ । ବସ୍ତି ଲୋକ ସେ ବାବୁଙ୍କୁ ଅଟକ ରଖିଲେ । ରାସ୍ତା ରୋକ କଲେ । ମୁଁ ଖବର ପାଇ ଧାଇଁ ଆସିଲି । ଝିଅର ନିର୍ଜୀବ ଶରୀର ଦେଖି ଚେତା ହରାଇ ଦେଲି । ହୋସ୍କୁ ଆସିଲା ବେଳକୁ ମଦନର ଚିତ୍କାର ଶୁଣିଲି । ସେ ଝିଅର ଶବକୁ ଧରି କାନ୍ଦୁଥିଲା ଆଉ ଚିଲେଇ ଚିଲେଇ ସେ ବାବୁଙ୍କୁ କହୁଥିଲା, କେତେ ସ୍ନେହରେ ବଢେଇ ଥିଲି ମୋ ଝିଅକୁ । ତୁମେ ତାକୁ ଛଡାଇ ନେଲ । ମୁଁ ତୁମକୁ ଛାଡିବିନି । ତୁମକୁ ଏଥିପାଇଁ କ୍ଷତି ପୂରଣ ବାବଦକୁ ପୂରା ପାଞ୍ଚଲକ୍ଷ ଟଙ୍କା ଦେବାକୁ ହେବ । ମୁଁ ଅବାକ୍ ହୋଇ ଯାଇଥିଲି ମଦନର ଏ ରୂପ ଦେଖି । ଯେଉଁ ଲୋକ ମୋ ଝିଅକୁ ଆଡ଼ ଆଖିରେ ଚାହିଁ ନ ଥିଲା, ଆଜି ତା ପ୍ରତି ତାର ଏତେ ଦରଦ କୋଉଠୁ ଆସିଲା? କଣ ପ୍ଇସା ପାଇଁ?ପାଞ୍ଚ ଲକ୍ଷ ଟଙ୍କାରେ ସେ ମୋ ମମତାକୁ ବିକ୍ରି କରିବାକୁ ଚେଷ୍ଟା କରୁଥିଲା । ମୋର ଘୄଣା ଆସିଲା ତାର ଏଇ ଛଳନା ଉପରେ । ମୁଁ ତାକୁ ଛାଡି ଏଇ ବସ୍ତିକୁ ପଳେଇ ଆସିଲି । ସେବେଠୁ ଏଇଠି ଅଛି । 


ସୁଲୋଚନା ପରି ଗୋଟେ ଅଳ୍ପ ଶିକ୍ଷିତ ଝିଅ ପାଖରେ ଏପରି ଆତ୍ମବିଶ୍ୱାସ ଦେଖି ମୁଁ ଆଚମ୍ବିତା ହେଲି । ତାର ସରଳ ମନର ସେ କଥା ମୋ ମନକୁ ଛୁଇଁ ଯାଇଥିଲା । 




Rate this content
Log in

Similar oriya story from Tragedy