jitamitra swain

Tragedy

4.1  

jitamitra swain

Tragedy

ଦିବାସ୍ୱପ୍ନ

ଦିବାସ୍ୱପ୍ନ

5 mins
579


ଆଜି ର ସମୟ, ପ୍ରତିଯୋଗିତା ର ସମୟ। ସମସ୍ତ ଙ୍କୁ ପଛରେ ପକେଇ ଆଗକୁ ମାଡ଼ି ଯିବା ର ଇଚ୍ଛା ରେ ସମସ୍ତେ ମସ୍ ଗୁଲ୍। ତା ଭିତରେ କିଏ ଯେ ମାଡ଼ି ମକଚି ହୋଇ ଶେଷ ହୋଇ ଯାଏ ତା' ର ଗଣତି ରଖିବା କୁ କାହାରି ପାଖ ରେ ଆଗ୍ରହ ନାହିଁ କି ସମୟ ନାହିଁ।ଘର ଲୋକ ଙ୍କ ସହ ବସି ଦି ପଦ ସୁଖ ଦୁଃଖ ଆଲୋଚନା କରିବା ସାତ ସପନ ହେଲାଣି।ଆଉ ପଡା ପଡିଶା ଙ୍କ କଥା ତ ନ କହିବା ଭଲ।


ଏମିତି ଚଢେଇ ବସା ପରି ଘରେ ରହି ଏମାନେ ଗର୍ବ ଅନୁଭବ କରୁଛନ୍ତି।ସୁଦୂର ଆକାଶରେ ଉଡ଼ିବା କୁ ସ୍ୱପ୍ନ ଦେଖୁଛନ୍ତି ପଢ଼ା ଘର ରୂପକ ପଞ୍ଜୁରୀ ଭିତରେ ନିଜ କୁ ଆବଦ୍ଧ କରି।ଆଉ ଆଜି କାଲି ର ଶିକ୍ଷା...... ନକହିବା ଭଲ।ମଣିଷ କୁ ନିର୍ଜୀବ ଯନ୍ତ୍ର କୁ ଆପଣା କରିବା ଶିଖାଇ ଦେଉଛି।ହେଲେ କୋଉ ଜୀବନ୍ତ କୁ ଆପଣା ର କରି ତା ହୃଦୟରେ ଜାଗା ଟିଏ କରିବା କୁ ଶିଖେଇ ପାରୁନି। ଆମ ଘର ର ଦିଟା ପିଲା ରାଜା ପୂଜା ଙ୍କୁ ଦେଖୁନା।ଟିଭି ଆଉ ମୋବାଇଲ ରେ ଯେତିକି ଆଗ୍ରହ ସେତିକି କୋଉ ସାନ୍ଗ ସହ ଖେଳିବା ବୁଲିବା ରେ ନାହିଁ।ଘରେ ଖାଲି ସେଇ ମୋବାଇଲ ଆଉ ଟିଭି ରିମୋଟ୍ ପାଇଁ କଳି କରି ଘର କମ୍ପଉ ଥିବେ।ଆଜି କ'ଣ ଜମା ପାଟି ଶୁଭୁନି?


ଏମିତି ସୋଫା ଉପରେ ବସି ଅନେକ କଥା ଭାବୁ ଭାବୁ ପିଲା ଙ୍କ ରୁମ ଆଡକୁ ଟିକିଏ ଉହୁଙ୍କେଇ ଚାହିଁଲେ ମାୟା ଦେବୀ।ଦୁଇ ଜଣ ତ ରୁମରେ ନାହାଁନ୍ତି।କୁଆଡ଼େ ଗଲେ କି?


ମମତା........ ମମତା..........ପିଲା କୁଆଡେ ଯାଇଛନ୍ତି କି? ମାୟା ଦେବୀ ଟିକେ ଆଗ୍ରହୀ ହୋଇ ପଚାରିଲେ।


ମା, ରଜ ଆସୁଛି ତ......ସେଥିପାଇ ମାର୍କେଟ ଯାଇଛନ୍ତି ସୁମିତ୍ ଙ୍କ ସହ।କଣ ସବୁ କିଣା କିଣି କରି ଆସନ୍ତୁ।ଆଉ ଯାହା ବାକି ଥିବ ମୁଁ ପରେ ସୁମିତ୍ ଙ୍କ ସହ ଯାଇ ନେଇ ଆସିବି ଆଉ।


ରଜ.......ଓହୋ.... ଟିକେ ବିରକ୍ତି ରେ ମୁହଁ ଟା ବୁଲେଇ ଦେଇ ମାୟା ଦେବୀ ପୁଣି ଭାବି ବାକୁ ଲାଗିଲେ।


ରଜ କ'ଣ ଏ ପିଲା ମାନେ କ'ଣ ଜାଣିବେ? କ'ଣ ବୁଝିବେ ଏମାନେ ପର୍ବର ମୂଲ୍ୟବୋଧ? ରଜ କହିଲେ ଖାଲି ନୂଆ ଡ୍ରେସ, କସ୍ ମେଟିକ୍ ଆଉ ମେଲୋଡି।ଆଉ ଯଦି ପିଲା ଙ୍କୁ ବୁଝେଇ ବାକୁ ଚେଷ୍ଟା କରା ଯାଏ ତାହେଲେ ପିଲା ଙ୍କୁ ଅସୁବିଧା ହେଉ ନହେଉ ବେଶୀ ଅସୁବିଧା ପିଲା ଙ୍କ ମା' ଙ୍କୁ ହେବ।ମୁହଁ ଫୁଲେଇ ଆସି କହିବେ ମା'! ସେସବୁ ପିଲା ଙ୍କୁ କାହିଁକି କହୁଛନ୍ତି? ଏସବୁ କୋଉ ପୁରୁଣା କାଳିଆ କଥା।ସେସବୁ କୁ ଧରି ବସିଲେ ପିଲା ଆଉ ଆଜିକା ଯୁଗ ସହ ତାଳ ଦେଇ ଚାଲି ପାରିବେ ନାହିଁ।ମହାଶୟା ବୋଧହୁଏ ଭୁଲି ଗଲେଣି ଯେ ସେ ମଧ୍ୟ ବିବାହ ପୂର୍ବ ରୁ କୋଉ ଗାଁ ରେ ରହୁଥିଲେ ବୋଲି।ଆରେ ନିଜ ମୂଳଦୂଆ କୁ ପାଦ ରେ ଆଡେଇ ଦେଇ କୋଉ ମଣିଷ କେତେ ଉପରକୁ ଉଠିଲାଣି?


କ'ଣ ସେ ସମୟ ଥିଲା ମ !!! ମୋ ପିଲା ଦିନ ର । ରଜ ହେବ ବୋଲି ମାସକ ଆଗରୁ ସବୁ ପ୍ରସ୍ତୁତି ଆରମ୍ଭ ହେଇ ଯାଏ। ପୋଡ଼ପିଠା ପାଇଁ ପ୍ରସ୍ତୁତି,ରଜ ଦୋଳି ପାଇଁ ପ୍ରସ୍ତୁତି, ବାଗୁଡି ଖେଳ ପାଇଁ ପ୍ରସ୍ତୁତି ଆହୁରି କେତେ କ'ଣ।କେତେ ଆଗ୍ରହ!!!! କେତେ ଉତ୍ସାହ!!!! ରଜ ପାଇଁ ସେ ଆଗ୍ରହ ଆଜି ପିଲା ଙ୍କ ଭିତରେ କାହିଁ?


ସେତେବେଳେ ସାଇକେଲ ଟିଏ ଦେଖିବା କଷ୍ଟକର ଥିଲା।ହେଲେ ସମସ୍ତେ ମମତା ର ବନ୍ଧନ ରେ ଖୁବ୍ ନିକଟରେ ଥିଲେ।ହେଲେ ଆଜି ଏତେ ଯାନବାହାନ ଥାଇ ବି କେହି କାହା ପାଖରେ ନାହାଁନ୍ତି।


କାଲି ପରି ଲାଗୁଛି।ଗୋଟେ ବର୍ଷ ରଜରେ ଗାଁ ବୁଲୁବୁଲୁ ମୁଁ,ମିତା, କଣ୍ଢେଇ, ସରଜି,ରୂପା, ଅନି,ମିଲି,କୁନି ଜାନକୀ ଏମିତି ନ ଜଣ ମିଶି ପାଞ୍ଚଟି ଗାଁ ପାର ହୋଇ ଯାଇ ନରହରିପୁର ଗାଁରେ ପହଞ୍ଚି ଯାଇ ଥିଲୁ।ସତରେ କେତେ ସ୍ୱାଧୀନ ଭାବେ ଝିଅ ମାନେ ବୁଲି ପାରୁ ଥିଲେ।!!!ସମ୍ପୂର୍ଣ୍ଣ ଅଜଣା ଯାଗାରେ ଥାଇ ବି ମନରେ ଟିକିଏ ଭୟ ନଥିଲା।ଥକ୍କା ଲାଗିବାରୁ ସେଇଠି ଗୋଟିଏ ତୋଟା ପାଖରେ ବସି ମନ ଖୁସି ରେ ଗପ ଜମେଇ ଦେଲୁ।ସେଇଠି ଲିଲନ ସହ ଦେଖା ହୋଇ ଥିଲା।ପାଖରେ ବୋଧହୁଏ କୋଉଠି ଖେଳୁ ଥିଲା।ଆମ ଦଳ କୁ ଦେଖି ପାଖକୁ ଆସି ପଚାରିଲା ତୁମେ କୋଉ ଗାଁର?ଏଠି କାହା ଘରକୁ ଆସିଛ କି? ମୁଁ କହିଲି ଆମେ ଆସିଛୁ ବୀରପୁର ଗାଁ ରୁ।ଏଠୁ ବହୁତ ଦୂର ହେବ।ଏଠି ଆମେ କାହାକୁ ଚିହ୍ନିନୁ କି ଜାଣିନୁ।ଲିଲନ କହିଲା ଏମିତି କାହିଁକି କହୁଛ? ପାଖରେ ଗୋଟିଏ ତୁଳସୀ ଗଛରୁ ପତ୍ର ଛିଡେଇ ଆଣିଲା ଆଉ ମୋ ପାଟିରେ ତୁଳସୀ ପତ୍ର ଦେଇ କହିଲା ଆଜି ଠୁ ତୁମେ ମୋ ମଇତ୍ର ହେଲ। ସତରେ କେତେ ଆପଣା କରିବା ର ଶକ୍ତି ଥିଲା ସେତେବେଳ ର ଲୋକଙ୍କ ପାଖରେ।!!! ଲିଲନ ସେ ବନ୍ଧୁତ୍ୱ କୁ ଜୀବନ ର ଶେଷ ଯାଏ ନିଭେଇ ଥିଲା।


ମଇତ୍ର କଲା ପରେ ଲିଲନ ନିଜ ଘର କୁ ଆମକୁ ଡାକି ନେଲା।ତା ପରିବାର ବି ଖୁବ ଖୁସି ରେ ଆମ କୁ ସ୍ୱାଗତ କଲେ।କିଛି ସମୟ ମଧ୍ୟରେ ଆଖପାଖ ପଡା ପଡିଶା ଲୋକ ବି ଆସି ଆମ ସହ କଥା ହେଲେ।ୟା ଘରୁ ଏ ତିଅଣ,ସେ ଘରୁ ସେ ତିଅଣ ଏମିତି ହୋଇ ଆମ ନ ଜଣ ଙ୍କ ପାଇଁ ପୂରା ଛ ତିଅଣ ନ ଭଜା ର ବ୍ୟବସ୍ତା ହୋଇ ଗଲା।


ଆମେ ଖାଇ ବାକୁ ଯାଉଛୁ ତ ଜଣେ ବୁଢ଼ୀ ଲୋକ ପାଖକୁ ଆସି ବସିଲେ।ଆମକୁ ଟିକେ ନିରିଖେଇ ଚାହିଁ ପଚାରିଲେ ଆରେ ,ଏ ନୂଆ କୁଣିଆ ସବୁ କିଏ? ମୁଁ ଟିକେ ଆଗଭର ହୋଇ କହିଲି, ଆମେ ବୀରପୁର ରୁ ଆସିଛୁ ରଜ ବୁଲିବାକୁ।ବୁଢ଼ୀ ଜଣଙ୍କ ଜାଣିବା ପରି ପୁଣି ପଚାରିଲେ ବୀର ପୁର ରେ କାହା ଘର? ମୁଁ କହିଲି ମୋ ବାପାଙ୍କ ନାଁ ଦାମୋଦର ନାୟକ।ନାଁ ଟା ଶୁଣି ବୁଢୀ ଜଣକ ଚମକିଲା ପରି କହିଲେ, ତୁ ଦାମ ଝିଅ? ଆରେ ମୁଁ ବା ତାର ଧରମ ମାଉସୀ।ମୁଁ ତୁମ ଘରକୁ ଯାଇଥିଲି ।ସେତେବେଳେ ତୁ ଏଡିକି ବକଟେ ହେଇଥିଲୁ।ଆସି ଏତେ ବଡ଼ ହେଲୁଣି କହି ମୋତେ ଆଉଁସି ପକେଇଲେ।ତା ପରେ କାନ୍ଦ କାନ୍ଦ ହୋଇ ପଚାରିଲେ ଦାମ କଣ ମୋତେ ଭୁଲି ଗଲା?କାହିଁ କେତେ ଦିନ ହେଲା କିଛି ଖୋଜ ଖବର ନାହିଁ।ମୁଁ କହିଲି ବାପା ଙ୍କ ଦେହ ଭଲ ନାହିଁ। ଏ କଥା ଶୁଣି ବୁଢ଼ୀ ଜଣଙ୍କ ଆହୁରି ଜୋର ରେ କାନ୍ଦି ବାକୁ ଲାଗିଲେ।ଆମେ ଗାଁ କୁ ଫେରିବା ବେଳେ ବାପା ଙ୍କୁ ତାଙ୍କ କଥା କହିବାକୁ ତାଗିଦ କରିବା ସହ ବାପା ଙ୍କ ପାଇଁ ପୋଡ଼ପିଠା ପଠେଇଥିଲେ।


ଘରକୁ ଫେରିବା ପରେ ମୁଁ ବାପା ଙ୍କୁ ପୋଡ଼ପିଠା ଧରେଇ ଦେଇ କହିଲି ନିଅ ।ତୁମ ନରହରି ପୁର ର ଧରମ ମାଉସୀ ପଠେଇଛନ୍ତି।ତା ପରେ ସବୁ ଘଟଣା ମୂଳ ରୁ ଶେଷ ଯାଏ ବଖାଣି ଦେଲି।ସବୁ ଶୁଣି ସାରି ବାପା ଅପରାଧୀ ପରି କହିଲେ ଦେହ ଖରାପ ପାଇଁ ମାଉସୀ ଙ୍କୁ କେତେ ଦିନ ହେଲା ଦେଖା କରି ପାରିନି।ଭାବୁଛି କିଛି ଦିନ ପାଇଁ ଆମ ଘରକୁ ନେଇ ଆସିବି।ତା ପର ସପ୍ତାହ ରେ ହିଁ ବାପା ତାଙ୍କୁ ଘରକୁ ନେଇ ଆସିଲେ।ସେ ଆମ ଘରେ ପ୍ରାୟ ଛ ମାସ ଭଳି ରହିଲେ।ଫେରିବା ବେଳେ ଏତେ କନ୍ଦାକଟା ଘରେ ହେଲା ଯେ ଏବେ ରକ୍ତ ର କେହି ଦୂର କୁ ଗଲେ ବି ସେତିକି କନ୍ଦା କଟା ହେଉ ନ ଥିବ।


ମାୟା ଦେବୀ ଭାବନା ରାଜ୍ୟ ରୁ ଫେରି ପ୍ରକୃତିସ୍ଥ ହେଲା ବେଳକୁ ଦେଖିଲେ ସାମ୍ନା ସୋଫାରେ ରାଜା ତାଙ୍କୁ ଅନେଇ ବସିଛି।ଥଟ୍ଟା କଲା ପରି କହିଲା:- ଜେଜେ ମା' ,ଦିନ ରେ କଣ ଆଖି ଖୋଲା ରଖି ସ୍ୱପ୍ନ ଦେଖୁଛ?ଆମେ ସେତେବେଳ ରୁ ଆସିଲୁଣି।ତୁମେ ଜାଣି ବି ପାରୁନା।ଆଚ୍ଛା, କଣ ସ୍ୱପ୍ନ ଦେଖୁଥିଲ? ତୁମର ସେଇ ପୂରୁଣା ଦିନ ର କାଦୁଅ ରାସ୍ତା, ଆମ୍ବ ତୋଟା,ଚାଳ ଘର ଏଇ ସବୁ ନା?


ପୂଜା ଆସି ପାଖ ରେ ବସି ପଡ଼ି ତାଗିଦ କଲା ପରି କହିଲା, ଜେଜେ ମା',ୟାଡୁସିଆଡୁ ବେଶୀ ଚିନ୍ତା କରନି।ବ୍ଲଡ଼ ପ୍ରେସର୍ ବଢ଼ି ଯିବ।ତୁମେ ଟିଭି ଦେଖ।ରାଜା ର ମୋର ଯାଉଛୁ ମାଇଁ ଙ୍କୁ ଭିଡିଓ କଲ କରିବୁ।


ମାୟା ଦେବୀ ଦୁଖ ଭରା ହସ ଟିଏ ଓଠରେ ଖେଳେଇ ଭାବୁଥିଲେ, ଭଲ ହେଇଛି ଲିଲନ ଚାଲି ଯାଇଛି ଏ ଦୁନିଆ ଛାଡି ବହୁତ ଦୂରକୁ।ଏ ଦୁନିଆ ଆମ ପାଇଁ ପ୍ରଯୁଜ୍ୟ ନୁହେଁ।ଆମ ଚଳଣି, ଚିନ୍ତାଧାରା ବର୍ତ୍ତମାନ ସମୟରେ ପରିହାସ ର ପାତ୍ର।ବର୍ତ୍ତମାନ ର ପିଢ଼ି ପାଇଁ ଆମେ ସେହି ଅତୀତ ଯାହା ପାଇଁ ଆଜି କେଉଁଠି ବି ସ୍ଥାନ ନାହିଁ।ସ୍ୱପ୍ନ ରେ ବି ନୁହେଁ।

ଜିତା


Rate this content
Log in

Similar oriya story from Tragedy