STORYMIRROR

ayiswarya maharana

Tragedy

4  

ayiswarya maharana

Tragedy

ଅକୁହା କଥା

ଅକୁହା କଥା

3 mins
469

ମାର୍ଗଶୀର ମାସ ମଫସଲ ଗାଁ ଟିଏ।ଖଳା ବାଡ଼ିରେ କଅଁଳ ଖରା ପଡିଥାଏ।ଶକୁ ବୁଢ଼ୀ ଆଠ ବର୍ଷର ନାତୁଣୀ ଲତାକୁ ନେଇ ଖଳାବାରି ରେ ପଖାଳ ଅଧ କଂସାଏ ଧରି ବସିଥାଏ।ସାଥିରେ ଥାଏ ବାଇଗଣ,ଆଳୁ ଟମାଟୋ ପୋଡା ରେ ରସୁଣ,ଧନିଆ ପତ୍ର ସହ ଧାନୁଆ ଲଙ୍କାକୁ ନେଇ ପାଗପାଣି ଓ ଲୁଣି ଶୁଖୁଆ ପୋଡା। ଥର ଥର ହାତରେ ଭାତ ଗୁଣ୍ଡାଏ ନେଇ ଲତା ପାଟିକୁ ବଢ଼ାଉ ବଢ଼ାଉ ଲତା କହିଲା ,"ଏ ବୁଢ଼ୀମା ,ମୁଁ ପରା ସକାଳେ ଇଟିଲି ପିଠା,ତରକାରୀ ଖାଇଛି।ଆଉ କଅଣ ଭୋକ ଅଛି ଯେ ଖାଇବି ?କିନ୍ତୁ ତୋ ସେଇ ପାଗପାଣିର ବାସ୍ନା ବଢିଆ ହେଇଛି।ମୋତେ ସେଥିରୁ ଟିକିଏ ଦେ "।ଏତିକି କହି ଶକୁ ବୁଢ଼ୀ ପାଖକୁ ବସିପଡ଼ିଲା।ଶକୁ ବୁଢ଼ୀ ତାକୁ ସେହି ଭାତ ସହ ପାଗପାଣି ଖୁଆଇଦେଲା।ଗୋଟିଏ ଥର ଖାଇ ଲତା ଉଠିଗଲା।ମୁହଁ ଧୋଇ ଆସି ପୁଣି ସେହି ଖରାରେ ବସି ଖରା ପୁଆଇଁ ହେଲା।ତେଣେ ବୁଢ଼ୀ ଭାତ ଖାଉଥାଏ....ମଝିରେ ମଝିରେ ନାତୁଣୀ ଲତାକୁ ଡାକୁଥାଏ ଖାଇବା ପାଇଁ।

ଏହି ସମୟରେ ଲତାର ବୋଉ ସେବତୀ ପାଟି କରି ଶକୁ ବୁଢ଼ୀ ପାଖକୁ ଆସି କହିଲା ,"ତୁମର ତ ଭାରି ସାହସ।ମୋର ଗୋଟାଏ ବୋଲି ପିଲା।ତାକୁ ତମେ ସେ ବାସି ଭାତ ଖାଇବାକୁ କହୁଛ....ସେ ପୁଣି ତୁମ ଅଇଁଠା।ଆଉ ଦିନେ ଯଦି ଏମିତି କରିବ ,ସେଦିନ ଏଈ ବାସି ଗଣ୍ଡାକ ବି ମିଳିବନି।"ଘର ଭିତରକୁ ଚାଲି ଯାଉ ଯାଉ ଲତାକୁ କହିଲା ,"ତୋ ସାଙ୍ଗମାନେ ତତେ ଖେଳିବାକୁ ଖୋଜୁସନ୍ତି ଆଉ ତୁ ଏଇଠି ବସିଥା।"

ଲତା କହିଲା,"ବୋଉ ,ତୁ ସବୁବେଳେ ଏମିତି ଗରଗର ହୁଅନି।ତୁ ସେମାନଙ୍କୁ କହ ଆମେ ଏଠି ଖରାରେ ଖେଳିବୁ।"

ଶକୁ ବୁଢ଼ୀ ବୋହୁ ସେବତୀର ଏପରି ବ୍ୟବହାରରେ ସେହି ପଖାଳ କଂସାକୁ ଚାହିଁ ଦୁଇ ଧାର ଲୁହ ଝରାଇଦେଲା।ଲୁହ ଭର୍ତ୍ତି ଝାପ୍ସା ଆଖିରେ ଜଳ ଜଳ ହୋଇ ଦିଶିଯାଉଥିଲା ବୁଢ଼ା ସହ ବିତାଇଥିବା ସାରା ଜୀବନର ଚିତ୍ରପଟ୍ଟ।ମନେ ପଡିଯାଉଥିଲା ବୁଢ଼ାର ହାତ ଧରି ଚାଲିଥିବା ସମୟ ଗୁଡିକ।

                    ସାଥି ବିନା ଜୀବନ ନିସଙ୍ଗ ଦୁର୍ବିସହ ହୋଇଯାଏ।କିନ୍ତୁ ସାଥି ବିନା ବାର୍ଦ୍ଧକ୍ୟ ତ ବେଶୀ ଦାଉ ସାଧେ।ଏହି ବାର୍ଦ୍ଧକ୍ୟ ସମୟରେ ବୟସ ଯେପରି ପରିବାର ଠାରୁ ଦୂରେଇ ନେଇଯାଏ କେଉଁ ଏକ ଅଜଣା ଅଶୁଣା ସ୍ଥାନକୁ।ସବୁ ଚିହ୍ନା ମୁହଁ ପାଇଁ କୁଞ୍ଚିତ ଚର୍ମର ମଣିଷଟି ଯେପରି ଅଚିହ୍ନା ଅଲୋଡ଼ା ହୋଇଯାଏ।ତଥାପି ବଞ୍ଚିବାର ଆଶା ଥାଏ କେବଳ ସେହି ସାଥି ଟି ପାଇଁ,ଯେ କି ତା ମନର କଥା ଶୁଣେ ପୁଣି ଶୁଣାଏ।ମୁଦ୍ରାର ଗୋଟିଏ ପାର୍ଶ୍ଵ ନଷ୍ଟ ହୋଇଗଲେ ଯେପରି ତାହା ମୂଲ୍ୟହୀନ,ସେହିପରି ଏହି ବାର୍ଦ୍ଧକ୍ୟ ରେ ସାଥି ଚାଲିଗଲେ ଅନ୍ୟ ଜଣକ ସମ୍ପୂର୍ଣ୍ଣ ବେସାହାରା ମୂଲ୍ୟହୀନ ହୋଇଯାଏ ଠିକ୍ ଏକ ପାର୍ଶ୍ଵ ବିହୀନ ମୁଦ୍ରାଟି ପରି।ବୋଧ ହୁଏ ବିବାହର ଏହା ହିଁ ହେଉଛି ଶ୍ରେଷ୍ଠ ଉଦ୍ଦେଶ୍ୟ।

ବୁଢା ଥିବା ବେଳେ ଅନ୍ତତଃ ବୁଢ଼ୀକୁ ସାମନାରେ କେହି ପାଟି ଫିଟାଉ ନଥିଲା।ବୁଢ଼ୀ ଥର ଥର ହାତରେ ବାରି ଓଳାଇଲେ ବୁଢା ତା ହାତରୁ ଛଡାଇ ନେଇ ନିଜେ ଥରି ଥରି ଓଳାଇ ଦିଏ।କିଛି ନହେଲେ ମୋ ବୁଢ଼ୀ ଖାଇଲୁଣି କି ନାହିଁ ବୋଲି ତ ପଚାରୁଥିଲା।ଦାଣ୍ଡକୁ ଚୁଡି ବିକା ଆସିଲେ ଭତ୍ତା ପଇସାରୁ ମୁଠାଏ ଚୁଡି କିଣି ଆଣୁଥିଲା।ପୁଅ ବୋହୂ ପଛରେ କିଛି କହିଲେ କି ମନ ଦୁଃଖ ହେଲେ ଦୁହେଁ ଦୁହିଁଙ୍କର ଲୁହ ପୋଛି ଦେଉଥିଲେ।

କିନ୍ତୁ ବୁଢ଼ା ଚାଲିଗଲା ପରେ ହାତ ମଥା ଶୂନ୍ୟ ହୋଇଯାଇଛି ତା ସହ ଶୂନ୍ୟ ହୋଇଯାଇଛି ତା ଜୀବନ।ଥର ଥର ଶୂନ୍ୟ ହାତରେ ନଇଁ ନଇଁ ଝାଡୁ ଧରି ଝାଡୁ କରିବା ସମୟରେ ଆଉ କେହି ତା ହାତରୁ ଝାଡୁ ଛଡେଇ ନେବା ପାଇଁ ଆସେ ନାହିଁ।ଅଣ୍ଟା ରେ ଯନ୍ତ୍ରଣା ହେଲେ ଟିକିଏ ବସିଗଲେ ବୋହୁ ଗାଳି କରେ।ଅଇଁଠା ବାସନ ନିଜେ ସଫା କରେ ,କାଳେ ସେ ଖାଲି ବସି ବସି ଖାଉଛି। ବୋହୁର ଗାଳି ଯେତିକି କଷ୍ଟ ହୁଏନାହିଁ ନିଜ ଠାରୁ ଜନ୍ମିତ ପୁଅର ନୀରବତା ଅଧିକ କଷ୍ଟ ହୁଏ।ସେହି ପୁଅ ଯାହାକୁ ଦିନେ ସେ କୋଳେଇ କାଖେଇ ବଡ଼ କଲା।ହାତ ଧରି ଚାଲିବା ଶିଖେଇଲା।ଶୁଆ ପରି କଥା କହିବା ଶିଖେଇଲା।ଅଥଚ ସେହି ପୁଅ ଆଜି ନିରବ ଦ୍ରଷ୍ଟା।

ଶକୁବୁଢ଼ୀ ଆକାଶକୁ ଚାହିଁ ବୁଢାକୁ କହିଲା ,"ସାତ ଜନ୍ମର ସାଥି କରିବାକୁ କହି ଏଈ ଗୋଟିଏ ଜନ୍ମ ମଧ୍ୟ ମୋ ପାଖେ ନରହି ଅଧାରୁ ଛାଡି ଚାଲିଗଲ।ତମେ ବଡ଼ ସ୍ୱାର୍ଥପର।"

                       କୋହ ଉଠୁଥାଏ ,ପାଟିକୁ ଭାତ ଗୁଣ୍ଡାଏ ଯାଇପାରୁ ନଥାଏ।ସେପଟେ ପିଲାମାନଙ୍କ କୋଳାହଳ ଶୁଣି ଶକୁବୁଢ଼ୀ ପ୍ରକୃତିସ୍ଥ ହେଲା।ପିଲାଏ ସବୁ ମାଟିର କାଞ୍ଚିକୁଂଚୁଲି ନେଇ ଖେଳୁଥାନ୍ତି।ଏହି ମିଛି ମିଛିକା କାଞ୍ଚିକୁଂଚୁଲି ଖେଳ ଦେଖି ତା'ର ତା ପିଲାଦିନ କଥା ମନେ ପଡ଼ିଲା।ଏମିତି ଦିନେ ସେ କାଞ୍ଚିକୁଂଚୁଲି ଖେଳରେ ବୋହୁ ହୋଇ ରୋଷେଇ କରୁଥାଏ।ତାକୁ ତା ମାଆ ଡାକି ନେଇଗଲେ ଘରକୁ।ତାକୁ ଦେଖିବାକୁ ଶାଶୁଘରୁ ଲୋକ ଆସିଥିଲେ। ଅବୁଝା ଝିଅଟି ବଡ଼ ହେଲା ପରେ ପୁଆଣି ହୋଇ ନିଜ ସ୍ଵାମୀଙ୍କ ସହ ତାଙ୍କ ଘରକୁ ଚାଲି ଆସିଲା।ମିଛିମିଛିକା ବୋହୁ ଖେଳ ସତ ହେଇଗଲା।ଏମିତି ହାତ କୁ ଦି ହାତ ହେବାପରେ ଦୁହେଁ ଗୋଟିଏ ଶିଶୁପୁତ୍ରର ହାତ ଧରି ଜୀବନର ଆଉ କିଛି ବାଟ ଚାଲିଗଲେ।ଗୋଟିଏ ଆଶା ଥାଏ ଆଜି ଆମେ ପୁଅର ହାତ ଧରି ଚାଲିଲେ କାଲି ସେହି କୁନି ହାତ ଆମକୁ ସାହାରା ଦେବ।କିନ୍ତୁ ଭାଗ୍ୟ ତ ଓଲଟା ହୋଇଗଲା।କାହାକୁ କହିବ ଅନ୍ତରର ବେଦନା।

ଲୁହ ପୋଛି ପୋଛୁ ଶକୁ ବୁଢ଼ୀ ପାଟି ରୁ ବାହାରି ଆସିଲା "ଏ ମିଛି ମିଛିକା ନିଶ୍ୱାସ ଟା ସତ ସତିକା ରହିଯାଅନ୍ତା କି ମୁଁ ମୋ ବୁଢ଼ା ପାଖକୁ ଚାଲି ଯାଆନ୍ତି।"ସେତେବେଳେ ବୋହୁ ସେବତୀ ଘର ଭିତରେ ଥାଇ କହୁଥାଏ ତୁମ ଖାଇବା ସରିଲା କି ନାହିଁ,ଆସିଲେ ରୋଷେଇ ପାଇଁ ପରିବା କାଟିଦେଵ।"ବୋହୁର ପାଟି ଶୁଣି ଅକୁହା କଥାକୁ ମନରେ ସାଇତି ଶକୁବୁଢ଼ୀ ଥର ଥର ପାଦ ପକାଇ କଂସା ଉଠାଇ ଚାଲିଗଲା।

                 


Rate this content
Log in

Similar oriya story from Tragedy